ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମିଶନସକ୍ତିର ନିଆରା ପ୍ରୟାସ, ଏଣିକି ବିୟୁଟି ପାର୍ଲର ପ୍ରଶିକ୍ଷଣ ପାଇବେ ଗ୍ରାମାଞ୍ଚଳ ମହିଳା

କେନ୍ଦ୍ରାପଡା : ଏଣିକି ଗ୍ରାମାଞ୍ଚଳ ମହିଳା ଓ ଯୁବତୀ ଆଉ ଦରିଦ୍ରତାର ଶିକାର ହେବେନି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇବେ । ଆଉ ମହିଳା ଓ ଯୁବତୀ ଘରୋଇ ବନ୍ଧନର ଶିକାର ହେବେନି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଜ ପରିବାରକୁ ରୋଜଗାର କରେଇବାକୁ ବାଟ ଦେଖାଇବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ କେନ୍ଦ୍ରାପଡାରେ ଆରମ୍ଭ ହେବାକୁ ଯାଉଛି ବିୟୁଟି ପାର୍ଲର ନେଇ ଗ୍ରାମାଞ୍ଚଳର ଯୁବତୀ ଓ ମହିଳାଙ୍କୁ ପ୍ରଶିକ୍ଷଣ । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ଯୁବତୀ ଓ ମହିଳାମାନଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୮୦ ଜଣ ମହିଳାଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବ । ଏହାଛଡା ପ୍ରଶିକ୍ଷଣ ଶେଷ ହେବା ପରେ ସେମାନଙ୍କୁ ବିଭିନ୍ନ ବଜାରରେ ବିୟୁଟି ପାର୍ଲର ଦୋକାନ ଖୋଲିବାକୁ ମିଶନ ଶକ୍ତି ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଅମ୍ରିତି ଋତୁରାଜ କହିଛନ୍ତି । ଏହାଛଡ଼ା ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ବିୟୁଟି ପାର୍ଲର କରିବାକୁ ଯିଏ କେହି ଚାହିଁବେ ତେବେ ସେମାନଙ୍କୁ ବିନା ସୁଧରେ ବିଭାଗ ପକ୍ଷରୁ ଋଣ ଯୋଗାଇଦେବାର ବ୍ୟବସ୍ଥା ହୋଇଛି । ବିଶେଷ ଭାବରେ ଗ୍ରାମାଞ୍ଚଳର ମହିଳା ଓ ଯୁବତୀମାନଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବାକୁ ଯୋଜନା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ପ୍ରଶିକ୍ଷଣରେ ହେୟାର ଷ୍ଟାଇଲିଂ, ତ୍ୱଚାର ଯତ୍ନ,ମେକଅପ, ନଖ ଯତ୍ନ, ସୁନ୍ଦରତା ପାଇଁ ଖାଦ୍ୟ ବ୍ୟବସ୍ଥା ବା ପୋଷଣ ତତ୍ତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହାଛଡା ଗ୍ରାହକଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରଶିକ୍ଷଣରେ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.