ସମୁଦ୍ରରେ ବଳୀୟାନ ହେବ ଭାରତୀୟ ନୌସେନା : ଯୁଦ୍ଧପୋତରେ ସାମିଲ ହେବ ୨୦୦ ବ୍ରହ୍ମୋସ୍

ନୂଆଦିଲ୍ଲୀ : ସମୁଦ୍ର ଭିତରେ ଆହୁରି ବଳୀୟାନ ହେବ ଭାରତୀୟ ନୌସେନା। ଶତ୍ରୁପକ୍ଷକୁ ଠିକଣା ଜବାବ ଦେବା ଲାଗି ନୌସେନା ନିକଟରେ ଯେଉଁ ସାମର୍ଥ୍ୟ ଥିଲା ତାହାକୁ ବହୁଗୁଣିତ କରାଯିବ। ବିଶେଷକରି ଶତ୍ରୁପକ୍ଷକୁ ମୁକାବିଲା କରିବା ଦିଗରେ ଯୁଦ୍ଧ ଜାହାଜଗୁଡିକର ଆକ୍ରମଣ କରିବାର କ୍ଷମତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ସେଗୁଡିକରେ ୨୦୦ ସୁପରସୋନିକ କ୍ରୁଇଜ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମୁତୟନ କରାଯିବ। ଏଭଳି ନିଷ୍ପତ୍ତି ପ୍ରତିରକ୍ଷା ବିଭାଗ ନେଇ ସାରିଥିବା ବେଳେ ନୌସେନା ବିଭାଗ ପକ୍ଷରୁ ଏହି ପରିମାଣର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କ୍ରୟ ଲାଗି ଖୁବଶୀଘ୍ର ଏହାର ନିର୍ମାଣକାରୀ ସଂସ୍ଥାକୁ କୁହାଯିବ ଜଣାପଡ଼ିଛି।
ଏଥିପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ଲକ୍ଷ୍ୟ ରଖାଯାଇଛି। ତେବେ ପ୍ରତିରକ୍ଷା ସରଞ୍ଜାମ ଅଧିଗ୍ରହଣ ପରିଷଦରେଏହି ପ୍ରସଙ୍ଗରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଚୀନ ଏବଂ ପାକିସ୍ତାନ ଭଳି ଶତ୍ରୁ ରାଷ୍ଟ୍ରଙ୍କ ଅାଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି। ତେଣୁ ସମୁଦ୍ର ଭିତରେ ଶତ୍ରୁପକ୍ଷ ଉପରେ ଆକ୍ରମଣ ଲାଗି ଯୁଦ୍ଧ ଜାହାଜଗୁଡିକରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମୁତୟନ ନୌସେନା ପାଇଁ ଅପରିହାର୍ଯ୍ୟ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ,ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା। ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ(ଡିଆରଡିଓ) ଦ୍ବାରା ବିକଶିତ ବ୍ରହ୍ମୋସ୍ର ସର୍ବଶେଷ ମଡେଲର ପରୀକ୍ଷଣ ଶେଷ ହୋଇସାରିଥିଲା ବେଳେ କୋଲକାତା ଶ୍ରେଣୀ ବିଧ୍ବଂସକାରୀ ଯୁଦ୍ଧପୋତରୁ ଏହାର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ରର ସଫଳତାକୁ ନେଇ ଭାରତୀୟ ପ୍ରତିରକ୍ଷା ବିଜ୍ଞାନୀମାନଙ୍କୁ ଯେତିକି ଶ୍ରେୟ ମିଳିଛି ବିଦେଶରେ ଦିନକୁ ଦିନ ବ୍ରହ୍ମୋସ୍ର ଚାହିଦା ବୃଦ୍ଧି ଏହାର ନିର୍ମାଣକାରୀ ସଂସ୍ଥା ‘ ବ୍ରହ୍ମୋସ୍ ଏରୋସ୍ପେଶ୍’କୁ ମଧ୍ୟ ସେତିକି ଉତ୍ସାହିତ କରିଛି। ବର୍ତ୍ତମାନ ଭାରତୀୟ ନୌସେନାରେ ୨୦୦ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମୁତୟନ କରାଯିବା ନିଷ୍ପତ୍ତି ‘ବ୍ରହ୍ମୋସ୍ ଏରୋସ୍ପେଶ୍’ ପାଇଁ ଆଉ ଏକ ସଫଳତା ହେବ। ଏହାବ୍ୟତୀତ ଅନ୍ୟ କିଛି ବିଦେଶୀ ରାଷ୍ଟ୍ର ଏହି କ୍ଷେପଣାସ୍ତ୍ର ଭାରତ ଠାରୁ କ୍ରୟ କରିବାକୁ ନିଷ୍ପତ୍ତି ନେଇଥÒବାରୁ ଏହି ସଂସ୍ଥାକୁ ଆଗାମୀ ଦିନରେ ମଧ୍ୟ ଆହୁରି ପ୍ରୋତ୍ସାହନ ମିଳିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମୋସ୍ ଏରୋସ୍ପେଶ୍ ହେଉଛି ଭାରତ ଏବଂ ରୁଷିଆ ସରକାରଙ୍କ ଏକ ଯୌଥ ଉଦ୍ୟୋଗ। ଏହାର ମୁଖ୍ୟାଳୟ ଦିଲ୍ଲୀରେ ରହିଛି।