ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଭାରତର ବାହ୍ୟ ଋଣ ଓ ବୈଦେଶିକ ମୁଦ୍ରା ଭଣ୍ଡାର

ସମ୍ପ୍ରତି ଆମ ଦେଶର ଋଣ ଭାର ଏତେ ବଢ଼଼ିଗଲାଣି ଯେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମ୍‌‌ଏଫ୍‌‌)କୁ ସତର୍କ ସୂଚନା ଦେବା ପାଇଁ ପଡ଼ିଲାଣି। ଋଣର ଏହି ଊର୍ଦ୍ଧ୍ବମୁଖୀ ଧାରା ଜାରି ରହିଲେ ଭାରତୀୟ ଅର୍ଥନୀତିର ସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ଆଇଏମ୍‌‌ଏଫ୍‌‌ ଆଶଙ୍କା କରିଛି। ଭାରତର ଅର୍ଥନୀତି ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ବିଗତ ଦଶନ୍ଧି ମଧ୍ୟରେ ବାହ୍ୟ ଋଣ ପରିମାଣ ଅଢ଼େଇ ଗୁଣ ବୃଦ୍ଧି ପାଇଛି। ଏଥିସହ ଆଗାମୀ ଦିନରେ ମଧ୍ୟ ଏହି ଋଣ ଭାରତ ଆହୁରି ବଢ଼଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏକ ବିକାଶଶୀଳ ରାଷ୍ଟ୍ରର ଅଥନୈତିକ ବିକାଶ ଧାରାକୁ ନିରବଚ୍ଛିନ୍ନ ରଖିବା ଓ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରର ମାନ୍ୟତା ଦେବାର ଲକ୍ଷ୍ୟ ହାସଲ ପାଇଁ ପର୍ଯ୍ୟାପ୍ତ ପୁଞ୍ଜିର ଆବଶ୍ୟକତା ରହିଛି। ତେଣୁ ରାଜସ୍ୱ ବ୍ୟୟ ବାବଦ ନିଅଣ୍ଟ ହ୍ରାସ ସହିତ ପୁଞ୍ଜି ବ୍ୟୟ ବରାଦ ସାମ୍ପ୍ରତିକ ଅର୍ଥନୈତିକ ପରିବେଶରେ ଅପରିହାର୍ଯ୍ୟ ହୋଇପଡ଼ିଛି।

ବିଶ୍ୱରେ ଚତୁର୍ଥ ବୃହତ ଆର୍ଥିକ ଶକ୍ତି ଜାପାନ୍‌‌ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ସେ ଦେଶର ମୁଣ୍ଡପିଛା ଆୟକୁ ୩୪.୫୫ ପ୍ରତିଶତ କରିପାରିଛି, ଯାହାକି ୫ମ ବୃହତ ଅର୍ଥନୈତିକ ଶକ୍ତି ଭାରତ ତୁଳନାରେ ଷୋହଳ ଗୁଣରୁ ଅଧିକା। ଏହାଛଡ଼ା ଶିକ୍ଷା, ଶିଳ୍ପ, କୁଶଳୀ ମାନବ ଶକ୍ତି ଓ ରୋଜଗାର ଆଦି କ୍ଷେତ୍ରରେ ଜାପାନ୍‌‌ ତୁଳନାରେ ଭାରତ ବହୁ ପଛରେ। ଜାତୀୟ ଉତ୍ପାଦନ ମୁଣ୍ଡପିଛା ଆୟ ଭିତ୍ତିରେ ଜାପାନ ଏସିଆ ମହାଦେଶର ୩୦ଟି ଧନୀ ରାଷ୍ଟ୍ର ତାଳିକାରେ ଏକାଦଶ ସ୍ଥାନରେ ରହିଛି। ଏହି ତାଲିକାର ଶୀର୍ଷରେ ସିଙ୍ଗାପୁର ଓ ସପ୍ତଦଶ ସ୍ଥାନରେ ଚୀନ୍‌‌ ରହିଛି। ତାଲିକାର ଶେଷସ୍ଥାନରେ ରହିଛି ଭାରତ, ଯାହାର ମୁଣ୍ଡପିଛା ଜିଡିପି ଆୟ ମାତ୍ର ୯ ହଜାର ୧୮୩ ଟଙ୍କାରେ ସୀମିତ।

