ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବପ୍ନକୁ ସତ କଲା ମିଶନ ଶକ୍ତି: ରୋଜଗାରର ବାଟ ପାଇଲେ ମହିଳା, ଅଟୋ ଚଳାଇ ଦୈନିକ ୨ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ହେଉଛି ରୋଜଗାର

କେନ୍ଦ୍ରାପଡ଼ା: ଆଜି ମହିଳା ଦୁର୍ବଳା ନୁହନ୍ତି କି ଅବଳା ନୁହନ୍ତି ଡାଇଲାଗରେ ରହିଯାଇନି। ମହିଳାଙ୍କ ସ୍ବପ୍ନରେ ମିଶନ ଶକ୍ତି ବିଭାଗ ଡେଣା ଲଗାଇଛି। ରୋଜଗାର କରିବାକୁ ସ୍ଵପ୍ନରେ ଭାବୁଥିବା ମହିଳା ଆଜି ସତକୁ ସତ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ମିଶନ ଶକ୍ତି ବିଭାଗ ପକ୍ଷରୁ ଇ- ଅଟୋ ଜରିଆରେ ମହିଳାମାନେ ସ୍ବାବଲମ୍ବୀ ହେବା ସହ ନିଜ ପରିବାରକୁ ଖୁସିରେ ଚଳାଇ ପାରୁଛନ୍ତି।

ଏହାକୁ ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର କୋର ପଞ୍ଚାୟତର ତନାର ଗ୍ରାମର ନିରଞ୍ଜନ ବେହେରାଙ୍କ ପତ୍ନୀ ନିହାରିକା ମହାନ୍ତି । ଏହି ମହିଳା ଜଣଙ୍କ ମିଶନ ଶକ୍ତି ଅଟୋ ଚଲେଇ ଏବେ ପରିବାର ପ୍ରତିପୋଷଣ କରୁଛନ୍ତି। ନିଜେ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ନିହରିକାଙ୍କ ଗତ ୩ ବର୍ଷ ତଳେ ନିରଞ୍ଜନଙ୍କ ସହିତ ବିବାହ ହୋଇଥିଲା। ବିବାହର ଏକ ବର୍ଷ ପରେ କନ୍ୟା ସନ୍ତାନଟିଏ ଜନ୍ମ୍ ନେଲା ।  ନିରଞ୍ଜନଙ୍କ ସେମିତି କିଛି ରୋଜଗାର ନ ଥିଲା।  କେବେ କାହାର କାମକୁ ଯାଆନ୍ତି ନ ହେଲେ ଚାଷ କାର୍ଯ୍ୟରେ ତାଙ୍କ ବାପା ବୈଷ୍ଣବ ଚରଣ ବେହେରାଙ୍କୁ ସହଯୋଗ କରିଥାନ୍ତି। ଚାଷ କାର୍ଯ୍ୟ କରି ଘର ଖର୍ଚ୍ଚ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଥିଲା।

ନିରଞ୍ଜନଙ୍କ ଉପରେ ବାପା, ବୋଉ, ଭାଇ ଆଉ ଭଉଣୀଙ୍କ ଦାୟିତ୍ଵ ରହିଥିଲା। ଦୈନିକ ଘର ଖର୍ଚ୍ଚ କରିବା, ଭାଇ ଭଉଣୀଙ୍କ ପାଠ ପଢା, ଘରର ଗ୍ରୋସରୀ, ମେଡିସିନ ଭଳି ଖର୍ଚ୍ଚ ଯୋଗାଇବାକୁ ସମ୍ଭବ ହେଉ ନ ଥିଲା। ଏହି ସମୟରେ ନିରଞ୍ଜନଙ୍କ ପତ୍ନୀ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଥିଲେ। ହେଲେ ଘରେ ମୂଳଧନ ନ ଥିବାରୁ କିଛି କରିପାରୁ ନ ଥିଲେ। ବିନା ମୂଳଧନରେ ମିଶନ ଶକ୍ତି ପକ୍ଷରୁ ଅଟୋ ମିଳୁଥିବା ଜାଣିବାକୁ ପାଇଲେ। ଏନେଇ ବ୍ଲକ ଆଉ ଜିଲ୍ଲା କାର୍ଯ୍ୟାଳୟରେ ନିହାରିକା ଯୋଗାଯୋଗ କରିଥିଲେ। ଏହାପରେ ତାଙ୍କୁ ଏକ ଇ- ଅଟୋ ମିଳିଥିଲା ।  ଗତ ଏକ ବର୍ଷ ହେଲା ସେ ଅଟୋ ଚଳାଇ ଆସୁଛନ୍ତି। ଏନେଇ ନିହାରିକା କୁହନ୍ତି ମୋତେ ଅଟୋ ନ ମିଳିଥିଲେ ଆଜି ମୁଁ ମଧ୍ୟ ମୂଲ ମଜୁରି ଲାଗିବାକୁ ଯାଉଥାନ୍ତି।  ଅଟୋ ଚଳାଇବା ପରେ ଆଜି ସମ୍ମାନର ସହ ବଞ୍ଚିଛୁ । ଏହାଛଡ଼ା ଭଲ ରୋଜଗାର ମଧ୍ୟ କରିପାରୁଛୁ । ବ୍ୟାଙ୍କରେ ଟଙ୍କା ଜମା ରଖିପାରିଲୁ । ଘରର ସବୁ ଦୁଃଖ ଚାଲିଗଲା।  ଗୋଟିଏ ଅଟୋ ମିଶନ ଶକ୍ତି ବିଭାଗ ଦେବା ପରେ ମୁଁ ଆହୁରି ୩ଟି ଅଟୋ କରିପାରିଛି । ଏମିତିକି ଦୈନିକ ସବୁ ଖର୍ଚ୍ଚ ଯିବା ପରେ ୩ଟି ଅଟୋରୁ ୨ରୁ ୩ ହଜାର ଟଙ୍କା ବଞ୍ଚୁଛି। ବିନା ମୂଳଧନରେ ୪ ଲକ୍ଷ ଟଙ୍କାର ଅଟୋ ମିଳିବାରୁ ଆଜି ଆଗକୁ ବଢ଼ି ପାରିଲୁ। ମୋ ପାଇଁ ଏହା ସ୍ଵପ୍ନ ଥିଲା ଯାହାକୁ ମିଶନ ଶକ୍ତି ବିଭାଗ ସତରେ ପରିଣତ କରିଦେଇଛି । ଯାହା ମନରେ ପଣ କରିଥିଲେ ନିଜେ ରୋଜଗାର କରି ସ୍ୱାମୀକୁ ସାହାଯ୍ୟ କରିବେ ଆଉ ଏବେ ମିଶନ ଶକ୍ତି ଅଟୋ ଚଲେଇ ନିହରିକା ସ୍ୱାବଲମ୍ବୀ ହୋଇପାରିଛନ୍ତି । ମିଶନ ଶକ୍ତି ଅନେକ ମହିଳାଙ୍କୁ ରୋଜଗାର ଯୋଗାଇ ଦେଉଛି । ଏବେ ମହିଳା ସଶକ୍ତ ହେବା ସହ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ପୁରୁଷ ପ୍ରାଧାନ୍ୟ କାମ ଅଟୋ ଚଲାଇ ମହିଳାମାନେ ନିଜେ ସ୍ବାବଲମ୍ବୀ ହେବା ସହିତ ପରିବାରର ଆର୍ଥିକ ବୋଝକୁ ଦୁର କରି ଜିଲ୍ଲାରେ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସାଜି ପାରିଛନ୍ତି।

Leave A Reply

Your email address will not be published.