ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ୍‌‌ ଟିକାର ବିରଳ ପାର୍ଶ୍ବ ପ୍ରତିକ୍ରିୟା, କୋଭିସିଲ୍ଡ ଟିକା ଅଗତ୍ୟା ପ୍ରତ୍ୟାହୃତ

କୋଭିଡ୍‌‌ ମହାମାରୀ ଦୂର ହୋଇଛି, କିନ୍ତୁ ଏହାର ଭୂତାଣୁ ଉପରେ ବିଶ୍ୱ ଏ ଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିପାରିନାହିଁ। ବିଭିନ୍ନ ପ୍ରକାର ପ୍ରତିଷେଧକ ଟିକା ସତ୍ତ୍ବେ କରୋନା ଭୂତାଣୁର ନୂଆ ନୂଆ ପ୍ରଜାତି ମଝିରେ ମଝିରେ ଆତ୍ମପ୍ରକାଶ କରି ମଣିଷ ପାଇଁ ବିପଦ ସୃଷ୍ଟି କରିଚାଲୁଛି। ଆଜି ତାରିଖ ସୁଦ୍ଧା ଆମେରିକାର ୨୫ ଭାଗ ଲୋକ ଓମିକ୍ରନର ଏକ ନୂଆ ପ୍ରଜାତି ଫ୍ଲିଟ୍‌‌ ବା କେପି.୨ ଭୂତାଣୁ ଦ୍ୱାରା ଆକ୍ରାନ୍ତ। ଏହାର ସଂକ୍ରମଣ ହାର ଅତି ଦ୍ରୁତତର ହେଲେ ମଧ୍ୟ ଆକ୍ରାନ୍ତଙ୍କ ମୃତ୍ୟୁ ହାର ଅପେକ୍ଷାକୃତ କମ୍‌‌। ତଥାପି ଏଥିପ୍ରତି ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଗଠନ ପକ୍ଷରୁ ସବୁଦେଶଙ୍କୁ ପରାମର୍ଶ ଦିଆଯାଇଛି। ଏଭଳି ସମୟରେ କରୋନା ଟିକାକୁ ନେଇ ଏକ ଉଦ୍‌‌ବେଗଜନକ ତଥ୍ୟ ପଦାକୁ ଆସିଛି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ମିଳିତ ଭାବେ ବିକଶିତ କରୋନା ଟିକାର ବିରଳ ପାର୍ଶ୍ବ ପ୍ରତିକ୍ରିୟା ଥିବା ଜଣାପଡ଼ିବା ପରେ ଏହାକୁ କର୍ତ୍ତୃପକ୍ଷ ବିଶ୍ୱବଜାରରୁ ପ୍ରତ୍ୟାହାର କରି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ପ୍ରତିଷ୍ଠିତ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍‌‌ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଇଣ୍ଡିଆ(ଏସ୍‌‌ଆଇଆଇ, ପୁନେ) ଏହି ଟିକାର ଉତ୍ପାଦନ ପାଇଁ ଅନୁମତି ପାଇଥିଲା। ଭାରତ ସମେତ ବିଶ୍ୱର ଅନେକ ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ଦେଶରେ କୋଭିସିଲ୍ଡ ନାମର ଏହି ଟିକା ଲୋକଙ୍କୁ ଦିଆଯାଇଥିଲା। ଭାରତର ରାଜଧାନୀ ଓ ବିଭିନ୍ନ ପ୍ରାଦେଶିକ ରାଜଧାନୀ ବ୍ୟତୀତ ଅନ୍ୟ ସବୁଠି ଏହି କୋଭିସିଲ୍ଡ ଟିକା ପ୍ରଥମ ଦୁଇ ଅନୁପାନ ସମେତ ବୁଷ୍ଟର ଡୋଜ୍‌‌ ଆକାରରେ ମୋଟ ତିନିଥର ଦିଆଯାଇଥିଲା। ଏସ୍‌‌ଆଇଆଇ କମ୍ପାନୀ ଏହି ଟିକା ଉତ୍ପାଦନ ପାଇଁ ଉଭୟ ବ୍ରିଟିଶ୍‌‌-ସୁଇଡିସ୍‌‌ ଔଷଧ ନିର୍ମାଣକାରୀ କମ୍ପାନୀ ଆଷ୍ଟ୍ରାଜେନିକା ତଥା ଭାରତ ସରକାରଙ୍କଠାରୁ ଅନୁମତି ପାଇଥିଲା।

