ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏବର୍ଷ ଏକକ ପ୍ରବେଶିକା ଆଧାରରେ ହେବନି ସ୍ନାତକ ନାମଲେଖା !

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ସ୍ନାତକ ନାମଲେଖା ଏକକ ୟୁଜି ପ୍ରବେଶିକା ଆଧାରରେ ହେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଚଳିତ ବର୍ଷ ଠାରୁ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ହୋଇପାରିନି। ଆସନ୍ତା ବର୍ଷରୁ ଏହାକୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଲାଗୁ କରିବା ପାଇଁ ୟୁଜିସି ଯୋଜନା କରୁଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ ବିଚାରବିମର୍ଶ କରୁଛି।

ପୂର୍ବରୁ ଛାତ୍ରଛାତ୍ରୀଙ୍କ ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେଉଥିଲା। ନାମଲେଖାରେ ମାର୍କକୁ ନେଇ ବିଭିନ୍ନତା ଦେଖା ଦେଉଥିଲା। ଏକକ ପ୍ରବେଶିକା ପରୀକ୍ଷା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ସମାନ ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଏକକ ପ୍ରବେଶିକା ପରୀକ୍ଷା ଦ୍ୱାରା ସେମାନେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ। ଏକକ ପ୍ରବେଶିକାର ମାର୍କକୁ ଅନ୍ୟ ବିଶ୍ୱବିଦ୍ୟାଳୟ ନାମଲେଖା ପାଇଁ ଗ୍ରହଣ କରିବାକୁ ୟୁଜିସି ବିଜ୍ଞପ୍ତିରେ ଉଲ୍ଲେଖ କରିଛି।

ଆସନ୍ତା (୨୦୨୨-୨୩)ଶିକ୍ଷାବର୍ଷରୁ ପ୍ରବେଶିକା ଆଧାରରେ ପିଲାଙ୍କ +୩ ନାମଲେଖା ପାଇଁ ୟୁଜିସି ବିଜ୍ଞପ୍ତିରେ ଦର୍ଶାଇଛି। ତେବେ ଏ ସମ୍ପର୍କରେ ଶିକ୍ଷାବିତ୍‍ ଡ. ସୁବାସ ପାତ୍ରଙ୍କ କହିବା ଅନୁଯାୟୀ ୟୁଜିସି ଆୟୋଜନ କରିବାକୁ ଥିବା ସିୟୁଇଟି(ଏକକ ୟୁଜି ପ୍ରବେଶିକା) ଏନ୍‍ସିଇଆରଟି ସିଲାବସ୍‍ ଦ୍ୱାରା ତ୍ୱରାନ୍ୱିତ ହେବ। ଅର୍ଥାତ ଏହି ପ୍ରବେଶିକା ଦେବାକୁ ଥିବା ଛାତ୍ରଛାତ୍ରୀ ଏନ୍‍ସିଇଆରଟି ଅନୁମୋଦିତ ବହି ଦ୍ୱାରା ପ୍ରସ୍ତୁତି କରିବେ। ଏଥି ପାଇଁ ପିଲାଙ୍କୁ ସ୍ୱତନ୍ତ୍ର ପ୍ରସ୍ତୁତି ଓ ପ୍ରଶିକ୍ଷଣ ମଧ୍ୟ ନେବାକୁ ହେବ। ଯାହାକି ସିବିଏସଇ ଓ ଆଇସିଏସଇ ଭଳି ବୋର୍ଡ଼ ଛାତ୍ରଛାତ୍ରୀଙ୍କୁ ଅଧିକ ସୁହାଇବ। ଅନ୍ୟ ରାଜ୍ୟ ବୋର୍ଡ଼ର ଛାତ୍ରଛାତ୍ରୀ ମଧ୍ୟ ରାଜ୍ୟ ପିଲାଙ୍କ ଅପେକ୍ଷା ଭଳ ପ୍ରଦର୍ଶନ କରିବେ। ଏକକ ପ୍ରବେଶିକା ଅଧାରରେ ନାମ ଲେଖା ହେଲେ ରାଜ୍ୟର ଅନେକ ଛାତ୍ରଛାତ୍ରୀ ମଧ୍ୟ ସିଟ ପାଇବାରୁ ବଞ୍ଚିତ ହୋଇ ପାରନ୍ତି।

ଏପରିକି ପଡ଼ୋଶୀ ରାଜ୍ୟର ପିଲା ଓଡ଼ିଶାର ପ୍ରମୁଖ କଲେଜର ସିଟ୍‍ଗୁଡ଼ିକୁ ହାତେଇବେ ବୋଲି ମତ ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାର ଏକକ ପ୍ରବେଶିକା ଆଧାରରେ ନାମ ଲେଖାଇଲେ ରାଜ୍ୟର ପିଲାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଏକକ ୟୁଜି ପ୍ରବେଶିକା ସମ୍ପର୍କରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହନ୍ତି ଏକକ ୟୁଜି ପ୍ରବେଶିକା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ମିଳିବ ଓ ଜାତୀୟ ସ୍ତରରେ ଦକ୍ଷତା ଅନୁଯାୟୀ ପ୍ରତିଦ୍ୱନ୍ଦିତା ହେବା ବୋଲି କହିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୟୁଜି ନାମଲେଖା ପୂର୍ବ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ହେବ। ତେବେ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବୈଠକ ବସିବ। ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଏକକ ୟୁଜି ପ୍ରବେଶିକା ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୬ରୁ ଆରମ୍ଭ ହୋଇଥିବାବେଳେ ମେ’ ୬ ତାରିଖ ଆବେଦନର ଶେଷ ଦିନ ରହିଛି। ପ୍ରବେଶିକା ପରୀକ୍ଷା ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ପରୀକ୍ଷା ଅନଲାଇନ ମୋଡରେ ହେବାକୁ ଏନଟିଏ ଏହାକୁ ପରିଚାଳନା କରିବ। ଜେଏନୟୁ, ଦିଲ୍ଲୀ, ପୁଡୁଚେରୀ ସମେତ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏହି ପ୍ରବେଶିକା ବାଧ୍ୟତାମୂଳକ। ତେବେ ଏକକ ପ୍ରବେଶିକା ପରୀକ୍ଷା ଲାଗି ପ୍ରଶ୍ନପତ୍ରରେ ଓଡ଼ିଆ ଭାଷା ସମେତ ମୋଟ୍‍ ୧୩ ଭାଷାରେ ପ୍ରଶ୍ନପତ୍ର ଉପଲବ୍ଧ ହେବ।

Leave A Reply

Your email address will not be published.