ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କ ପୂର୍ଣ୍ଣ ସଶକ୍ତୀକରଣ

ଅନେକ ପ୍ରତିଭାବାନ ମହିଳା ଆଜି ସଫଳତାର ଶୀର୍ଷ ସୋପାନରେ, ନିଷ୍ପତ୍ତି ନେବା ପଦବୀରେ ଆସୀନ। କିନ୍ତୁ ଅଧିକାଂଶ କ୍ଷେତ୍ରରେ(ବିଶେଷକରି ତୃଣମୂଳ ରାଜନୀତି ଓ ଆର୍ଥିକ ନିଷ୍ପତ୍ତି କ୍ଷେତ୍ରରେ) ମହିଳାମାନଙ୍କ ନିଷ୍ପତ୍ତି ଉପରେ ପୁରୁଷମାନଙ୍କ ନିଷ୍ପତ୍ତି ଆଧିପତ୍ୟ ବିସ୍ତାର କରୁଥିବା ଦେଖାଯାଉଛି। ଏଇ ପୃଷ୍ଠଭୂମିରେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ଆମେ ରାଜନୀତି, ଅର୍ଥନୀତି, କର୍ମସଂସ୍ଥାନମାନଙ୍କରେ ଯେତେ ସଂରକ୍ଷଣ ବ୍ୟବସ୍ଥା କଲେ ମଧ୍ୟ ଅସଲରେ ଆମ ପିତୃତ୍ୱବାଦୀ ମାନସିକତା ଲିଙ୍ଗଗତ ବୈଷମ୍ୟକୁ ଦୂର କରିବାରେ ସହାୟକ ହୋଇପାରିବ ନାହିଁ।

ଲିଙ୍ଗଗତ ସମାନତା କେବଳ ଏକ ସଭ୍ୟ ସମାଜର ଅଧା ଜନସଂଖ୍ୟାର ଅଧିକାରରେ ସୀମିତ ନୁହେଁ, ବରଂ ରାଜ୍ୟର ଓ ଦେଶର ଅର୍ଥନୈତିକ ପ୍ରଗତି ତଥା ଗରିବୀ ଦୂରୀକରଣ କ୍ଷେତ୍ରରେ ଅତ୍ୟନ୍ତ ଆବଶ୍ୟକ ଉପାଦାନ ମଧ୍ୟ। କୌଣସି ସମାଜ ନିଜର ଅଧା ଜନସଂଖ୍ୟାକୁ ନିଷ୍କ୍ରିୟ ରଖି ପ୍ରଗତି ହାସଲ କରିପାରିବ ନାହିଁ। ଯେଉଁ ଦେଶ ଆଜି ଉନ୍ନତ, ସେହି ଦେଶମାନଙ୍କରେ ମହିଳାମାନେ ପୁରୁଷମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ପ୍ରଗତିରେ ଯୋଗଦାନ ଦେଇଛନ୍ତି। କିନ୍ତୁ ଆମର ରୁଢ଼ିବାଦୀ ମାନସିକତା, ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ଅଲଗା ଭାବେ ଚିହ୍ନିତ କାର୍ଯ୍ୟକ୍ଷେତ୍ର ନିର୍ଦ୍ଧାରଣ କରୁଥିବା ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧିରେ ମହିଳାମାନଙ୍କ ଯୋଗଦାନକୁ ନିରୁତ୍ସାହିତ କରୁଛି।

