ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜନେତାଙ୍କ ମଧ୍ୟରେ ଗୌତମବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗର ଏକ ମାତ୍ର ପଥିକ ନବୀନ ପଟ୍ଟନାୟକ

ସାଧନା ଓ ସିଦ୍ଧି ଦୁଇଟି ଭିନ୍ନଭିନ୍ନ ଶବ୍ଦ । ସାଧନା ଏକ ପ୍ରକ୍ରିୟା ଓ ଏହାର ସକାରାତ୍ମକ ପରିଣାମ ହେଉଛି ସିଦ୍ଧି । ମାତ୍ର ନିଷ୍କାମ ସାଧନା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଭାରତୀୟ ପରମ୍ପରାର ଆଦି କାଳରେ ସିଦ୍ଧିଲାଭ କରିଥିବା ନିଷ୍କାମ ସାଧକଙ୍କ ସୂଚୀ ଢ଼େର ଦୀର୍ଘ; ମାତ୍ର ସ୍ୱାଧୀନୋତ୍ତର ଭାରତରେ ସେବାକୁ ସାଧନା କରିଥିବା ନିରୁତା ରାଜନେତାଙ୍କ ନାମ ଖୋଜିବାକୁ ହେଲେ ଗଳଦ୍ଘର୍ମ ହେବାକୁ ପଡ଼େ । ସତ୍ୟ-ଅସତ୍ୟ, ପାପ-ପୂଣ୍ୟ ମଧ୍ୟରେ ପାର୍ଥକ୍ୟକୁ ବୁଝି ବ୍ୟକ୍ତିଗତ ଇଚ୍ଛା ଓ ହିଂସାତ୍ମକ ବିଚାରକୁ ତ୍ୟାଗ କରି ବିନୟୀ ହେବା, ସତ୍ୟକୁ ଜୀବନର ଧର୍ମ ଭାବରେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ । ନକରାତ୍ମକ ଭାବନାରୁ ଦୂରରେ ରହି ଅନ୍ୟମାନଙ୍କ ସହ ନମ୍ର ଆଚରଣ ପ୍ରଦର୍ଶନ, କୌଣସି ପ୍ରସଙ୍ଗରେ ଏକାଗ୍ରଚିତ୍ତରେ ବିଚାର କରି ନିଷ୍ପତ୍ତି ନେବା ସହ ସତ୍ୟ-ଅହିଂସାକୁ ଜୀବନଧର୍ମ ଭାବରେ ଗ୍ରହଣ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଏକ ବିରଳ ଉଦାହରଣ। ଜୀବନର ୭୬ତମ ଶରତ ଅତିକ୍ରମ କରି ନବୀନ ୭୭ତମ ହେମନ୍ତରେ ପ୍ରବେଶ କରିଛନ୍ତି ।

