ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜୁ ପକ୍କା ଘର ଲୋଗୋକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ : ଗୃହ ନ ଯୋଗାଇ ବିଜେପି ସାଂସଦ ଦିଲ୍ଲୀରେ ରାଜନୀତି କରୁଛନ୍ତି

ଭୁବନେଶ୍ବର :  ଗ୍ରାମୀଣ ଗୃହ ନିର୍ମାଣ ନେଇ କେନ୍ଦ୍ର ସରକାର ଏବଂ ବିଜେପି ସାଂସଦଙ୍କ ଉପରେ ବର୍ଷିଲା ବିଜେଡି। କିନ୍ତୁ ବିଜେପି ସାଂସଦ ମାନେ ରାଜନୈତିକ ଫାଇଦା ପାଇଁ ଓଡିଶାବାସୀଙ୍କ ସ୍ବାର୍ଥକୁ ପଛରେ ପକେଇ ଦେଇଛନ୍ତି।  ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିର୍ପଯ୍ୟୟର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ସବୁ ଲୋକଙ୍କୁ ଗୃହ ଯୋଗାଇବା ଜରୁରୀ ହୋଇଥିବା ବେଳେ କିପରି ରାଜ୍ୟବାସୀ ପକ୍କା ଗୃହ ପାଇବେ ତାହା ନ ଯୋଗାଇ ବିଜେପି ସାଂସଦ ଦିଲ୍ଲୀରେ ରାଜନୀତି କରୁଛନ୍ତି।  ରାଜ୍ୟ ସ୍ୱାର୍ଥକୁ ଚେକ୍ ଦେବା ପାଇଁ ଦିଲ୍ଲୀ ଦରବାର ଯାଇଛନ୍ତି ବୋଲି କହିଛି ବିଜେଡି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କ ଚିଠି ପରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଏବଂ ଓଡିଶାର ବିଜେପି ସାଂସଦମାନଙ୍କ ବିରୋଧରେ ବର୍ଷିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ବ୍ୟୋମକେଶ କହିଛନ୍ତି   ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଏକବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରିଛନ୍ତି । ୩ଶହ ଗାଁର ଅନିୟମିତତା ଦର୍ଶାଇ ସାଢ଼େ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛନ୍ତି । ଏହି ଯୋଜନାରେ ୩୦ ହଜାର ଗାଁ ଲୋକ ଉପକୃତ ହେଉଥିଲେ ।

ବ୍ୟୋମକେଶ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୯୦ ପ୍ରତିଶତ ଏବଂ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିଲେ । ପରେ ଏହାକୁ କେନ୍ଦ୍ର ସରକାର ୬୦:୪୦ କଲେ । ଓଡ଼ିଶାବାସୀ ବର୍ତ୍ତମାନ ୫୦ ପ୍ରତିଶତ ସେୟାର ବହନ କରୁଛନ୍ତି । ତେଣୁ ଏହି ଯୋଜନାରେ ବିଜୁ ପକ୍କାଘରର ଲୋଗୋ ରହିଲେ ଅସୁବିଧା  କେଉଁଠି ରହିଲା। ଏଥି ସହିତ ୨୦୧୧,୧୨,୧୩,୧୪ ମସିହାରେ ଗୁଜରାଟ ଏବଂ ମଧ୍ୟପ୍ରଦେଶର ତତ୍କାଳୀନ ସରକାର ଗ୍ରାମୀଣ ଆବାସ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ନିଜସ୍ୱ ଲୋଗ ବ୍ୟବହାର କରୁଥିଲେ। ତେବେ ଓଡିଶା ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ସେହିପରି ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶଧନ ଅଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି ଅର୍ଥ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ ହେଉଛି । ଗ୍ରାମୀଣ ଗୃହ ନିର୍ମାଣରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲା । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧୁକାର କରିଛି । ଓଡ଼ିଶା ୫ ବର୍ଷ ଭିତରେ ୧୫,୭୩,୦୦୦ ଗୃହ ନିର୍ମାଣ କରିଛି । ଏହି ବାବଦରେ କେନ୍ଦ୍ର ସରକାର ପ୍ରାୟ ୧୨ ହଜାର ୯୨୮ କୋଟି ଖର୍ଚ୍ଚ ହୋଇଥିଲାବେଳେ ରାଜ୍ୟର ପ୍ରାୟ ୮ ହଜାର ୫ ଶହ ୧୮ କୋଟି ଖର୍ଚ୍ଚ ହୋଇଛି ।

ଏଥିସହିତ ଓଡ଼ିଶା ଗତ ୫ବର୍ଷରେ ୧୫ଲକ୍ଷ ୭୩ହଜାର ଘର କରିଥିବା ବେଳେ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ୧୪ଲକ୍ଷ ଗୃହ ନିର୍ମାଣ ପୂରଣ କରୁନାହାନ୍ତି କାହିଁକି ? ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିର୍ପଯ୍ୟୟର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ସବୁ ଲୋକଙ୍କୁ ଗୃହ ଯୋଗାଇବା ଜରୁରୀ । ଗୃହ ନ ଯୋଗାଇ ବିଜେପି ସାଂସଦ ଦିଲ୍ଲୀରେ ରାଜନୀତି କରୁଛନ୍ତି । ରାଜ୍ୟ ସ୍ୱାର୍ଥକୁ ଚେକ୍ ଦେବା ପାଇଁ ଦିଲ୍ଲୀ ଦରବାର ଯାଇଛନ୍ତି । ଗୃହ ନିର୍ମାଣ ନେଇ ରାଜ୍ୟ ବିଜେପି କେନ୍ଦ୍ରରେ ସ୍ୱର ଉତ୍ତୋଳନ କରୁନି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି।

 

Leave A Reply

Your email address will not be published.