ଅଧିକ ପଢନ୍ତୁ

ହଁ ଏହା ସତ୍ୟ ଯେ ଅର୍ଥନୈତିକ ଅଭିବୃଦ୍ଧି ହାର କ୍ଷେତ୍ରରେ ବିଶ୍ୱର ଆନୁମାନିକ ସ୍ଥିତିଠାରୁ ୨୦୨୪-୨୫ରେ ଭାରତ ଊର୍ଦ୍ଧ୍ବରେ। ସମଗ୍ର ବିଶ୍ୱରେ ଏହି ସ୍ଥିତି ୩.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଉଥିବା ବେଳେ ଭାରତ ୬.୫ ସ୍ତରରେ ପହଁଚିବ ବୋଲି ଆଶା ପ୍ରକଟ କରିଛି। ଏଣେ ଦରଦାମ୍‌‌ ବୃଦ୍ଧି, ଉତ୍କଟ ବୋକାରୀ ସମସ୍ୟା ଓ ଅହେତୁକ ମୁଣ୍ଡ ପିଛା ଋଣ ଭାର ବୃଦ୍ଧି ଏବଂ ମୁଣ୍ଡ ପିଛା ଆୟ ବୃଦ୍ଧିରେ ଶିଥିଳତା ଏ କ୍ଷେତ୍ରରେ ଦାଉ ସାଧିବ ନାହିଁ ତ ? କାରଣ ଦେଶର ବାହ୍ୟ ଋଣ ପରିମାଣ ୨୦୨୪ ମାର୍ଚ୍ଚ ସୁଦ୍ଧା ୧୭୨ ଲକ୍ଷ ୩୭ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ୨୦୨୫ର ସେହି ସମୟରେ ୧୮୭ ଲକ୍ଷ ୩୫ କୋଟିରେ ପହଁଚିବ ବୋଲି ଆକଳନ କରାଯାଇଛି। କାରଣ ବିଗତ ଦଶ ବର୍ଷ ମଧ୍ୟରେ ଭାରତର ମୁଣ୍ଡ ପିଛା ଋଣ ଭାର ଅଢ଼େଇ ଗୁଣ ବଢ଼଼ିଯାଇଛି। ୨୦୧୪ ପୂର୍ବରୁ ମୁଣ୍ଡ ପିଛା ଋଣ ହାର ୪୩ ହଜାର ଟଙ୍କା ଥିବା ବେଳେ ୨୦୨୩ ସୁଦ୍ଧା ତାହା ୧ ଲକ୍ଷ ୯ ହଜାର ଟଙ୍କାରେ ପହଁଚି ଦେଶର ସାମଗ୍ରିକ ଋଣ ବୋଝକୁ ୧୫୫ ଲକ୍ଷ କୋଟି ଟଙ୍କାରେ ପହଁଚାଇ ଦେଇଛି।

ବସ୍ତୁତଃ ସରକାରଙ୍କୁ ଋଣ ବାବଦ ସୁଧ ପୈଠ କରିବା ପାଇଁ ବଜେଟରେ ସାମଗ୍ରିକ ରାଜସ୍ୱ ବ୍ୟୟର ଏକ-ପଞ୍ଚମାଂଶ ବରାଦ କରିବାକୁ ପଡୁଛି। ଏହି ସ୍ଥିତି ଅବ୍ୟାହତ ରହିଲେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ନୂଆଦିଲ୍ଲୀ ବିଶ୍ୱର ସର୍ବବୃହତ ଅର୍ଥନୈତିକ ଶକ୍ତି ହାସଲ କରିବାକୁ ଯେଉଁ ଆଶା ପ୍ରକଟ କରୁଛି ତାହା ଫସର ଫାଟି ଯିବନି ତ ? ମାତ୍ର କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦେଶର ସାମଗ୍ରିକ ଉତ୍ପାଦନ ଓ ମୋଟ୍‌‌ ଋଣ ଅନୁପାତ ଏତେଟା ଚିନ୍ତାଜନକ ନୁହେଁ ବୋଲି ସୂଚାଇ ଦେଇଛି।

ଏଥିସହିତ ପଢ଼ନ୍ତୁ
Article Bottom (Mobile Only)

