ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧନ୍ଦାମୂଳକ ଶିକ୍ଷାର ମହତ୍ତ୍ବ

ଆର୍ଥିକ ପ୍ରଗତି, ସାମାଜିକ ଉନ୍ନତି ତଥା ସର୍ବାଙ୍ଗୀନ ବିକାଶ ନିମନ୍ତେ ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ଭାରତ ସର୍ବଦା ଯୁଗପୋଯୋଗୀ ଶିକ୍ଷା ବ୍ୟବସ୍ଥା ପ୍ରଣୟନ ସହ ତା’ର ସଫଳ ରୂପାୟନ କରି ସାରା ବିଶ୍ୱକୁ ପ୍ରେରଣା ଯୋଗାଇଛି। ତତ୍କାଳୀନ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଜୀବନ କୌଶଳ, ଶୃଙ୍ଖଳା ଓ ଧନ୍ଦାମୂଳକ ଦକ୍ଷତା, ବାସ୍ତବତା ଓ କର୍ମ ଉପରେ ଆଧାରିତ ଥିଲା। ସେ ସମୟରେ ଶିକ୍ଷାର୍ଥୀମାନେ ବିଭିନ୍ନ ଧନ୍ଦା ଏବଂ ସାମାଜିକ କାର୍ଯ୍ୟର ପ୍ରଶିକ୍ଷଣ ମାଧ୍ୟମରେ ଶ୍ରମର ମହତ୍ତ୍ୱ ବିଷୟରେ ଜ୍ଞାନ ଅର୍ଜନ କରୁଥିଲେ। ଭାରତର ଶିକ୍ଷା ବ୍ୟବସ୍ଥାରେ ପ୍ରଚଳିତ ଶିକ୍ଷା ମଧ୍ୟରୁ ଧନ୍ଦାମୂଳକ ଶିକ୍ଷା ହେଉଛି ଅନ୍ୟତମ।

ୟୁନେସ୍କୋ ମତରେ ଧନ୍ଦାମୂଳକ ଶିକ୍ଷା ହେଉଛି ସାଧାରଣ ଶିକ୍ଷା ପ୍ରକ୍ରିୟାର ସମସ୍ତ ପ୍ରକାର ଓ ସ୍ତରରେ ସାଧାରଣଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଧ୍ୟୟନ, ବ୍ୟବହାରିକ କୌଶଳ ଆହରଣ, ସାମାଜିକ ଓ ଅର୍ଥନୈତିକ ଜୀବନରେ ବିଭିନ୍ନ ବିଭାଗ ସହ ଜଡ଼ିତ ଧନ୍ଦାଗୁଡ଼ିକର ଧାରଣା ଓ ମନବୃତ୍ତିର ସମ୍ମିଶ୍ରଣ। ସାଧାରଣ ଭାଷାରେ କହିବାକୁ ଗଲେ ଯେଉଁ ଶିକ୍ଷା କୌଣସି ଏକ ଧନ୍ଦା ସହ କୌଣସି ଏକ ବ୍ୟକ୍ତିକୁ ଜଡ଼ିତ କରିଥାଏ ତାହା ହେଉଛି ଧନ୍ଦାମୂଳକ ଶିକ୍ଷା। ଧନ୍ଦାମୂଳକ ଅର୍ଥ ହେଉଛି ‘ବୃତ୍ତି ସହିତ ଜଡ଼ିତ’। ଭାରତରେ ପ୍ରଚଳିତ ସମସ୍ତ ଶିକ୍ଷାନୀତିରେ ଏହି ଧନ୍ଦାମୂଳକ ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନିଆଯାଇଛି।

