ଇତିହାସ ରଚିଲା ଭାରତ, ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ କଲା ପ୍ରବେଶ

ନୂଆଦିଲ୍ଲୀ : ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଟିମ୍ ଇଣ୍ଡିଆ।ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର୍-ଗାଭାସ୍କର୍ ଟ୍ରଫିର ଚତୁର୍ଥ ତଥା ଶେଷ ମ୍ୟାଚ୍ରେ ଶେଷ ନହେଉଣୁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିଯାଇଛି। ବାସ୍ତବରେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ଦେଇଛି ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ।ପୂର୍ବରୁ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇ ସାରିଛି । ଆସନ୍ତା ଜୁନ୍ ୭ରୁ ୧୧ ଯାଏଁ ଲଣ୍ଡନର ଦ ଓଭାଲ ମୈଦାନରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ପାଇଁ ଗୋଟିଏ ଦିନ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଗତବର୍ଷ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଭାରତକୁ ମାତ୍ ଦେଇ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଟାଇଟଲ ହାତେଇଥିଲା ।
With Sri Lanka's defeat to New Zealand, Rohit Sharma's men cannot drop below second position. #WTC23
— ICC (@ICC) March 13, 2023
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର୍-ଗାଭାସ୍କର୍ ଟ୍ରଫିର ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ସମୀକରଣକୁ ରୋଚକ କରିଥିଲା । ଭାରତର ଫାଇନାଲ ଟିକେଟ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା । ତେବେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ଭାରତର ଫାଇନାଲ ରାସ୍ତାକୁ ପକ୍କା କରିଛି । କାରଣ ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ସିଧାସଳଖ ଫାଇନାଲ ଟିକେଟ ହାତେଇଥିବା ବେଳେ ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ କ୍ଲିନସୁଇପ କଲେ ଫାଇନାଲ ଟିକେଟ ମିଳିଥାନ୍ତା । କିନ୍ତୁ ପ୍ରଥମ ମ୍ୟାଚରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ରେସରୁ ବାଦ୍ ପଡିଛି ଶ୍ରୀଲଙ୍କା ।
ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ସମୀକରଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ଅଧିନାୟକତ୍ବରେ ୨୦୨୧ରେ ଭାରତ ‘ଡବ୍ଲୁଟିସି’କୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲା, କିନ୍ତୁ ଚୂଡ଼ାନ୍ତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା।