ପାର୍ବଣରେ ଓଡ଼ିଶା ଚାଷୀଙ୍କୁ ‘କାଳିଆ’ ଭେଟି
ଓଡ଼ିଶା ସରକାର ରାଜ୍ୟର ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ୨୦୦୦ ଟଙ୍କାର ସଦ୍ୟତମ କିସ୍ତି ନୂଆଖାଇ ଅବସରରେ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଭିଡିଓ କନ୍ଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୪୩,୮୮,୦୦୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୬୮,୭୫୦ ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ସହାୟତା ବାବଦ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ‘କାଳିଆ’ ଯୋଜନାରେ ଏ ଯାଏଁ ରାଜ୍ୟ ସରକାର ମୋଟ୍ ୪୪.୫୬ ଲକ୍ଷ ଚାଷୀ ପରିବାରଙ୍କୁ ଜୀବିକା ଓ ଆୟବୃଦ୍ଧି ଜନିତ ସହାୟତା ଯୋଗାଇ ଦେଲେଣି।
ଓଡ଼ିଶା ସରକାରଙ୍କର ଏହା ଏକ ନିଜସ୍ୱ ପ୍ରୋତ୍ସାହନଭିତ୍ତିକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଅଭାବୀ ଚାଷୀଙ୍କୁ ପାଞ୍ଚଟି କୃଷିଋତୁ ପାଇଁ ସମାନ କିସ୍ତିରେ ମୋଟ୍ ୨୫,୦୦୦ ଟଙ୍କା ଲେଖାଏଁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଚାଷବାସ ସମୟରେ କୃଷିକାର୍ଯ୍ୟରେ ବିନିଯୋଗ ପାଇଁ ଏହା ଚାଷୀଙ୍କ ଉପକାରରେ ବିଶେଷ ଲାଗୁଛି। ବିଗତ ୨୦୧୮-୧୯ ରବି ଋତୁଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ସବୁଠୁ ବଡ଼ କଥା ହେଲା ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରି ଏ ବାବଦ ଅର୍ଥ ଚାଷୀଙ୍କୁ ନିୟମିତ ଯୋଗାଇ ଦେଉଛନ୍ତି। ଏହି ସହାୟତା ରାଶି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏବେ ଫସଲ ବୀମା ବାବଦ ପ୍ର୍ରିମିୟମ ଅର୍ଥ ଚାଷୀଙ୍କ ପାଇଁ ସରକାର ଭରଣା କରୁଛନ୍ତି। ଚଳିତବର୍ଷ ୨୨ ଲକ୍ଷ ଚାଷୀ ଫସଲବୀମା କରିବାକୁ ପଞ୍ଜୀକୃତ ହୋଇଛନ୍ତି। ଚାଷୀକୁଳକୁ ପ୍ରାୟତଃ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରାକୃତିକ ବିପତ୍ତି, ରୋଗପୋକ ଉତ୍ପାଦନ ପରବର୍ତ୍ତୀ ଅବ୍ୟବସ୍ଥା ଓ ବିକ୍ରିବଟାରେ ଅସୁବିଧା ଯୋଗୁଁ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼େ। ସୁଖର କଥା ଯେ ଓଡ଼ିଶାରେ ଚାଷର ଚିତ୍ର ବଦଳିଛି ଓ ଚାଷୀଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଛି। ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ଉତ୍ତମ ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସେଥିପାଇଁ ଓଡ଼ିଶା କ୍ରମାଗତ ଭାବେ ଚାଷବାସରେ ଭଲ ପ୍ରଦର୍ଶନ କରି ଜାତୀୟସ୍ତରରେ କୃଷିକର୍ମଣ ଓ ଅନ୍ୟାନ୍ୟ ପୁରସ୍କାର ପାଇଆସୁଛି। ରାଜ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନରେ ବଳକା ହୋଇଛି। ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ଓଡ଼ିଶା ବିଗତ ଦୁଇଦଶନ୍ଧି ମଧ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ବଳକା ହେବା ପଛରେ ରାଜ୍ୟ ସରକାରଙ୍କ ବଳିଷ୍ଠ ଅବଦାନ ଓ ଆମ ଚାଷୀମାନଙ୍କ କଠୋର ପରିଶ୍ରମ ତଥା ସହଯୋଗକୁ ଅସ୍ୱୀକାର କରାଯାଇପାରିବ ନାହିଁ।
