ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲୁଛି ନକଲି ଡାକ୍ତର ରମେଶ ସ୍ବାଇଁ ଠକେଇ ସିଣ୍ଡିକେଟର ପେଡି : ଭାଇ-ଭଉଣୀକୁ ମୁହାଁମୁହିଁ ଜେରା କରୁଛି ପୁଲିସ

ଭୁବନେଶ୍ୱର/କାମାକ୍ଷାନଗର : ଦିଲ୍ଲୀ ଠାରୁ ପଲ୍ଲୀ। ୧୨ ରାଜ୍ୟ ୧୫ ଜିଲ୍ଲା। ସବୁଠି ଗୋଟିଏ ଚର୍ଚ୍ଚା। ୨୫ ସ୍ତ୍ରୀଙ୍କ ସ୍ୱାମୀ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ କଳା କାରନାମାର ତାଲିକା ଆଉ କେତେ ଲମ୍ବା। ଧୀରେ ଧୀରେ ଠକ ରମେଶଙ୍କ ଖୋଲୁଛି ଅପରାଧର ପେଡ଼ି। ରମେଶଙ୍କ ଠକେଇ ସିଣ୍ଡିକେଟ୍‍ରେ ସାମିଲ ଅଛନ୍ତି ଭଉଣୀ-ଭିଣୋଇ ଯୋଡ଼ି। ରମେଶର ଭଉଣୀ ଥିଲା ମୁଖ୍ୟ କାର୍ପଟଦାର। ଭାଇ ବାହାଘରରେ ଭଉଣୀ ରହୁଥିଲା ସାକ୍ଷୀ। ଭାଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ ବୁଲି ନୂଆନୂଆ ମହିଳାଙ୍କୁ ବିବାହ କରୁଥିଲା, ଭଉଣୀ ନେଉଥିଲେ ନଣନ୍ଦ ପୁଟୁଳି। କାହାଠାରୁ ସୁନା ହାର ତ ଆଉ କାହାଠାରୁ ହୀରାମୁଦି ନଣଦ ପୁଟୁଳିରେ ମିଳୁଥିଲା। ଏସବୁ ସୂଚନା ପାଇବା ପରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱରରୁ ଭଉଣୀକୁ ଉଠାଇ ଆଣି ମହିଳା ଥାନାରେ ଅଟକ ରଖିବା ସହ ୧୬ ଘଣ୍ଟା ଧରି ଜେରା କରିଛନ୍ତି ତଦନ୍ତକାରୀ ଟିମ୍‍।

ଏମିତିକି ରମେଶ ଓ ତାଙ୍କ ଭଉଣୀକୁ ମୁହାଁମୁହିଁ ଜେରା କରୁଛି ପୁଲିସ।  ରମେଶର ୫ଦିନିଆ ରିମାଣ୍ଡର ଗତକାଲି ଚତୁର୍ଥ ଦିନରେ ମାରାଥନ୍‍ ଜେରା କରିଛି ତଦନ୍ତକାରୀ ଟିମ୍‍। ଗଠନ କରାଯାଇଥିବା ୮ଜଣିଆ ଟିମ୍‍ ତାଙ୍କୁ ଜେରା କରିବା ସହ ଆର୍ଥିକ ଖୋଳତାଡ଼ ବିଷୟରେ ପଚରାଉଚରା କରାଯାଉଛି ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଅନ୍ୟପଟେ ଆଜି ଠକ ରମେଶର ଖୁଣ୍ଟୁଣିରେ  ଥିବା ଫାର୍ମ ହାଉସରେ ପୁଲିସ ରେଡ କରିଛି। ଆନ୍ଦ୍ର ବ୍ୟବସାୟୀଙ୍କଠୁ  ଆଣିଥିବା ଚାରା ଫାର୍ମ ହାଉସରେ ଲଗାଇଥିଲେ ରମେଶ। ୩୦ ଏକର ଉର୍ଦ୍ଧ୍ବ ଜମିରେ ଥିବା ଫାର୍ମ ହାଉସକୁ ବି ପୁଲିସ ସିଲ୍‌ କରିବ ବୋଲି ଜଣାପଡିଛି।