ଏହି ଟିକା ନେବା ଫଳରେ ଲୋକଙ୍କ ଶରୀରରେ କେତେକ କ୍ଷେତ୍ରରେ ରକ୍ତଜମାଟ ବାନ୍ଧିବା ସହିତ ରକ୍ତକଣିକା ପରିମାଣ ହ୍ରାସ ଏବଂ ଥ୍ରମ୍ବୋସିସ୍‌‌ ଓ ଥ୍ରମ୍ବୋସାଇଟୋପେନିଆ ଲକ୍ଷଣ ଦେଖାଦେଉଛି ବୋଲି ଅଭିଯୋଗ ହୋଇଥିଲା। ଥ୍ରମ୍ବୋସିସ୍‌‌ ଅର୍ଥ ମସ୍ତିଷ୍କକୁ ରକ୍ତପ୍ରବାହ ବ୍ୟାହତ ହୋଇ ମସ୍ତିଷ୍କାଘାତ ହେବା, ଯାହା ପ୍ରାଣଘାତୀ। ଆଉ କେତେକ କହୁଥିଲେ ଯେ କୋଭିସିଲ୍ଡର ପ୍ରଭାବରେ କିଛିଲୋକ ମଧ୍ୟ ହୃଦ୍‌‌ଘାତରେ ଆକ୍ରାନ୍ତ ହୋଇ ମରିଛନ୍ତି। ତେବେ ଭାରତୀୟ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌‌ ନେଇ ଏପରି କିଛି ଆପତ୍ତି ନଥିଲା ଏବଂ ଏହାକୁ କୋଭିସିଲ୍ଡଠାରୁ ଭଲ ଟିକା ବୋଲି କୁହାଯାଇଥିଲା। ସେ ଯା’ ହେଉ ୟୁରୋପର ବିଭିନ୍ନ ଅଦାଲତରେ କୋଭିସିଲ୍ଡର ଗୁଣବତ୍ତା ଓ ପାର୍ଶ୍ବପ୍ରତିକ୍ରିୟା ଘେନି ମୋକଦ୍ଦମା ରୁଜୁ ହେବା ପରେ ଆଷ୍ଟ୍ରାଜେନିକା କମ୍ପାନୀ ଏକ ସତ୍ୟପାଠରେ କହିଛି ଯେ କମ୍ପାନୀ ଦ୍ୱାରା କୋଭିସିଲ୍ଡ ଓ ସେହିପ୍ରକାରର ଉତ୍ପାଦିତ କୋଭିଡ୍‌‌ ଟିକାର କିଛି ଗୁରୁତର ପାର୍ଶ୍ବ ପ୍ରତିକ୍ର୍ରିୟା ରହିଛି। ଏହା ଟିଟିଏସ୍‌‌ ବା ଥ୍ରମ୍ବୋସିସ୍‌‌, ଥ୍ରମ୍ବୋସାଇକୋପେନିଆ ରକ୍ତଜମାଟ ବାନ୍ଧିବା ଏବଂ ରକ୍ତକଣିକା ଜମିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିପାରେ।

ବିଶ୍ୱର ଅର୍ଦ୍ଧାଧିକ ଲୋକ କୋଭିସିଲ୍ଡ ବା ଆଷ୍ଟ୍ରାଜେନିକା ଫର୍ମୁଲାରେ ପ୍ରସ୍ତୁତ କୋଭିଡ୍‌‌ ଟିକା ନେଇଥିଲେ। ପାର୍ଶ୍ବପ୍ରତିକ୍ରିୟା ସତ୍ତ୍ବେ ଟିକା ନେଇଥିବା ଲୋକଙ୍କ ମୃତ୍ୟୁହାର(ଟିଟିଏସ୍‌‌ ଜନିତ) ନଗଣ୍ୟ ହୋଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ବିଶ୍ୱବଜାରରୁ ତୁରନ୍ତ ଏହି ଟିକାର ପ୍ରତ୍ୟାହାର ଗତ ମାର୍ଚ୍ଚ ମଧ୍ୟଭାଗରୁ ଆରମ୍ଭ କରିଥିଲା। ୟୁରୋପୀୟ ବଜାରରେ ଏହା ଏବେ ଆଉ ବ୍ୟବସାୟିକ ଭିତ୍ତିରେ ଉପଲବ୍ଧ ନୁହେଁ। କୋଭିିସିଲ୍ଡର ଉତ୍ପାଦନ ମଧ୍ୟ ଏବେ ବନ୍ଦ ଅଛି। ଭାରତୀୟ ବଜାରରେ ଏବେ ଯେଉଁ କୋଭିସିଲ୍ଡ ଟିକା ରହିଯାଇଛି ତାହା ଏବେ ପ୍ରତ୍ୟାହୃତ ହେବ ଏବଂ ଏହାର ବ୍ୟବହାର ଆଉ ହେବ ନାହିଁ।

