ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୟସ୍କ ଭତ୍ତା ବୃଦ୍ଧି ଜରୁରୀ

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଦେଶର ବୁଢ଼ାବୁଢ଼ୀ, ବିଧବା, ଅକର୍ମଣ୍ୟ ବ୍ୟକ୍ତି ବିଶେଷମାନଙ୍କୁ ଯେଉଁ ସହାୟତା ରାଶି ଯୋଗାଇ ଦେଇ ଆସୁଛନ୍ତି, ତାହାର ମାସିକ ପରିମାଣ ୨୦୦ ରୁ ୫୦୦ ଟଙ୍କା ମଧ୍ୟରେ। ହିତାଧିକାରୀଙ୍କୁ ଅଶୀ ବର୍ଷ ପରେ ଏହି ସହାୟତା ରାଶି ପରିମାଣ ୭୦୦ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଆଜିକାଲିର ମହଙ୍ଗା ଯୁଗରେ ଏତେ ଅଳ୍ପ ସରକାରୀ ଭତ୍ତା ବା ପେନ୍‌‌ସନ୍‌‌ରେ ଚଳିବା କୌଣସି ବ୍ୟକ୍ତିବିଶେଷଙ୍କ ପକ୍ଷେ ସମ୍ଭବ ନୁହେଁ। ନିକଟରେ ଏକ ସଂସଦୀୟ କମିଟି ଏହି ପେନ୍‌‌ସନ୍‌‌ ସମ୍ପର୍କରେ ନିଜର ରିପୋର୍ଟ ସଂସଦରେ ଉପସ୍ଥାପନ କରିଛି। କମିଟି ପକ୍ଷରୁ ସଂକ୍ଷେପରେ କୁହାଯାଇଛି ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଏହି ଭତ୍ତା ବା ପେନ୍‌‌ସନ୍‌‌ ପରିମାଣ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ।

କମିଟି ପକ୍ଷରୁ ଆହୁରି କୁହାଯାଇଛି ଯେ ସମ୍ପୃକ୍ତ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ଏକ ସଂଶୋଧିତ ପ୍ରସ୍ତାବ ତୁରନ୍ତ କ୍ୟାବିନେଟ୍‌‌କୁ ପ୍ରଦାନ କରି ଭତ୍ତା ବା ପେନ୍‌‌ସନ୍‌‌ ପରିମାଣକୁ ବୃଦ୍ଧି କରନ୍ତୁ। ସମଗ୍ର ପ୍ରସଙ୍ଗରେ ଯଥୋଚିତ ମନୋନିବେଶ କରି ଏହାର ଯଥାର୍ଥତା ଉପଲବ୍ଧି କରିବାକୁ ସମ୍ପୃକ୍ତ ମନ୍ତ୍ରଣାଳୟକୁ କମିଟି ଏକ ପ୍ରକାର ମୃଦୁ ଭର୍ତ୍ସନା କରିଛି। ସ୍ୱୟଂ ଯେତେବେଳେ ସଂସଦୀୟ କମିଟି ଏପରି ମତାମତ ଦେଉଛି, ସେଥିରୁ ପ୍ରସଙ୍ଗଟି କେତେ ସମ୍ବେଦନଶୀଳ, ତାହା ସହଜରେ ଅନୁମେୟ। ଏକ ଜନମଙ୍ଗଳ ରାଷ୍ଟ୍ରରେ ଏହି ନାମକୁମାତ୍ର ସହାୟତା କେବଳ ଧର୍ମକୁ ଏକ ଆଖିଠାର ସଦୃଶ।