ଅନ୍ୟପଟେ ଆଜି ନକଲି ଡାକ୍ତର ରମେଶ ସ୍ବାଇଁ ନାମରେ ଆଉ ଏକ ସଙ୍ଗିନ ଅଭିଯୋଗ ଆସିଛି। ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ୱାଇଁ  କିଡ୍ନୀ ଚୋରିର ଅଭିଯୋଗ ଆସିଛି। କାମାକ୍ଷାନଗରର ନିଜ ଘରେ ଥିବା ଏକ ଅଣ୍ଡର ଗ୍ରାଉଣ୍ଡ  ଘରେ କରୁଥିଲେ ଏ ସବୁ ର କଳାକାରନାମା। ରମେଶ ସ୍ୱାଇଁ ୧୯୯୦ ରୁ ୨୦୧୦ ଯାଏ କାମାକ୍ଷାନଗରରେ କ୍ଲିନିକ କରି ଚଳାଇଥିଲେ ରାଜୁତି। ୧୯୯୦ ମସିହାରେ କେନ୍ଦ୍ରାପଡା ରୁ କାମାକ୍ଷାନଗରକୁ ଆସି ଭଡାରେ ରହି ଏକ ବେଆଇନ କ୍ଲିନିକ୍ କରି ଚିକିତ୍ସା କରି ସାଧାରଣ ଲୋକଙ୍କୁ ଲୁଟୁଥିଲେ । ଚିକିତ୍ସା ସମୟରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୁଖ୍ୟତ ପେଟ ଜନିତ ରୋଗର ଚିକିତ୍ସା କରୁଥିଲେ ନକଲି ଡାକ୍ତର ରମେଶ ସ୍ବାଇଁ। କାମାକ୍ଷାନଗର ଅନନ୍ତପୁର ଠାରେ ୧୯୯୫ ମସିହାରେ ଜାଗା କିଣି ଘର କରିଥିଲେ। ଏଠାରେ ସ୍ତ୍ରୀ ଓ ୩ ପିଲା ସହ କ୍ଲିନିକ୍ ଏକ୍ସେରେ ଅପରେଟର ମଧ୍ୟ ରହୁଥିଲେ। ଏବେ ଏହି ଘରେ କେବଳ ଏକ୍ସେରେ କର୍ମଚାରି ଛଡା ପରିବାରର ଅନ୍ୟ କୌଣସି ସଦସ୍ୟ ରହୁ ନାହାଁନ୍ତି।

ସେହିପରି ରମେଶ ବିରୋଧରେ ପ୍ରତିଦିନ ନୂଆ ନୂଆ ମାମଲା ରୁଜୁ ହେଉଛି । ନକଲି ରସିକ ଡାକ୍ତରଙ୍କ ଘରେ କମିଶନରେଟ୍ ପୁଲିସ ଚଢାଉ କରିଛି । ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ରେ ଥିବା ରମେଶଙ୍କ ଘରୁ ୧୫ଟି ବ୍ୟାଙ୍କର ପାସବୁକ୍ ସ୍ଵତନ୍ତ୍ର ଟିମ୍ ଜବତ କରିଛି । ଏଥିସହିତ କଲିକତାରୁ ଠକେଇ କରି ଆଣିଥିବା ୬ଟି ଅଣ୍ଡାରୁ ଛୁଆ ବାହାରୁଥିବା ମେସିନ ଜବତ କରାଯାଇଛି । ସ୍ଵତନ୍ତ୍ର ଟିମ୍ ରମେଶର ଭିଣୋଇ ଗଣେଶଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ହେଲେ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଛି ।

ଠକ ଡାକ୍ତର ରମେଶଙ୍କର ଆସି ୫ ଦିନିଆ ରିମାଣ୍ଡ ସରୁଥିବା ବେଳେ ପୁଲିସ ପୁଣି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାପଡିଛି। ରମେଶର ଠକେଇର ସିଣ୍ଡିକେଟ୍‍ରେ ପୂରା ପରିବାର। ବୌଦ୍ଧ ଠାରୁ; ଜଗତସିଂହପୁର, ଦିଲ୍ଲୀ ଠାରୁ କୋଲକାତା। ଯୁଆଡ଼େ ଦେଖିବ ରମେଶ ଠକେଇ କଳାସାମ୍ରାଜ୍ୟ ଲମ୍ବିଛି। ବିବାହ ଓ ସମ୍ପର୍କ ନିଶା କମ୍‍। କିନ୍ତୁ ଅର୍ଥ ଠକେଇ ଥିଲା ରମେଶ ମୁଖ୍ୟ ଉଦ୍ଦେଶ୍ୟ। କେଉଁଠି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଉପ-ନିର୍ଦ୍ଦେଶକର ପରିଚୟ ତ ଆଉ କେଉଁଠି କୃଷି ବିଭାଗର ଅଧିକାର କହି ଠକେଇ କରିଛନ୍ତି। ଏଭଳି ଭାବେ ୭ପ୍ରକାରର ପରିଚୟ ଦେଇ କୋଟି କୋଟି ଟଙ୍କା ଚୂନ ଲଗାଇଛି ଠକର ବାଦ୍‍ଶାହା ରମେଶ। ୫ଦିନିଆ ରିମାଣ୍ଡରେ ଆସିଥିବା ରମେଶ ପୁଲିସକୁ ସହଯୋଗ କରୁନି। ପୁଲିସ ପ୍ରଶ୍ନର ଉତ୍ତର ନ ଦେଇ ଭ୍ରମିତ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ତେବେ ୫ଦିନିଆ ରିମାଣ୍ଡର ଅବଧି ଆଜି ସରିଯାଉଛି। କିନ୍ତୁ ଜେରା ପରେ ପୁଲିସ ହାତରେ ଆଉ ଅନେକ ସୁରାକ୍‍ ଲାଗିଛି। ତେଣୁ ତାକୁ ଆଉ ଥରେ ୫ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.