ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାଦନ ଶ୍ରମିକ ସମସ୍ୟା

୨୦୧୧ ମସିହାର ଜନଗଣନା ଅନୁସାରେ ଆମ ଦେଶରେ ୪୧, ୪, ୨, ୯୧୭ ପ୍ରବାସୀ ଶ୍ରମିକ ଥିଲା ବେଳେ ଆମ ରାଜ୍ୟର ସଂଖ୍ୟା ୧୪ତମ ସ୍ଥାନରେ ଥିଲା। ସେହିପରି ୨୦୨୧ ପ୍ରକାଶିତ ଆନ୍ତର୍ଜାତୀୟ ଶ୍ରମ ସଂଗଠନର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ୧୬୯ ନିୟୁତ ପ୍ରବାସୀ ଶ୍ରମିକ ଅଛନ୍ତି, ଯାହାକି ବିଶ୍ୱ ଶ୍ରମ ଶକ୍ତିର ୪.୯ ଶତକଡ଼ା ଅଟେ। ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ କିଛି ଲୋକ ଅଳ୍ପ ସମୟ ପାଇଁ ତ କିଛିଲୋକ ବର୍ଷାଧିକ କାଳ ପାଇଁ ବାହାରକୁ ଯାଉଛନ୍ତି।

ସାଧାରଣତଃ, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ସବୁପ୍ରକାର ଶ୍ରମିକ, ଦାଦନ ଶ୍ରମିକ ବୋଲି ସାଧାରଣ ଲୋକଙ୍କ ଧାରଣା। କିନ୍ତୁ କିଛି ଅଗ୍ରୀମ ଟଙ୍କା ନେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ଶ୍ରମିକମାନଙ୍କୁ ଦାଦନ ଶ୍ରମିକ କୁହାଯାଏ। କାରଣ ‘ଦାଦନ’ ଶବ୍ଦର ଅର୍ଥ ହିଁ ଅଗ୍ରୀମ। ଠିକାଦାରମାନେ ଏହି ଅଗ୍ରୀମ ଅର୍ଥ ଶ୍ରମିକମାନଙ୍କୁ ଦିଅନ୍ତି। ସେମାନେ ସେଥିପାଇଁ ବାହାର ରାଜ୍ୟର ବଡ଼ ଠିକାଦାର କିମ୍ୱା ନିଯୋକ୍ତାଙ୍କ ପାଖରୁ ଆଗୁଆ ଟଙ୍କା ଆଣି ଥାଆନ୍ତି। କେବଳ ଅଗ୍ରୀମ ନୁହେଁ, ଏହିଭଳି ସଂଗୃହୀତ ଶ୍ରମିକମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଗାଡ଼ିଭଡ଼ା ଏବଂ ଖାଇବା ପିଇବା ଖର୍ଚ୍ଚ ମଧ୍ୟ ଠିକାଦାରମାନେ ଭରଣା କରନ୍ତି। ଅନ୍ତଃରାଜ୍ୟ ପ୍ରବାସିକ ଶ୍ରମିକ ଆଇନ, ୧୯୭୯ ଅନୁସାରେ ଏହି ସମସ୍ତ ଖର୍ଚ୍ଚ ଠିକାଦାର ନିଜ ହାତରୁ ବହନ କରିବେ ଏବଂ ଏହି ବାବଦରେ ଶ୍ରମିକ ମଜୁରିର କୌଣସି କାଟ ହେବ ନାହିଁ, ବଂର ଶ୍ରମିକମାନେ ଅନ୍ୟ ରାଜ୍ୟରେ କାର୍ଯ୍ୟସ୍ଥଳରେ ପହଞ୍ଚିବା ପରେ ସେହି ରାଜ୍ୟ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରି ଏବଂ ମହଙ୍ଗା ଭତ୍ତା ପାଇବା ପାଇଁ ହକଦାର ଅଟନ୍ତି।