ଏବେ ଆମେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସତର୍କ ସୂଚନା ପ୍ରତି ଧ୍ୟାନ ଦେବା। ଭାରତର ସାମ୍ପ୍ରତିକ ଋଣ ବୃଦ୍ଧିର କାରଣ ଓ ନିରାକରଣ ସମ୍ପର୍କିତ ପ୍ରସଙ୍ଗ ଉପରେ ମୁଦ୍ରା ପାଣ୍ଠି ଦର୍ଶାଇଛି ଯେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଓ ପ୍ରାକୃତିକ ଦୁର୍ବିପାକ ଜନିତ କ୍ଷୟକ୍ଷତି ଭରଣା ଲକ୍ଷ୍ୟ ହାସଲ ପାଇଁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଭାରତ ବହୁ ପଛରେ ରହିଛି। ଏହି ଦୁଇ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ସର୍ବାଧିକ ନିୟନ୍ତ୍ରଣ କରିବା ସ୍ଥିତିରେ ଭାରତ ନ ପହଁଚିଲେ ସାମଗ୍ରିକ ଜାତୀୟ ଉତ୍ପାଦନ ସ୍ଥିତି ବହୁଗୁଣିତ ନ ହେବାର ପ୍ରଶ୍ନ ଉଠୁ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ବାହ୍ୟ ଋଣର ଆବଶ୍ୟକତା ମଧ୍ୟ କ୍ରମାଗତ ମନ୍ଥର ହୋଇଯିବ। ଏଠାରେ ବିଶ୍ୱର ଋଣମୁକ୍ତ ଦେଶ ଭାବେ ହଂକଂର ଉଦାହରଣ ଦିଆଯାଇପାରେ। ଏହି ଦେଶର ସାମଗ୍ରିକ ଉତ୍ପାଦନ ଓ ଋଣ ଅନୁପାତ ଅତି ନଗଣ୍ୟ ସ୍ଥିତିରେ ରହିଛି। କେବଳ ସେତିକି ନୁହେଁ, ବିତ୍ତୀୟ ବ୍ୟବସ୍ଥାର ସୁପରିଚାଳନା ଓ ସର୍ବାଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ହଂକଂ କୁ ଏହି ଅର୍ଥନୈତିକ ଦୃଢ଼ତା ଯୋଗାଇ ଦେଇଛି। ଅବଶ୍ୟ ଭାରତ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଋଣ ଭାରକୁ ୨୦୦୦ ମଇରୁ ପରିଶୋଧ କରିସାରିଛି। ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ୍‌‌ ମୁଦ୍ରାପାଣ୍ଠିର ଏ ପ୍ରକାର ସତର୍କ ସୂଚନାକୁ ଗ୍ରହଣ କରୁନାହିଁ।

ସମଗ୍ର ବିଶ୍ୱରେ ଆମେ ଯଦି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଭୂମିକା ପ୍ରତି ଦୃଷ୍ଟି ଦେବା, ତାହା ୧୯୦ ଟି ସଦସ୍ୟଭୁକ୍ତ ରାଷ୍ଟ୍ର ମଧ୍ୟରେ ସୀମିତ। ସଦସ୍ୟ ରାଷ୍ଟ୍ରମାନଙ୍କର ଦୀର୍ଘ ମିଆଦୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆର୍ଥିକ ନୀତିରେ ସହୟତା, ବିତ୍ତୀୟ ସ୍ଥିରତା, ଆର୍ଥିକ ସହାୟତା, ଉତ୍ପାଦନ ଶକ୍ତିରେ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଲୋକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ଦିଗରେ ଏହା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଛି। ବିଶେଷତଃ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ସ୍ଥୂଳ ବା ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଓ ଅର୍ଥନୈତିକ ସ୍ଥିରତା, ନୀତିଗତ ସହାୟତା, ମୁଦ୍ରା ବିନିମୟ ହାର କ୍ଷେତ୍ରରେ ସ୍ଥିରତା ଆଦି କ୍ଷେତ୍ରରେ ମୁଦ୍ରାପାଣ୍ଠି ସହାୟକ ହୋଇ ଆସୁଛି। ଅନୁନ୍ନତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ଦୂର ମଧ୍ୟ ମୁଦ୍ରାପାଣ୍ଠିର ଅଗ୍ରାଧିକାର ପରିସରଭୁକ୍ତ ହୋଇଛି। ଏପରିକି ବଜାରରେ ପ୍ରଚଳିତ ସୁଧ ଠାରୁ ସ୍ୱଳ୍ପ ହାରରେ ଦୀର୍ଘମିଆଦୀ ଆର୍ଥିକ ସହାୟତା ଯୋଗାଣ ଉପରେ ଏହା ଗରୁତ୍ୱ ଦେଇଆସୁଛି।

