ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷାରେ ଏକ ମହାଦ୍ରୁମ ଭାବରେ ଛିଡା ହୋଇଛି ବୀରସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ

୨୦୩୦ ସୁଦ୍ଧା ଏହାକୁ ଏକ ମଲ୍‌‌ଟି ଡିସିପ୍ଲିନାରୀ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ଭାବେ ବିକଶିତ କରାଯିବ

ସମ୍ବଲପୁର(ଶୁଭମ୍‌, ମାନସ): ଇଞ୍ଜିନିୟରିଂ ଶିକ୍ଷାର ୬୬ ବର୍ଷର ଗୌରବଶାଳୀ ଇତିହାସର ମୂକସାକ୍ଷୀ ହେଉଛି ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ। ସ୍ୱାଧୀନତା ସଂଗ୍ରାମୀ ବୀରସୁରେନ୍ଦ୍ରଙ୍କ ଅମର ଗାଥାକୁ ବହନ କରି ଓଡ଼ିଶା ଆଇନ ୯, ୨୦୦୯ ମସିହାରେ ପ୍ରତିଷ୍ଠା ଲାଭ କରିଛି ଏହି ବିଶ୍ୱବିଦ୍ୟାଳୟ। ଅଣଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ଭାବରେ ଏହା ୧ ଜୁଲାଇ ୨୦୦୯ ମସିହାରୁ କାର୍ଯ୍ୟ କରି ଆସିଛି। ପରବର୍ତ୍ତୀ ସମୟରେ ୟୁଜିସି ଏକ୍ଟ ୨ (ଏଫ୍‌‌) ଓ ୧୨ ( ବି) ରେ ଏହାକୁ ସାମିଲ କରାଯାଇଛି। ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷାରେ ଏକ ମହାଦ୍ରୁମ ଭାବରେ ଆଜି ଛିଡା ହୋଇଛି ବୀରସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ। ତେବେ ଉତ୍କର୍ଷତା କେନ୍ଦ୍ର ହେବା ସହ ଏହାର ନବକେଳବର ପାଇଁ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ୍‌‌ ଟେକ୍ନୋଲୋଜିର ‘୫-ଟି’ରେ ହେବ ରୂପାନ୍ତରୀକରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସୁଟର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି। ୨୦୨୬ସୁଦ୍ଧା ଏଠାରେ ୨୪ଟି ସ୍ନାତକ୍‌‌ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼଼ିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ମାଷ୍ଟରପ୍ଲାନ୍‌‌ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲ୍‌‌ଟି ଡିସିପ୍ଲିନାରୀ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ଭାବେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନଆଇଟି ପରି ସଂସ୍ଥାମାନଙ୍କ ସହିତ ସମକକ୍ଷ ହେବ। ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦ହଜାର ୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସରମାନଙ୍କ ଚାମ୍ୱର ଓ ଗ୍ୟାଲେରୀ ରହିବ। ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ସଚିବ ପ୍ରମୁଖ ବୁର୍ଲା ଗସ୍ତକରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।