Naveen Patnaik

ଗୌତମବୁଦ୍ଧ ସର୍ବଦା ତାଙ୍କ ଉପଦେଶରେ ସଫଳ ଜୀବନ ନିମନ୍ତେ ୮ଟି ମାର୍ଗ ସମ୍ୟକ୍ ଦୃଷ୍ଟି, ସମ୍ୟକ ସଙ୍କଳ୍ପ, ସମ୍ୟକ ବାଣୀ, ସମ୍ୟକ୍ କର୍ମ, ସମ୍ୟକ ଆଜୀବ, ସମ୍ୟକ ବ୍ୟାୟାମ, ସମ୍ୟକ ସ୍ମୃତି ଓ ସମ୍ୟକ ସମାଧି ଉପରେ ଗୁରୁତ୍ୱାରୋପ କରୁଥିଲେ। ବୌଦ୍ଧ ଶାସ୍ତ୍ରରେ ଏହାକୁ ଅଷ୍ଟାଙ୍ଗ ମାର୍ଗ ଭାବରେ ଅଭିହିତ କରାଯାଇଛି। ପାପ-ପୂ୍ଣ୍ୟ ଓ ସତ୍ୟ-ଅସତ୍ୟ ମଧ୍ୟରେ ପାର୍ଥକ୍ୟ ବାଛିବାର ସାମର୍ଥ୍ୟ ରଖିବାକୁ ସମ୍ୟକ ଦୃଷ୍ଟି କୁହାଯାଉଥିବାବେଳେ ହିଂସାତ୍ମକ ବିଚାର ଓ ଇଚ୍ଛାରୁ ନିଜକୁ ଦୂରରେ ରଖିବା ସମ୍ୟକ ସଙ୍କଳ୍ପ, ସତ୍ୟ ଓ ବିନମ୍ର ବାଣୀ କହିବାକୁ ସମ୍ୟକ ବାଣୀ, ସତ୍କର୍ମକୁ ସମ୍ୟକ କର୍ମ, ସତ୍ ଉପାର୍ଜନକୁ ସମ୍ୟକ ଆଜୀବ, ମନ୍ଦ ଚିନ୍ତାରୁ ନିଜକୁ ଦୂର ରଖିବାକୁ ସମ୍ୟକ ବ୍ୟାୟାମ, ଉତ୍ତମ ଆଚରଣ ପ୍ରଦର୍ଶନକୁ ସମ୍ୟକ ସ୍ମୃତି ଓ ଏକଚିତ୍ତ ଭାବରେ କୌଣସି ପ୍ରସଙ୍ଗରେ ବିଚାରକୁ ସମ୍ୟକ ସମାଧି ବୋଲି କୁହାଯାଇଛି ।

ବାସ୍ତବିକତା ଦେଖିଲେ ସାରା ଦେଶରେ ଆଜିର ରାଜନେତାଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ହେଉଛନ୍ତି ସମ୍ଭବତଃ ଏହି ମାର୍ଗର ଏକମାତ୍ର ପଥିକ। ବ୍ୟକ୍ତିଗତ ଓ ରାଜନୈତିକ ଜୀବନ ମଧ୍ୟରେ ସନ୍ତୁଳନ ନବୀନଙ୍କ ବ୍ୟକ୍ତିତ୍ୱର ଅନ୍ୟଏକ ଦିଗ ଏବଂ ଅଷ୍ଟାଙ୍ଗ ମାର୍ଗର ପ୍ରତ୍ୟେକ ଶବ୍ଦ ଓ ଉପଦେଶ ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଛି । କେହିକେହି ଏହା ତାଙ୍କର ଜନ୍ମକୁଣ୍ଡଳୀଗତ ପ୍ରବୃତ୍ତି ବୋଲି ମତ ଦେଇଥାଆନ୍ତି; ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ରାଜନୀତି ଚଉହଦୀର ଅପରାଜେୟ ରାଜନେତା ହେବା ସତ୍ତେ୍ୱ କ୍ଷମତା ଅଳିନ୍ଦରେ ତାଙ୍କର ନିର୍ବିକାର ଭାବ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ । କ୍ଷମତାର ‘ଚିତ୍ରଲେଖା’ କିମ୍ବା କ୍ଷମତା ଅଳିନ୍ଦର ‘ଚୌରଙ୍ଘୀ’ ତାଙ୍କୁ ପଥଭ୍ରଷ୍ଟ କରିପାରି ନାହିଁ । ରାଜ୍ୟବାସୀଙ୍କ ସେବା ପାଇଁ ସେ ନିଜକୁ ସମର୍ପଣ କରି ଦେଇଛନ୍ତି । ଜୀବନର ‘ମରୁ ଉଦ୍ୟାନ’କୁ ‘ଦ୍ୱିତୀୟ ସ୍ୱର୍ଗ’ରେ ପରିଣତ କରିବାକୁ ସମର୍ଥ ହୋଇଛନ୍ତି ।