ଅଧିକ ପଢନ୍ତୁ

୧୮୫୪ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ବୋର୍ଡ ସଭାପତି ସାର୍‌‌ ଚାର୍ଲ୍ସ ଉଡ୍‌‌ ସର୍ବପ୍ରଥମେ ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଅନୁଭବ କରି ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ ହାଉସିଙ୍କୁ ଏକ ରିପୋର୍ଟ ଦେଇଥିଲେ, ଯାହାକି ‘ଉଡ୍ସ ଡିସ୍ପାଚ୍‌‌‘ ନାମରେ ପରିଚିତ ଥିଲା। ସେହି ରିପୋର୍ଟ ଅନୁସାରେ ସାଧାରଣ ଶିକ୍ଷାର ବିବିଧକରଣ କରାଯାଇ ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ କରାଯାଇଥିଲା। ହାର୍ଟୋଗ ସମୀକ୍ଷା (୧୯୨୯)ରେ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଓ ବାଣିଜ୍ୟିକ ବୃତ୍ତି ନିମନ୍ତେ ପ୍ରସ୍ତୁତ ହେବା ପାଇଁ ହାର୍ଟୋଗ କମିଟି ବିଦ୍ୟାଳୟରେ ବିବିଧ ପାଠ୍ୟକ୍ରମ ପାଇଁ ସୁପାରିସ କରିଥିଲେ। ସେହିଭଳି ବେକାରୀ ସମସ୍ୟାର ସମାଧାନ ପାଇଁ ୧୧ ବର୍ଷ ଶିକ୍ଷା (୫ ବର୍ଷ ପ୍ରାଥମିକ,୩ ବର୍ଷ ନିମ୍ନ ମାଧ୍ୟମିକ ଓ ୩ ବର୍ଷ ଉଚ୍ଚ ମାଧ୍ୟମିକ) ପରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ମତ ଦେଇଥିଲେ ସାପ୍ରୁ କମିଟି (୧୯୩୪)। କିନ୍ତୁ ତତ୍କାଳୀନ ଶିକ୍ଷା ପ୍ରଶାସନ ଏହାର ଗୁରୁତ୍ୱକୁ ଉପଲବ୍ଧ କରିନଥିଲେ।

ପରବର୍ତ୍ତୀ ସମୟରେ ଅର୍ଥାତ୍‌‌ ୧୯୩୬ ମସିହାରେ ଆବଟ୍‌‌ କମିଶନ ଧନ୍ଦାମୂଳକ ଶିକ୍ଷାକୁ ଭାଷା ଓ ବିଜ୍ଞାନ ଶିକ୍ଷା ସହ ସମାନ ଭାବେ ବିଚାର କରିବା,ଏହାକୁ ଅନ୍ୟାନ୍ୟ ଶିକ୍ଷାର ପରିପୂରକ ଭାବେ ଭାବିବା, ଧନ୍ଦାମୂଳକ ବିଦ୍ୟାଳୟଗୁଡ଼ିକ ଧନ୍ଦାମୂଳକ କେନ୍ଦ୍ର ନିକଟରେ ପ୍ରତିଷ୍ଠା କରିବା ଦିଗରେ ଆଲୋକପାତ କରିଥିଲେ। ଜାତୀୟ ଏକୀକରଣ, ବୃହତ୍ତମ ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶ କରିବା ଲକ୍ଷ୍ୟରେ କୋଠାରୀ ଆୟୋଗ(୧୯୬୪-୬୬)ର ସୁପାରିସ କ୍ରମେ ୧୯୬୮ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାନୀତି ପ୍ରଣୟନ କରିଥିଲେ। ଏହି ନୀତି ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ସୁବିଧା ସୁଯୋଗ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇଥିଲା। ୧୯୮୬ ମସିହାରେ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ସରକାର ଶିକ୍ଷା ଉପରେ ଏକ ନୂତନ ଜାତୀୟ ନୀତି ପ୍ରଣୟନ କରିଥିଲେ। ଛାତ୍ରବୃତ୍ତି, ପ୍ରୌଢ଼ ଶିକ୍ଷା, ଅନୁସୂଚିତ ଜାତିରୁ ଅଧିକ ଶିକ୍ଷକ ନିଯୁକ୍ତି କରିବା, ନୂତନ ଅନୁଷ୍ଠାନର ବିକାଶ, ଦେଶବ୍ୟାପୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ‘ଅପରେସନ ବ୍ଲାକ ବୋର୍ଡ’ ଆଦି କ୍ଷେତ୍ରରେ ଅନେକ ନିଷ୍ପତ୍ତି ନିଆଯାଇଥିଲା। ଏହି ନୀତିରେ ତୃଣମୂଳ ସ୍ତରର, ଅର୍ଥନୈତିକ ତଥା ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଦର୍ଶନ ଉପରେ ଆଧାରିତ ଗ୍ରାମୀଣ ବିଶ୍ୱବିଦ୍ୟାଳୟ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୧୯୮୬ ଶିକ୍ଷା ନୀତି ଅନୁସାରେ ଧନ୍ଦାମୂଳକ ଶିକ୍ଷାକୁ ଏକ ପୃଥକ ବିଭାଗ କରାଯିବା ସହ ବିଭିନ୍ନ ପ୍ରକାର କାର୍ଯ୍ୟ ସହ ଜଡ଼ିତ ଥିବା ଏକ ନିର୍ଦ୍ଦିଷ୍ଟ ବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ଉପରେ ନିଷ୍ପତ୍ତି ନିଆଯାଇଥିଲା। ୧୯୯୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୮୬ ଜାତୀୟ ଶିକ୍ଷା ନୀତିରେ କେତେକ ପରିବର୍ତ୍ତନ କରିଥିଲେ। ବିଶେଷକରି ଦେଶର ବୃତ୍ତିଗତ ଏବଂ ବୈଷୟିକ ଶିକ୍ଷାରେ ଅଧ୍ୟୟନ ନିମନ୍ତେ ସର୍ବଭାରତୀୟ ସାଧାରଣ ପ୍ରବେଶିକା ପରୀକ୍ଷା କରିବାର ନିଷ୍ପତ୍ତି ନେଇଥିଲେ। ଜାତୀୟ ସ୍ତରରେ ଜେ.ଇ.ଇ ଓ ଏ.ଆଇ.ଇ.ଇ.ଇ ଏବଂ ରାଜ୍ୟସ୍ତରୀୟ ଅନୁଷ୍ଠାନଗୁଡ଼ିକ ପାଇଁ ରାଜ୍ୟସ୍ତରୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଏସ.ଏଲ୍‌‌.ଇ.ଇ.ଇ) ର ପ୍ରଚଳନ ହୋଇଥିଲା।

ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଦୀର୍ଘ ୩୪ ବର୍ଷ ପରେ ଅର୍ଥାତ୍‌‌ ୨୦୨୦ ମସିହା ଜୁଲାଇ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ନୂତନ ଶିକ୍ଷା ନୀତି ପ୍ରଣୟନ କରାଗଲା। ପ୍ରାଥମିକ ସ୍ତରରେ ବାଳିକା ଶିକ୍ଷା ପାଇଁ ଜାତୀୟ କାର୍ଯ୍ୟକ୍ରମ, ମାଧ୍ୟମିକ ଶିକ୍ଷାର ବିକାଶ ପାଇଁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ୨୦୧୩ ରେ ଆରମ୍ଭ ହୋଇଥିବା ଉଚ୍ଚଶିକ୍ଷାର ବିକାଶ ପାଇଁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ, ସମାନ ଶିକ୍ଷଣ ଫଳାଫଳକୁ ସୁନିଶ୍ଚିତ କରିବା ପାଇଁ ସମଗ୍ର ଶିକ୍ଷା ଅଭିଯାନ, ମାଧ୍ୟମିକ ପର୍ଯ୍ୟାୟରେ ଭିନ୍ନକ୍ଷମଙ୍କ ପାଇଁ ଅନ୍ତର୍ଭୁକ୍ତ ଶିକ୍ଷା, ପ୍ରାଥମିକ ଶିକ୍ଷାକୁ ପୁନଃଜୀବିତ କରିବା ପାଇଁ ତଥା ପ୍ରାଥମିକ ଶିକ୍ଷାର ସର୍ବଭାରତୀୟକରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକର୍ମ ଭଳି ଲୋକାଭିମୁଖୀ ଯୋଜନାମାନ କରାଯାଇଥିଲା। ୧୯୯୧ ମସିହାରେ ନୂତନ ଅର୍ଥନୈତିକ ନୀତିରେ ଜଗତୀକରଣ, ଉଦାରୀକରଣ, ଘରୋଇକରଣର ପ୍ରଭାବରେ ଦେଶର ଅର୍ଥନୀତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଲା। ଫଳରେ ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତାକୁ ଅନୁଭବ କରି ଶିକ୍ଷାନୀତିରେ ଏହାର ବ୍ୟାପକ ପ୍ରଚଳନ ଉପରେ ସରକାର ଦୃଷ୍ଟି ଦେଇଥିଲେ।