ଅଧିକ ସୁଦୃଢ଼ ହେବ ପାଠ୍ୟକ୍ରମ
ହୀରାକୁଦର ପାଦଦେଶରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟ ୨୦ ଜଣ ବିଦ୍ୟାର୍ଥୀକୁ ନେଇ ୧୯୫୬ ମସିହା ଅଗଷ୍ଟ ୧୨ ତାରିଖରେ ପ୍ରତିଷ୍ଠା ଲାଭ କରେ। ଯାହା ଏବେ ଓଡ଼ିଶା ସରକାରଙ୍କ ଆପ୍ରାଣ ଉଦ୍ୟମ ଓ ଅନୁଦାନରେ ବିଶ୍ୱସ୍ତରୀୟ ହେବ। ପ୍ରତିଷ୍ଠା ସମୟର ବିଶ୍ୱବିଦ୍ୟାଳୟରେ କେବଳ ସିଭିଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଥିଲା। ସମୟ ବଦଳିଛି। ଭିସୁଟ୍‌‌ ବି ବଦଳିଛି ଆଉ ବଦଳିବ ଏହାର ରୂପରେଖ। ବର୍ତ୍ତମାନ ସମୟର ଏଠାରେ ଇଞ୍ଜିନିୟରିଂ ପାଇଁ ୧୧ ବିଟେକ୍‌‌ ପାଠ୍ୟକ୍ରମ, ୨୦ ଏମ୍‌‌ ଟେକ୍‌‌ ପାଠ୍ୟକ୍ରମ, ୨ ଦ୍ୱିତୀୟ ଡ଼ିଗ୍ରୀ ପାଠ୍ୟକ୍ରମ, ୩ ଏମ୍‌‌ସି ପାଠ୍ୟକ୍ରମ, ୩ ଇଣ୍ଟିଗ୍ରେଟେଡ ଏମ୍‌‌ସି ପାଠ୍ୟକ୍ରମ, ୩ ଏମ୍‌‌ସିଏ ଓ ପିଏଚ୍‌‌ଡି ପାଠ୍ୟକ୍ରମ ପ୍ରଚଳିତ। ଏନ୍‌‌ବିଏ ଦ୍ୱାରା ଅନୁବନ୍ଧିତ ହୋଇ ଭିସୁଟରେ ୭ ଟି ସ୍ନାତକ ଓ ୮ଟି ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ପରିଚାଳିତ ହେଉଛି। ୨୦୧୬ ମସିହାରେ ଏହା ନାକ ସହ ଅନୁବନ୍ଧିତ ହୋଇ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଶୀର୍ଷସ୍ତରରେ ପହଞ୍ଚିବା ଦିଗରେ ଆହୁରି ଅଗ୍ରସର ହେଉଛି। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଅନୁମୋଦନ କରିସାରିଛନ୍ତି ୨ ହଜାର କୋଟି।

ବିଶ୍ୱ ଦେଖିବ ନୂଆ ଭିସୁଟ୍‌‌
ରାଜ୍ୟ ସରକାରଙ୍କ ଅନୁଦାନକୁ ଉପଯୋଗ କରି ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ନବୀନ ଉନ୍ମାଦନା ଭରିବ। ୧୬ ଟି ବିଭାଗ ପାଇଁ ଏବେ ଏଠାରେ ୨୧୭ ଜଣ ଶିକ୍ଷଣ କର୍ମଚାରୀ ଥିବାବେଳେ ଅଣଶିକ୍ଷଣ କର୍ମଚାରୀ ଅଛନ୍ତି ୧୩୦ ଜଣ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅନୁଦାନ ମାଧ୍ୟମରେ ଏହାକୁ ୩୦୮ ଓ ୨୧୭ ଭାବରେ ବୃଦ୍ଧି କରାଯିବ। ସେହିଭଳି ୨୮ ଜଣ ଠିକା କର୍ମଚାରୀ ମଧ୍ୟ ଏଠି କାର୍ଯ୍ୟରତ। ସେଥିପାଇଁ ତ ସରକାର ମଧ୍ୟ ଆହୁରି ୯୦ ଏକର ଜାଗା ଯୋଗାଇଦେଇଛନ୍ତି। ସମୃଦ୍ଧ ହୋଇ ଗଢ଼ିଉଠିବ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ଭବିଷ୍ୟତ।

ଅନୁଦାନରେ ଭିସୁଟ ବଢ଼ୁଛି ଆଗକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୨୦୨୨/୨୦୨୩ ମସିହାରେ ପ୍ଲାନ୍‌‌ ମାଧ୍ୟମରେ ୯୩.୩୯ କୋଟି ଓ ନନ ପ୍ଲାନ୍‌‌ ମାଧ୍ୟମରେ ୨.୦୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିଭଳି ୨୦୨୩/୨୦୨୪ ବର୍ଷ ପାଇଁ ଯଥାକ୍ରମେ ୨୨.୬୩ କୋଟି ଓ ୨୦ କୋଟି ଟଙ୍କାର ପ୍ୟାକେଜ୍‌‌ ଦେଇ ସାରିଛନ୍ତି। ଆଗାମୀ ଦିନରେ ଏହି ଟଙ୍କାରେ ସ୍ନାତକ, ସ୍ନାତକୋତ୍ତର ଓ ଗବେଷଣା ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ହୋଇପାରିବ। ବିଶ୍ୱବିଦ୍ୟାଳୟର ୮୨୯ ଜଣ ଛାତ୍ରଛାତ୍ରୀ ୭୬ଟି ବଡ଼ ବଡ଼ କମ୍ପାନୀରେ ନିଜର ଦବ୍‌‌ ଦବା ଜାହିର କରିସାରିଛନ୍ତି। ଭିତ୍ତିଭୂମି ବିକାଶ ହେଲା ପରେ ଏହି ହାର ନିଶ୍ଚିତ ଭାବରେ ଆହୁରି ବଢ଼଼ିବ। ଏବେ ଭିସୁଟରେ ୩ ଜଣ ବିଦେଶୀ ଛାତ୍ରଛାତ୍ରୀ ପଢ଼଼ୁଛନ୍ତି। ଜଣେ ଏମଟେକ୍‌‌ ଓ ଆଉ ଦୁଇ ଜଣ ପିଏଚଡିରେ ଅଧ୍ୟୟନରତ। ଭିତ୍ତିଭୂମିର ବିକାଶ ପରେ ବିଦେଶୀ ଛାତ୍ରଛାତ୍ରୀ ଆହୁରି ଆସିବେ ବୋଲି କହିଛନ୍ତି ଭିସୁଟ କୁଳପତି।

