ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଟ୍ରୋଡ଼ାଙ୍କ ପାଣ୍ଡିତ୍ୟ ଓ କଂଗ୍ରେସର ପୀଡ଼ା

ସାମ ପିଟ୍ରୋଡ଼ା ଓରଫ ସତ୍ୟ ନାରାୟଣ ପିଟ୍ରୋଡ଼ା ଜଣେ ସଞ୍ଚାର ପ୍ରଯୁକ୍ତି ବିଶାରଦ(ଟେକ୍‌‌ନୋକ୍ରାଟ୍‌‌)। ପ୍ରଯୁକ୍ତିର ଉପଯୋଗ କରି ଦେଶର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ତାଙ୍କ ବୁଦ୍ଧି, ବିଦ୍ୟା ଓ ରଣନୀତିକୁ ଅସ୍ୱୀକାର କରାଯାଇ ନ ପାରେ। ଓଡ଼ିଶାର ଟିଟିଲାଗଡ଼ରେ ଜନ୍ମିତ ଏହି ଟେକ୍‌‌ନୋକ୍ରାଟଙ୍କୁ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତର ଟେକ୍‌‌ନୋଲୋଜି ମିଶନର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା। ଆମେରିକାରେ ନିଜର ସୁଖଦ ଜୀବନ କାଟୁଥିବା ପିଟ୍ରୋଡ଼ା ଭାରତ ଆସି ରାଜନୀତି ଏବଂ ଗାନ୍ଧୀ-ନେହେରୁ ପରିବାର ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଯାଇଥିଲେ। ୟା’ ଭିତରେ ଅନେକ ସମୟ ବିତିଯାଇଛି। ସାମ ପିଟ୍ରୋଡ଼ା କିନ୍ତୁ ନିଜର ବୟସାଧିକ୍ୟ ସତ୍ତ୍ବେ କଂଗ୍ରେସରେ ନିଜର ସ୍ଥିତିକୁ ଅଧିକ ମଜବୁତ କରିବା ସହ ରାହୁଳ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ପାଲଟିଥିଲେ ଏବଂ କଂଗ୍ରେସର ଦରିଆପାରି ସେଲ୍‌ଫର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହନ କରୁଥିଲେ।

ଯେକୌଣସି ବଡ଼ ରାଜନୈତିକ ଦଳ ଉତ୍ତମ ଓ ଯୋଗ୍ୟ ପରାମର୍ଶଦାତା ଲୋଡ଼େ। ଦଳର ନେତା ଓ ନେତୃମଣ୍ଡଳୀ ବିଭିନ୍ନ ପ୍ରସଙ୍ଗରେ ଏଭଳି ବିଷୟ-ବିଶେଷଜ୍ଞ ଓ ଯୋଗ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଆବଶ୍ୟକ କରନ୍ତି। ବିଡ଼ମ୍ବନା ହେଉଛି, ସାମ ପିଟ୍ରୋଡ଼ା ତାଙ୍କର ସମସ୍ତ ବୈଷୟିକ ଜ୍ଞାନ, ଗରିମା, ପାଣ୍ଡିତ୍ୟ ଓ ବୁଦ୍ଧିମତ୍ତା ସତ୍ତ୍ବେ ସାଧାରଣ ବ୍ୟାବହାରିକ ଜ୍ଞାନର ଅଧିକାରୀ ନଥିବା ପରି ଜଣାପଡ଼େ। ସେ ବୋଧହୁଏ ଦେଶର ଜଟିଳ ରାଜନୀତିର ସମ୍ବେଦନଶୀଳ ଦିଗ ଓ ତତ୍ତ୍ୱକୁ ବୁଝିବାରେ ଅନେକ ଥର ଅସମର୍ଥ ଜଣାପଡ଼ୁଥିଲେ। ନିୟମିତ ଭାବେ ବିବାଦୀୟ ମନ୍ତବ୍ୟମାନ ଦେଇ ସେ ନିଜେ ଲୋକହସା ହେବା ସହିତ କଂଗ୍ରେସ ଦଳକୁ ଉପହସିତ ଓ ଲଜ୍ଜିତ କରାଇ ଆସୁଥିଲେ। କେତେବେଳେ କେଉଁ କଥା କୁହାଯିବା ଉଚିତ ଓ ଅନୁଚିତ ସେ ବିଚାର ବୋଧହୁଏ ତାଙ୍କର କମ୍‌‌ ଥିଲା। ତେଣୁ ବାରମ୍ବାର ସେ ଦଳକୁ ବିବାଦ ମଧ୍ୟକୁ ଟାଣି ନେଉଥିଲେ। ଏଭଳି ଜଣେ ବ୍ୟକ୍ତି ରାହୁଳ ଗାନ୍ଧୀଙ୍କର ଅଘୋଷିତ ରାଜନୈତିକ ପରାମର୍ଶଦାତା ହେବା ନିଶ୍ଚିତ ଏକ ବିଡ଼ମ୍ବନା ବୋଲି କୁହାଯାଇପାରେ।

