ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟବ୍ୟାପୀ ଅସାଧୁ ଡାକ୍ତର ଧରପଗଡ଼, ନକଲି ଡାକ୍ତରଙ୍କୁ ସାବଧାନ!

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ନକଲି ଡାକ୍ତର ନିରୋଧୀ ଦଳ ବା ସ୍କ୍ୱାଡ୍‌‌ ଗଠନ କରିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେବଳ ସ୍କ୍ୱାଡ୍‌‌ ଗଢ଼ି ଦେଲେ ଯଥେଷ୍ଟ ହେବନାହିଁ। ଏହା କିପରି ପ୍ରଭାବୀ ଢଙ୍ଗରେ କାମ କରି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ କରିବ ସେ କାମ ସୁନିଶ୍ଚିତ କରିବା ଦାୟିତ୍ୱ ପ୍ରଶାସନର। ଏଥିରେ ଅଦାଲତ ନିର୍ଦ୍ଦେଶ ପାଳନ ଅପେକ୍ଷା ଜନସ୍ୱାସ୍ଥ୍ୟ ସୁରକ୍ଷା ଦାୟିତ୍ୱ ଅଧିକ।

ନକଲି ଚିକିତ୍ସା ବା କ୍ୱାକେରି ଏକ ପୁରୁଣା ଠକାମୀ ବ୍ୟବସାୟ। ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ‘କ୍ୱାକ୍‌‌’ ବା ‘ଭଣ୍ଡବଇଦ’ କୁହାଯାଏ। ଏହା ପୁଣି ଅଞ୍ଚଳ ଓ ସଂସ୍କୃତି ବିଶେଷରେ କେଉଁ ଆଦି କାଳରୁ ପ୍ରଚଳିତ ହୋଇଆସୁଛି। ବିଶେଷକରି ଆଦିବାସୀ ଇଲାକାରେ ଦିଶାରୀ, ଅନ୍ୟ ଅଞ୍ଚଳରେ ଗୁଣିଆ ଏବଂ ଉପକୂଳରେ ଏମାନେ ‘ହାଡୁ ବଇଦ’ ନାମରେ ପରିଚିତ। ହୋମିଓପାଥି, ଆୟୁର୍ବେଦ, ଏଲୋପାଥି ଆଦି ଚିକିତ୍ସା ପଦ୍ଧତିର ବିକାଶ ସତ୍ତ୍ବେ ‘କ୍ୱାକ’ଙ୍କ ସଂଖ୍ୟା ଓ ପ୍ରାଦୁର୍ଭାବ ବଢ଼଼ିବାର ମୁଖ୍ୟ କାରଣ ହେଲା ଗ୍ରାମାଞ୍ଚଳରେ ଆଧୁନିକ ଓ ସରକାରୀ ମାନ୍ୟତାପ୍ରାପ୍ତ ଚିକିତ୍ସା ସୁବିଧା ଓ ପ୍ରକୃତ ଡାକ୍ତରଙ୍କ ଅଭାବ। ସରକାର ଏଲୋପାଥୀ, ଆୟୁଷ ଆଦି ଚିକିତ୍ସାକୁ ମାନ୍ୟତା ଦେଇଛନ୍ତି। ତେବେ ଜନସଂଖ୍ୟା ଆଧାରରେ ଯେତିକି ମାନ୍ୟତାପ୍ରାପ୍ତ ଚିକିତ୍ସକ ଓ ଚିକିତ୍ସାକର୍ମୀ ରହିବା କଥା ତାହାର ଅଭାବ ରହିଛି। ତେଣୁ ଏହା ସ୍ୱାଭାବିକ ଯେ ଡାକ୍ତରଙ୍କ ଅଭାବ ରହିଲେ ନକଲି ଡାକ୍ତରଙ୍କ ସଂଖ୍ୟା ବଢ଼଼ିବ ଏବଂ ଜନସାଧାରଣ ଏହାର ପରାଭବ ଭୋଗିବେ।

ଆଜିକାଲି ଜାଲ୍‌‌ ଡାକ୍ତରୀ ଓ ଫାର୍ମାସୀ ସାର୍ଟିଫିକେଟ ହାସଲ କରି ଅନେକ ବଡ଼ବଡ଼ ସହର ଓ ଗ୍ରାମାଞ୍ଚଳରେ ଭଣ୍ଡ ଡାକ୍ତରମାନେ ନିଜର ଠକ ଚିକିତ୍ସା ବ୍ୟବସାୟ ଚଳାଇଛନ୍ତି। ଅନେକ ବିନା ଡିଗ୍ରୀପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ଅନେକ ଘରୋଇ ହସ୍‌‌ପିଟାଲ ଓ ନର୍ସିଂହୋମ ମଧ୍ୟ ଚାଲିଛି। ଅନ୍ୟପକ୍ଷରେ ଡିଗ୍ରୀ ଓ ଅଭିଜ୍ଞତା ନ ଥାଇ ଅନେକ ନିଦାନ ବା ପାଥୋଲୋଜି କାମ କରୁଛନ୍ତି। ସେମାନେ ଚିକିତ୍ସା ସେବା ଯୋଗାଇଲେ ସାଧାରଣ ଓ ଅସଚେତନ ରୋଗୀ କେବଳ ଆର୍ଥିକ ଓ ମାନସିକ ଶୋଷଣର ସମ୍ମୁଖୀନ ହେବେ ନାହିଁ, ଅକାଳ ମୃତ୍ୟୁ ମଧ୍ୟ ଲଭିବେ।