ଏଥିସହିତ ପଢ଼ନ୍ତୁ

ଓଡ଼ିଶା ହେବ ମହାକାଶ ବିଜ୍ଞାନୀଙ୍କ ଅନ୍ତୁଡ଼ିଶାଳ
ଇତିହାସରେ ପ୍ରଥମଥର ପାଇଁ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ମିଳିଛି ଏକ ବଡ଼ ସଫଳତା। ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ହିସାବରେ ଏହି ସଫଳତା ପାଇଥିବା ବେଳେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସଷ୍ଟି କରିବ ଅନେକ ବୈଜ୍ଞାନିକ। କାରଣ ଇସ୍ରୋର ପ୍ରଥମ ଇନୋଭେସନ୍‌‌ ସେଣ୍ଟର ହେବ ଭିସୁଟ୍‌‌। ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିଥିବା ଇସ୍ରୋର ବୈଜ୍ଞାନିକଙ୍କଠାରୁ ଜ୍ଞାନ ଆହରଣ କରିବେ ଭିସୁଟର ଛାତ୍ରଛାତ୍ରୀ। ଏହାକୁ ନେଇ ଗ୍ରୀନ୍‌‌ ସିଗ୍‌‌ନାଲ ଦେଇଛନ୍ତି ଇସ୍ରୋ ଉଚ୍ଚ କର୍ତ୍ତୃପକ୍ଷ। ପ୍ରଥମ ଇନୋଭେସନ୍‌‌ ସେଣ୍ଟର ଭାବେ ଭିସୁଟକୁ ମନୋନିତ କରିଛି ଇସ୍ରୋ। କେବଳ ଯେ ଭିସୁଟ୍‌‌ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ କ୍ଷେତ୍ରରେ ଅଗ୍ରଗତି ହେବ ତାହା ନୁହେଁ, ଓଡ଼ିଶାରେ ଗବେଷଣା କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରିବ ଭିସୁଟ୍‌‌। ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ରକେଟ୍‌‌ ଗବେଷଣା କ୍ଷେତ୍ରରେ ସହଯୋଗ କରିବ।