ଅଧିକ ପଢନ୍ତୁ

ଚଳିତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିକଟରେ ସେ ଆମେରିକାରେ ଏକ ସାକ୍ଷାତକାର ଦେଇ ଭାରତୀୟ ଜନତାଙ୍କ ବିବିଧତା ଓ ଦେଶର ଏକତା ସମ୍ପର୍କରେ କହିବା ବେଳେ ସମଗ୍ର ଦେଶର ଲୋକମାନଙ୍କୁ ଚାରିଭାଗରେ ବିଭକ୍ତ କରିଛନ୍ତି। ସେଥିରେ ସମଗ୍ର ଦକ୍ଷିଣ ଭାରତୀୟଙ୍କୁ ସେ ଆଫ୍ରିକୀୟ, ଉତ୍ତର ଭାରତୀୟଙ୍କୁ ୟୁରୋପୀୟ, ପଶ୍ଚିମ ଭାରତୀୟଙ୍କୁ ଆରବୀୟ ଏବଂ ପୂର୍ବ ଭାରତୀୟଙ୍କୁ ଚୀନା ଲୋକଙ୍କ ଗୋଷ୍ଠୀର ବୋଲି ବିଭ୍ରାନ୍ତିକର ବର୍ଣ୍ଣନା କରିଛନ୍ତି। ମଣିଷ ଜାତି (ରେସ୍‌‌)ର ଆଧାର ଭିତ୍ତିରେ ଭାରତୀୟମାନଙ୍କୁ ସେ ଯେଭଳି ବର୍ଣ୍ଣନା କରିଛନ୍ତି, ସେଥିରେ ସେ ନିଜର ଜାତିଆଣ ଓ ବର୍ଣ୍ଣବିଦ୍ୱେଷ ଭାବର ସୂଚନା ଦେଖାଇଛନ୍ତି। ତାଙ୍କର ଉଦ୍ଦେଶ୍ୟ ଯାହା ହେଉନା କାହିଁକି ଏଥିରେ ସେ ପ୍ରକୃତ ଭାରତୀୟଙ୍କୁ ଅପମାନିତ କରିଛନ୍ତି। ବିବିଧତା ସତ୍ତ୍ବେ ସବୁ ନାଗରିକ ଯେ ଭାରତୀୟ, ସେ ତତ୍ତ୍ୱଟିକୁ ପିଟ୍ରୋଡ଼ା ଠିକ୍‌‌ ଭାବେ ଉପସ୍ଥାପନ କରି ପାରିନାହାନ୍ତି। ତେଣୁ ଦେଶର ନିର୍ବାଚନ ସମୟରେ ବିରୋଧୀ ପିଟ୍ରୋଡ଼ାଙ୍କର ଏହି ଭ୍ରମାତ୍ମକ ମତାମତକୁ ଜାତି ଓ ବର୍ଣ୍ଣବିଦ୍ୱେଷୀ ତଥା ଦେଶବିରୋଧୀ କହିବାରେ ଆଶ୍ଚର୍ଯ୍ୟ ହେବାର ନାହିଁ। ସ୍ୱୟଂ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଦଳର ତୁଙ୍ଗ ନେତାମାନେ ଏଥିପାଇଁ କଂଗ୍ରେସକୁ କଠୋର ସମାଲୋଚନା କରିବା ପରେ କଂଗ୍ରେସ ଦଳ ଏହି ମତାମତରୁ ନିଜକୁ ଦୂରେଇ ରଖିବା ସହ ତାଙ୍କୁ ଭର୍ତ୍ସନା କରିବାରୁ ପିଟ୍ରୋଡ଼ା ଶେଷରେ ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି।