୧୯୯୫ରୁ ଏହି ପେନ୍‌‌ସନ୍‌‌ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରୁଛି। ଏହି ପେନ୍‌‌ସନ୍‌‌ ବା ଭତ୍ତା ପରିମାଣ ଅତି ସ୍ୱଳ୍ପ ହୋଇଥିବାରୁ ବିଭିନ୍ନ ରାଜ୍ୟ ସରକାର ଏହା ଉପରେ ନିଜ ଆଡୁ ଆଉ କିଛି ଅଧିକ ଟଙ୍କା ଦେଉଛନ୍ତି। ତାହାର ପରିମାଣ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଏବଂ ଏହା ପୁଣି ସମ୍ପୃକ୍ତ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ। କିନ୍ତୁ ମୂଳ ଯୋଜନାଟି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କର ଏବଂ ସେଥିପାଇଁ କେନ୍ଦ୍ର ଅର୍ଥ ଯୋଗାଇବାର ବ୍ୟବସ୍ଥା ରହିଛି। ଏବେ ଏହି ଯୋଜନାରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୨କୋଟି ୯୫ ଲକ୍ଷ ୩୦ ହଜାର ୦୫୩। ପ୍ରତିବର୍ଷ ବଜେଟ୍‌‌ରେ ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ ହୋଇନଥାଏ। ରାଜ୍ୟ ଉନ୍ନୟନ ମନ୍ତ୍ରଣାଳୟର ବଜେଟରୁ ଏହି ଅର୍ଥରାଶି ଦିଆଯାଏ। ଏଥିପାଇଁ ସ୍ୱତନ୍ତ୍ର କର୍ପସ (ପାଣ୍ଠି) ନାହିଁ କିମ୍ବା ଏହି ପେନ୍‌‌ସନ୍‌‌ ମୁଦ୍ରାସ୍ଫୀତି, ମୂଲ୍ୟବୃଦ୍ଧି ସହିତ ସମ୍ପୃକ୍ତ ନୁହେଁ। ତେଣୁ ଏହା କେବଳ ଏକ ହାତଟେକା ବା ଅନୁକମ୍ପାମୂଳକ ନାମକୁମାତ୍ର ଦାନ।

ଏହି ପେନ୍‌‌ସନ୍‌‌ ବୃଦ୍ଧି ପାଇଁ ଧାରାବାହିକ ଭାବେ ଦାବି କରାଯାଉଛି। ଏଥିରେ ଥିବା ଅଧିକାଂଶ ହିତାଧିକାରୀ ବିପିଏଲ୍‌‌ ବର୍ଗର ହୋଇଥିବାରୁ ସେମାନଙ୍କ ପାଇଁ ରାଜନୈତିକ ସ୍ୱର ଜୋର୍‌‌ ଶୁଣାଯାଏ। ଏହାସତ୍ତ୍ବେ କିଛି ପ୍ରତିକାର ସରକାରୀ ସ୍ତରରେ କରାଯାଏ ନାହିଁ। ଏହା ଶତପ୍ରତିଶତ କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ରାଜ୍ୟ ସରକାରମାନେ ଏଥିପାଇଁ ଅର୍ଥ ଦେବାକୁ କୁଣ୍ଠିତ। ସେମାନେ ଯେଉଁ ଅର୍ଥ ଦେଇଥା’ନ୍ତି, ତାହା ରାଜ୍ୟବିଶେଷରେ ୫୦ ରୁ ୩୨୦୦ ଟଙ୍କା ମଧ୍ୟରେ ସୀମିତ। ଆନ୍ଧ୍ର, ଦିଲ୍ଲୀ, ହରିୟାଣା ଭଳି କିଛି ଧନାଢ଼୍ୟ ରାଜ୍ୟ ଏ ବାବଦରେ କେବଳ ଅଧିକ ସହାୟତା ଦେଇଥା’ନ୍ତି। କମିଟି ତାଙ୍କ ରିପୋର୍ଟରେ ଆହୁରି ଦର୍ଶାଇଛି ଯେ ସମାଜର ସବୁଠୁ ଦୁର୍ବଳ ବର୍ଗ ଏତେ କମ୍‌‌ ପରିମାଣର ସରକାରୀ ପେନ୍‌‌ସନ୍‌‌ରେ ଆଜିର ମହଙ୍ଗା ଯୁଗରେ କିପରି ଚଳିବେ, ତାହା ବିଶ୍ୱାସ କରିବା କଷ୍ଟ।