ଅଧିକ ପଢନ୍ତୁ

ମହିଳାମାନଙ୍କୁ କେବଳ ଘରୋଇ କାମ, ରନ୍ଧାବଢ଼଼ା, ଶିଶୁ ଲାଳନପାଳନରେ ସୀମିତ ରଖିବା ମନୋବୃତ୍ତି ଏବେ ମଧ୍ୟ ଆମ ଭିତରେ ବସା ବାନ୍ଧି ରହିଛି। ଏହାସତ୍ତ୍ବେ ମହିଳାମାନେ ସ୍ୱରୋଜଗାରକ୍ଷମ ହେବା ପାଇଁ ଉଦ୍ୟମ କରୁଥିବା ପ୍ରଶଂସନୀୟ। ତେବେ କର୍ମଜୀବୀ ମହିଳା ଓ ଉପାର୍ଜନକ୍ଷମ ମହିଳା ଭିତରେ ଥିବା ସୂକ୍ଷ୍ମ ପ୍ରଭେଦ ସମ୍ପର୍କରେ ଆମକୁ ଅବଗତ ହେବାକୁ ପଡ଼ିବ। ଲୌକିକ ଅର୍ଥରେ କର୍ମଜୀବୀ ମହିଳା କହିଲେ ଆମେ ସରକାରୀ/ସେସରକାରୀ କ୍ଷେତ୍ରରେ ନିଯୁକ୍ତ ଓ ଉପାର୍ଜନକ୍ଷମ ମହିଳାଙ୍କୁ କହିଥାଉ। କର୍ମଜୀବୀ ମହିଳା ଅର୍ଥାତ ଯେଉଁମାନେ ସକ୍ରିୟ ଭାବେ କାର୍ଯ୍ୟ ସମ୍ପାଦନା କରିବାରେ ସମର୍ଥ, ସେମାନେ ଉପାର୍ଜନ କରନ୍ତୁ ବା ନ କରନ୍ତୁ। ଗୃହିଣୀମାନେ ସବୁବେଳେ ଘରର ଯାବତୀୟ କାର୍ଯ୍ୟ ଯଥା ରାନ୍ଧିବା, ଘର ଓଳାଇବା, ବାସନ ଧୋଇବା, କପଡ଼ା ସଫା କରିବା, ଶିଶୁକୁ ଲାଳନପାଳନ କରିବାକୁ ଅତି କୁଶଳୀ ଭାବେ ସମ୍ପାଦନା କରିଥା’ନ୍ତି, ଯାହାର କି ଆର୍ଥିକ ମୂଲ୍ୟାୟନ ହୋଇ ନ ଥାଏ। ଏହି ଯାବତୀୟ ଘରୋଇ କାମ ପାଇଁ ଯଦି ଆମେ ପାରିଶ୍ରମିକ ଦେଇ ସମ୍ପାଦନ କରିବା ତେବେ ତାହାର ମୂଲ୍ୟ କେତେ ଯେ ହେବ ତାହା ଆକଳନ କରିବା କଷ୍ଟକର। ଗୃହିଣୀମାନଙ୍କ ପାରିବାରିକ ସ୍ନେହ, ପ୍ରେମ, ଶ୍ରଦ୍ଧା ଭଳି ମାନବୀୟ ଗୁଣର ମୂଲ୍ୟ ଆକଳନ କରିବା ଅସମ୍ଭବ। ଦେଶର ମୋଟ ଘରୋଇ ଶାନ୍ତି ସୂଚକାଙ୍କରେ ଏହି ଅଣସଂଗଠିତ, ଉପାର୍ଜନରହିତ ମହିଳାମାନଙ୍କ ଯୋଗଦାନ ପ୍ରୟ ଅଧା। ମହିଳାମାନଙ୍କ ଅନୁପସ୍ଥିତିରେ ସେମାନେ କରୁଥିବା କାର୍ଯ୍ୟ ସମ୍ପାଦନା କଲେ ଜଣାପଡ଼ିବ ଯେ ସେମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ କେତେ ଅମୂଲ୍ୟ। ଏହିସବୁ ଅଣସଂଗଠିତ କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ମୂଲ୍ୟାୟନ ନ ହେବା ଦ୍ୱାରା ସେମାନଙ୍କ ଯୋଗଦାନ ନ୍ୟୂନ ହୋଇଯାଉଛି।

