ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୟ ସୁଅରେ ମଣିଷ

ସମୟ ଓ ଜୁଆର କାହାକୁ ଯେ ଅପେକ୍ଷା କରେ ନାହିଁ – ଏ କଥା ସହିତ ଆମେ ସମସ୍ତେ ଏକମତ ନିଶ୍ଚିତ। ସୁଖ-ଦୁଃଖ, ଆନନ୍ଦ-ବିଷାଦ, ହସ-କାନ୍ଦ, ମିଳନ-ବିଚ୍ଛେଦ, ପ୍ରାପ୍ତି-ଅପ୍ରାପ୍ତିର ସମଷ୍ଟି ହିଁ ଜୀବନ, ଯାହା ଆମ ଜୀବନଚର୍ଯ୍ୟାରେ ଆଣି ଦେଇଥାଏ ପରିବର୍ତ୍ତନ। ଚିରାଚରିତ ଧାରାରୁ ସାମୟିକ ଆଶ୍ୱସ୍ତି ଆଣିଦେଇଥାଏ ଏ ପରିବର୍ତ୍ତନର ଧାରା। ଆମ ଭୁଲ୍‌‌-ଠିକ୍‌‌ର ଆକଳନ କରିବାକୁ ଦେଇଥାଏ ପର୍ଯ୍ୟାପ୍ତ ସୁଯୋଗ। ନିଜକୁ ସମୀକ୍ଷା କରିବାର ଅବସର ମିଳେ। ସମୟ ସହିତ ତାଳ ଦେଇ ଆଗକୁ ବଢ଼଼ିବାର ସଂକଳ୍ପବଦ୍ଧତା ଆମ ପାଇଁ ଆଣି ଦେଇଥାଏ ସଫଳତା।

ଜୀବନ ସ୍ରୋତରେ ସମୟ ବୋହିଯାଇଥାଏ ଠିକ୍‌‌ ଏକ ଅଙ୍କାବଙ୍କା ନଈ ପରି। କଣ୍ଟା- ଝଣ୍ଟା, ଖାଲ-ଢିପ ନ ମାନି ନିଦ୍ୱର୍ନ୍ଦ୍ୱରେ ବୋହିଯିବା ଯେ ହିଁ ତା’ର ଧର୍ମ। ନିଜର ଧର୍ମ ରକ୍ଷା କରି ନିମ୍ନଭୂମିକୁ ଗତି କରିବା ହେଉଛି ତା’ ପ୍ରକୃତି। ଏଥିରେ ବ୍ୟତିକ୍ରମ ଘଟିବା କେବେ ଲକ୍ଷ୍ୟ କରାଯାଇନି। ସମୟାନୁବର୍ତ୍ତିତାର ମହାନଗୁଣକୁ ଅନୁସରଣ କରି ଆଗେଇ ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଯେ ଅବଶମ୍ଭାବୀ, ଏକଥା ସମ୍ଭବତଃ ତା’କୁ ହିଁ ଜଣା। ଶେଷରେ ସେ ଯାଇ ସାଗରରେ ମିଶେ।

ଅଧିକ ପଢନ୍ତୁ

ମଣିଷ ଜୀବନଟା ଠିକ୍‌‌ ସେମିତିଆ। କାର୍ଯ୍ୟକୁ ସମ୍ପାଦନା କରି ଆମେ ଫଳ ଛାଡ଼ିଦେଉ ସମୟ ଉପରେ। କେବେକେବେ ଏମିତି ବି ହୋଇଥାଏ – ଆଶାନୁରୂପ କର୍ମ ନକରି ଆମେ ବିପୁଳ ପ୍ରାପ୍ତିକୁ ଚାହିଁ ରହିଥାଉ। ଫଳପ୍ରାପ୍ତି ନହେଲେ ସବୁ ଦୋଷ ଲଦି ଦେଇଥାଉ ସେହି ସମୟ ଉପରେ। ନତୁବା ଭାଗ୍ୟ ଉପରେ। କାର୍ଯ୍ୟରେ ଅନିୟମିତତା ଓ ଆତ୍ମସନ୍ତୋଷ ଯେଉଁଠି ମାନ୍ଦାବସ୍ଥା ଦେଖାଦିଏ, ସେ କ୍ଷେତ୍ରରେ ଫଳର ଆଶା କରିବା ବିଡ଼ମ୍ୱନା ନିଶ୍ଚିତ। ଏକଥା ଜାଣି ସୁଦ୍ଧା କାର୍ଯ୍ୟ ପ୍ରତି ସମର୍ପିତ ଭାବନା ଆମ ମନରେ ଉଦୟ ହୋଇପାରି ନ ଥାଏ। ସୁତରାଂ ବିଫଳ ହେବା ହିଁ ସାର ହୋଇଥାଏ।

ନିଜର ବିଫଳତାକୁ ନେଇ ଅନେକ କହିଥା’ନ୍ତି ଯେ, ଏବେ ମୋର ଖରାପ ସମୟ ଚାଲିଛି। ଏବେ ପ୍ରଶ୍ନ ଉଠେ, ଖରାପ ସମୟ ବୋଲି କିଛି ଥାଏ କି, ଯେଉଁଠି ବ୍ୟକ୍ତିର ସଫଳତା ଆପଣାଛାଏଁ ହାର ମାନିଯାଏ କର୍ତ୍ତବ୍ୟ ଆଗରେ? ବାସ୍ତବରେ ସେମିତି କିଛି ହୋଇ ନ ଥାଏ। ସମୟ ଅନବରତ ଅବିରାମ ଗତିରେ ହିଁ ଚାଲୁଥାଏ। କିନ୍ତୁ ଆମେ ଆମର ବିଫଳତାକୁ ନେଇ ସେ ସମୟକୁ କଦର୍ଥ କରିପକାଉ। ସମୟ ଉପରେ ଦୋଷ ଲଦି ଦେଇ ଆଶ୍ୱସ୍ତି ଅନୁଭବ କରୁ। ସମୟ ଓ ପରିସ୍ଥିତି ବେଳେବେଳେ ମଣିଷକୁ ପକାଇ ଦେଇଥାଏ ଏକ ବିଷମ ପରିସ୍ଥିତିରେ। ସେତେବେଳେ ମଣିଷ ନା କିଛି କହିପାରେ ନା କିଛି ସହିପାରେ। କେବଳ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ହୋଇଥାଏ ଏକ ଭଲ ସମୟକୁ।

ଏଥିସହିତ ପଢ଼ନ୍ତୁ

ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ସମ୍ପର୍କ। ଏହାର ସ୍ଥାୟିତ୍ୱ ନିର୍ଭର କରିଥାଏ ସମୟ ଉପରେ। ବେଳେବେଳେ ଏମିତି ବି ହୋଇଥାଏ ସମୟ ଅଭାବରୁ ସମ୍ପର୍କରେ ପଡ଼ିଯାଏ ଭଟ୍ଟା। ଶେଷକୁ ଆମ ଜୀବନରେ ପହଞ୍ଚିଯାଏ ଏମିତି ଏକ ସମୟ, ଯେତେବେଳେ କି ଆମ ପାଖରେ ସବୁକିଛି ଥିବ, ହେଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ମଣିଷଟି ଆମ ପାଖରେ ନଥିବ। ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଡ. ଏ. ପି.ଜେ ଅବଦୁଲ୍‌‌ କଲାମ୍‌‌ ଯେତେବେଳେ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିବାକୁ ଗଲେ ତାଙ୍କୁ କେଉଁ ଶୁଭ ବେଳରେ ଶପଥ କରିବାକୁ ଚାହୁଁଛନ୍ତି ବୋଲି ପଚରାଯାଇଥିଲା। ଉତ୍ତରରେ ସେ ଚମତ୍କାର କଥାଟିଏ କହିଥିଲେ। ସେ କହିଥିଲେ ଯେ, ୬୦ ସେକେଣ୍ଡରେ ଗୋଟିଏ ମିନିଟ୍‌‌ ହୁଏ। ୬୦ ମିନିଟରେ ଗୋଟିଏ ଘଣ୍ଟା, ୨୪ ଘଣ୍ଟାରେ ଗୋଟିଏ ଦିନ, ୩୦ ଦିନରେ ଗୋଟିଏ ମାସ, ୧୨ ମାସରେ ଗୋଟିଏ ବର୍ଷ ହୁଏ। ଏଣୁ ମୁହୂର୍ତ୍ତମାନଙ୍କର ସମଷ୍ଟି ଯଦି ସମୟ, ତେବେ ଏଥିରେ ଶୁଭ ଅଶୁଭର ବିଚାର କାହିଁକି?