ଦକ୍ଷ ଓ କୁଶଳୀ ଜନତାଙ୍କୁ ନେଇ ଏକବିଂଶ ଶତାବ୍ଦୀରେ ଉପନିତ ମନୁଷ୍ୟ ଆଜି ଅଖଣ୍ଡ କ୍ଷମତାର ଅଧିକାରୀ ହୋଇପାରିଛି। ତେଣୁ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ କୁଶଳୀ କରି ଗଢ଼ି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ଚାକିରି ପଛରେ ଦୌଡ଼ିବା ଅପେକ୍ଷା ଚାକିରି ସୃଷ୍ଟି କରିବା, ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ବେକାରୀ ଭଳି ସାମାଜିକ ବ୍ୟାଧିକୁ ଦୂରେଇଦେବା ଏହି ପ୍ରେରଣାଦାୟୀ ଶିକ୍ଷାର ମୂଳଲକ୍ଷ୍ୟ। ଯଦିଓ ପୂର୍ବ ପ୍ରଚଳିତ ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷା ସାମିଲ ଥିଲା, କିନ୍ତୁ ଏହାର ପ୍ରଚାର ପ୍ରସାର ସେତେଟା ହୋଇ ପାରିନଥିଲା। ଏକବିଂଶ ଶତାବ୍ଦୀର ପରିସ୍ଥିତିକୁ ଅନୁଧ୍ୟାନ କରି ଏହାର ଗୁରୁତ୍ୱକୁ ଅନୁଭବ କରିଛନ୍ତି ସରକାର। ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଏବଂ ଉତ୍ତରଦାୟିତ୍ୱ ଉପରେ ପର୍ଯ୍ୟବସିତ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ରେ ଧନ୍ଦାମୂଳକ ଶିକ୍ଷାର କିଭଳି ଲୋକପ୍ରିୟତା ବୃଦ୍ଧି ଘଟିବ, ଛାତ୍ରଛାତ୍ରୀମାନେ କିଭଳି ଏହି ଶିକ୍ଷା ପ୍ରତି ଆକୃଷ୍ଟ ହେବେ ଏବଂ ଏହାର ସମ୍ପୂର୍ଣ୍ଣ ରୂପରେଖ ଉପରେ ଆଲୋକପାତ କରାଯାଇଛି।

ପୂର୍ବ ପ୍ରଚଳିତ ନୀତି ଅନୁସାରେ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏହି ଶିକ୍ଷା ପ୍ରଚଳନ ହେଉଥିଲା। କିନ୍ତୁ ପରିବର୍ତ୍ତିତ ଶିକ୍ଷାନୀତିରେ ଷଷ୍ଠ ଶ୍ରେଣୀ ପାଠ୍ୟ ଖସଡ଼ାରେ ଧନ୍ଦାମୂଳକ ଶିକ୍ଷାକୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ୍‌‌ ପରିଷଦ, ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମିଳିତ ଭାବେ ଏକ ନକ୍ସସା ପ୍ରସ୍ତୁତ କରିଛନ୍ତି। ବିଦ୍ୟାଳୟ ପାଠପଢ଼଼ା ସମାପ୍ତ ପରେ ରୋଜଗାରକ୍ଷମ ଶିକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଉଛି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମାଧ୍ୟମିକ, ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପର୍ଯ୍ୟଟନ ଓ ଆତିଥ୍ୟତା, ନଳକାମ, ଗହଣା ନିର୍ମାଣ, କୃଷି, ଶକ୍ତି, ଇଲେକ୍ଟ୍ରୋନିକ୍ସ, ହାର୍ଡୱେର ଭଳି ବିଭାଗରେ ଶିକ୍ଷା ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ମିଳିତ ପ୍ରୟାସ ଜାରି ରଖିଛନ୍ତି।

ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ୱଳ ପ୍ରସ୍ତୁତ କରିବା ନିମନ୍ତେ ଗତ ମେ’ ମାସରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ୨୦୨୫ ମସିହା ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ଶସକ୍ତ କରିବା, ମାନବ ସମ୍ୱଳର ବିକାଶ, ଦକ୍ଷତା ବୃଦ୍ଧି, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତ୍ତି ତଥା ନିଯୁକ୍ତି ଦେବା ପାଇଁ ସରକାର ବିଚାରବିମର୍ଶ କରୁଛନ୍ତି। ପ୍ରଚଳିତ ନୂତନ ଶିକ୍ଷା ନୀତି ୨୦୨୦ର ଧନ୍ଦାମୂଳକ ଶିକ୍ଷା ବାସ୍ତବିକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ବ୍ୟବହାରିକ ଜ୍ଞାନକୌଶଳ, ଜ୍ଞାନର ସମ୍ପୂର୍ଣ୍ଣତା, ଦକ୍ଷତା ତଥା ମାନବ ସମ୍ୱଳର ବିକାଶ କ୍ଷେତ୍ରରେ ଭାରତର ନୀତି ଭାରତକୁ ବିଶ୍ୱଗୁରୁ ଆଡ଼କୁ ଆଉ ଏକ ପାଦ ଆଗକୁ ନେଇଛି।

ଶ୍ରୀବତ୍ସ ନାୟକ
କଟକ, ମୋ:୯୪୩୮୦୭୦୮୪୯

Leave A Reply

Your email address will not be published.