ଅଶୀତିପର ବୟସରେ ପିଟ୍ରୋଡ଼ାଙ୍କ ମନ୍ତବ୍ୟ ସବୁକୁ ମନେ ପକାଇଲେ ଜଣାପଡ଼େ ଯେ ଏହା ତାଙ୍କ ବାର୍ଦ୍ଧକ୍ୟଜନିତ ବାଚାଳତା ବା ଦୁର୍ବଳତାର ପରିପ୍ରକାଶ ନ ହୋଇପାରେ। ସେ ଜଣେ ଅଭ୍ୟାସଗତ ବିବାଦ ସୃଷ୍ଟିକାରୀ ଏବଂ ନିଜ ବୁଦ୍ଧିବିଦ୍ୟାର ଅହମିକା ଦେଖାଇବାକୁ ଯାଇ ବିବାଦୀୟ କଥା କହିବାରେ ଅଭ୍ୟସ୍ତ। ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ ବିଭିନ୍ନ କାରଣରୁ ଏବେ ଦୁର୍ବଳ ହୋଇପଡ଼ିଥିବା ବେଳେ ପିଟ୍ରୋଡ଼ାଙ୍କ ଭଳି ତଥାକଥିତ ବୁଦ୍ଧିମାନ ପରାମର୍ଶଦାତା ବିବାଦୀୟ ମନ୍ତବ୍ୟ ଦେଲେ ଦଳର ରାଜନୈତିକ ଭବିଷ୍ୟତ କ’ଣ ହେବ ଓ ନେତୃତ୍ୱ ପାଇଁ କି ଦୟନୀୟ ଅବସ୍ଥା ସୃଷ୍ଟି ହେବ ବୁଝାଇ କହିବା ଅନାବଶ୍ୟକ। ଅନାବଶ୍ୟକ ଓ ଅବାଞ୍ଛିତ ମତାମତ ଦେଇ ଦଳକୁ ବିବାଦରେ ପକାଉଥିବା ଲୋକ ପାଇଁ ରାଜନୀତି ବା ପରାମର୍ଶଦାତା ପରିଷଦରେ ସ୍ଥାନ ରହିବା ଅଗ୍ରହଣୀୟ।