ସମ୍ପ୍ରତି ସ୍ୱାସ୍ଥ୍ୟ ସେବା କ୍ଷେତ୍ର କେବଳ ବ୍ୟୟବହୁଳ ନୁହେଁ, ଏହା ସମସ୍ୟା ଜର୍ଜରିତ। ଏ କ୍ଷେତ୍ରରେ ନିୟନ୍ତ୍ରଣ ତଥା ନିୟାମକ ବ୍ୟବସ୍ଥା ସୁଦୃଢ଼ ହେବା ଉଚିତ। ଏହାର ଅଭାବରେ କ୍ୱାକମାନେ ନିଜର ପ୍ରଭାବ ବିସ୍ତାର କରିବା ସହ ଏକ ସମାନ୍ତରାଳ ଚିକିତ୍ସା ବ୍ୟବସ୍ଥା ଚଳାଇଛନ୍ତି। ଅନେକ ସ୍ଥାନରେ ଏଭଳି ଠକାମୀ ବ୍ୟବସ୍ଥା ପଛରେ ଏକ ଶକ୍ତିଶାଳୀ ରାକେଟ କାମ କରୁଛି। ନିଜ ବ୍ୟବସାୟ ସାମ୍ରାଜ୍ୟର ସୁରକ୍ଷା ପାଇଁ ସେମାନେ ନିରୀହ ଜନତାଙ୍କୁ ଠକି ଠୁଳ କରିଥିବା ପ୍ରଚୁର ଅର୍ଥର ଏକ ନିର୍ଦ୍ଦିଷ୍ଟ ଅଂଶ ଖର୍ଚ୍ଚ କରିଥା’ନ୍ତି।
ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରତି ଜିଲ୍ଲାରେ ଏକ ଆଣ୍ଟି କ୍ୱାକେରୀ ସେଲ ଗଠନ ନିଷ୍ପତ୍ତି ନିଆଯାଇଛି। ଏହି ଟିମ୍‌‌ରେ ପାଞ୍ଚଜଣ ସଦସ୍ୟ ରହିବେ। ସେମାନେ ହେଲେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଆଇଏମଏର ମନୋନୀତ ସଦସ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବା ସଡିଏମଓଙ୍କ ପ୍ରତିନିଧି। ଏହି ସେଲ୍‌ଫ ଜିଲ୍ଲାସ୍ତରରେ ଏକ ନିୟନ୍ତ୍ରଣକାରୀ ସଂସ୍ଥା ଭାବେ କାମ କରିବା ସହିତ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରି ପ୍ରତିକାର ବ୍ୟବସ୍ଥା କରିବ। ଏହାଛଡ଼ା ପ୍ରତି ତିନିମାସରେ ଥରେ ଏହି ସେଲ୍‌ଫ ନିଜ କାମର ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇବ। ନକଲି ଡାକ୍ତରଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କୁ ଧରିବା କାମ ମଧ୍ୟ କରିବ। ଏହା ଭଲ ନିଷ୍ପତ୍ତି। ସେଲ୍‌ଫର ସଦସ୍ୟମାନେ ନିରପେକ୍ଷ, ସଚ୍ଚୋଟ ଓ ସକ୍ରିୟ ହୋଇ କାମ କଲେ କ୍ୱାକ୍‌‌ଙ୍କ ପ୍ରଭାବ ଯଥେଷ୍ଟ କମିଯିବ। ତେଣୁ ସେଲ୍‌ଫ ସଦସ୍ୟଙ୍କ ସାଧୁତା ଓ ନିଷ୍ଠା ଉପରେ ଅନେକ କିଛି ନିର୍ଭର କରୁଛି।