ଅଧିକ ପଢନ୍ତୁ

ପ୍ରଚଳିତ ଆଇନ ବ୍ୟବସ୍ଥା ଅନୁସାରେ କେବଳ ଅଗ୍ରୀମ ନେଇ ଠିକାଦାରଙ୍କ ଜରିଆରେ ୫ କିମ୍ୱା ତା’ଠାରୁ ଅଧିକ ଶ୍ରମିକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲାଣ ହେବା ବ୍ୟବସ୍ଥାକୁ ଦାଦନ ଶ୍ରମିକ ବା ପ୍ରବାସିକ ଶ୍ରମିକ ଆଇନର ପରିସରଭୁକ୍ତ। ଏହି ଆଇନଗତ ବ୍ୟବସ୍ଥା ଅନୁସାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ୱଇଚ୍ଛାରେ ଯାଉଥିବା ଶ୍ରମିକ, ଦାଦନ ଶ୍ରମିକ ସମ୍ପର୍କିତ ଆଇନର ପରିସରଭୁକ୍ତ ନୁହନ୍ତି। ଶ୍ରମିକ ମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାର ଦୁଇଟି କାରଣ ହେଲା – ଅନ୍ୟ ରାଜ୍ୟରେ ନିୟମିତ କାର୍ଯ୍ୟ ଓ ଅଧିକ ମଜୁରି ପାଇବାର ଆଶା ଏବଂ ଶ୍ରମିକମାନେ ନିଜ ରାଜ୍ୟରେ ଥିବା କଳ କାରଖାନା, ଶିକ୍ଷାନୁଷ୍ଠାନ କିମ୍ୱା ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରୁ ନାହାନ୍ତି।

ଅନ୍ୟ ରାଜ୍ୟରେ ଶ୍ରମିକମାନେ ନିର୍ଯାତିତ ହେଲେ ସେଠାକାର ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତଦାରଖ କରିବା କଥା ଏବଂ ଏହି ନିର୍ଯାତନା ଅପରାଧମୂଳକ ହୋଇଥିଲେ ପୁଲିସ ବା ଆଇନ ଶୃଙ୍ଖଳା ବିଭାଗର ଦାୟିତ୍ୱ ଅଟେ। ଏପରିକି ଅନ୍ୟ ରାଜ୍ୟରେ ଶ୍ରମିକମାନଙ୍କ ରହିବା ସ୍ଥାନରେ ପାନୀୟ ଜଳ, ଚିକିତ୍ସା, ଶିକ୍ଷା ତଥା ଆନୁଷଙ୍ଗିକ ନାଗରିକ ସୁବିଧା ସେହି ରାଜ୍ୟର ସମ୍ପୃକ୍ତ ବିଭାଗ କରିବା କଥା। କେବଳ ବିନା ଲାଇସେନ୍ସରେ ଠିକାଦାରଙ୍କ ଦ୍ୱାରା ଶ୍ରମିକ ଚାଲାଣ, ଶ୍ରମିକମାନଙ୍କର ଆଇନଗତ ପ୍ରାପ୍ୟ ନ ମିଳିବା ଓ ଶ୍ରମିକମାନଙ୍କ ଦୁର୍ଘଟଣାଜନିତ କ୍ଷତିପୂରଣ ବାବଦରେ ଶ୍ରମ ବିଭାଗର ଭୂମିକା ରହିଛି।

ଆମେ ସର୍ବଦା ଓଡ଼ିଆ ଦାଦନ ଶ୍ରମିକମାନଙ୍କ କଥା ଆଲୋଚନା କରୁଛେ। ଅଥଚ ଆମ ରାଜ୍ୟରେ ଅନ୍ୟ ରାଜ୍ୟମାନଙ୍କର କେତେ ଦାଦନ ଶ୍ରମିକ ରହିଛନ୍ତି ସେ ବିଷୟରେ ଚିନ୍ତା କରୁନାହୁଁ। ଅନ୍ୟ ରାଜ୍ୟକୁ ଯାଇ କାମ କରିବା ଫଳରେ ଆମ ରାଜ୍ୟର ଶ୍ରମିକମାନେ ତିରୋଟ ସମୟରେ ଯେଉଁ ଫାଇଦା ପାଉଛନ୍ତି ସେକଥା ବିଚାର କରାଯାଉ ନାହିଁ। ପଶ୍ଚିମବଙ୍ଗ ଓ ବିହାର ଆଦି ରାଜ୍ୟରୁ ଲକ୍ଷ ଲକ୍ଷ ଶ୍ରମିକ ଆସି ଓଡ଼ିଶାର ପ୍ରତ୍ୟେକ ସହର, ଗାଁଗଣ୍ଡା, ଗଳିକନ୍ଦିରେ କୋଠାବାଡ଼ି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ସୁରଟ ସହରରେ କାମ କରୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ ଆମ ରାଜ୍ୟର ସମୃଦ୍ଧି ବଢ଼଼ାଉଛନ୍ତି। ଆନ୍ଧ୍ର ପ୍ରଦେଶରେ ଓଡ଼ିଆ କୁଶଳୀ ଇଟା ତିଆରି କରିବା ମିସ୍ତ୍ରୀ ଅଧିକ ସମ୍ମାନ ଓ ମଜୁରି ପାଇଥାଆନ୍ତି। କେବଳ ସେତିକି ନୁହେଁ, ଦେଶର ବିଭିନ୍ନ ତୀର୍ଥ ସ୍ଥାନଗୁଡ଼ିକରେ ଓଡ଼ିଆ ଶ୍ରମିକମାନେ ନିଜର କାରୁକାର୍ଯ୍ୟର ଛାପ ଛାଡ଼ି ଦେଇଯାଇଛନ୍ତି।