ସମୟ ହାତରୁ ଚାଲିଗଲା ପରେ ତାକୁ ଯେତେ ଖୋଜିଲେ ମଧ୍ୟ ମିଳେ ନାହିଁ। ଆମ ହାତରୁ ସମୟ ଚାଲିଯିବାର ମୁଖ୍ୟ କାରଣ ହେଉଛି, ବର୍ତ୍ତମାନକୁ ଅଣଦେଖା କରି ଭବିଷ୍ୟତର ସ୍ୱପ୍ନ ଦେଖିବା। ଆମେ ସମୟର ମହତ୍ତ୍ୱକୁ ସେତେବେଳେ ଉପଲବ୍ଧି କରିଥାଉ, ଯେତେବେଳେ କି ଆମ ହାତରେ ସମୟ କମ୍‌‌ ଥାଏ। ସେହି ସମୟ ମଧ୍ୟରେ କାର୍ଯ୍ୟ କରିବାର ପ୍ରତିଶ୍ରୁତିବଦ୍ଧତା ଆମେ ହରାଇ ବସୁ ନିଜ ଅଜାଣତରେ। ଆମର ଦକ୍ଷତା ଥାଇ ସୁଦ୍ଧା ସମୟ ଅଭାବରୁ କାର୍ଯ୍ୟରେ ବିଘ୍ନ ଘଟେ। ଏହା ହିଁ ବିଡ଼ମ୍ୱନା।

ଦୁନିଆର ସବୁଠୁ ବଡ଼ ଜାଦୁଗର ସମୟକୁ ହିଁ କୁହାଯାଇଥାଏ। କାରଣ ସେ ନିଜେ ବଦଳିବା ସହିତ ଆମକୁ ବି ବଦଳାଇ ଦେଇଥାଏ। ସମୟ ଆମ ବ୍ୟକ୍ତିତ୍ୱକୁ ବିକଶିତ କରିଥାଏ। ଆମ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିଥାଏ। ସମସ୍ତ ପ୍ରକାର ବାଧାବିଘ୍ନକୁ ଏଡ଼ାଇଦେଇ ଏକ ସମର୍ପିତ ଭାବନା ନେଇ କାର୍ଯ୍ୟ କରିପାରିଲେ ଆମେ ନିଶ୍ଚିତ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ସମୟ ସାଥିରେ ବାଟଚାଲିଲେ ସେ ଯେ ଆମକୁ ହାତଛଡ଼ା କରିବ ନାହଁ – ଏ ବିଶ୍ୱାସ ଟିକକ ଆମ ଭିତରେ ରହିବା ଏକାନ୍ତ ଆବଶ୍ୟକ।

ସଂଗ୍ରାମ କେଶରୀ ପୃଷ୍ଟି
ଅନୁଗୋଳ, ମୋ: ୯୪୩୭୫୪୭୧୪୬

Leave A Reply

Your email address will not be published.