ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବର୍ଜ୍ୟବସ୍ତୁ ବିହୀନ ସମାଜ

ସମଗ୍ର ବିଶ୍ୱର ୮୦୦ କୋଟି ଲୋକ ଆଉ ଅଗଣିତ ଜୀବଜଗତ ଜୀବନଧାରଣ ପାଇଁ ପୃଥିବୀ ଉପରେ ନିର୍ଭରଶୀଳ। ମଣିଷ ସମାଜର ଆବଶ୍ୟକତା ପୂରଣ ପାଇଁ ପୃଥିବୀରେ ସମସ୍ତ ସମ୍ପଦ ରହିଛି। କିନ୍ତୁ ଏହା ଆମର ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଅସରନ୍ତି ଇଚ୍ଛାକୁ ପୂରଣ କରିବା ପାଇଁ ଅକ୍ଷମ। ଅପରପକ୍ଷରେ ଏହି ସୀମିତ ସମ୍ବଳର ମାତ୍ରାଧିକ ଉପଯୋଗ ସମଗ୍ର ଜୀବଜଗତ ପାଇଁ ଏକ ଅସନ୍ତୁଳିତ ପରିସ୍ଥିତି ସୃଷ୍ଟି କରିଛି ଏବଂ ଜୀବଜଗତକୁ ବିପଜ୍ଜନକ ପରିସ୍ଥିତି ଆଡ଼କୁ ଟାଣି ନେଉଛି। ତେଣୁ କୁହାଯାଉଛି ଯେ ମଣିଷ ସମାଜର ଆଜିର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ପ୍ରାୟ ପାଞ୍ଚଟି ପୃଥିବୀର ଆବଶ୍ୟକତା ରହିଛି। ଏପରିକି ପୃଥିବୀ ପୃଷ୍ଠରେ ବଳକା ରହିଯାଇଥିବା ସୀମିତ ପ୍ରାକୃତିକ ସମ୍ବଳର ବିନିଯୋଗ ପାଇଁ ପ୍ରତିଯୋଗିତା ଆଉ ଏକ ବିଶ୍ୱଯୁଦ୍ଧ ଆଡ଼କୁ ମଣିଷ ସମାଜକୁ ଟାଣି ନେଉଛି। ଏହି ପରୀପ୍ରେକ୍ଷୀରେ ମିଳିତ ଜାତିସଂଘ ୧୪ ଡିସେମ୍ୱର ୨୦୨୨ରେ ଅନୁଷ୍ଠିତ ଏହାର ୭୭ ତମ ଅଧିବେଶନରେ ମାର୍ଚ୍ଚ ୩୦ ତାରିଖକୁ ‘ବର୍ଜ୍ୟବସ୍ତୁ ଶୂନ୍ୟ ଦିବସ’ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ୟୁଏନ୍‌‌ଇପି ଓ ୟୁଏନ୍‌‌-ହାବିଟାଟ୍‌‌ ସଂସ୍ଥାର ମିଳିତ ପ୍ରୟାସରେ ୨୦୨୩ ରେ ସମଗ୍ର ବିଶ୍ୱ ପ୍ରଥମ ‘ବର୍ଜ୍ୟବସ୍ତୁ ଶୂନ୍ୟ ଦିବସ’ ପାଳନ କରିଥିଲା। ପ୍ରାକୃତିକ ସମ୍ପଦର ସଂରକ୍ଷଣ, ବ୍ୟବହୃତ ପଦାର୍ଥର ପୁନଃ ବ୍ୟବହାର, ପୁନଃନବୀକରଣ ଦ୍ୱାରା ପ୍ରକୃତି ଉପରେ ଚାପ ହ୍ରାସ କରି ପରିବେଶର ସମତୁଲତା ବଜାୟ ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ଦିଗରେ ମଧ୍ୟ ଏହା ସହାୟକ ହୋଇପାରିବ।

