ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଶ୍ରୟର ଠିକଣା ସେଇ ବୁଢ଼ା ବରଗଛ… ଖରା, ବର୍ଷା, ଶୀତ ସବୁ ଋତୁରେ ସବୁ ବର୍ଗର ଲୋକଙ୍କୁ ନିଜ ଛାଇରେ ଦେଇଆସୁଛି ଆଶ୍ରୟ

ପୁରୀ(ହେମନ୍ତ ନାୟକ): ବର୍ଷେ କି ଦୁଇବର୍ଷ ନୁହେଁ ଶତାଧିକ ବର୍ଷ ଧରି ଛିଡ଼ା ହୋଇଛି ବୁଢ଼ା ବରଗଛ। କେତେ ଝଡ଼ ବତାସ ଆସିଛି, କିନ୍ତୁ ସବୁକୁ ମୁଣ୍ଡପାତି ସହି ସେମିତି ଛିଡା ହୋଇ ରହିଛି। କେବଳ ନିଜେ ସଂଘର୍ଷ କରି ବଞ୍ଚିନି ଅନ୍ୟକୁ ବି ତା’ ଶୀତଳ ଛାଇ ତଳେ ଜୀବନ ଜୀଇଁବାର ପ୍ରେରଣା ଦେଉଛି। ଖରା, ବର୍ଷା, ଶୀତ ସବୁ ଋତୁରେ ସବୁ ବର୍ଗର ଲୋକଙ୍କୁ ନିଜ ଛାଇରେ ଆଶ୍ରୟ ଦେଇଆସୁଛି ବୁଢା ବରଗଛ। ନିଜେ ସିନା ବୁଢା ହୋଇଗଲାଣି, ହେଲେ ଲୋକଙ୍କର ଭଲପାଇବା ତା’ ପ୍ରତି କମିନି। ସେ ପାଲଟିଯାଇଛି କର୍ମଜୀବୀଙ୍କ ଠିକଣା। ବିଶେଷକରି ଖରାଦିନର ଖରାବେଳେ ଏଠାରେ ବେଶ୍‌‌ ଭିଡ଼ ହୁଏ କର୍ମଜୀବୀ, ବ୍ୟବସାୟୀ, ପର୍ଯ୍ୟଟକ ଏବଂ ଭକ୍ତଙ୍କର…

ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଛିଡ଼ା ହୋଇଛି ଝଙ୍କାଳିଆ ବରଗଛଟିଏ। ଅବଶ୍ୟ ବୟସ ହୋଇଗଲାଣି, ତଥାପି ଡାଳ, ପତ୍ରକୁ ଦେଖିଲେ ଏବେ ବି ଯୁବ ସୁଲଭତା ବାରି ହୋଇପଡ଼େ। ପତ୍ରଗୁଡ଼ିକ ବେଶ୍‌‌ ସବୁଜ ଆଉ ଶାଖାପ୍ରଶାଖା ବି ମେଲିଯାଇଛି ଢେର୍‌‌ ବାଟ। ଅନେକ ଇତିହାସର ସିଏ ମୂକସାକ୍ଷୀ। ପିଢୀ ପରେ ପିଢୀ ଚାଲିଯାଉଛନ୍ତି ହେଲେ, ସିଏ ସେମିତି ଛିଡା ହୋଇ ରହିଛି। ସବୁ ଗଛତ ଶୀଥିଳତା ପ୍ରଦାନ କରିଥାନ୍ତି। କିନ୍ତୁ ଏହି ବୁଢା ବରଗଛର ଏକ ସ୍ୱତନ୍ତ୍ରତା ରହିଛି। ସିନ୍ଦୁରା ଫାଟିବା ପୂର୍ବରୁ ଶ୍ରୀମନ୍ଦିରରେ ରାତ୍ର ପହୁଡ଼ ପଡ଼ିବା ପର୍ଯ୍ୟନ୍ତ ଏହି ଗଛ ତଳେ ଲୋକମାନଙ୍କର ଆସର ଜମେ। ସବୁ ବର୍ଗର ଲୋକ ଏକାଠି ହୁଅନ୍ତି ଗଛ ମୂଳ ପିଣ୍ଡି ଉପରେ। ଲୋକଙ୍କ ସୁଖ, ଦୁଃଖ ସବୁକିଛିର ମୂକସାକ୍ଷୀ ଏହି ବରଗଛ। ଖାସ୍‌‌ କଥା ହେଉଛି ଏହି ଗଛ କର୍ମଜୀବୀଙ୍କ ଖରାବେଳର ଠିକଣା। ଅର୍ଥାତ୍‌‌ ପୁରୀ ସହର ଉପକଣ୍ଠର କର୍ମଜୀବୀମାନେ ଖରାବେଳ ସମୟ ଅତିବାହିତ କରିବା ପାଇଁ ଏହି ଗଛ ତଳକୁ ପଳାଇ ଆସନ୍ତି। ବିଭିନ୍ନ କମ୍ପାନୀର ମାର୍କେଟିଂ କରୁଥିବା, ସରକାରୀ କାର୍ଯ୍ୟାଳୟକୁ ଆସିଥିବା ବ୍ୟକ୍ତି, ବସ୍‌‌ରେ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀ, ଭକ୍ତ, ପର୍ଯ୍ୟଟକ ମୋଟାମୋଟି କହିବାକୁ ଗଲେ ଯେଉଁମାନଙ୍କର ଖରାବେଳେ ବିଶ୍ରାମ ନେବାକୁ ମୁଣ୍ଡ ଉପରେ ଛାତଟିଏ ନ ଥାଏ ସେମାନେ ଛୁଟିଆସନ୍ତା ଗୁଣ୍ଡିଚା ମନ୍ଦିର ନିକଟ ବରଗଛ ତଳକୁ। କର୍ମଜୀବୀମାନେ ପ୍ରଶସ୍ତ ଖୋଲା ଜାଗାରେ ଗାଡ଼ି ପାର୍କିଂ କରି ଛାଇତଳେ ବିଶ୍ରାମ ନିଅନ୍ତି। ଏପରି କି ମାର୍କେଟିଂ ପିଲା ଲାପ୍‌‌ଟପ ବାହାର କରି ଅଫିସ କାମ ବି କରନ୍ତି। ବିଳମ୍ବରେ ଯଦି କାହାର ବସ୍‌‌ ଥାଏ ତେବେ ସେମାନେ ବି ଦୌଡି ଆସନ୍ତି ଏହି ବରଗଛ ତଳକୁ। ଭକ୍ତ, ପର୍ଯ୍ୟଟକ ବି ଖରାବେଳେ ଗଛ ଛାଇତଳେ ବଶି ସମୟ ବିତାଇଥାନ୍ତି। ନିକଟସ୍ଥ ବ୍ୟବସାୟୀମାନେ ଖରାରେ ଅସ୍ତବ୍ୟକ୍ତ ହୋଇଗଲେ ଗଛ ତଳକୁ ପଳାଇ ଆସନ୍ତି। ଏମିତି କହିବାକୁ ଗଲେ ସବୁବର୍ଗର ଲୋକେ ଏହି ବୁଢା ବରଗଛଠାରୁ ଶୀଥିଳତାର ସେବା ପାଇଥାନ୍ତି।

କେବଳ ଖରାଦିନର ଖରାବେଳ ନୁହେଁ, ବର୍ଷର ସବୁଦିନ ସବୁ ସମୟରେ ଏହି ବରଗଛ ତଳେ ଭିଡ଼ ଜମେ। ସିନ୍ଦୁରା ଫାଟିଲେ ପୁରୀ ସହରର ବରିଷ୍ଠ ନାଗରିକ ହୁଅନ୍ତୁ ଅବା ଗୁଣ୍ଡିଚା ମନ୍ଦିର ବୁଲିବାକୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ଏହି ବରଗଛ ପିଣ୍ଡିରେ ବସି ଚା’ ପିଇଥାନ୍ତି। ପ୍ରାତଃ ଭ୍ରମଣରେ ଯାଇ କିଛି ବରିଷ୍ଠ ନାଗରିକ ଏହାରି ତଳେ ବଶି ଥକା ମେଣ୍ଟାଇଥାନ୍ତି। ସଞ୍ଜ ନଇଁଲେ ବି ସମାନ ଚିତ୍ର ଦେଖିବାକୁ ମିଳେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ଯୁବଗୋଷ୍ଠୀ ବସି ଖଟି କରିଥାନ୍ତି।

ପୁରୀ ସଦର ଅଞ୍ଚଳର କର୍ମଜୀବୀ ଯୁବକ ସୁବାସ ମହାନ୍ତି କହିଛନ୍ତି, ପୁରୀ ସହରରେ ଡେଲିଭରି ବୟ ଭାବେ କାମ କରୁଛି। ସକାଳୁ ଘରୁ ପଳାଇ ଆସିଥାଏ। ବିଭିନ୍ନ ଲୋକଙ୍କୁ ସେମାନଙ୍କ ଅର୍ଡର ଦେବା ପରେ ଦ୍ୱିପ୍ରହର ସମୟରେ ହୋଟେଲରେ ଖାଇଦିଏ। ବିଶ୍ରାମ ନେବା ପାଇଁ ଏହି ବରଗଛ ତଳକୁ ପଳାଇ ଆସେ। ପ୍ରବଳ ଖରା ହେଉଥିଲେ ବି ଏହାର ଛାଇତଳେ ସେମିତି ଜଣାପଡେ ନାହିଁ। ଥଣ୍ଡା ବି ଲାଗେ। ମୋ ଭଳି ଅନେକ ଲୋକ ଦ୍ୱିପ୍ରହର ସମୟରେ ଏଠାରେ ବିଶ୍ରାମ ନେଇଥାନ୍ତି ବୋଲି କହିଛନ୍ତି ସୁବାସ।

କେବଳ ଲୋକଙ୍କୁ ନୁହେଁ, ବିଭିନ୍ନ ପକ୍ଷୀ ଏବଂ ମାଙ୍କଡ଼ଙ୍କୁ ମଧ୍ୟ ଆଶ୍ରୟ ଦେଇଆସିଛି ଏହି ବରଗଛ। ସକାଳେ ମାଙ୍କଡ଼ ଗଛର ଏ ଡାଳରୁ ସେ ଡାଳ ଡେଇଁବାର ଦୃଶ୍ୟ ବାସ୍ତବିକ ବେଶ୍‌‌ ନିଆରା। ଏହି ବୁଢା ବରଗଛ ୧୯୯୯ ମହାବାତ୍ୟାକୁ ଦେଖିଛି। ପୁଣି ପୁରୀରେ ତାଣ୍ଡବ ରଚିଥିବା ଫନୀ, ଅମ୍ଫନକୁ ମଧ୍ୟ ସାମ୍ନା କରିଛି। ଝଡ଼ ବତାସରେ ଅନେକ ଶାଖା ପ୍ରଶାଖା ଭାଙ୍ଗି ଯାଇଛି। ହେଲେ ସବୁକୁ ମୁଣ୍ଡପାତି ଏବେ ବି ମୁଣ୍ଡ ଟେକି ଛିଡା ହୋଇଛି ଗୁଣ୍ଡିଚା ମନ୍ଦିର ସମ୍ମୁଖ ବୁଢା ବରଗଛ।

Leave A Reply

Your email address will not be published.