ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରମିକଙ୍କ ‘ସଖା’ ନବୀନ: ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ସର୍ବନିମ୍ନ ମଜୁରି ଅଧିକ

କେନ୍ଦୁପତ୍ର ଶ୍ରମିକଙ୍କୁ ୫୦% ବୋନସ

ଭୁବନେଶ୍ୱର: ସବୁ ବର୍ଗର ଲୋକେ ଖୁସିରେ ବଞ୍ଚିବେ, ସମ୍ମାନର ସହ ବଞ୍ଚିବେ। ଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାରର ଏହା ହିଁ ପ୍ରମୁଖ ଲକ୍ଷ୍ୟ । ରାଜ୍ୟର ସବୁ ବର୍ଗର ମଙ୍ଗଳ ଏବଂ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବୀ ପଦକ୍ଷେପ ନେଇ ଆସୁଛନ୍ତି। ଏହିକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମରେ ସବୁଠାରୁ ଅଧିକ ଲାଭାନ୍ୱିତ ହୋଇଛନ୍ତି ରାଜ୍ୟର ଶ୍ରମିକ ବର୍ଗ। ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, କେନ୍ଦୁପତ୍ର ଶ୍ରମିକଙ୍କ ସଶକ୍ତୀକରଣ ଓ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ରାହା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରମଜୀବୀଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ସଖା ପାଲଟିଛନ୍ତି। ନିକଟରେ ରାଜ୍ୟ ସରକାର ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରି ସେମାନଙ୍କୁ ବଡ଼ ଉପହାର ପ୍ରଦାନ କରିଥିଲେ। ଅଣକୁଶଳୀ ବର୍ଗର ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଅତି କୁଶଳୀଙ୍କ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାରେ ସର୍ବନିମ୍ନ ମଜୁରୀ ତୁଳନାତ୍ମକ ଭାବରେ ଅଧିକ ରହିଛି । ଉତ୍ତରପ୍ରଦେଶରେ ସର୍ବନିମ୍ନ ମଜୁରୀ ୩୯୫.୧୯ ଟଙ୍କା ଥିବାବେଳେ ମଧ୍ୟପ୍ରଦେଶରେ ୩୭୭.୮୮ ଟଙ୍କା, ଗୁଜରାଟରେ ୩୬୩ ଟଙ୍କା, ବିହାରରେ ୩୮୮ ଟଙ୍କା, ରାଜସ୍ଥାନରେ ୨୮୫ ଟଙ୍କା ପ୍ରଦାନ କରାଯାଉଛି । ମାତ୍ର ଓଡ଼ିଶାରେ ସର୍ବନିମ୍ନ ମଜୁରୀ ଏବେ ୪୫୦ ଟଙ୍କା ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ବେଶ୍‌ ଉପକୃତ ହୋଇପାରିଛନ୍ତି। ରାଜ୍ୟ ସରକାର ନିର୍ମାଣ କ୍ଷେତ୍ରରେ ନିୟୋଜିତ ଥିବା ଶ୍ରମିକଙ୍କ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଗଠନ କରାଯାଇଛି। ଏହି ବୋର୍ଡ ଅଧିନରେ ପଞ୍ଜିକୃତ ଶ୍ରମିକମାନଙ୍କର ପେନସନ୍‌ ମଧ୍ୟ ନିକଟରେ ବୃଦ୍ଧି କରାଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍‌୍‌ସନ ପାଉଛନ୍ତି। ସେହିପରି ୮୦ ବର୍ଷ ବୟସରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ମାନେ ୭୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ପାଉଛନ୍ତି। ସେହିପରି ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହିତାଧିକାରୀଙ୍କ ମାତୃତ୍ୱ ଲାଭ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି। ସେହିପରି ୧୮ ବର୍ଷରୁ ଉଦ୍ଧ୍ୱର୍ ପଞ୍ଜିକୃତ ମହିଳା ସଦସ୍ୟ କିମ୍ବା ସଦସ୍ୟ/ସଦସ୍ୟାଙ୍କ ୧୮ ବର୍ଷରୁ ଉଦ୍ଧ୍ୱର୍ କନ୍ୟାଙ୍କ ବିବାହ କ୍ଷେତ୍ରରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ଯାଏଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସେହିପରି ପଞ୍ଜିକୃତ ହିତାଧିକାରୀଙ୍କ ମୃତ୍ୟୁ ପରେ ହିତାଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦୦୦ ଟଙ୍କା ଏବଂ ହିତାଧିକାରୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସହାୟତା ପ୍ରଦାନ କରାଯାଉଛି। ଏହାବ୍ୟତୀତ ନିର୍ମାଣ ଶ୍ରମିକଙ୍କ ପିଲିମାନଙ୍କ ପାଠପଢ଼ା କ୍ଷେତ୍ରରେ ରାଜ୍ୟ ସରକାର ସହାୟତା ପ୍ରଦାନ କରି ଆସୁଛନ୍ତି।

ସେହିପରି ରାଜ୍ୟର ପଶ୍ଚିମ ଓଡ଼ିଶାରେ କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳିଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରି ଆସିଛନ୍ତି। ତୋଳାଳି ଓ ଶ୍ରମିକଙ୍କୁ ୫୦ ପ୍ରତିଶତ ବୋନସ୍‌ ସହ ୧୦ ପ୍ରତିଶତ ଇନସେନଟିଭର ବ୍ୟବସ୍ଥା କରାଯାଇଛି । କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ପ୍ରାୟ ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସହିତ ସେମାନଙ୍କୁ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଏହି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ କନ୍ୟା ବିବାହ କ୍ଷେତ୍ରରେ ଆର୍ଥିକ ସହାୟତା ସହ ସେମାନଙ୍କ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। ଏହାବ୍ୟତୀତ କାଳିଆ ଯୋଜନାରେ ଭୂମିହୀନ କୃଷକଙ୍କ ପାଇଁ ଏକାଧିକ ଲାଭଦାୟକ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ଚାଷୀ ପରିବାରର ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତିଠାରୁ ଆରମ୍ଭ କରି ସେମାନଙ୍କ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଶ୍ରମିକମାନଙ୍କ ପାଇଁ ଏକାଧିକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିବାରେ ଓଡ଼ିଶା ଅନ୍ୟରାଜ୍ୟ ଠାରୁ ବେଶ୍‌ ଆଗୁଆ ଥିବାବେଳେ ଓଡ଼ିଶାର ପଦକ୍ଷେପ ସେମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି।

Leave A Reply

Your email address will not be published.