ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାତ୍ୟା ଜୱାଦ ପ୍ରଭାବରେ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ବିଧାୟକଙ୍କ ସମୀକ୍ଷା, ୨୯ଟି ଟିମ ଗଠନ

ରାଜନଗର: ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ବ୍ଲକରେ ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଧନଜୀବନ ହାନି ହୋଇନଥିଲେ ମଧ୍ୟ ବ୍ୟାପକ ଫସଲ ହାନି ହୋଇଛି । ଚାଷୀକୂଳ ଫସଲ ଅମଳ କରି ଘରକୁ ନେବା ସମୟରେ ପ୍ରାକୃତିକ ଦୁର୍ବିପାକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଂଚାୟତରେ ବ୍ୟାପକ ଫସଲ ହାନୀ ହୋଇଛି । ଚାଷ ଜମିରେ ପାଚିଲା ଧାନ ଫସଲ ଶୋଇଥିବା ବେଳେ ଫସଲ ଉପରେ ପାଣି ଜମି ରହିଛି । ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜନଗର ବ୍ଲକରେ ପହଁଚି ଉଜୁଡା କ୍ଷେତ ଦେଖିଛନ୍ତି । ଏହାପରେ ବ୍ଲକ କାର୍ୟ୍ୟାଳୟରେ ଚାଷୀଙ୍କୁ କିପରି ଫସଲ କ୍ଷୟକ୍ଷତିର ସହାୟତା ମିଳିବ ଓ ଫସଲ କ୍ଷୟକ୍ଷତିର ସର୍ଭେ କାମ ଶୀଘ୍ର କରାଯିବ, ସେ ନେଇ ସମୀକ୍ଷା କରିଥିଲେ ।

ବୈଠକରେ ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଭୋଳାନାଥ ସେଠୀ, ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ, ସହକାରୀ ଯନ୍ତ୍ରୀ ଜଳଧର ବେହେରା, କନିଷ୍ଠଯନ୍ତ୍ରୀ ଦେବ ରଂଜନ ବେହେରାଙ୍କ ସହିତ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ଷା ଛାଡିବା କ୍ଷଣି ରାଜନଗର ବ୍ଲକରେ ଫସଲ କ୍ଷୟକ୍ଷତିର ସର୍ଭେ କରାଯିବ । ଗ୍ରାମୀଣ କୃଷି ନିରୀକ୍ଷକ, ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନେଇ ୨୯ଟି ପଂଚାୟତ ପାଇଁ ୨୯ଟି ଟିମ ଗଠନ କରାଯିବ । ଏହାବାଦେ ବିଡିଓ, ତହସିଲଦାର, କୃଷି ଅଧିକାରୀ ବିଭିନ୍ନ ଅଂଚଳ ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ଆକଳନ କରିବେ । ୭ଦିନ ଭିତରେ ୨୯ ପଂଚାୟତର ଖରିଫ ଧାନ ଫସଲର କ୍ଷୟକ୍ଷତି ତାଲିକା ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ଏଥିସହ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ୮୦ଭାଗ ଲୋକେ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଆରମ୍ଭରେ ମରୁଡିସ୍ଥିତି ଯୋଗୁଁ ଚାଷୀ ଖର୍ଚ୍ଚାନ୍ତ ହୋଇ ବିଳମ୍ବରେ ଚାଷ କରିଥିଲା । ନଭେମ୍ବରରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଫସଲ ଅମଳ ବିଳମ୍ବିତ ହୋଇଥିଲା । ଧାନବିଲ ଶୁଖି ନଥିବାରୁ ଫସଲ ଅମଳ ହୋଇପାରିନଥିଲା । ଫସଲ ଅମଳ ପୂର୍ବରୁ ବାତ୍ୟା ଜୱାଦ ସୁନାର ଫସଲକୁ ଉଜାଡି ଦେଇଛି । ରାଜନଗରର ଫସଲ କ୍ଷୟକ୍ଷତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ସରକାରୀ ସହାୟତା ଯେଗାଇ ଦେବା ପାଇଁ ବିଧାୟକ ଶ୍ରୀ ସାହୁ ଦାବି କରିଛନ୍ତି ।

Leave A Reply

Your email address will not be published.