ଗାଡିର ଟାୟର ଫାଟି ଦୁର୍ଘଟଣା ହେଲେ କ୍ଷତି ପୂରଣ ଦେବ ବୀମା କମ୍ପାନୀ

ମୁମ୍ବଇ : ଏକ ବୀମା କମ୍ପାନୀକୁ ବମ୍ବେ ହାଇକୋର୍ଟ ବଡ଼ ଝଟ୍କା ଦେଇଛନ୍ତି। ଟାୟାରା ଫାଟିବା ‘ଇଶ୍ବରକୃତ’ ନୁହେଁ, ବରଂ ଏହା ମନୁଷ୍ୟକୃତ ଅବହେଳା ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଏହାକୁ ‘ଇଶ୍ବରକୃତ’ କହି କ୍ଷତିପୂରଣ ଦେବାକୁ ମନା କରିଦେଇଥିଲା। ଜଷ୍ଟିସ ଏସ୍ଜି ଡିଗେଙ୍କ ଏକକ ଖଣ୍ଡପୀଠ କହିଥିଲେ ଯେ ଗମ୍ଭୀର ଏବଂ ଅପ୍ରତ୍ୟାଶିତ ପ୍ରାକୃତିକ ଘଟଣା ଇଶ୍ବରକୃତ ହୋଇଥାଏ। ଏଥିପାଇଁ ମନୁଷ୍ୟ ଦାୟୀ ନୁହେଁ। ଦ୍ରୁତଗତିରେ ଗଲେ, ଟାୟାରରେ ପ୍ରେସର ନ ଥିଲେ କିମ୍ବା ଅଧିକ ଥିଲେ, ତାପମାତ୍ରା ଅଧିକ ହେଲେ, ପୁରୁଣା ଟାୟାର ହୋଇଥିଲେ ଏପରି ଘଟଣା ଘଟିପାରେ। ଏଥିପାଇଁ ମଣିଷର ଅବହେଳା ଦାୟୀ। ଗାଡ଼ି ଚଲାଇବା ପୂର୍ବରୁ ଡ୍ରାଇଭରଙ୍କୁ ଟାୟାରର ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ରହିଛି। ତେଣୁ ଏହାକୁ ଇଶ୍ବରକୃତ କହି କ୍ଷତିପୂରଣ ପ୍ରଦାନ କରିବାକୁ କମ୍ପାନୀ ମନା କରିପାରିବ ନାହିଁ ।
ସୂଚନା ଅନୁଯାୟୀ ୨୦୧୦ ଅକ୍ଟୋବରରେ ମକରନ୍ଦ ପଟବର୍ଦ୍ଧନ ନିଜର ଦୁଇ ବନ୍ଧୁଙ୍କ ସହ କାର୍ରେ ପୁଣେ ଯାଉଥିଲେ। ଏହି ସମୟରେ ପଛ ଟାୟାର ଫାଟିଯିବାରୁ କାର୍ ଏକ ଖାଇକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ମକରନ୍ଦଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପାଖରେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀର ବୀମା ଥିଲା। ତାଙ୍କ ପରିବାର କ୍ଷତିପୂରଣ ପାଇଁ ଆବେଦନ କରିଥିଲେ। ତେବେ କମ୍ପାନୀ ଏଥିପାଇଁ ମନା କରିଦେଇଥିଲା। ପରେ ପରିବାର ସଦସ୍ୟ ‘ମୋଟର ଦୁର୍ଘଟଣା ଦାବି ପ୍ରାଧିକରଣଙ୍କ’ ଦ୍ବାରସ୍ଥ ହୋଇଥିଲେ। ପ୍ରାଧିକରଣ କହିଥିଲେ ଯେ ମକରନ୍ଦ ପରିବାରର ଏକାକୀ ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ମକରନ୍ଦଙ୍କ ପରିବାରକୁ ୧.୨୫ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କମ୍ପାନୀ ଏହି ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲା। ତେବେ ଜଷ୍ଟିସ ଏସଜି ଡିଗେ ଏହି ଆବେଦନକୁ ଖାରଜ କରିଦେଇଥିଲେ।