ଅପରପକ୍ଷରେ ଉପାର୍ଜନକ୍ଷମ ମହିଳା କହିଲେ, କୌଣସି ସଂଗଠିତ କ୍ଷେତ୍ରରେ ନିଯୁକ୍ତ ହୋଇ ଅର୍ଥ ରୋଜଗାର କରିପାରୁଥିବା ମହିଳାବିଶେଷଙ୍କୁ ବୁଝାଯାଏ। ତେବେ ପିତୃସତ୍ତା(ପୁରୁଷ ପ୍ରଧାନ) ମାନସିକତା ଆଧାରିତ ସମାଜରେ ଲିଙ୍ଗଗତ ସାମ୍ୟତା ପାଇଁ ଉପାର୍ଜନକ୍ଷମ ମହିଳାମାନଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ଏହିଭଳି ସମାଜରେ ଆମେ ମଧ୍ୟ ଅଣସଂଗଠିତ କ୍ଷେତ୍ରର ମହିଳାମାନଙ୍କ ଦ୍ୱାରା ସମ୍ପାଦିତ ହେଉଥିବା ଆର୍ଥିକ ମୂଲ୍ୟାୟନ କଲେ କେତେ ହେବ ସେ ସମ୍ପର୍କରେ ଇଙ୍ଗିତ କରିବା ସହ ସମ୍ପୃକ୍ତ ପୁରୁଷପ୍ରଧାନ ମାନସିକତା ଦ୍ୱାରା ଆକ୍ରାନ୍ତ ସମାଜକୁ ସଚେତନ କରିବାକୁ ପଡ଼ିବ। ଲିଙ୍ଗଗତ ତାରତମ୍ୟ କେବଳ ପୁରୁଷ ବା ସ୍ତ୍ରୀର ଶାରୀରିକ ଗଠନ କିମ୍ୱା ତା’ର ପ୍ରଭେଦକୁ ବୁଝାଏ ନାହିଁ। ପୁରୁଷ ବା ମହିଳା ହୋଇ ଜନ୍ମ ହେଲେ ଆମେ ପୋଷଣ କରିଥିବା ଧାରଣା ଓ ଆର୍ଥିକ, ସାମାଜିକ, ସାଂସ୍କୃତିକ ସୁବିଧା ସୁଯୋଗ ଲିଙ୍ଗ ଅନୁଯାୟୀ ପ୍ରଚଳିତ ବ୍ୟବସ୍ଥା କ’ଣ ପ୍ରଦାନ କରେ ବା କ’ଣ ତାଙ୍କଠାରୁ ଆଶାପୋଷଣ କରିଥାଏ, ତା’କୁ ହିଁ ଦର୍ଶାଏ। ଜଣେ ଝିଅର ପିନ୍ଧିବା, ବସିବା, ହସିବା ଓ ବୁଲିବା ଆଦିକୁ ସମାଜ ନିର୍ଦ୍ଧାରଣ କରିଥାଏ।

ଏଥିସହିତ ପଢ଼ନ୍ତୁ

ଏହି ପ୍ରସଙ୍ଗରେ ଲିଙ୍ଗଗତ ସମାନତା, ଲିଙ୍ଗଗତ ନିରପେକ୍ଷତା ଓ ମହିଳା ସଶକ୍ତୀକରଣ ମଧ୍ୟରେ ଏକ ସୁକ୍ଷ୍ମ ପ୍ରଭେଦକୁ ବୁଝିବାକୁ ହେବ। ପୁରୁଷ ଓ ମହିଳା ନିର୍ବିଶେଷରେ ସମାନ ବ୍ୟବହାର ବା ସମାନ ସୁଯୋଗ ଦେବା ହେଉଛି ଲିଙ୍ଗଗତ ସମାନତା। ଲିଙ୍ଗଗତ ନିରପେକ୍ଷତା ଅର୍ଥ ପୁରୁଷ ଓ ମହିଳାମାନଙ୍କ ଅବଶ୍ୟକତା ଅନୁଯାୟୀ ସମାନୁପାତିକ ବା ନ୍ୟାୟସଂଗତ ସୁଯୋଗ ଉପଲବ୍ଧ କରିବା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁଠି ଲିଙ୍ଗଗତ ବୈଷମ୍ୟ ଥାଏ ସେଇଠି ମହିଳାମାନେ ହିଁ ସାମାଜିକ ମୂଲ୍ୟବୋଧ, ଆର୍ଥିକ ସମ୍ୱଳ ଉପଯୋଗ, ସାଂସ୍କୃତିକ ଅନ୍ତର୍ଭୁକ୍ତୀକରଣ ତଥା ଅନ୍ୟାନ୍ୟ ନିଷ୍ପତ୍ତି ନେବାରୁ ବଞ୍ଚିତ ହୋଇଥା’ନ୍ତି। ଯେହେତୁ ପୁରୁଷକେନ୍ଦ୍ରିକ ସମାଜ ମହିଳାମାନଙ୍କୁ ବିଭିନ୍ନ ସାମାଜିକ ଅଙ୍ଗରୁ ଯୁଗ ଯୁଗ ଧରି ବଞ୍ଚିତ ରଖିବା ପ୍ରକ୍ରିୟା ଜାରି ରଖିଛି, ସେମାନଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ, ସେମାନଙ୍କ ଉତ୍ପାଦନ ସାମର୍ଥ୍ୟକୁ ସମାଜର ମୁଖ୍ୟସ୍ରୋତରେ ଯୋଡ଼ିବା କ୍ଷେତ୍ରରେ ମହିଳା ସଶକ୍ତୀକରଣ ଆବଶ୍ୟକ। ବଞ୍ଚିତ ବର୍ଗଙ୍କୁ ସୁବିଧା, ସୁଯୋଗ ଦେବା ବେଳେ ଦେବା ସପକ୍ଷରେ ଥିବା ଲୋକ ସେମାନଙ୍କର ଅଧିକାର ଭାବେ ବିବେଚନା ନକରି ବହୁତ ଦେଇ ଦେଲୁନି ବୋଲି ଭାବେ। ଠିକ ସେହିଭଳି ଲାଭାର୍ଥୀ ଆଶାଠାରୁ ଅଧିକ ପ୍ରାପ୍ତ ହେଲା ବୋଲି ଅଧିକାର ସାବ୍ୟସ୍ତ କରିବାରୁ କ୍ଷାନ୍ତ ରହିଥାଏ।