ଭାରତର ସାମ୍ୱିଧାନିକ ବ୍ୟବସ୍ଥା ଅନୁସାରେ ଭାରତୀୟ ନାଗରିକଙ୍କୁ ସାରା ଦେଶରେ ମୁକ୍ତ ଭ୍ରମଣ ଅର୍ଥାତ୍‌‌ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ, ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯିବା ଆସିବା ନିମନ୍ତେ ଅଧିକାର ରହିଛି। ଗୋଟିଏ ରାଜ୍ୟର ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇ ବିଭିନ୍ନ ଶିଳ୍ପ କିମ୍ୱା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାରେ କିଛି ଆଇନଗତ ବାରଣ ନାହିଁ। ଶ୍ରମିକଟିଏ ସ୍ୱଇଚ୍ଛାରେ ଅନ୍ୟ ରାଜ୍ୟକୁ ଯାଇ କେଉଁଠି କାର୍ଯ୍ୟରେ ନିଯୁକ୍ତି ପାଇଲେ କୌଣସି ଆଇନଗତ ବ୍ୟବସ୍ଥା ପାଳନ କରିବାକୁ ପଡୁନାହିଁ। ମାତ୍ର, ଅନ୍ତଃରାଜ୍ୟ ପ୍ରବାସିକ ଶ୍ରମିକ (ସେବା ସର୍ତ୍ତ ଏବଂ ନିଯୁକ୍ତି ନିୟନ୍ତ୍ରଣ) ଆଇନ, ୧୯୭୯ ବ୍ୟବସ୍ଥା ଅନୁସାରେ ଠିକାଦାରମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଶ୍ରମିକ ଚାଲାଣ କରିବାକୁ ହେଲେ କେତେଗୁଡ଼ିଏ ନିୟମ ଓ ସର୍ତ୍ତ ପାଳନ କରିବାକୁ ହେବ। ପ୍ରଥମେ ସମ୍ପୃକ୍ତ ଠିକାଦାର ଅନ୍ୟ ରାଜ୍ୟକୁ ଯାଇ ସେଠାକାର ମୁଖ୍ୟ ନିଯୁକ୍ତିଦାତାଙ୍କଠାରୁ ତାଙ୍କ ସଂସ୍ଥାରେ ଶ୍ରମିକ ଯୋଗାଣ ନିମନ୍ତେ ଅନୁମତିପତ୍ର ପ୍ରାପ୍ତ କରିବା, ଠିକାଦାର ନିଜ ରାଜ୍ୟକୁ ଆସି ଆବଶ୍ୟକ ଶ୍ରମିକମାନଙ୍କୁ ଚିହ୍ନଟ କରି ଫଟୋଗ୍ରାଫ, କାର୍ଯ୍ୟସ୍ଥଳୀର ବିବରଣୀ ସହିତ ପାସବୁକ ପ୍ରଦାନ କରିବା, ଆବଶ୍ୟକ ସଂଖ୍ୟକ ଦାଦନ ଶ୍ରମିକ ଚାଲାଣ ନିମନ୍ତେ ନିର୍ଦ୍ଧାରିତ ଫର୍ମରେ ଅବଶ୍ୟକୀୟ ଫିସ ଜମା କରି ସ୍ଥାନୀୟ ଜିଲ୍ଲା ଶ୍ରମ ଅଧିକାରୀଙ୍କଠାରୁ ଲାଇସେନ୍ସ ବା ଅନୁମତି ପ୍ରାପ୍ତ କରିବା ଆଦି ପରେ ଯାଇ ଠିକାଦାରଙ୍କ ଶ୍ରମିକ ଚାଲାଣ ବୈଧ ହୋଇ ପାରିବ। ଏ ସମ୍ପର୍କରେ ସମସ୍ତ ଶ୍ରମିକ ମଧ୍ୟ ଅବଗତ ହେବା ଆବଶ୍ୟକ।