ବିଦ୍ୟାର୍ଥୀଙ୍କ ପାଇଁ ଆଶୀର୍ବାଦ
୨୦୫ ଏକର ଜମିରେ ତିଆରି ହେଉଥିବା ନୂତନ ଘର ଓ ପୁରୁଣା କ୍ୟାମ୍ପସର ମରାମତି ବିଦ୍ୟାର୍ଥୀଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ୍ୟ। ଏହି କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଆଗାମୀ ୫ ବର୍ଷ ଭିତରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି। ସମସ୍ତ କୋଠାକୁ ଗୋଟାଏ ଢାଞ୍ଚାରେ ନିର୍ମାଣ କରାଯାଉଛି। ପ୍ରତ୍ୟେକ କୋଠାର ବେସମେଣ୍ଟକୁ ପାର୍କିଂ ରୁପେ ବ୍ୟବହାର କରାଯିବ। ସ୍କୁଲ୍‌‌ ଅଫ ମେକାନିକାଲ ସାଇନ୍ସ ବ୍ଲକ ନୂତନ କ୍ୟାମ୍ପସରେ ରହିବ। ଅଧିକରୁ ଅଧିକ ଲାଭ ପାଇବେ ପ୍ରଥମ ବର୍ଷ ଶିକ୍ଷାର୍ଥୀ। ନୂତନ କ୍ୟାମ୍ପସ ନିର୍ମାଣ ପରେ ସବୁ ବିଭାଗର ପ୍ରଥମ ବର୍ଷ ପିଲା ଏଇଠି ପାଠ ପଢ଼଼ିବାର ସୁଯୋଗ ପାଇବେ। ବିଶ୍ୱବିଦ୍ୟାଳୟରେ ଆହୁରି ଯୋଡ଼ି ହୋଇଯିବ ୬ରୁ ୭ଟି ନୂତନ ବିଭାଗ ଯେମିତି ଏରୋ ସ୍ପେସ ଇଞ୍ଜିନିୟରିଂ, ବିୟୋଗ ମେଡିକାଲ, ବିୟୋଗ ଟେକ୍ନିକାଲ, ମାଇନିଂ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବିଭାଗ। ବର୍ତ୍ତମାନ ସମସ୍ତେ କୁତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାରେ ଲାଗିଛନ୍ତି। ନୂତନ କ୍ୟାମ୍ପସରେ କୁତ୍ରିମ ବୁଦ୍ଧିମତାଉପରେ ସ୍ୱତନ୍ତ୍ର ବିଭାଗ ରହିବ।

ଚନ୍ଦ୍ରଯାନ-୩ରେ ଭିସୁଟ୍‌‌ ଆଲୁମନି
ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ଡି କରିଥିବା ଚନ୍ଦ୍ରଯାନ-୩ ମିଶନରେ ଭିସୁଟର ପୂର୍ବତନ ଛାତ୍ରଛାତ୍ରୀ ତଥା ଆଲୁମନିଙ୍କ ଯୋଗଦାନ ଭିସୁଟର ନାଁକୁ ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇବାରେ ସହାୟ ହୋଇଛି। ଏଥିରେ ୧୪ ଜଣ ଆଲୁମନି କାର୍ଯ୍ୟ କରିଛନ୍ତି। ଏଥିରେ ୧୯୮୩ ଶିବାଶିଷ ମାଏତି, ୧୯୮୬ ବ୍ୟାଚ୍‌‌ ମିହିର କାନ୍ତି ମିଶ୍ର, ୧୯୯୪ ବ୍ୟାଚର ଡକ୍ଟର ରାଧାକାନ୍ତ ପାଢ଼ୀ, ୨୦୦୦ ବ୍ୟାଚର ଲୋପାମୁଦ୍ରା ମିଶ୍ର, ୨୦୦୪ ବ୍ୟାଚର ମଧୁସୂଦନ ନାଥ, ୨୦୦୩ ବ୍ୟାଚର ସୁଶାନ୍ତ ପଣ୍ଡା, ୨୦୦୫ ବ୍ୟାଚର ଧର୍ମେନ୍ଦ୍ର ବେହେରା, ୨୦୦୫ ବ୍ୟାଚ ଆଶୁତୋଷ ସିହ୍ନା, ୨୦୧୦ ବ୍ୟାଚର ମାନସ ଭଦ୍ର ଓ ସୁଜିତ ନାୟକ, ୨୦୧୨ ବ୍ୟାଚର ଇ. ରାଜକିରନ ସରବା ଓ କେ ନାଗାରାଜୁ, ୨୦୧୩ ବ୍ୟାଚର ଲକ୍ଷ୍ମୀପ୍ରିୟା ପୃଷ୍ଟି ଓ ୨୦୧୪ର ସୁରଭି ବୋଷ ଏହି ମିଶନରେ କାର୍ଯ୍ୟକରି ଭିସୁଟ ପାଇଁ ଗର୍ବ ଆଣିଛନ୍ତି।