ୟୁଏନ୍‌‌ଇପିର ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ସମଗ୍ର ବିଶ୍ୱରେ ୨୦୦ କୋଟି ଟନ୍‌‌ରୁ ଅଧିକ କଠିନ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଛି। ଯଦି ଏଗୁଡ଼ିକୁ ଏକ ସରଳରେଖାରେ ରଖଯାଏ, ତେବେ ତାହା ପୃଥିବୀର ବିଷୁବ ବୃତ୍ତକୁ ୨୫ ଥର ପରିକ୍ରମା କରିପାରିବ। ଉଲ୍ଲେଖଯୋଗ୍ୟ ଯେ ୨୦୨୦ରେ ସମଗ୍ର ବିଶ୍ୱର କଠିନ ବର୍ଜ୍ୟବସ୍ତୁ ଉତ୍ପାଦନର ୬୨ ପ୍ରତିଶତ ନିୟନ୍ତ୍ରିତ ବର୍ଜ୍ୟବସ୍ତୁ ପରିଚାଳନାର ଅଂଶ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୧୯%କୁ ପୁନଃବ୍ୟବହାର କରାଯାଇ ପାରିଥିଲା, ୧୩% ଶକ୍ତିରେ ରୂପାନ୍ତରିତ ହୋଇଥିଲା ଏବଂ ବାକି ୩୦% ବର୍ଜ୍ୟବସ୍ତୁ କେନ୍ଦ୍ରରେ ଫୋପାଡ଼ି ଦିଆଯାଇଥିଲା।

ଅଧିକ ପଢନ୍ତୁ

୨୦୫୦ ସୁଦ୍ଧା ବିଶ୍ୱରେ ଅନିୟନ୍ତ୍ରିତ ବର୍ଜ୍ୟବସ୍ତୁର ଅଂଶ ୪୧% କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି, ଯାହାକି ୮୦୫ ନିୟୁତ ଟନ୍‌‌ ସ୍ତରରୁ ୧୫୭ କୋଟି ଟନ୍‌‌ ହେବ। ଆଉ ଏକ ଚିନ୍ତାଜନକ ବିଷୟ ଯେ ୨୦୭ କୋଟି ଲୋକଙ୍କର ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ନାହିଁ। ସେଥିମଧ୍ୟରୁ ୨୦୦ କୋଟି ଲୋକ ଗ୍ରାମାଞ୍ଚଳରେ ଏବଂ ୭ ଲକ୍ଷ ଲୋକ ସହରାଞ୍ଚଳରେ ବସବାସ କରନ୍ତି। ଏହାର ଅର୍ଥ ହେଉଛି ହେଉଛି ୫୪୦ ନିୟୁତ ଟନ୍‌‌ କଠିନ ବର୍ଜ୍ୟବସ୍ତୁ, ଯାହା ସମଗ୍ର ବିଶ୍ୱ ବର୍ଜ୍ୟବସ୍ତୁର ୨୭%, ତାହା ସଂଗ୍ରହ ହୋଇପାରୁ ନାହିଁ। ଏହିଭଳି ପରିସ୍ଥିତିରେ ବର୍ଜ୍ୟବସ୍ତୁ ଶୂନ୍ୟ ପୃଥିବୀର ପରିକଳ୍ପନା ଏକ ସ୍ୱପ୍ନ ଭଳି ଲାଗୁଥିବା ସତ୍ତ୍ବେ ଆମର ନିରନ୍ତର ପ୍ରୟାସ ସମଗ୍ର ଜୀବଜଗତ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ।

