ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାବଧାନ ରାଜଧାନୀର ନିଶା ବେପାରୀ : କାରବାର ବେଳେ ଧରାପଡ଼ିଲେ ସମ୍ପତ୍ତି ବାଜ୍ୟାପ୍ତି ସହ କରାଯିବ ତଡ଼ିପାର

ଭୁବନେଶ୍ୱର : ରାଜଧାନୀରେ ନିଶା କାରବାର କଲେ ଆଉ ନିସ୍ତାର ନାହିଁ। ଏସ୍‍ଟିଏଫ ଭଳି କମିସନ୍‍ରେଟ୍‍ ପୁଲିସ ମଧ୍ୟ ଆକ୍ସନ୍‍ମୁଡ୍‍କୁ ଆସିଛି। ଯେଉଁମାନେ ବ୍ରାଉନ୍‍ସୁଗର କାରବାର କରୁଛନ୍ତି ସେମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ପୁଲିସ ଆଉ ଆଗ ଭଳି ମାମଲା ରୁଜୁକରି ଗିରଫ କରିବ ନାହିଁ। ଏଥର ନିଶା ମାଫିଆଙ୍କ ଆର୍ଥିକ କାରବାର ନେଇ ହେବ ଖୋଳତାଡ଼। ଆବଶ୍ୟକ ପଡ଼ିଲେ ଏନ୍‍ଡିପିଏସ୍‍ ଆକ୍ଟ ବଳରେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି କମିସନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ରାଜଧାନୀରେ ଥିବା ୨୫ଜଣ ନିଶା ମାଫିଆଙ୍କୁ ସ୍କାନରରେ ରଖିଛି କମିସନରେଟ୍‍ ପୁଲିସ। ସେମାନେ କୁଆଡ଼େ ଯାଉଛନ୍ତି, କ’ଣ କରୁଛନ୍ତି; ସବୁ କିଛି ଏବେ ପୁଲିସ ନଜରରେ। ଯଦି ସେମାନେ ବ୍ରାଉନ୍‍ସୁଗର କାରବାର କରୁଥିବା ନେଇ ପ୍ରମାଣ ମିଳିବ ପୁଲିସ ସେମାନଙ୍କୁ ତୁରନ୍ତ ଗିରଫ କରିବ। ବର୍ତ୍ତମାନ ସୁଦ୍ଧାର ଏସ୍‍ଟିଏଫ ୪ଜଣଙ୍କ ସମ୍ପତ୍ତି ଜବତ କରିଛି। ସେହିଭଳି ଖୋର୍ଦ୍ଧା ପୁଲିସ ମଧ୍ୟ ଜଣେ ନିଶା ମାଫିଆର ସମ୍ପତ୍ତି ବାଜ୍ୟାପ୍ତି କରିଛି। ତେଣୁ କମିସନରେଟ୍‍ ପୁଲିସ ମଧ୍ୟ ନିଶା ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ବର୍ତ୍ତମାନ ଟ୍ୱିନ୍‍ସିଟିରୁ ଗତବର୍ଷ ଠାରୁ ୧୩ କେଜିରୁ ଊର୍ଦ୍ଧ୍ବ ବ୍ରାଉନ୍‍ସୁଗର ଜବତ ହେବା ସହ ୧୮୦ ଜଣ ପୁଲିସ ଦ୍ୱାରା ଗିରଫ ହେଲେଣି। ରାଜଧାନୀରୁ ଗତବର୍ଷରୁ ବର୍ତ୍ତମାନ ସୁଦ୍ଧା ୮କେଜି ବ୍ରାଉନ୍‍ସୁଗର ଜବତ ସହ ୩୦ ଜଣଙ୍କୁ ଗିରଫ କରାଗଲାଣି। ତେଣୁ ପୁଲିସ ହ୍ୱାଇଟ୍‍ ସ୍ପାଇଡର ଡ୍ରାଇଭ ଦ୍ୱାରା ଏହା ସମ୍ଭବ ହୋଇଛି।