ଆଲୁମନିଙ୍କ ସଫଳ କାହାଣୀ
ଭିସୁଟର ଆଲୁମନି ଆଜି ଅନ୍ତର୍ଜାତୀୟ ସ୍ତରରେ ରହି ଭିସୁଟର ନାଁକୁ ଗର୍ବିତ କରିଛନ୍ତି। ୧୯୬୩ ବ୍ୟାଚର ସ୍ୱର୍ଗତ ବ୍ରଜମୋହନ ଦାସ ସିଇସିଏସ, ସିଏସୟୁ ୟୁଏସଏର ଡିନ୍‌‌ ଏମିରଟସ ପଦବୀ ଅଳଙ୍କୃତ କରିଥିଲେ। ୧୯୬୯ ବ୍ୟାଚର ଡକ୍ଟର ବିଜନ ଦାସ ଭିଏସ୍‌‌ଏସସି, ଇସ୍ରୋର ଡେପୁଟି ଡାଇରେକ୍ଟରେ ଅବସର ଗ୍ରହଣ କରିଥିଲେ। ୧୯୮୬ ବ୍ୟାଚର ମିହିର କାନ୍ତି ମିଶ୍ର ହାଲ୍‌‌ର ସିଇଓ ପଦବୀରେ ଅଛନ୍ତି। ୧୯୮୭ ବ୍ୟାଚର ଡକ୍ଟର ବିନୟ କୁମାର ଦାଶ ଡିଜି ଭାବେ ଡିଆରଡିଓରେ ଅବସ୍ଥାପିତ ଅଛନ୍ତି। ୧୯୮୯ ବ୍ୟାଚର ଅଥର ସାହବ ଜୁଆରି ଇଣ୍ଡଷ୍ଟ୍ରିର ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୦ ବ୍ୟାଚର ମନିଷ ସିହ୍ନାରେ ଭାରତୀୟ ରାଜସ୍ୱ ସେବାରେ (ଆଇଆରଏସ) ଯୋଗ ଦେଇଛନ୍ତି। ୧୯୯୧ ବ୍ୟାଚର ଶ୍ରୀକୁମାର ଛତ୍ର ଇଡେଲଓ୍‌‌ବିସ ଅଲଟରନେଟିଭ ଆସେଟର୍‌‌ ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୧ ବ୍ୟାଚ୍‌‌ର ଡକ୍ଟର ତପନ ସାହୁ ମାରୁତି ସୁଜୁକିର ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌‌ମେଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଛନ୍ତି। ୧୯୯୨ ବ୍ୟାଚର ଅଶେଷ ପାଢ଼ୀ ଜେଏସଡବ୍ଲ୍‌‌୍ୟୁ ଓଡ଼ିଶା ପ୍ରୋଜେକ୍ଟର ଏକ୍‌‌ଜ୍ୟୁକିଟିଭ ଭାଇସ ପ୍ରେସିଡେଣ୍ଟ ଓ ମୁଖ୍ୟ ରହିଛନ୍ତି। ୧୯୯୨ ବ୍ୟାଚର ରଶ୍ମୀ ରଞ୍ଜନ ମହାପାତ୍ର ମୁରୁଗପ୍ପା ଗ୍ରୁପର ସିଇଓ ରହିଛନ୍ତି। ୧୯୯୩ ବ୍ୟାଚର ୱାଇ କଲ୍ୟାଣ ଚକ୍ରବର୍ତ୍ତୀ ଇମାର ଗ୍ରୁପର ସିଇଓ ରହିଛନ୍ତି। ୧୯୯୪ ବ୍ୟାଚର ଡକ୍ଟର ରାଧାକାନ୍ତ ପାଢ଼ୀ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌‌ସିରେ ପ୍ରଫେସର୍‌‌ ରହିଛନ୍ତି। ୧୯୯୫ ବ୍ୟାଚର ନୀଳାଦ୍ରି ଭଟ୍ଟଚାର୍ଯ୍ୟୀ ଗ୍ରାଣ୍ଡ ଥର୍ନଟନରେ ପାର୍ଟନର ରହିଛନ୍ତି।