ଚଳିତବର୍ଷ ପ୍ରତିକୂଳ ପାଗପାଳକ ସତ୍ତ୍ବେ ରାଜ୍ୟରେ ମଧ୍ୟ ଖରିଫ ଫସଲ ଅମଳ ଭଲ ହେବ ବୋଲି କୃଷି ବିଶେଷଜ୍ଞମାନେ ମତ ଦେଉଛନ୍ତି। ସେପ୍ଟେମ୍ବର ମାସର ଭଲ ବର୍ଷା ପୂର୍ବର ନିଅଣ୍ଟକୁ ଭରଣା କରିଛି ଏବଂ ଏହା ଖରିଫ ଫସଲ ଉଜୁଡ଼ିଯିବାର ଭୟ ଦୂର କରିଛି।
ଓଡ଼ିଶା ଏବେ ଖାଦ୍ୟଶସ୍ୟ, ମାଛ, କୁକୁଡ଼ା ମାଂସ ଓ ଅଣ୍ଡା ଆଦି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି। ପନିପରିବା କ୍ଷେତ୍ରରେ ମଧ୍ୟ ଆଳୁ, ଟମାଟୋ ଓ ପିଆଜକୁ ଛାଡ଼ି ଅନ୍ୟ ସବୁଥିରେ ନିଜର ଗୁଜୁରାଣ ମେଣ୍ଟାଇ ପାରୁଛି। ତେବେ ଡାଲି ଓ ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏ ଯାଏଁ ସ୍ୱାବଲମ୍ବୀ ହୋଇପାରିନାହିଁ। ଏ ଦିଗ ପ୍ରତି ସରକାରଙ୍କୁ ଓ କୃଷି ବିଭାଗକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ। ମିଲେଟ୍ସ ବା ଶ୍ରୀଅନ୍ନ ଚାଷରେ ଓଡ଼ିଶାର ମାଳଞ୍ଚଳ ଚାଷୀଙ୍କ ସଫଳତା ଆମ ପାଇଁ ନିଶ୍ଚୟ ଏକ ଗର୍ବର ବିଷୟ। ଆମେ ଆଶା କରିବା ଯେ ସରକାର ଡାଲି, ତୈଳବୀଜ ଭଳି ଅର୍ଥକରୀ ଫସଲ ଚାଷକୁ ଅଧିକ ପ୍ରୋତ୍ସାହିତ କରି ଏ କ୍ଷେତ୍ରରେ ନୂଆ ଦିଗନ୍ତ ସୃଷ୍ଟିରେ ସମର୍ଥ ହେବେ। କେବଳ ଖାଦ୍ୟ ଶସ୍ୟ ନୁହେଁ, ଭୋଜନ ସହ ସମ୍ପୃକ୍ତ ଅନ୍ୟାନ୍ୟ ସବୁ ଜିନିଷରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଓଡ଼ିଶାର ଅଧିକାଂଶ ଚାଷୀ ଭୂମିହୀନ, ଭାଗଚାଷୀ ଓ ନାମମାତ୍ର ଚାଷୀ। ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନୁହେଁ। ଏମାନଙ୍କ ସହିତ ରହିଛନ୍ତି ଭୂମିହୀନ କୃଷି ଶ୍ରମିକ, ଯାହାଙ୍କ ଆର୍ଥିକ ସ୍ଥିତି ଅତି ଖରାପ। ତେଣୁ ମୋଟ୍ ୫୦ ଲକ୍ଷ କୃଷିଜୀବୀଙ୍କ ପାଇଁ ପ୍ରାରମ୍ଭିକ ଭାବେ ‘କାଳିଆ’ ଯୋଜନା କାର୍ଯ୍ୟକାରୀ ହୋଇଥିଲା।
‘କାଳିଆ’ ଯୋଜନାରେ ଅବହେଳିତ ଚାଷୀମାନଙ୍କୁ ପାଞ୍ଚଟି କୃଷି ଋତୁ ପାଇଁ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ ଚାଷ ଉପଯୋଗୀ ସାମଗ୍ରୀ କିଣିବାକୁ ପ୍ରତି କୃଷିଜୀବୀ ପରିବାରଙ୍କୁ ମୋଟ୍ ୨୫ ହଜାର ଟଙ୍କା ଲେଖାଏଁ କିସ୍ତି ହିସାବରେ ଓଡ଼ିଶା ସରକାର ସହାୟତା ଯୋଗାଇ ଆସୁଛନ୍ତି। ଏହାଛଡ଼ା ଚାଷୀଙ୍କୁ ନାମକୁମାତ୍ର ଏବଂ ସ୍ଥଳ ବିଶେଷରେ ବିନା ସୁଧରେ କୃଷିଋଣ ଯୋଗାଇ ଦେବାର ବ୍ୟବସ୍ଥା ସରକାର କରିଛନ୍ତି। ଏବେ ଖରିଫ ଫସଲରେ ସାର ପ୍ରୟୋଗର ବେଳ। ତେବେ ରାଜ୍ୟର କେତେକ ଅଞ୍ଚଳରେ ସାରର କୃତ୍ରିମ ଅଭାବ ଦେଖା ଦେଇଥିବା ସମ୍ବାଦ ମିଳୁଛି। କୃଷି ବିଭାଗ ଏଥିପ୍ରତି ନଜର ଦେବା ଆବଶ୍ୟକ।