ଏଥିସହିତ ପଢ଼ନ୍ତୁ

କୋଭିଡ୍‌‌ ମହାମାରୀର ମୁକାବିଲା ପାଇଁ ଅତ୍ୟନ୍ତ ତରବରିଆ ଭାବେ ଟିକା ଯେତେବେଳେ ପ୍ରସ୍ତୁତ ହେଲା ସେତେବେଳେ ଅନେକ ବିଶେଷଜ୍ଞ ଏହାର ନିରାପତ୍ତା ଘେନି ପ୍ରଶ୍ନ ଉଠାଇଥିଲେ। ଏହାର ମୁଖ୍ୟ କାରଣ ହେଲା ଘନ ଘନ ପ୍ରଜାତି ବଦଳାଉଥିବା କରୋନା ଭୂତାଣୁ। ଚୀନ୍‌‌ରେ ତ ପ୍ରଥମେ ସେଠା ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରୋନା ଟିକା କାମ ନ ଦେବାରୁ ମୃତ୍ୟୁ ସଂଖ୍ୟା ବଢ଼଼ିଥିଲା। ଆମେରିକା ଓ ୟୁରୋପରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା। ତେବେ ସେ ଯା’ ହେଉ ସବୁଯାକ କରୋନା ଟିକା ଯେ ସମ୍ପୂର୍ଣ୍ଣ ଅସୁରକ୍ଷିତ ଏହା କହିବା ବୋଧହୁଏ ଠିକ୍‌‌ ହେବ ନାହିଁ। ଯେଉଁ ତତ୍ପରତା ଓ ଜରୁରୀ ଆବଶ୍ୟକତା ମଧ୍ୟରେ ଅଳ୍ପ ସମୟରେ ଏହି ଟିକା ପ୍ରସ୍ତୁତ ହେଲା ସେତେବେଳେ ଏଥିରେ ପାର୍ଶ୍ବ ପ୍ରତିକ୍ରିୟା ରହିବା ଆଶଙ୍କାକୁ ଏଡ଼ାଇବା ସହଜ ନଥିଲା। ଏବେ ଅଦାଲତ ମାମଲାରେ ପଡ଼ି ସମ୍ପୃକ୍ତ କମ୍ପାନୀ ସତ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି। ଏହାଫଳରେ ଭବିଷ୍ୟତରେ ବିଶ୍ୱ ଜନସ୍ୱାସ୍ଥ୍ୟ ଉପରେ ବଡ଼ ବିପଦକୁ ଏଡ଼ାଇବା ସମ୍ଭବ ହୋଇଛି।

କୋଭିସିଲ୍ଡ ଟିକା ନେଇ ଏହାର ପାର୍ଶ୍ବ ପ୍ରତ୍ରିୟାରେ ମରିଥିବା ଲୋକଙ୍କୁ ସମ୍ପୃକ୍ତ କମ୍ପାନୀ କ୍ଷତିପୂରଣ ଦେବା ସହିତ ଟିକାକୁ ବଜାରରୁ ପ୍ରତ୍ୟାହାର କରିଛି ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷମାପ୍ରାର୍ଥନା ମଧ୍ୟ କରିଛି। ଏହାଛଡ଼ା ଆଉ ଅଧିକ କ’ଣ କରାଯାଇ ପାରିଥା’ନ୍ତା! ରୋଗୀଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦେବା ଯେକୌଣସି ଔଷଧ ନିର୍ମାତାଙ୍କର ପ୍ରଥମ ଦାୟିତ୍ୱ ଓ ଅଗ୍ରାଧିକାର। ତେବେ ଔଷଧର ଗୁଣମାନ ଉତ୍ତମ ଭାବେ ପରୀକ୍ଷା କରି ଏହାର ବଜାର ପ୍ରବେଶ କରାଇବା ଦାୟିତ୍ୱ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ(ରେଗୁଲେଟରୀ ଅଥରିଟି) ଓ ସରକାରଙ୍କର। ସେମାନଙ୍କ ମଧ୍ୟରେ ଏ କ୍ଷେତ୍ରରେ ତ୍ରୁଟି ରହିଛି ନିଶ୍ଚୟ। ଭାରତରେ ମଧ୍ୟ କୋଭିସିଲ୍ଡ ଟିକାର ଏଭଳି ପ୍ରତିକ୍ରିୟା ଯେ ଘଟି ନଥିବ ତାହା କିଏ କହିବ? ଏହାର ମଧ୍ୟ ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବା ଉଚିତ।

କରୋନା ଏବେ ନୂଆ ରୂପରେ ବିଶ୍ୱରେ ରହିଛି ଓ ଏହା ଭବିଷ୍ୟତରେ ବିଭିନ୍ନ ରୂପରେ ରହିଥିବ। ସେଥିପାଇଁ ଆମକୁ ନୂଆ ନୂଆ ଟିକା ଓ ଔଷଧ ତିଆରି କରିବାକୁ ପଡ଼ିବ। କମ୍‌‌ ସମୟରେ ଓ ଜରୁରିକାଳୀନ ପରିସ୍ଥିତିରେ ପ୍ରତିଷେଧକ ଟିକାର ସଫଳତା ଦାବି କରିବାକୁ ଯିବା ବେଳେ ବିଫଳତା ଆସିବା ନୂଆ କଥା ନୁହେଁ। ଆଶା କରିବା କୋଭିସିଲ୍ଡର ଯେଉଁ ବିରଳ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହେଲା ନୂଆ ଟିକାରେ ଯେପରି ତାହା ନ ରହେ ସେଥିପ୍ରତି ଔଷଧ ଉତ୍ପାଦକ, ବୈଜ୍ଞାନିକ, ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ ଉପଯୁକ୍ତ ଦୃଷ୍ଟି ଦେବେ।

Leave A Reply

Your email address will not be published.