ମହିଳାମାନଙ୍କ ପ୍ରତିଭାର ପୂର୍ଣ୍ଣ ଉପଯୋଗ ପାଇଁ ଆମେ ଯଦି ସୁଯୋଗ ସୃଷ୍ଟି ନ କରିବା ତେବେ ସେମାନଙ୍କର ବ୍ୟକ୍ତିଗତ କ୍ଷତି ହେବା ସହିତ ସମଗ୍ର ସମାଜ ସମ୍ଭାବ୍ୟ ଉତ୍ପାଦନ କ୍ଷମତାରୁ ବଞ୍ଚିତ ରହିବ। ମହିଳାମାନଙ୍କୁ ଆର୍ଥିକ ସମ୍ୱଳର ବିକାଶ, ରାଜନୈତିକ କ୍ଷେତ୍ରରେ ସାମିଲ, ବିଭିନ୍ନ ନିଷ୍ପତ୍ତି ନେବାରେ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନୁହେଁ ବରଂ ଏକ ପ୍ରକ୍ରିୟା। ଏହି ଗୁରୁତ୍ୱକୁ ଉପଲବ୍ଧି କରି ସଂରକ୍ଷଣ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପ୍ରତିନିଧିତ୍ୱକୁ କେତେକାଂଶରେ ସୁନିଶ୍ଚିତ କରାଯାଇଛି, କିନ୍ତୁ ପୁରୁଷକେନ୍ଦ୍ରିକ ମାନସିକତା ଯୋଗୁଁ ସେମାନେ ଛାୟା ବା ରବର ଷ୍ଟାମ୍ପ ଭାବେ ପ୍ରମାଣିତ ହେଉଛନ୍ତି।

ଏବେ ସମୟ ଆସିଛି ମହିଳାମାନଙ୍କ ସହଭାଗିତା ଓ ସହଯୋଗିତାକୁ ପ୍ରକୃତରେ ସବୁକ୍ଷେତ୍ରରେ ସୁନିଶ୍ଚିତ କରିବାକୁ ଆହୁରି ସମ୍ୱେଦନଶୀଳ ପ୍ରୟାସ ଆବଶ୍ୟକ। ଲିଙ୍ଗଗତ ସମାନୁପାତିକତା ଯେ କେବଳ ମହିଳାମାନଙ୍କ ପାଇଁ କଲ୍ୟାଣକାରୀ, ତାହା ନୁହେଁ। ଏହାଦ୍ୱାରା ପୁରୁଷମାନଙ୍କ କଲ୍ୟାଣ ହେବା ସହ ସମଗ୍ର ସମାଜ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ପୂର୍ବରୁ ପ୍ରଚଳିତ ଧରାବନ୍ଧ ଧାରଣା ସ୍ୱରୂପ ପୁରୁଷମାନେ ପରିବାର ପାଇଁ ଭୌତିକ ବ୍ୟବସ୍ଥାର ସଂଯୋଜନାକାରୀ କିମ୍ୱା ବିପଦ ସମୟର ସୁରକ୍ଷା ପ୍ରଦାନକାରୀ ନ ହୋଇ ଶିଶୁ ଲାଳନ ପାଳନ, ପାରିବାରିକ ସ୍ନେହ ମମତା ଭଳି କୋମଳ ଉପାଦାନରେ ନିଜର ଯୋଗଦାନ ଦେଲେ ଯାବତୀୟ ଉଦ୍‌‌ବିଗ୍ନରୁ ମୁକ୍ତ ରହିପାରିବେ।