ଅଙ୍କ ବିଶେଷଜ୍ଞ (ନ୍ୟୁମୋରୋଲୋଜିଷ୍ଟ)ଙ୍କ ବ୍ୟାଖ୍ୟାନ ଅନୁସାରେ ୭ ହେଉଛି ଏଞ୍ଜେଲ ନମ୍ବର । ଜୀବନର ବାସ୍ତବତାକୁ ଏହି ଅଙ୍କର ବ୍ୟକ୍ତିବିଶେଷ ବେଶ୍ ଭଲ ଭାବରେ ବୁଝିବାକୁ ସକ୍ଷମ । ୧୯୪୬ ଅକ୍ଟୋବର ୧୬ ତାରିଖ ଆର୍ଦ୍ରା ମିଥୁନ ଲଗ୍ନ ଓ କୃଷ୍ଣପକ୍ଷ ଉତ୍ତର ଷଷ୍ଠୀ (ଷଷ୍ଠୀ ଓ ସପ୍ତମୀର ମଧ୍ୟବର୍ତ୍ତୀ କାଳ)ରେ ଜନ୍ମିତ ନବୀନଙ୍କ ଜନ୍ମସଂଖ୍ୟା ୭। ଜୀବନର ୭୬ତମ ଶରତ ଅତିକ୍ରମ କର ୭୭ତମ ହେମନ୍ତରେ ପାଦ ଦେଇଥିବା ନବୀନ ଇତିମଧ୍ୟରେ ନିଜ ସେବା ଓ ସାଧନା ସମ୍ବଳିତ ରାଜନୈତିକ ଜୀବନର ୨୫ ବର୍ଷ ଅତିକ୍ରମ କରିଛନ୍ତି। ନିରନ୍ତର ଜନସେବା ତାଙ୍କୁ ଜଣେ ସାଧକରେ ପରିଣତ କରିଛି । ତାଙ୍କ ରାଜନୈତିକ ଜୀବନ ଓ ତାଙ୍କର ପ୍ରାକ୍ ରାଜନୈତିକ ଜୀବନ ମଧ୍ୟରେ ଥିବା ଅଦ୍ଭୁତ ସଂଯୋଗ ତାଙ୍କୁ ଜଣେ ଭିନ୍ନ ତଥା ଦୂରଦର୍ଶୀ ରାଜନେତା ଭାବରେ ଗଢ଼ି ତୋଳିଛି । ପିତାଙ୍କ ଦାୟକୁ ନୁହେଁ, ନିଜକୁ ଦାୟିତ୍ୱର ଉତ୍ତରାଧିକାରୀ ଭାବରେ ଗଢ଼ି ତୋଳିଛନ୍ତି । ରାଜନୀତିକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବରେ ଗ୍ରହଣ କରି ସାଧାରଣ ଲୋକଙ୍କ ସେବା, ରାଜ୍ୟବାସୀଙ୍କ କଲ୍ୟାଣ, ରାଜ୍ୟର ବିକାଶ ନିମନ୍ତେ ନିଜକୁ ଉତ୍ସର୍ଗ କରିଛନ୍ତି । ପରିଣତିସ୍ୱରୂପ ମହାବାତ୍ୟା ବିଧ୍ୱସ୍ତ ଓ ଦୁର୍ବଳ ଅର୍ଥନୀତିରେ ଜଡ଼ସଡ଼ ଓଡ଼ିଶା ଏବେ ପାଇଛି ଭିନ୍ନ ପରିଚିତି । ଓଡ଼ିଶାର ନବ ରୂପାନ୍ତରଣ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଲୋକଙ୍କ ପାଇଁ କାମ କରିବା ପାଇଁ ସେ କେବେ କ୍ଲାନ୍ତି ଅନୁଭବ କରିନାହାନ୍ତି । ଜନସେବାର ଆନନ୍ଦର ତୁଳନା ନାହିଁ ବୋଲି ବିଭିନ୍ନ ସମୟରେ କହିଛନ୍ତି ସେ ।