ପ୍ରସ୍ତର ଯୁଗରୁ ପ୍ରାକୃତିକ ସମ୍ପଦର ସୁବିନିଯୋଗ ଆଉ ସଂରକ୍ଷଣ ମାନବ ସଭ୍ୟତାର ଆଧାର ହୋଇ ରହିଥିଲା। କୃଷିକାର୍ଯ୍ୟର ବର୍ଜ୍ୟ ପଦାର୍ଥକୁ ଗୋଖାଦ୍ୟ, ଗୃହନିର୍ମାଣ ଆଦିରେ ବିନିଯୋଗ କରାଯାଉଥିଲା। ଗାଈର ଗୋବରରୁ ଜାଳେଣି ଆଉ ଜୈବିକ ବାଷ୍ପ ଓ ସାର ଉତ୍ପାଦନ ଓ ବ୍ୟବହାର ଆଜି ବି ବିଶ୍ୱର କେତେକ ଅଞ୍ଚଳରେ ହେଉଛି। ରୋମାନ ସଭ୍ୟତାରେ କାଚକୁ ତରଲାଇ ପୁନଃ ବିନିଯୋଗ କରିବା ପଦ୍ଧତି ପ୍ରଥମେ ଆବିଷ୍କୃତ ହୋଇଥିଲା। ଭାରତବର୍ଷରେ ବର୍ଜ୍ୟବସ୍ତୁଗୁଡ଼ିକର ପୁନଃ ବିନିଯୋଗ କିଛି ନୂଆ କଥା ନୁହେଁ। ପୁରୁଣା ପୋଷାକ, ଖେଳନା, ବହି ଆଦି ଉତ୍ତରପିଢ଼ି ଦ୍ୱାରା ନଚିରିବା ଯାଏଁ ବ୍ୟବହାର କରାଯାଇଥାଏ ଏବଂ ଖବରକାଗଜଗୁଡ଼ିକ ଦୋକାନୀମାନେ ବ୍ୟାଗ ଏବଂ ପ୍ୟାକେଟ୍‌‌ ତିଆରି ପାଇଁ ବ୍ୟବହାର କରିଥା’ନ୍ତି। ବହୁ ପୁରୁଣା ପୋଷାକକୁ ଘରେ ବିଭିନ୍ନ ବ୍ୟବହାର ପାଇଁ ରଖାଯାଏ। ଏପରିକି ଫେରିବାଲାଙ୍କୁ କିଛି ଦ୍ରବ୍ୟ ବିନିମୟରେ ଦିଆଯାଇଥାଏ। ମହିଳାମାନଙ୍କର କେଶକୁ ସଂଗ୍ରହ କରାଯାଇ କୃତ୍ରିମ ପନିଟେଲ ଉତ୍ପାଦନ ପାଇଁ ବିନିଯୋଗ କରାଯାଏ। ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ପୁରୁଣା ଟ୍ୟୁବ୍‌‌ ବ୍ୟବହାର, ଆଉ ପାନ ଦୋକାନ ନିକଟରେ ପୁରୁଣା ଟାୟାର ଉପରେ ବସି ଗପ କରିବା, ପିଲାମାନେ ପୁରୁଣା ଟାୟାରରେ ଖେଳିବା ଆମ ଗ୍ରାମୀଣ ଜୀବନର ଅଂଶବିଶେଷ। ବର୍ଜ୍ୟବସ୍ତୁରୁ କିଛି ହସ୍ତଶିଳ୍ପ ତିଆରି କରିବା ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ଏକ ଅବସର ସମୟର କାର୍ଯ୍ୟ। ଏଣୁ ବର୍ଜ୍ୟବସ୍ତୁକୁ ନେଇ ପୁନଃ ବିନିଯୋଗ ଆମ ପାଇଁ ନୂଆ କଥା ନୁହେଁ। ଆବଶ୍ୟକତାକୁ ସୀମିତ କରି ଜୀବନଯାପନ କରିବା ଆମର ଏକ ପୁରୁଣା ପରମ୍ପରା, ଯାହା ପୃଥିବୀ ପୃଷ୍ଠରେ ନିରନ୍ତର ଜୀବନ ପାଇଁ ସଂରକ୍ଷଣ ଦିଗରେ ପ୍ରଥମ ପଦକ୍ଷେପ।