ନୋଏଡ଼ାରେ ଦୌଡ଼ିଲା ଭିସୁଟ୍‌‌ର ରେସିଂ କାର୍‌‌
ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁରୁଣା ଢାଞ୍ଚା ବଦଳିବ ଆଉ ନବୀନ ସୂର୍ଯ୍ୟୋଦୟ ହେବ। ଆଗାମୀ ଦିନରେ ଏନ୍‌‌ବିଏ ସହ ମିଶି ବିଶ୍ୱବିଦ୍ୟାଳୟରେ ଗୋଟିଏ ସ୍ନାତକ ଓ ଚାରୋଟି ସ୍ନାତକୋତ୍ତର ବିଭାଗ ଖୋଲିବ। ବିଭିନ୍ନ ପାଠ୍ୟକ୍ରମର ସମୟସୀମା ମଧ୍ୟ ବଢ଼଼ାଯିବ। ୨୦୨୦ ମସିହାରେ ବିଶ୍ୱବିଦ୍ୟାଳୟ ଏନ୍‌‌ଆଇଆରଫ ବିଭାଗୀକରଣରେ ୧୧୯ ତମ ସ୍ଥାନ ଅଧିକାର କରିଥିଲା। ୨୦୨୧ରେ ଏହା ୧୧୬ ତମ, ୨୦୨୨ ମସିହାରେ ୧୧୧ ତମ ସ୍ଥାନ ଅଧିକାର କରିଛି। ୨୦୨୩ ଶିକ୍ଷା ବର୍ଷାରେ ଏହା ୧୦୦ ତମ ସ୍ଥାନ ଅଧିକାର କରିବାର ଆଶା ସଞ୍ଚାର ହେଉଛି। ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଛି। ଭିସୁଟ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ସହ ଏମଓୟୁ ସ୍ୱାକ୍ଷରିତ କରିସାରିଛି। ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ହେଉଛି ଭିସୁଟ ଯିଏ ଇସ୍ରୋ ସହ ଏମଓୟୁ ସ୍ୱାକ୍ଷରିତ କରି ଭିସୁଟ ସ୍ପେସ ଇନୋଭେସନ ସେଣ୍ଟରର ନିର୍ମାଣ କରିଛି। ଏହାରି ମାଧ୍ୟମରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ କୁତ୍ରିମବୁଦ୍ଧିମତାଠାରୁ ଆରମ୍ଭକରି ଆବିଷ୍କାର ଓ ଉଦ୍ଭାବନ କରିବେ। କିଛିଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ମିଶି ରେସିଂ କାର ତିଆରି କରିବା ଏହାର୍‌‌ ଜ୍ୱଳନ୍ତ ଉଦାହରଣ। କାର ଭିସୁଟ୍‌‌ରୁ ଯାଇ ନୋଏଡ଼ାରେ ଦୌଡ଼ିବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସ୍ପେସ୍‌‌ ଇନୋଭେସନ ସେଣ୍ଟର ସେମାନଙ୍କ ଜ୍ଞାନର ପରିସୀମାକୁ ଆହୁରି ସୁଦୃଢ କରିବ। ବହୁତ୍‌‌ କମ୍‌‌ ସମୟ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଜାପାନିଜ୍‌‌ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସହ ମଧ୍ୟ ଏମଓୟୁ ସ୍ୱାକ୍ଷରିତ କରିବ। ଆହୁରି ମଧ୍ୟ ଓଡ଼ିଶା ରାଜ୍ୟ ବିଶ୍ୱବିଦ୍ୟାଳୟ ସହ ମଧ୍ୟ ବିଶ୍ୱବିଦ୍ୟାଳୟ ୨୦୨୨ ମସିହାରେ ଏମଓୟୁ ସ୍ୱାକ୍ଷରିତ କରିଛି।

ସାକାର ହେଉଛି ‘ନବୀନ’ ସ୍ୱପ୍ନ
ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା, ଭିତ୍ତିଭୂମି, ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା, ସଂସ୍କୃତି ସର୍ବୋପରି ପ୍ରତିଟି ଦିଗର କେମିତି ବିକାଶ ହେବ ଓ ଭିସୁଟ ବିଶ୍ୱସ୍ତରୀୟ ହେବ ତାହାର ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ସଫଳ ଓ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବାସ୍ତବ ରୂପ ନେଉଛି। ୨୦୨୨ ମସିହା ସେପଟେମ୍ୱର ୧୭ ତାରିଖରେ ସେ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଗସ୍ତକରି ୨ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀମଣ୍ଡଳର ଅନୁମୋଦନକ୍ରମେ ବିଶ୍ୱବିଦ୍ୟାଳୟକୁ ପର୍ଯ୍ୟାୟ କ୍ରମେ ଅନୁଦାନ ଦିଆଯାଉଛି। ହୀରାକୁଦ ପାଦ ଦେଶରେ ଥିବା ଭିସୁଟ୍‌‌ ସ୍ୱପ୍ନର ତାଳେ ତାଳେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହେବାର ପାଦ ଦେଶରେ ଅଛି।

