ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪ ଫୁଟ୍‍ ଉଚ୍ଚକୁ ଉଠିଲା କଟକ ଫ୍ରେଣ୍ଡସ କଲୋନୀରେ ଥିବା ୫୦ ବର୍ଷର ସର୍ପେଶ୍ବର ମନ୍ଦିର

କଟକ: ମନ୍ଦିର ଲିପ୍ଟିଂ କରାଯିବା ଘଟଣା ରାଜ୍ୟ ବାହାରେ ଯଦିଓ ଦେଖିବାକୁ ମିଳିଥିଲା, କଟକ ସହରରେ ଏହି କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇଛି। ଫ୍ରେଣ୍ଡ୍‍ସ କଲୋନୀସ୍ଥିତ ଦୀର୍ଘ ୫୦ ବର୍ଷର ପୁରାତନ ମନ୍ଦିରକୁ ଆଧୁନିକ ଜ୍ଞାନ କୌଶଳରେ ୪ ଫୁଟ୍‍ ଉଚ୍ଚତାକୁ ଉଠାଯାଇଛି। ଯଦିଓ ଏଭଳି ଲିପ୍ଟିଂ କରାଯିବାରେ ଅନେକ ବିପଦ ରହିଥିଲା, ତାହାକୁ ସୁରୁଖୁରୁରେ ସମ୍ପନ୍ନ କରିଛି ହରିୟାଣାର ହାଉସ୍‍ ଲିପ୍ଟିଂ ସଂସ୍ଥା। ତେବେ ଏହି ସମ୍ପୂର୍ଣ୍ଣ ଲିପ୍ଟିଂ ଓ ନବୀକରଣ କାର୍ଯ୍ୟ ଶେଷ ହେବାକୁ ଦେଢ଼ ମାସ ସମୟ ଲାଗିବ। ଗତ ନଭେମ୍ବର ୨୨ରେ ଲିପ୍ଟିଂ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଶନିବାର ମନ୍ଦିର ଏବଂ ମୁଖଶାଳାକୁ ୪ ଫୁଟ୍‍ ଉଚ୍ଚକୁ ନିଆଯାଇଛି। ୭୦ରୁ ଅଧିକ ଲୁହା ଜଗ୍‍ ବ୍ୟବହାର କରାଯାଇ ମନ୍ଦିରକୁ ଟେକା ଯାଇଥିଲା। ଲିପ୍ଟିଂ ସଂସ୍ଥାର ମୁଖ୍ୟ କୁନ୍ଦନ୍‍ କୁମାରଙ୍କ କହିବା ଅନୁସାରେ, ଓଡ଼ିଶାରେ ସେ ପ୍ରଥମ ଥର ପାଇଁ ମନ୍ଦିରକୁ ଭୂମିପୃଷ୍ଠରୁ ୪ ଫୁଟ୍‍ ଉଚ୍ଚତାକୁ ଉଠାଇଛନ୍ତି। ଏହି କାର୍ଯ୍ୟ କଲାବେଳେ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଯେହେତୁ ଏଠାକାର ମାଟି ଏତେ ଚିକିଟା ନୁହେଁ, ତେଣୁ ଧସିହେବାର ସମ୍ଭାବନା ରହିଥିଲା। ସତର୍କତାର ସହିତ କାର୍ଯ୍ୟ କରିବାକୁ ପଡ଼ିଲା। ପ୍ରଥମେ ମନ୍ଦିରର ନିଅଁକୁ ଖୋଳାଯାଇ ମାଟି କଢ଼ାଯାଇଥିଲା। ତା’ପରେ ଜଗ୍‍ ସାହାଯ୍ୟରେ ଉପରକୁ ଟେକା ଯାଇଥିଲା। ସାଧାରଣ ଭାବେ ଗୋଟିଏ ମଧ୍ୟମଧରଣର ଘରକୁ ଉପରକୁ ଟେକିବା ନିମନ୍ତେ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ମନ୍ଦିର ଲିପ୍ଟିଂ ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ତେବେ ବକ୍ସିବଜାର ଊର୍ଦ୍ଦୁ ଲାଇବ୍ରେରୀ ପାଖରୁ ମାତୃଭବନକୁ ଆସିଥିବା ମେନ୍‍ ଡ୍ରେନ୍‍-୧ର ମଧ୍ୟଭାଗରେ ଫ୍ରେଣ୍ଡ୍‍ସ କଲୋନୀର ଅବସ୍ଥିତି। ଏବେ ଜାଇକା କାର୍ଯ୍ୟ ଚାଲୁଥିବାବେଳେ ସମ୍ପୂର୍ଣ୍ଣ ଭାବେ ଡ୍ରେନ୍‍ କାମ ଶେଷ ହୋଇନାହିଁ। ଏହି ମେନ୍‍ ଡ୍ରେନ୍‍-୧ରେ ବର୍ଷା ଦିନେ ପାଣି ଆସିଲେ, ତାହା କଲୋନୀ ଭିତରକୁ ପ୍ରବେଶ କରେ। ଯେହେତୁ ମନ୍ଦିରଟି ଡ୍ରେନ୍‍ କୂଳରେ ରହିଛି, ଏଣୁ ସହଜରେ ବର୍ଷାଜଳ ଓ ଡ୍ରେନ୍‍ର ଅପରିଷ୍କାର ଜଳ ମନ୍ଦିର ବେଢ଼଼ା ଓ ମନ୍ଦିର ଭିତରକୁ ପ୍ରବେଶ କରିଥାଏ। ଦୀର୍ଘବର୍ଷ ହେବ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଲଗାଣ ବର୍ଷାରେ ମନ୍ଦିରର ପୂଜାର୍ଚ୍ଚନା ବନ୍ଦ କରାଯାଏ। ପରିଚାଳନା କମିଟି ଏହି ଲିପ୍ଟିଂ କାର୍ଯ୍ୟ ଗତବର୍ଷରୁ ଯୋଜନା କରିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଶନିବାର ଏହି ଲିପ୍ଟିଂ କାର୍ଯ୍ୟ ସୂଚାରୁ ଭାବେ ଶେଷ ହୋଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ପୂଜା କମିଟି ସମ୍ପାଦକ ତଥା ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଚନ୍ଦନ କୁମାର ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି ଥୋରିଆସାହି, ମେରିଆବଜାର, ମଙ୍ଗଳାବାଗ, ପ୍ରଫେସରପଡ଼ା, ରାଣୀହାଟ ଅଞ୍ଚଳରୁ ଶହ ଶହ ଭକ୍ତ ଏହି ସର୍ପେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି। ବର୍ଷା ଓ ଡ୍ରେନ୍‍ ଜଳ ମନ୍ଦିରରେ ପ୍ରବେଶ କରୁଥିବା ହେତୁ ପ୍ରାୟ ୪ ମାସ ଧରି ପୂଜାକାର୍ଯ୍ୟରେ ବାଧା ସୃଷ୍ଟି ହୁଏ। ଏହି ଲିପ୍ଟିଂ କାର୍ଯ୍ୟରେ ମନ୍ଦିରକୁ ୪ ଫୁଟ୍‍ ଉଚ୍ଚତାକୁ ଉଠାଯାଇଥିବାବେଳେ ଆଉ ବର୍ଷା କିମ୍ବା ଡ୍ରେନ୍‍ ଜଳ ମନ୍ଦିର ଭିତରକୁ ପ୍ରବେଶ କରିବାର ସମ୍ଭାବନା ନାହିଁ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଏହି ମନ୍ଦିର ଲିପ୍ଟିଂ ସଂସ୍ଥା ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟ ଭଳି ରାଜ୍ୟରେ ବହୁ ପୁରାତନ ମନ୍ଦିର ଲିପ୍ଟିଂ ବ୍ୟବସ୍ଥା ସଫଳତାର ସହ କରିଛନ୍ତି। ପୁରାତନ ମନ୍ଦିରକୁ ଲିପ୍ଟିଂ କରୁଥିବା ହେତୁ ସର୍ପେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା। ୧୯୭୩ ମସିହାରୁ ଦେଶରେ ପୁରାତନ ମନ୍ଦିର ଲିପ୍ଟିଂ ବ୍ୟବସ୍ଥା ହେଉଥିବାବେଳେ କଟକରେ ଏହା ପ୍ରଥମ ଥର କରାଯାଇଛି।

Leave A Reply

Your email address will not be published.