ପଦାର୍ଥର ପରମାୟୁ ଥାଇ ତାହାକୁ ବର୍ଜ୍ୟବସ୍ତୁ ତାଲିକାଭୁକ୍ତ କରିବା ଆମ ପରିବେଶ ପାଇଁ ହାନିକାରକ ହୋଇଥାଏ। କଠିନ ବର୍ଜ୍ୟବସ୍ତୁ ଉତ୍ପାଦନରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି। ଅନୁମାନ କରାଯାଏ ଯେ ଭାରତର ସହରାଞ୍ଚଳରେ ପ୍ରତିଦିନ ୧, ୩୦, ୦୦୦ ରୁ ୧, ୫୦, ୦୦୦ ମେଟ୍ରିକ୍‌‌ ଟନ୍‌‌ କଠିନ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ବର୍ଜ୍ୟବସ୍ତୁ ସୃଷ୍ଟିର ବର୍ତ୍ତମାନ ହାର ବଜାୟ ରହିଲେ ଏହା ୨୦୩୧ ସୁଦ୍ଧା ବର୍ଷକୁ ପ୍ରାୟ ୧୨୫ ନିୟୁତ ମେଟ୍ରିକ୍‌‌ ଟନ୍‌‌କୁ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ୟୁରୋପରେ ବିଶ୍ୱର ସର୍ବାଧିକ ପୁନଃ ନବୀକରଣ ହାର ଯଥାକ୍ରମେ ୪୪ ଏବଂ ୪୨ ପ୍ରତିଶତ ଥିବା ବେଳେ ଭାରତରେ ଏହା ମାତ୍ର ୧୯ ପ୍ରତିଶତରେ ସୀମିତ ହୋଇ ରହିଛି।

ପ୍ରାକୃତିକ ସମ୍ପଦର ସଦୁପଯୋଗ, ବର୍ଜ୍ୟବସ୍ତୁ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁଗୁଡ଼ିକର ପୁନଃବିନିଯୋଗ, ପୁନଃନବୀକରଣ କେବଳ ମାନବ ସମାଜ ନୁହେଁ, ବରଂ ସମଗ୍ର ଜୀବଜଗତ ପାଇଁ ଏକ ଆବଶ୍ୟକତାରେ ପରିଣତ ହୋଇସାରିଛି। ମାନବ ସମାଜର ଅବଶ୍ୟକତାକୁ ସଂକୁଚିତ କରି ସୀମିତ ପ୍ରାକୃତିକ ସମ୍ପଦର ସଦୁପଯୋଗ, ବର୍ଜ୍ୟବସ୍ତୁ ପରିଚାଳନାର ନୀତି ନିର୍ଦ୍ଧାରଣକାରୀଙ୍କ ପାଇଁ ଏକ ଆହ୍ୱାନରେ ପରିଣତ ହୋଇଛି। ଏବେ ସମୟ ଆସିଛି, ଆମକୁ ବର୍ଜ୍ୟବସ୍ତୁ ପରିଚାଳନାଠାରୁ ପ୍ରାକୃତିକ ସମ୍ପଦ ପରିଚାଳନା ପର୍ଯ୍ୟନ୍ତ ଆମ ଚିନ୍ତାଧାରାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହି ଚିନ୍ତାଧାରା ଆମ ଅର୍ଥନୈତିକ, ସାମାଜିକ ଆଉ ସାଂସ୍କୃତିକ ଜୀବନର ଅଂଶବିଶେଷ ହୋଇ ରହିଲେ ଏକ ସୁସ୍ଥ ସମାଜ ଗଠନ ସହ ଉତ୍ତର ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ହୋଇପାରିବ।

ଇଂ ଚୌଧୁରୀ ଜ୍ଞାନରଞ୍ଜନ ସାମଲ
ବଡ଼ଚଣା, ମୋ:୯୯୩୭୪୮୭୭୩୪

Leave A Reply

Your email address will not be published.