ଉତ୍କର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା
ଭିସୁଟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରଚେଷ୍ଟା। ଉଚ୍ଚ ଶ୍ରେଣୀ ନିର୍ମାଣ, ଭିତ୍ତିଭୂମି ବିକାଶ, ସ୍ମାର୍ଟ କ୍ଲାସ, ନୂତନ ଉପକରଣ ଅନୁମୋଦନ କରି ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟକୁ ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରର ପହଞ୍ଚାଇବ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର। ଏ ବିକାଶ କରିବା ପାଇଁ ମୋଟ ୨ ହଜାର କୋଟିକୁ ଅନୁମୋଦନ କରିଛନ୍ତି ସରକାର। ସେଥିରୁ ୧୮୦୦ କୋଟି ବ୍ୟୟରେ ନୂତନ କ୍ୟାମ୍ପସ ନିର୍ମାଣ କରିବା ସହ ପୁରାତନ ବିଲ୍ଡିଂର ନବୀକରଣ କରାଯିବ। ବାକି ୨୦୦ କୋଟିରେ ବିଭିନ୍ନ ଉପକରଣ ସହ ସ୍ମାର୍ଟ କ୍ଲାସ କରାଯିବ।

୧୧ ହଷ୍ଟେଲ୍‌‌ରେ ୪ ହଜାର ଅନ୍ତେବାସୀ
ବର୍ତ୍ତମାନ ଛୋଟ ବଡ଼ କରି ୧୧ଟି ହଷ୍ଟେଲ ରହିଛି। ଯେଉଁଠି ୪୦୦୦ ପିଲା ରହିବାର କ୍ଷମତା ରହିଛି। ଅଧିକ ବିଭାଗ ବଢ଼଼ିଲା ପରେ ଅଧିକ ଛାତ୍ରଛାତ୍ରୀ ବି ଆସିବେ ତେଣୁ ତାହାକୁ ନଜର ରଖି ୪୦୦୦ ପୁଅ ପିଲା ରହିବା ପରି ହଷ୍ଟେଲ ଓ ୨୦୦୦ ଝିଅ ରହିବା ପାଇଁ ହଷ୍ଟେଲ ନିର୍ମାଣ କରାଯାଉଛି। ଏହା ସହ କାର୍ବନଡାଇଅକ୍ସସାଇଡ ଫ୍ରି କ୍ୟାମ୍ପସ ପାଇଁ ଚିନ୍ତା କରାଯିବ।

ଶିକ୍ଷାର୍ଥୀ ବଢ଼଼ିବେ
ସମ୍ପୂର୍ଣ୍ଣ ନିର୍ମାଣ କାମ ଶେଷ ପରେ ସମୁଦାୟ ୫୦୦୦ ରୁ ୧୦୦୦୦ ବିଦ୍ୟାର୍ଥୀ ଯୋଡ଼ି ହେଇ ଯିବେ ଭିସୁଟରେ। ବିଟେକରେ ୨୦୦୦ ଓ ପିଜି/ ପିଏଚଡିରେ ୨୦୦୦ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବାର କ୍ଷମତା ରହିବ। ଯାହା ବିଶ୍ୱସ୍ତରୀୟ ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ଅନ୍ୟ ଦେଶର ବିଦ୍ୟାର୍ଥୀ ଭିସୁଟ ଆସିବା ସହ ଛାତ୍ରଛାତ୍ରୀ ବିନିମୟଭିତ୍ତିକ ପାଠ୍ୟକ୍ରମର ଶିକ୍ଷାଦାନ ବ୍ୟବସ୍ଥା ରହିବ। ଭିସୁଟ ଛାତ୍ରଛାତ୍ରୀ ମଧ୍ୟ ଏହି ପାଠ୍ୟକ୍ରମର ଲାଭ ନେଇ ପାରିବେ।