ମହିଳା ସହଭାଗିତାକୁ ସୁନିଶ୍ଚିତ କରିବା ସେମାନଙ୍କ ସଶକ୍ତୀକରଣର ପ୍ରଥମ ପଦକ୍ଷେପ। ତେଣୁ ଆମକୁ ବର୍ତ୍ତମାନ ଦ୍ୱିତୀୟ ସୋପାନ ଅତିକ୍ରମ କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ସୁଖ, ଆନନ୍ଦ ଓ ଆଶ୍ୱାସନାର ବିଷୟ ଯେ ଆମ ରାଜ୍ୟ ସରକାର ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। ଏ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସବୁବେଳେ ଗୋଟିଏ ପାଦ ଆଗରେ ରହିଛି। ମହିଳାମାନେ ପ୍ରତ୍ୟେକ କ୍ଷେତ୍ର ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପୁଲିସ, ଯାନବାହନ ଚାଳନା, ବ୍ୟାଙ୍କିଙ୍ଗ ସେବା, ପ୍ରଶାସନ, ରାଜନୀତି, ପ୍ରତିରକ୍ଷା କ୍ଷେତ୍ରରେ ପୁରୁଷମାନଙ୍କ ସହିତ ସମାସ୍କନ୍ଧ ଭାବରେ କାର୍ଯ୍ୟ ସମ୍ପାଦନା କରୁଛନ୍ତି। ମହିଳାମାନେ ଅସୁରକ୍ଷିତ ବୋଲି ଆମ ସମାଜ ଏକଦା ଝିଅମାନଙ୍କୁ ଅସମୟରେ ବାହାରକୁ ଯିବାରୁ ବଞ୍ଚି ରଖୁଥିଲା, ଏବେ ସେହି ମହିଳାମାନେ ଆମକୁ ସୁରକ୍ଷା ଦେବା ଦାୟିତ୍ୱରେ।

ଆମ ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ନିରକ୍ଷର ଗାଉଁଲି ମହିଳା ବ୍ୟାଙ୍କିଙ୍ଗ ସେବାରେ ଯୋଡ଼ି ହୋଇ, ଉପାର୍ଜନକ୍ଷମ ହେବା ଦ୍ୱାରା ସେମାନେ ସେମାନଙ୍କ ପତିମାନଙ୍କ ଦ୍ୱାରା ଶୋଷିତ ଓ ଅବହେଳିତ ହେବାରୁ ମୁକ୍ତ। ଏହାର ସତ୍ୟତା ଜାଣିବା ବା ପ୍ରମାଣ ଖୋଜିବା ପାଇଁ ଅନେକ କିଛି ଗବେଷଣା ଦରକାର ନାହିଁ। ଓଡ଼ିଶାର ଯେଉଁ ଗାଁକୁ ଗଲେ ମଧ୍ୟ ଖୋଲା ଆଖିରେ ଏହାର ଚାକ୍ଷୁସ ପ୍ରମାଣ ଦେଖିବାକୁ ମିଳିବ। ଓଡ଼ିଶାର ପ୍ରମୁଖ ନିୟମ ପ୍ରଣୟନ ସଂସ୍ଥାରେ ମହିଳାମାନଙ୍କ ଉପସ୍ଥତି ଏକ ଶୁଭସୂଚନା। ତେବେ ଆମେ ସେମାନଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରି ବସିଗଲେ ତାହା ଫଳପ୍ରସୂ ହେବ ନାହିଁ ବରଂ ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସବୁକ୍ଷେତ୍ରରେ ମହିଳାମାନେ ଯେପରି ନିର୍ଭୟରେ ନିଷ୍ପତ୍ତି ନେଇପାରିବେ, ତାହା ସୁନିଶ୍ଚିତ କରିବାକୁ ପଡ଼ିବ। ମହିଳା ପ୍ରତିନିଧି ସମୂହଙ୍କ ଅଧିକାର ତଥା ନିଷ୍ପତ୍ତି ନେବାର କ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା ହେବା ଉଚିତ। ତୃଣମୂଳସ୍ତରରେ ମହିଳାମାନଙ୍କ ପତିମାନଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାରର ନିରାକରଣ ଓ ପ୍ରତିକାର ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ। ଓଡ଼ିଶା ଏ କ୍ଷେତ୍ରରେ ନୂଆ ବାଟ ଦେଖାଇ ଦେଶରେ ଆଉ ଏକ ଉଦାହରଣ ସୃଷ୍ଟି କରୁ ବୋଲି ଆଶା।

ଅମାତ୍ୟ କୁମାର ପ୍ରଧାନ
ସୁନ୍ଦରଗଡ଼, ମୋ: ୯୪୩୭୨୧୯୬୧୩

Leave A Reply

Your email address will not be published.