ନିଶା ମାଫିଆ ଅନୀଲର ୨.୩୫ କୋଟିର ସମ୍ପତ୍ତି ବାଜ୍ୟାପ୍ତ, ମାଓବାଦୀଙ୍କ ସହ ମିଶି କରୁଥିଲେ ଗଞ୍ଜେଇ ଚାଷ

ଭୁବନେଶ୍ୱର : ନିଶା ମାଫିଆ ଅନୀଲ ପାଣ୍ଡି ବିରୋଧରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ କଡା ପଦେକ୍ଷପ ଗ୍ରହଣ କରିଛି। ବେଆଇନ୍ ଉପାୟରେ ଅର୍ଜନ କରିଥିବା ୨ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛି ଏସ୍ଟିଏଫ। ଏନ୍ଡିପିଏସ୍ ଆଇନ୍ ଅନୁସାରେ କୋଲକାତାର ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୀଲ ପାଣ୍ଡିର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଗତ ୬ ବର୍ଷ ଧରି ସେ ବେଆଇନ୍ ନିଶା କାରବାର କରି ଏହି ସମ୍ପତ୍ତି ଅର୍ଜନ କରିଥିଲା ଅନୀଲ। ଗତ ମାର୍ଚ୍ଚ ୭ ତାରିଖରେ ଏସ୍ଟିଏଫ ଅନୀଲର ୨କୋଟି ୩୫ ଲକ୍ଷର ସମ୍ପତ୍ତିକୁ ଜବତ କରିବା ସହ ବାଜ୍ୟାପ୍ତି ପାଇଁ ଏନଡିପିଏସ୍ କୋଲକାତା କମ୍ପିଟେଣ୍ଟ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। କମ୍ପିଟେଣ୍ଟ ଅଧିକାରୀ ଗ୍ରୀନ୍ ସିଗ୍ନାଲ ଦେବା ପରେ ତାହାକୁ ବାଜ୍ୟାପ୍ତି କରାଯାଇଛି। ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ। ତା’ ନାଁରେ ଗୁଜରାଟରେ ୧୧ଟି ଏନ୍ଡିପିଏସ୍ ମାମଲା ରହିଛି। ଅନୀଲ ଏତେ ପରିମାଣର ବେଆଇନ୍ ସମ୍ପତ୍ତି କେଉଁଠୁ ଆଣିଲା ସେନେଇ ତଦନ୍ତ କରାଯାଇଥିଲା। ତେବେ ସେ ଗଞ୍ଜେଇ ବ୍ୟବସାୟ କରି ସେ ବିପୁଳ ସମ୍ପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ବାଜ୍ୟାପ୍ତି ସମ୍ପତ୍ତି ଭିତରେ ରହିଛି ଗୋଟିଏ ବିଳାସପୂର୍ଣ୍ଣ ସୁଇମିଂ ପୁଲ୍ ଥିବା ତିନି ମହଲା କୋଠା, ୩୩ଟି ପ୍ଲଟ୍ ଓ ବ୍ୟାଙ୍କ ଜମା। ଗତ ୬ ବର୍ଷ ମଧ୍ୟରେ ବେଆଇନ ନିଶା କାରବାରରେ ଅର୍ଜିତ ଧନରେ ସେ ଏହି ସମ୍ପତ୍ତି କିଣିଥିବା ଦର୍ଶାଯାଇଛି। ସମ୍ପତ୍ତି ଗୁଡ଼ିକ ତା ନିଜ ନାଁରେ, ଭାଇ ସୁନୀଲ କୁମାର ପାଣ୍ଡି ଓ ଅନ୍ୟମାନଙ୍କ ନାଁରେ କିଣିଥିଲା।
କେବଳ ରାଜ୍ୟରେ ନୁହଁ ରାଜ୍ୟ ବାହାରେ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ମଧ୍ୟ ସେ ବେଆଇନ ନିଶା କାରବାରରେ କାର୍ଯ୍ୟରେ ଲିପ୍ତ ରହିଛି। ଏହି ଦୁଇ ରାଜ୍ୟରେ ମଧ୍ୟ ଅନୀଲର ସମ୍ପତ୍ତି ଥିବା ଏସ୍ଟିଏଫ ସନ୍ଦେହ କରୁଛି। ୨୦୨୧ ଅଗଷ୍ଟ ୧୩ ତାରିଖରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ୍ ଜବତ ହୋଇଥିଲା। ଏହି ଚାଲାଣ ପଛରେ ଅନଲିଙ୍କ ହାତ ରହିଥିବା ଏସ୍ଟିଏଫ ତଦନ୍ତରୁ ଜାଣିବାକୁ ପାଇଥିଲା। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରା ତଦନ୍ତ କରାଯାଉଥିଲା। ହେଲେ ସେ ସବୁଥର ଏସ୍ଟିଏଫ ଏବଂ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ପୂର୍ବରୁ ଅନୀଲର ଭାଇ ସୁନିଲ ପାଣ୍ଡେକୁ ମଧ୍ୟ ଗୁଜୁରାଟ ପୋଲିସ ଗିରଫ କରିଛି। ସେ ଏବେ ଜେଲ୍ରେ ଅଛନ୍ତି। ଏହି ଦୁଇ ଭାଇଙ୍କ ସହ ଅନ୍ୟ କିଛି ଜଣ ମିଶି ଗଞ୍ଜେଇ କାରବାର କରୁଥିବାର ଅନୁମାନ କରିଛି ଏସଟିଏଫ। ଗଜପତିରୁ ଏହି ବ୍ୟବସାୟ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ନେଟୱାର୍କ ଚଳାଉଥିଲା ଅନୀଲ। ଏପରିକି ମାଓବାଦୀ ସହ ମିଶି ଗଞ୍ଜେଇ ଚାଷ କରୁଥିବା ଏସଟିଏଫ ସନ୍ଦେହ କରୁଛି। ୨୦୨୧ରୁ ଅନୀଲ ଫେରାର ହୋଇଯାଇଛି। ୨୦୨୧ ଡିସେମ୍ବର ମାସରେ ଏସ୍ଟିଏଫ ତା’ ନାମରେ ପୁରସ୍କାର ଘୋଷଣା କରିଥିଲା। ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରେ ନିଶା କାରବାର ଚଳାଇଥିବା ୩ ଜଣ ନିଶା ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଛି। ସେକ ରାଜାର ୧.୬୫ କୋଟି, ଟକଲୁ ରାଜାର୨କୋଟି ଟଙ୍କାର ସମ୍ପତ୍ତି ବଜ୍ୟାପ୍ତ କରିଛି ଏସ୍ଟିଏଫ୍।