ଏଥିସହିତ ପଢ଼ନ୍ତୁ

ଆମେରିକୀୟ ଶୈଳୀରେ ଭାରତୀୟଙ୍କ ଉପରେ ଉତ୍ତରାଧିକାର ଟିକସ ଲାଗୁ କରି ମୃତବ୍ୟକ୍ତିଙ୍କ ସମ୍ପତ୍ତିର ୫୫ ଭାଗ ରାଷ୍ଟ୍ରଙ୍କୁ ଦେବା, ଧନିକଙ୍କଠାରୁ ସମ୍ପତ୍ତି ଆଣି ଗରିବଙ୍କ ମଧ୍ୟରେ ବାଣ୍ଟିବା ଭଳି ତତ୍ତ୍ୱକୁ ଅଗ୍ରାଧିକାର ଦେଇ ତାହାକୁ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେବା ଏବଂ ସେଥିପାଇଁ ସର୍ବସାଧାରଣରେ ଯୁକ୍ତି ଉପସ୍ଥାପନ କରିବା ଭଳି ବିଷୟରେ ପିଟ୍ରୋଡ଼ା ନିଜର ମତାମତ ଦେଇ ନିଶ୍ଚୟ ଏକ ବଡ଼ ଭୁଲ୍‌‌ କରିଛନ୍ତି। ତାଙ୍କର ଅନ୍ୟ ମୁଖ୍ୟ ବିବାଦୀୟ ବକ୍ତବ୍ୟଗୁଡ଼ିକ ମଧ୍ୟରେ ରାମମନ୍ଦିର ପ୍ରକଳ୍ପକୁ ବିକାଶ ବିରୋଧୀ ବୋଲି ଆଖ୍ୟା ଦେବା, ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିଷୟରେ ଅବାଞ୍ଛିତ ମନ୍ତବ୍ୟ, ଇନ୍ଦିରା ଗାନ୍ଧୀ ହତ୍ୟା ପରବର୍ତ୍ତୀ ଶିଖ ବିରୋଧୀ ଦଙ୍ଗାକୁ ସମର୍ଥନ ଆଦି ପ୍ରମାଣିତ କରୁଛି ଯେ ସାମ ପିଟ୍ରୋଡ଼ା ଜଣେ ଅଭ୍ୟାସଗତ ବିବାଦ ସୃଷ୍ଟିକାରୀ। ଏଭଳି ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ଭଳି ଏକ ପୁରୁଣା ଓ ଐତିହ୍ୟ ସମ୍ପନ୍ନ ଦଳରେ ଦୀର୍ଘ ବର୍ଷ ଧରି ସହ୍ୟ କରାଯିବା ବାସ୍ତବରେ ରହସ୍ୟମୟ। ଦଳର ତୁଙ୍ଗ ଏବଂ ପ୍ରଭାବଶାଳୀ ନେତାଙ୍କ ଆଶିଷ ତଥା ସମର୍ଥନ ବିନା ସେ ଏତେ ଦିନ କଂଗ୍ରେସରେ ତିଷ୍ଠି ପାରିବା କଥା ନୁହେଁ। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦେଶର ବିବିଧତା ମଧ୍ୟରେ ଏକତା ପ୍ରକରଣକୁ ବର୍ଣ୍ଣନା କରିବାକୁ ଯାଇ ପିଟ୍ରୋଡ଼ା ଦେଇଥିବା ଉଦାହରଣ ଅପ୍ରାସଙ୍ଗିକ ଓ ବିବାଦୀୟ ହୋଇଛି। ଭାରତୀୟ ଜାତୀୟ ଜୀବନରେ ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ବିବିଧତା ମଧ୍ୟରେ ଏକତାର ପରିପ୍ରକାଶ ପ୍ରକୃତରେ ଆମ ଦେଶର ଏକ ସଫଳତା। ବୋଧହୁଏ ଏହି କଥାଟି ବୁଝାଇବାକୁ ଯାଇ ପିଟ୍ରୋଡ଼ା ବହୁତ ବଡ଼ ଭୁଲ୍‌‌ଟିଏ କରି ପକାଇଛନ୍ତି, ଯାହାକି ଦେଶର ବହୁଳ ବିବିଧତାକୁ ତାଚ୍ଛଲ୍ୟ କଲା ଭଳି ଜଣାପଡ଼ୁଛି।

ପିଟ୍ରୋଡ଼ାଙ୍କର ପାଣ୍ଡିତ୍ୟ ଓ ଯୋଗ୍ୟତା ତା’ ଜାଗାରେ ଅଛି। କିନ୍ତୁ ତାଙ୍କ ଦାୟିତ୍ୱବୋଧ, ବିଚାରବନ୍ତ ବୁଦ୍ଧିବୃତ୍ତି ଓ ବ୍ୟାବହାରିକ ଜ୍ଞାନର ଅଭାବ ଭାରତୀୟ ଜନତାଙ୍କୁ ତଥା ଭାରତର ସଂବେଦନଶୀଳତାକୁ ଆଘାତ କରିଛି। କଂଗ୍ରେସ ତାଙ୍କୁ ବହୁତ ସହିଛି। ତଥାପି ତାଙ୍କ ସ୍ୱଭାବକୁ ବାରମ୍ବାର ଦେଖିବା ପରେ ତାଙ୍କୁ ଏତେଦିନ ଦଳରେ ପ୍ରାଧାନ୍ୟ ଦେଇଥିବା କଂଗ୍ରେସର ନେତୃବର୍ଗ ନିଜକୁ ଦୋଷମୁକ୍ତ କରିପାରିବେ ନାହିଁ। ସେ ଦଳ ପାଇଁ ଯାହା କରିଛନ୍ତି, ତା’ଠାରୁ ଅଧିକ କ୍ଷତି କରିଯାଇଛନ୍ତି – ଏହା କଂଗ୍ରେସ ପାଇଁ ଏକ ବିଡ଼ମ୍ବନା। ପରିଶେଷରେ କଂଗ୍ରେସ ପିଟ୍ରୋଡ଼ା ପୀଡ଼ାରୁ ମୁକ୍ତ ହୋଇ ଆଶ୍ୱସ୍ତି ଲାଭ କରିଥିବ।

Leave A Reply

Your email address will not be published.