ଭାରତ ସରକାରଙ୍କ ପାଖରେ ଅର୍ଥ ବା ସମ୍ବଳର ଅଭାବ ନାହିଁ। କେନ୍ଦ୍ର ସରକାର ଦେଶର ୮୦ କୋଟି ଲୋକଙ୍କୁ ଦୁଇବର୍ଷ ଧରି ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଆସୁଥିବାବେଳେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ନିରବ ରହିବା ରହସ୍ୟଜନକ ମନେହୁଏ। ଏହି ଯୋଜନାରେ ଏକାଧିକ ପେନ୍‌‌ସନ୍‌‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ। ସେଗୁଡ଼ିକ ହେଲା- ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ପେନ୍‌‌ସନ୍‌‌ ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନ୍‌‌ସନ୍‌‌ ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ଅକ୍ଷମ ପେନ୍‌‌ସନ୍‌‌ ଯୋଜନା ପ୍ରମୁଖ। ଏହାର ହିତାଧିକାରୀମାନେ ଏହି ଯୋଜନାରେ ପାଉଥିବା ଭତ୍ତା ବା ପେନ୍‌‌ସନ୍‌‌ର ପରିମାଣ ମାସିକ ୨୦୦ ରୁ ୨୫୦୦ ଟଙ୍କା। ଏହି ଯୋଜନା ପ୍ରତି ସରକାରୀ ଉଦାସୀନତାର କାରଣ ରାଜନୈତିକ କି? ବୋଧହୁଏ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ମାସିକ ଏଭଳି କଲ୍ୟାଣକାରୀ ଯୋଜନାକୁ କେନ୍ଦ୍ର ସରକାର ଜାଣିଶୁଣି ହୀନିମାନ କରି ରଖି ଏହାର ହିତାଧିକାରୀଙ୍କୁ ହନ୍ତସନ୍ତ କରୁଛନ୍ତି। ସେହିଭଳି ଉଦାସୀନତା ମଧ୍ୟ ଇପିଏଫ୍‌‌ଓ କର୍ମଚାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି, ଯେଉଁଠି ଲକ୍ଷଲକ୍ଷ ହିତାଧିକାରୀଙ୍କୁ ମାସିକ ୧୦୦୦ ଟଙ୍କାର ପେନ୍‌‌ସନ୍‌‌ ମିଳୁଛି। ଏହା ଉପରେ ମହଙ୍ଗା ଭତ୍ତା କିମ୍ବା ବାର୍ଷିକ ବୃଦ୍ଧି ବ୍ୟବସ୍ଥା ନାହିଁ।

ଭାରତ ଏକ ଜନକଲ୍ୟାଣକାରୀ ରାଷ୍ଟ୍ର। ଏଠାରେ ସବୁ ଲୋକ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ପାଇଛନ୍ତି। ସାମାଜିକ ସୁରକ୍ଷା ସହାୟତା ଯୋଜନାରେ ହିତାଧିକାରୀଙ୍କୁ ବଞ୍ଚିବା ପାଇଁ ସର୍ବନିମ୍ନ ଗ୍ରହଣଯୋଗ୍ୟ ଅର୍ଥ ଦେବାର ଆବଶ୍ୟକତା ରହିଛି। ସରକାର ସବ୍‌‌ସିଡି, ସହାୟତା ଓ ଯାବତୀୟ ଲୋକ ଦେଖାଣିଆ ଯୋଜନାରେ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଥିବାବେଳେ ବୃଦ୍ଧ, ବୃଦ୍ଧା, ଅସହାୟ, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଯୋଗାଇ ଦେଉଥିବା ଆର୍ଥିକ ସହାୟତା ସମ୍ମାନଜନକ, ଯୁକ୍ତିଯୁକ୍ତ ଏବଂ ବଜାରଦରକୁ ଅନୁକୂଳ ହେବା ଉଚିତ। ଏ କ୍ଷେତ୍ରରେ କେବଳ ଦାତା ବା ସରକାରଙ୍କର ଏକ ଦରଦୀ ଓ ସମ୍ବେଦନଶୀଳ ହୃଦୟ ଲୋଡ଼ା।

Leave A Reply

Your email address will not be published.