ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜର ପରିଶ୍ରମ ଓ ସରକାରୀ ପ୍ରୋତ୍ସାହନ ଓମ୍‌‌ସାଇ ଟେରାକୋଟା ଉତ୍ପାଦକ ଗୋଷ୍ଠୀର ମହିଳାମାନଙ୍କୁ ଦେଇଛି ଉଦ୍ୟୋଗୀର ପରିଚୟ

ରେଳବାଇକୁ ଯୋଗାଉଛନ୍ତି ୪ଲକ୍ଷ ଚା’ କପ୍‌‌

ଭୁବନେଶ୍ୱର(ଐଶ୍ୱର୍ଯ୍ୟା ପରିଜା): ଉଦ୍‌‌ଯୋଗ ନ ଥିଲେ କିଛି ସମ୍ଭବ ନୁହେଁ। ନିଜର ପରିଶ୍ରମ ଓ ସରକାରୀ ପ୍ରୋତ୍ସାହନ ପାଇଁ କଟକ ତାଳବସ୍ତା ଡମପଡ଼ାର ଓମ୍‌‌ସାଇ ଟେରାକୋଟା ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଆଜି ଉଦ୍ୟୋଗୀର ପରିଚୟ ଓ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। କୌଳିକ ବୃତ୍ତି ସେମାନଙ୍କୁ ରୋଜଗାରର ରାହା ଦେଇଛି। ମିଶନଶକ୍ତି ସେମାନଙ୍କୁ ସେମାନଙ୍କ ଶକ୍ତି ସମ୍ପର୍କରେ ସଚେତନ କରିବା ସହ ପ୍ରୋତ୍ସାହନ ବି ଦେଇଛି। ଏହି ମହିଳାମାନେ ରାଜ୍ୟର ୫ଟି ଷ୍ଟେସନକୁ ହାତତିଆରି ମାଟି କପ୍‌‌ ଦେଉଛନ୍ତି। ମାଟିକପ୍‌‌ ଉତ୍ପାଦନରୁ ସେମାନଙ୍କ ଅର୍ଥନୀତି ସମୃଦ୍ଧ ହୋଇଛି।

୨୦୧୮ ମସିହାରୁ ମିଶନ୍‌‌ ଶକ୍ତି ମାଧ୍ୟମରେ ମହିଳାମାନେ ଏହି ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ। ଏହି ଗୋଷ୍ଠୀ ଅଧୀନରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି। ଗତ ୨ବର୍ଷ ହେଲା ସେମାନେ ମାଟି କପ୍‌‌ ପ୍ରସ୍ତୁତ କରି ବିଭିନ୍ନ ସରକାରୀ ସଂସ୍ଥାକୁ ଦେବା ସହ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ବର୍ତ୍ତମାନ ସେମାନେ ୫ଟି ଷ୍ଟେସନ୍‌‌କୁ ମାଟିର ଚା’କପ୍‌‌ ଯୋଗାଉଛନ୍ତି। ପୁରୀ, କଟକ, ଖୋର୍ଦ୍ଧାରୋଡ଼୍‌‌- ଜଟଣୀ, ଭୁବନେଶ୍ୱର ଓ ବ୍ରହ୍ମପୁର ଷ୍ଟେସନ୍‌‌ କୁ ମାଟି ଚା’ କପ୍‌‌ ଯୋଗାଉଛନ୍ତି। ଏଥିପାଇଁ ମାସକୁ ହାରାହାରି ୪ଲକ୍ଷ କପ୍‌‌ ଦେଉଛନ୍ତି। କେବଳ ଭୁବନେଶ୍ୱର ଷ୍ଟେସନ୍‌‌ରେ ମାସକୁ ଦେଢ ଲକ୍ଷ ମାଟି କପ୍‌‌ ପ୍ରସ୍ତୁତ କରି ଯୋଗାଉଛନ୍ତି। ବର୍ଷା ଦିନରେ ୩ଲକ୍ଷରୁ ଊର୍ଦ୍ଧ୍ବ କପ୍‌‌ ଯୋଗାଉଛନ୍ତି। ସେମାନଙ୍କୁ ଗୋଟିଏ କପ୍‌‌ ପିଛା ୧ଟଙ୍କା ୬୦ ପଇସା ମିଳୁଛି। ମହିଳାମାନେ ମାସକୁ ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି। ଗୋଟିଏ ଦିନରେ ମା’ମାନେ ୧୫ଶହ କପ୍‌‌ ତିଆରି କରୁଛନ୍ତି।