Naveen Patnaik

ରାଜନୀତିରେ ପ୍ରବେଶ ପୂର୍ବରୁ ଯେଉଁ ପାରିପାଶ୍ବିକ ପରିବେଶରେ ନବୀନ ଆତଯାତ ହେଉଥିଲେ ତାହା ଥିଲା ସମ୍ପୂର୍ଣ୍ଣ ଭିନ୍ନ । ସମ୍ଭାନ୍ତ ପରିବେଷ୍ଟନୀ ମଧ୍ୟରେ ନିଜନିଜ କ୍ଷେତ୍ରରେ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ନବୀନଙ୍କ ବନ୍ଧୁମାନେ ଥିଲେ ଅତ୍ୟନ୍ତ ଧନୀ, ଅଭିଜାତ । ସାହିତ୍ୟିକ, ଚିତ୍ରକର, ସାମ୍ବାଦିକ, ରାଜନୀତିଜ୍ଞଙ୍କ ଠାରୁ ଆରମ୍ଭ କରି ବନ୍ଧୁମାନଙ୍କର ଏହି ସୂଚୀ ଥିଲା ବେଶ୍ ଦୀର୍ଘ। ଜାକି ଓନାସିସ୍ ନବୀନଙ୍କ ଲିଖିତ ପୁସ୍ତକଗୁଡ଼ିକୁ ନ୍ୟୁୟର୍କରେ ପ୍ରକାଶ କରିଥିଲେ। ମାଇକ୍ ଜାଗର ଓ ଜେରି ହଲ ପରି ବନ୍ଧୁମାନେ ନବୀନଙ୍କୁ ଫ୍ରାନ୍ସରେ ଜୀବନ ବିତାଇବାକୁ ଅନୁରୋଧ କରିଥିଲେ । ମାତ୍ର ପ୍ରାଚୁର୍ଯ୍ୟମୟ ଜୀବନ ଓ ଧନୀ ବନ୍ଧୁମାନଙ୍କ ପ୍ରଲୋଭନ ନବୀନଙ୍କୁ ବଶୀଭୂତ କରିପାରି ନ ଥିଲା। ପିତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ୧୯୯୮ ମସିହାରେ ବନ୍ଧୁ ଜେରି ହଲ୍ଙ୍କ ପ୍ୟାରିସ ପ୍ରବାସ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ ନବୀନ । କହିଥିଲେ- ‘ଦୀର୍ଘକାଳ ମୁଁ ଧନୀ ଭାରତୀୟମାନଙ୍କୁ ଦେଖିଆସିଛି, ଏବେ ଗରିବ ଦେଶବାସୀଙ୍କ ପାଇଁ କିଛି କରିବା ପାଇଁ ଚେଷ୍ଟା କରିବି ।’ ସେ ଦିନ ନବୀନଙ୍କ ସେହି ପ୍ରତିବଦ୍ଧ ନିଷ୍ପତ୍ତି ଆଜି ଓଡ଼ିଶାବାସୀଙ୍କ ପାଇଁ ଆଶୀର୍ବାଦ ହୋଇଛି । ଯାତ୍ରାପଥ କଣ୍ଟକିତ ଥିବା ସତ୍ତେ୍ୱ ଦାୟ-ଦାୟିତ୍ୱ, କ୍ଷମତା-ସେବା ମଧ୍ୟରେ ଥିବା ବ୍ୟବଧାନର ସୂକ୍ଷ୍ମ ଅନୁଶୀଳନ ତାଙ୍କୁ ଓଡ଼ିଶାବାସୀଙ୍କ ପ୍ରିୟ ମଣିଷରେ ପରିଣତ କରିଛି ।