ନୂଆ ଇନୋଭେସନ୍‌‌ ସହ ହଷ୍ଟେଲ କ୍ୟାମ୍ପସରେ କ୍ୱାର୍ଟର୍ସ
ସମାନ ଢାଞ୍ଚାରେ ୫୦୦ଟି ଶିକ୍ଷଣ କର୍ମଚାରୀ ଏବଂ ୨୫୦ଟି ଅଣଶିକ୍ଷଣ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ ଉପଲବ୍ଧ ରହିବ। ଅନ୍ୟାନ୍ୟ ସୁବିଧା ପାଇଁ କ୍ୟଣ୍ଟିନ, କ୍ୟାଫେ ଟେରିଆ, ଜିମ, ସୁଇମିଂ, ଲାଇବ୍ରେରୀର, ଖେଳ ପଡ଼ିଆ, ଅଡିଟୋରିୟମ ସୁବିଧା ରହିବ। ଦକ୍ଷତା ବିକାଶ କରିବା ପାଇଁ ନିର୍ଦ୍ଦିଷ୍ଟ ସେଣ୍ଟର ଖୋଲାଯିବ। ପାଖରେ ବୁର୍ଲା ମେଡିକାଲ ଥିଲେ ମଧ୍ୟ କ୍ୟାମ୍ପସ ଭିତରେ ପ୍ରାଥମିକ ଚିକିତ୍ସା ପାଇଁ ସୁବିଧା ଉପଲବ୍ଧ ରହିବ। ସେଣ୍ଟର ଅଫ ଏକ୍ସସେଲେନ୍ସ (ସିଓଇ) କ୍ଷେତ୍ରର ଭିସୁଟ ସବୁବେଳେ ଆଗରେ ରହିବା ପାଇଁ ନିଜ ପାଖରେ ଗାଇଡଟିମର ବ୍ୟବସ୍ଥା କରିଛି। ଚାକିରି ପାଇବା ପାଇଁ ସହଜ ହେଲା ଭଳି ଆଲୁମନି ଓ ବିଭିନ୍ନ କମ୍ପାନିକୁ ନିଜ ସହ ନେଇ ଆଗକୁ ବଢ଼ୁଛି। ଯାହା ପାଇଁ ଏଠାରେ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି।

ଭିସୁଟ ବୁର୍ଲା ପାଖରେ ସେଇ କ୍ଷମତା ଅଛି ଯାହାକୁ ପାଥେୟ କରି ଏହା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହୋଇପାରିବ। ଉତ୍ତମ ଶିକ୍ଷା ଓ ଗବେଷଣା ଆଧାର କରି ଏହା ସର୍ବଶ୍ରେଷ୍ଠ ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଓ ସହଯୋଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବୁଦ୍ଧିମତାର ପରିସୀମା ଆହୁରି ସୁଦୃଢ଼ ହେବ। ଅଧ୍ୟାପକଙ୍କ ଶିକ୍ଷଣ ଓ ଛାତ୍ରଛାତ୍ରୀଙ୍କ ଗ୍ରହଣ ଆଗାମୀ ଦିନରେ ଭିସୁଟକୁ ଉନ୍ନତିର ଶିଖରରେ ପହଞ୍ଚାଇବ।
-ବଂଶୀଧର ମାଝୀ, କୁଳପତି, ବୀରସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ

ବହୁତ ଲୋକ ବିଶ୍ରାମ ପାଇଁ ସମୁଦ୍ରକୂଳକୁ ଯାଆନ୍ତି। ଆଉ କେତେ ଲୋଗ ପାହାଡ଼ ପାଦଦେଶକୁ ପରି କରନ୍ତି। ଶାନ୍ତି ପାଇଁ ଲୋକେ ପବିତ୍ର ତୀର୍ଥସ୍ଥଳ ବୁଲନ୍ତି। କିନ୍ତୁ ଆମେ ଆଲୁମନି ଶାନ୍ତି ପାଇଁ ବୁର୍ଲା ଭିସୁଟ୍‌‌ ଯାଉ। ଏହା ହିଁ ଆମ ରିଷିକେଶ, ବଦ୍ରିନାଥ, ମେକା ତଥା ଜେରୁଜେ ଲମ୍‌‌।
– ଅଶେଷ ପାଢ଼ୀ, ସଭାପତି, ଭିସୁଟ ଆଲୁମନି ଆସୋସିଏସନ୍‌‌

Leave A Reply

Your email address will not be published.