ଏହା ସହିତ ସ୍ଥାନୀୟ ବଜାରରେ ୬୫ହଜାର ଛୋଟ ମାଟି କପ୍‌‌କୁ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଏଥିପାଇଁ ମହିଳାମାନେ ୮୦ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଲାଭ ମଧ୍ୟ ପାଇପାରୁଛନ୍ତି। ମହିଳାମାନେ ମାସକୁ ରୋଷେଇ ସାମଗ୍ରୀଠାରୁ ଆରମ୍ଭ କରି ପିଲାଙ୍କ ଖେଳଣା ସବୁ ମାଟିରେ ତିଆରି କରୁଥିଲେ। କେବଳ ମେଳା, ମହୋତ୍ସବରେ ମାଟିରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା କରିବା ସହ ପ୍ରଦର୍ଶନୀ କରୁଥିଲେ। ମାତ୍ର ୨ବର୍ଷ ହେବ ସେମାନେ ବିଭିନ୍ନ ରେଲୱେ ଷ୍ଟେସନ୍‌‌କୁ ମାଟି ଚା’କପ୍‌‌ ପ୍ରସ୍ତୁତ କରି ଯୋଗାଉଛନ୍ତି। ମାଟି କପ୍‌‌ ତିଆରି କରିବା ପାଇଁ ଖଦି ଗ୍ରାମୋଦ୍ୟୋଗ ଓ ଓର୍‌‌ମାସ୍‌‌ ପକ୍ଷରୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଓରମାସ୍‌‌ ପକ୍ଷରୁ ସେମାନଙ୍କୁ ମିଳିଥିବା ୫ଲକ୍ଷ ୫୦ହଜାର ଟଙ୍କାର ଅର୍ଥ ସହାୟତାରେ ମେସିନ୍‌‌ କିଣି କପ୍‌‌ ପ୍ରସ୍ତୁତ କରୁଛନ୍ତି। ୯ଟି ମେସିନ୍‌‌ରେ ମାଟି କପ୍‌‌ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ମିଶନ୍‌‌ ଶକ୍ତିରୁ ମା’ମାନେ ୨୫ଲକ୍ଷ ଟଙ୍କାର ଋଣ କରି ଉଦ୍ୟୋଗ ପଥରେ ଆଗେଇଚାଲିଛନ୍ତି। ଏ ସମ୍ପର୍କରେ ଉତ୍ପାଦକ ଗୋଷ୍ଠୀର ସଭାନେତ୍ରୀ ଶକୁନ୍ତଳା ମୁଦୁଲି କୁହନ୍ତି, ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ଆମର କୌଳିକବୃତ୍ତି। ଏହି ଉତ୍ପାଦକ ଗୋଷ୍ଠୀ ଅଧିନରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୪୦ଜଣ ମହିଳା ସଦସ୍ୟା କାମ କରୁଛନ୍ତି। ମହିଳାମାନେ ମାଟିକୁ ଚକଟି ମେସିନ୍‌‌ରେ ଚକ ବୁଲାଇ କପ୍‌‌ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ଘର କାମ କରିବା ସହିତ କପ୍‌‌ ତିଆରି କରୁଛନ୍ତି। ରେଳ ବିଭାଗକୁ କପ୍‌‌ ଯୋଗାଇ ସେମାନେ ମାସକୁ ୮-୯ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଅବସର ସମୟକୁ ଅପଚୟ ନ କରି କିଛି ନୂଆ କରିବାର ଆଶା ଓ ପ୍ରୟାସ ଦେଇଛି ସଫଳତା।

Leave A Reply

Your email address will not be published.