ଫରଫର ଧଳା ପତଲୁନ୍‌‌-କମିଜ୍‌‌ ଓ କାନପୁରୀ ସ୍ୟାଣ୍ଡାଲ ବା ସାଧାରଣ ଚଟିରେ ଆତଯାତ କରୁଥିବା ନବୀନଙ୍କ ନିରାଡ଼ମ୍ବର ଜୀବନ ଶୈଳୀ ଅନେକଙ୍କ ପାଇଁ ଏକ ଇର୍ଷଣୀୟ ବିସ୍ମୟ। ପାଞ୍ଚଫୁଟ ୧୦ ଇଞ୍ଚର ଲମ୍ବା ଚେହେରା, ୭୮ କିଲୋ ଓଜନର ସ୍ୱାଭାବିକ ଶରୀର ଆଉ ଶିଶୁସୁଲଭ ହସ ରାଜ୍ୟର ପ୍ରତ୍ୟେକ ପରିବାରରେ ତାଙ୍କୁ କରିଛି ଆପଣାର। ବିଭିନ୍ନ ଜାତୀୟ ପତ୍ରିକାର ଆକଳନ ଅନୁସାରେ ୭୦%ରୁ ଊଦ୍ଧ୍ୱର୍ ଓଡ଼ିଆ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି। ଭୋଟବାକ୍ସର ଶେଷତମ ପରିସଂଖ୍ୟାନ ଅନୁସାରେ ରାଜ୍ୟର ଅର୍ଦ୍ଧାଧିକ ଅର୍ଥାତ୍ ୧.୨ କୋଟି ଭୋଟର ତାଙ୍କ ଦଳକୁ ସମର୍ଥନ କରୁଛନ୍ତି । ୭୦%ରୁ ଊଦ୍ଧ୍ୱର୍ ଓଡ଼ିଆଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ । ରାଜନୀତିରେ ପ୍ରବେଶର ରଜତ ଜୟନ୍ତୀ ଇତିମଧ୍ୟରେ ପୂରଣ କରିଥିବା ନବୀନଙ୍କ ପ୍ରତିଷ୍ଠା ଓ ପ୍ରଭା ଜାତୀୟ ରାଜନୀତିରେ ସ୍ୱୀକୃତ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ପତ୍ରିକା ତାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଭାବରେ ସ୍ୱୀକୃତି ଦେଇଛନ୍ତି। ରାଜନୀତି ସତରଞ୍ଜର ‘ଗ୍ରାଣ୍ଡମାଷ୍ଟର’ ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଶାସନିକ ସଂସ୍କାର ଜାତୀୟସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି, ଏପରିକି ଫାଇଲିନ, ତିତ୍‌ଲି, ହୁଦହୁଦ୍, ଅମ୍ପନ, ୟସ ପରି ପ୍ରଳୟଙ୍କରୀ ବାତ୍ୟା ପରିଚାଳନା ପାଇଁ ମିଳିତ ଜାତିସଂଘ ତାଙ୍କୁ ସମ୍ମାନିତ କରିଛି। ଖାଦ୍ୟ ନିରାପତ୍ତା ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ତାଙ୍କୁ ଦେଇଛି ସମ୍ମାନ, ଅଢ଼େଇ ଦଶନ୍ଧିର ସମର୍ପିତ ସେବା ନିମନ୍ତେ ତାଙ୍କୁ ମିଳିଛି ଜୀବନବ୍ୟାପୀ ସାଧନା ସମ୍ମାନ ।

ତୃଣମୂଳସ୍ତରରେ ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କର ଜୀବନଧାରଣରେ ଉନ୍ନତି ଆଣିବାକୁ ନିଆଯାଇଥିବା ପଦକ୍ଷେପ ସାଙ୍ଗକୁ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ସୁଯୋଗ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ନବୀନ । ତାଙ୍କର ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଚାଷର ଉନ୍ନତି ଘଟିଛି, ଚାଷୀଙ୍କ ଆୟ ଦ୍ୱିଗୁଣ କରିଛି; ଧାନ ଉତ୍ପାଦନରେ ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ରାଜ୍ୟରେ ପରିଣତ ହୋଇଛି। ‘ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ଏହାଦ୍ୱାରା ସାଧାରଣ ସେବାକୁ ଲୋକଙ୍କ ନିକଟତର କରାଯାଇପାରିଛି। ପ୍ରଶାସନରେ ସ୍ୱଚ୍ଛତା ଆସିଛି, କଠୋର ହୋଇଛି ଦୁର୍ନୀତି ବିରୋଧୀ ଆଭିମୁଖ୍ୟ । ୧୭୦ରୁ ଊଦ୍ଧ୍ୱର୍ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିପ୍ଲବ ସୃଷ୍ଟି ହୋଇଛି ।

Naveen Odisha

ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ବ୍ୟୟ ମାସିକ ୧୦୦ କୋଟି ଅତିକ୍ରମ କରିଛି । ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କ ପାଇଁ ବିଛା ଯାଇଛି ଲାଲ ଗାଲିଚା । ରାଜ୍ୟରେ ଆରମ୍ଭ ହୋଇଛି ନବ ରୂପାନ୍ତରଣ ପର୍ବ । ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିର ଭିତ୍ତିଭୂମି ବିକାଶ କରାଯାଇଛି । ‘ମୋ ସ୍କୁଲ’ ଢ଼ାଞ୍ଚାକୁ ଦେଶ ଗ୍ରହଣ କରିଛି। ନିଯୁକ୍ତି ସୁଯୋଗ ସୃଷ୍ଟିରେ ‘ନବୀନ’ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ଢ଼େର ଆଗରେ । ପରିଣତିସ୍ୱରୂପ ଦେଶ ଓ ଅନ୍ୟ ଅଗ୍ରଣୀ ରାଜ୍ୟଠାରୁ ଓଡ଼ିଶାର ବେକାରୀ ହାର ଢ଼େର କମ୍ ରହିଛି । ଲୋକକଲ୍ୟାଣ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବାରେ ନବୀନଙ୍କ ପଦକ୍ଷେପ ଓଡ଼ିଶାକୁ ଦେଇଛି ଭିନ୍ନ ପରିଚୟ । ବିପର୍ଯ୍ୟୟ ପରିଚାଳନାରେ ନବୀନ ହୋଇଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ ଓ ଉଦାହରଣୀୟ। ମହାମାରୀର ଉପଯୁକ୍ତ ପରିଚାଳନାରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । କ୍ରୀଡ଼ାର ପରିଚାଳନା ଓ କ୍ରୀଡ଼ା ବିକାଶରେ ନବୀନଙ୍କ ଉଦ୍ୟମ ଓ ଅବଦାନ ଦେଶକୁ ଦେଇଛି ଅଲିମ୍ପିକ୍ସ ମଡ଼େଲ । ଧନୀ ଓ ଅଭିଜାତ ଭାରତୀୟଙ୍କ ପରିବେଷ୍ଟନୀରେ ଏକଦା ଆତଜାତ ନବୀନ ଏବେ ଗରିବଙ୍କ ପାଇଁ କିଛି କରିବା ପାଇଁ ୨୫ ବର୍ଷ ତଳେ ନେଇଥିବା ସଙ୍କଳ୍ପକୁ ନିଜ ସମର୍ପିତ ସେବା ଦ୍ୱାରା ପୂରଣ କରିବାକୁ ଅନେକାଂଶରେ ସମର୍ଥ ହୋଇଛନ୍ତି । ତଥାପି ସେ ଥକି ନାହାନ୍ତି, ଲୋକଙ୍କ ପାଇଁ କାମ କରିବା ବେଳେ କ୍ଲାନ୍ତ ଅନୁଭବ କରିବା ପରିବର୍ତ୍ତେ ଆନନ୍ଦଲାଭ କରିଛନ୍ତି । ସେଇଥି ପାଇଁ ତ ସେ ସେବାର ସାଧକ ।

Leave A Reply

Your email address will not be published.