ଏଥିସହିତ ପଢ଼ନ୍ତୁ

ସମ୍ପ୍ରତି କୋଭିଡ୍‌‌ ମହାମାରୀ ଉତ୍ତରକାଳରେ ଉଭୟ ଚିକିତ୍ସା ବ୍ୟବସ୍ଥା ତଥା ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଗୁରୁତ୍ୱ ସାରା ବିଶ୍ୱରେ ଉପଲବ୍ଧି ହୋଇଛି। କୋଭିଡ୍‌‌ ମହାମାରୀ ଭଳି ମାରାତ୍ମକ ପରିସ୍ଥିତିରେ ନକଲି ଡାକ୍ତର, ଗାଁ ବଇଦ, ଗୁଣିଗାରେଡ଼ି ବାଲା ତଥା ନିଜେ ନିଜେ ଔଷଧ ଦୋକାନୀକୁ ପଚାରି ନିଜ ଚିକିତ୍ସା କରୁଥିବା ବ୍ୟକ୍ତିମାନେ ସମାଜର କେତେ ଯେ କ୍ଷତି ପହଞ୍ଚାଇ ଥିବେ ତାହା ସହଜରେ ଅନୁମେୟ। ବଡ଼ ବଡ଼ ସହରର ବଡ଼ ବଡ଼ ଡାକ୍ତରଖାନାମାନଙ୍କରେ ଯେତେବେଳେ କୋଭିଡ୍‌‌ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ଚିକିତ୍ସା ପ୍ରଣାଳୀର ସୂଚନା ମଧ୍ୟ ନଥିଲା ଏବଂ ସେଥିଯୋଗୁଁ ବିଭିନ୍ନ ଅସିଦ୍ଧ ପରୀକ୍ଷା ନିରୀକ୍ଷା ଦ୍ୱାରା ଚିକିତ୍ସା କରାଯାଉଥିଲା, ସେତେବେଳେ ଭାବି ଦେଖନ୍ତୁ ସମାଜରେ ଥିବା ଅସଂଖ୍ୟ ନକଲି ଡାକ୍ତର କିଭଳି ରୋଗୀ ମୃତ୍ୟୁର କାରଣ ହୋଇ ନଥିବେ! ତା’ସାଙ୍ଗକୁ କୋଭିଡ ସଂକ୍ରମଣ ପ୍ରତି କୋକୁଆ ଭୟ ପରିସ୍ଥିତିକୁ ଆହୁରି ଭୟଙ୍କର କରିଥିଲା। ଈଶ୍ୱର ନ କରନ୍ତୁ ଏଭଳି ଦୁର୍ଦ୍ଦିନ ଆଉ ନ ଆସୁ। କିନ୍ତୁ ଆଜିକାଲିର ଜୀବନଶୈଳୀ ତଥା ଲୋକଙ୍କର ବେପରୁଆ ମନୋଭାବ ସାଙ୍ଗକୁ ଯଦି ସବୁଆଡ଼େ ଅପାଠୁଆ ଠକ ଡାକ୍ତରଙ୍କ ପ୍ରାଦୁର୍ଭାବ ଥିବ ତେବେ ଆମ ସମାଜର ଅବସ୍ଥା କ’ଣ ହେବ? ଉଚ୍ଚଶିକ୍ଷିତ ତଥା ପ୍ରଶିକ୍ଷିତ ଡାକ୍ତରମାନେ ବ୍ୟକ୍ତିଗତ ଆର୍ଥିକ ଲାଭ ପାଇଁ କିଭଳି କିଡ୍‌‌ନୀ ବିକ୍ରି ରାକେଟ୍‌‌ ଓ ଶିଶୁ କନ୍ୟା ଭ୍ରୂଣ ଚିହ୍ନଟ ତଥା ଗର୍ଭପାତ ଆଦି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ତାହାର ଚମକପ୍ରଦ ଖବର ଆମକୁ ଚକିତ କରେ।

ଏଭଳି ପୃଷ୍ଠଭୂମିରେ ଡାକ୍ତରୀ ତଥା ଆନୁସଙ୍ଗିକ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କର ସଠିକ୍‌‌ ଯାଞ୍ଚ କରି ଅସାଧୁ ବ୍ୟକ୍ତିମାନଙ୍କୁ ଦଣ୍ଡ ଦେବା ବ୍ୟବସ୍ଥାକୁ ସମସ୍ତେ ମୁକ୍ତକଣ୍ଠରେ ସ୍ୱାଗତ କରିବେ। ଏଭଳି ଅସାଧୁ ବ୍ୟକ୍ତିଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିବା ପାଇଁ ରାଜ୍ୟରେ ଚିକିତ୍ସା ସେବା ଓ ଜନସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ଅଧିକ ବିସ୍ତାର ଆବଶ୍ୟକ। ଏ କ୍ଷେତ୍ରରେ ଆମ ରାଜ୍ୟରେ ଅନେକ ପ୍ରଭାବୀ ପଦକ୍ଷେପ ନିଆଯାଇଛି ସତ, କିନ୍ତୁ ଏହା ଯଥେଷ୍ଟ ମନେ ହୁଏ ନାହିଁ। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସର୍ବାଦୌ ପାଳନୀୟ ତଥା ରାଜ୍ୟବ୍ୟାପୀ ଜନସଚେତନତା ଓ ଠକ ଡାକ୍ତର ଖବର ସଂଗ୍ରହ ପାଇଁ ପ୍ରଭାବୀ ଡିଜିଟାଲ୍‌‌ ଆପ୍‌‌ ବ୍ୟବସ୍ଥା ଆଦି ଅତିଶୀଘ୍ର ପ୍ରଚଳନ କରାଯିବା ଉଚିତ। ଜିଲ୍ଲାମାନଙ୍କର ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ବିଶେଷ ଦାୟିତ୍ୱ ନିଷ୍ଠାପର ଭାବେ ନିର୍ବାହନ କରିବା ଆବଶ୍ୟକ। ସେମାନେ ମନେ ରଖିବା କଥା ଯେ ପ୍ରତ୍ୟେକ ଜୀବନ ମୂଲ୍ୟବାନ।

Leave A Reply

Your email address will not be published.