ପ୍ରବାସୀ ଶ୍ରମିକ ଏକ ସମାଜିକ ପ୍ରକ୍ରିୟା ଅଟେ। ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶ ମଧ୍ୟରେ ପ୍ରବାସୀ ଶ୍ରମିକ ହେବା ଏକ ଆନ୍ଦୋଳନରେ ପରିଣତ ହୋଇ ସାରିଛି। ଏହି ଆନ୍ଦୋଳନରେ ପେଟପାଟଣା ଉଦ୍ଦେଶ୍ୟରେ ଏବଂ ନିଜର ଆର୍ଥିକ ଅଭିବୃଦ୍ଧି ଘଟାଇବା ଲାଗି ଶ୍ରମ ଖୋଜୁଥିବା ବ୍ୟକ୍ତିବିଶେଷ ମନ ଭିତରେ ଆଶା ଓ ଉଦ୍ଦୀପନା ରଖି ଝାସ ଦେଇଥା’ନ୍ତି। ଏଥିପାଇଁ ସେମାନେ ଗୋଟିଏ ସ୍ଥାନ ଛାଡ଼ି ଅର୍ଥ ଉପାର୍ଜନ ଉଦ୍ଦେଶ୍ୟରେ ଅନ୍ୟତ୍ର ଗମନ କରିଥାଆନ୍ତି। ଦେଶରେ ଶିଶୁ ଶ୍ରମିକଙ୍କ ଚିହ୍ନଟ ଓ ଥଇଥାନ ନିମନ୍ତେ ଦଶନ୍ଧି ଦଶନ୍ଧି ଚାଲିଆସୁଥିବା ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରେ ୨୦୨୧ ମସିହାଠାରୁ ବନ୍ଦ ହୋଇସାରିଛି ଏବଂ ଆଜି ଶିଶୁଶ୍ରମିକ ପ୍ରଥାର ବିଲୋପନ ପାଇଁ ଦେଶରେ କୌଣସି ବିଭାଗ କାର୍ଯ୍ୟ କରୁନାହିଁ। ଯାହାଫଳରେ ଲକ୍ଷଲକ୍ଷ ନୂତନ ଶିଶୁ ଶ୍ରମିକ ସୃଷ୍ଟି ହେବା ସହିତ ସେମାନଙ୍କ କଲ୍ୟାଣ ପାଇଁ ଦୀର୍ଘ ବର୍ଷ କାର୍ଯ୍ୟକରି ଜୀବନ ଓ ପରିବାରକୁ ଜଳାଞ୍ଜଳି ଦେଇ ବୟସର ଅପରାହ୍ନରେ ଥିବା ଲକ୍ଷଲକ୍ଷ ଶିକ୍ଷିତ କର୍ମଚାରୀ ଆଜି ଦାଦନ ଶ୍ରମିକ ସାଜି ଅନ୍ୟ ରାଜ୍ୟରେ ମଜୁରି ଖଟୁଛନ୍ତି। ତେଣୁ ତୃଣମୂଳ ସ୍ଥରରେ ସରକାର ପଦକ୍ଷେପ ନେବା ସହିତ ନିଜେ ଶ୍ରମିକ ମାନେ ସଚେତନ ହେଲେ ଯାଇ ଏହି ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରିବ।

ଡ. ସମୀର କୁମାର ନନ୍ଦ
ଦେବଗଡ଼, ମୋ: ୯୪୩୭୨୧୮୯୧୭

Leave A Reply

Your email address will not be published.