ବ୍ରାଉନ୍‍ସୁଗର କାରବାର ଟଙ୍କାରେ ଯେଉଁମାନେ ବିଭିନ୍ନ ବ୍ୟବସାୟ କରୁଛନ୍ତି ସେଥିରେ ମଧ୍ୟ ପୁଲିସ ତାଲା ପକାଇବ। ଗିରଫ ହୋଇଥିବା ୧୨ ଜଣ ନିଶା ମାଫିଆଙ୍କ ସମ୍ପତ୍ତି ଏବେ ପୁଲିସ ଯାଞ୍ଚ କରୁଛି। ରାଜଧାନୀ ଉପକଣ୍ଠରେ ଏବେ ଅଧିକ ମାତ୍ରାରେ ନିଶା କାରବାର ହେଉଥିବା ଜଣାପଡ଼ିଛି। ବିଶେଷକରି ଉପକଣ୍ଠରେ ଜନବସତିଠାରୁ ଦୂରରେ ଥିବା ବିଭିନ୍ନ ହୋଟେଲ୍‍ରେ ବ୍ରାଉନ୍‍ସୁଗର ପାର୍ଟି କରାଯାଉଛି। ଏଠାକୁ ପ୍ରତି ସପ୍ତାହରେ ହାଇଫାଇ ଲୋକ ଯାଇ ପାର୍ଟି କରୁଛନ୍ତି। ଏହା ପୂରା ସିକ୍ରେଟ୍‍ରେ କରାଯାଉଛି।

ସଜା ପାଇଁ ପୁଲିସ ନେବ ପଦକ୍ଷେପ

ଅନେକ ସମୟରେ ବ୍ରାଉନ୍‍ସୁଗାର ମାଫିଆ ପ୍ରମାଣ ଅଭାବରୁ ଜେଲ୍‍ରୁ ଜାମିନ୍‍ରେ ସହଜରେ ବାହାରି ଯାଆନ୍ତି। ଏହାର ମୁଖ୍ୟ କାରଣ ହେଲା ଜବତ ବ୍ରାଉନ୍‍ସୁଗରର ଗୁଣବତ୍ତାକୁ ନେଇ ଅଭିଯୁକ୍ତକୁ ସଜା ହୋଇଥାଏ। ଜବତ ବ୍ରାଉନ୍‍ସୁଗରରେ କେତେ ପରିମାଣ ଅସଲି ରହିଛି। କିନ୍ତୁ ଅନେକ ସମୟରେ ପରୀକ୍ଷା ସମୟରେ ବ୍ରାଉନ୍‍ସୁଗରର ଗୁଣବତ୍ତା ନଷ୍ଟ ହୋଇ ଯାଇଥାଏ। ଯେଉଁଥି ପାଇଁ ସହଜରେ ନିଶା ମାଫିଆ ଜାମିନ୍‍ରେ ବାହାରକୁ ଆସିଥାଏ। କିନ୍ତୁ ଏବେ ପୁଲିସ ଜବତ ବ୍ରାଉନ୍‍ସୁଗରକୁ ପରୀକ୍ଷା ବେଳେ କଡ଼ା କଡ଼ି ନୀରକ୍ଷଣ କରାଯିବ। ଏଥିରେ ଯେପରି କୌଣସି ଗଡ଼ବଡ଼ ନ ହେବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ତଡ଼ିପାର ହେବେ ନିଶା ମାଫିଆ

ପୁଲିସ ଏବେ ପେଶାଦାର ନିଶା ମାଫିଆଙ୍କ ତାଲିକା କରିଛି। ସେମାନଙ୍କୁ ବାରମ୍ବାର ଗିରଫ କରିବା ପରେ ସେମାନେ ଜେଲ୍‍ରୁ ବାହାରି ପୁଣି ନିଶା କାରବାର କରୁଛନ୍ତି। ତେଣୁ ଏହି ନିଶା ମାଫିଆଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେମାନଙ୍କ ବିରୋଧରେ ୧୧୦ ଲଗାଇବା ସହ ତଡ଼ିପାର କରାଯିବ।

Leave A Reply

Your email address will not be published.