ଦେଶରେ ଋଣ ଭାର ବୃଦ୍ଧି କ୍ଷେତ୍ରରେ ଅରୁଣାଚଳପ୍ରଦେଶ ଶ୍ରେଷ୍ଠ ସ୍ଥାନରେ ଥିବା ବେଳେ ପଞ୍ଜାବ, ନାଗାଲାଣ୍ଡ, ମଣିପୁର ଓ ମେଘାଳୟ ଭଳି ରାଜ୍ୟ ପରବର୍ତ୍ତୀ ସ୍ଥାନରେ ରହିଛନ୍ତି। ମାତ୍ର ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଜାତୀୟ ଉତ୍ପାଦନଭିତ୍ତିକ ଋଣ ଅନୁପାତ କ୍ଷେତ୍ରରେ ବହୁ ନିମ୍ନରେ ରହିଛି। ବିତ୍ତୀୟ ନିଅଣ୍ଟ ମଧ୍ୟ ଅଣାୟତ୍ତ ହୋଇନାହିଁ। ସୁସ୍ଥ ବିତ୍ତୀୟ ପରିଚାଳନା ଏହି ସଫଳତାର ମୂଳମନ୍ତ୍ର ହୋଇଥିବାରୁ ଏ କ୍ଷେତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନରେ ରହିଛି। ଏହାପଛରେ ଶିଳ୍ପସମୃଦ୍ଧ ଗୁଜୁରାଟ ଓ ମହାରାଷ୍ଟ୍ର ରହିଛନ୍ତି ସତ, ହେଲେ ବିତ୍ତୀୟ ନିଅଣ୍ଟ ପରିଚାଳନା କ୍ଷେତ୍ରରେ ଓଡ଼ିଶାଠାରୁ ବହୁ ପଛରେ।

ବିକଶିତ ରାଷ୍ଟ୍ରର ସ୍ୱପ୍ନ ଦେଖୁଥିବା ଭାରତ ମୁଣ୍ଡ ପିଛା ଋଣ ଭାର ହ୍ରାସ କରିବା ପାଇଁ ବହୁବିଧ ପଦକ୍ଷେପ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ଦେଇଛନ୍ତି। ଟିକସ୍‌‌ ସଂଗ୍ରହ ପରିସର ବୃଦ୍ଧି ମାଧ୍ୟମରେ ପୁଞ୍ଜି ସଂରକ୍ଷଣ ବଢ଼ାଇବା, ସାଧାରଣ ବ୍ୟୟ ବ୍ୟବସ୍ଥାକୁ ଅଧିକ ଉତ୍ପାଦନ ଭିତ୍ତିକ କରାଇବା, ବିତ୍ତୀୟ ନିଅଣ୍ଟକୁ ନିମ୍ନଗାମୀ କରାଇବା ଓ ସର୍ବୋପରି ଦେଶର ଉତ୍ପାଦନ ଦକ୍ଷତାକୁ ଊର୍ଦ୍ଧ୍ବଗାମୀ କରିବା ଆଦି ପଦକ୍ଷେପ ଋଣଭାର ବୃଦ୍ଧିକୁ ସୁନିୟନ୍ତ୍ରିତ କରିପାରିବ – ଏଥିରେ ସନ୍ଦେହ ନାହିଁ ବୋଲି ଅର୍ଥମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅର୍ଥନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ ନିମ୍ନ ସୁଧହାର ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଟିକସ ରାଜସ୍ୱ ବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରିବ। ଋଣ ପରିଶୋଧ କ୍ଷମତାରେ ବ୍ୟାପକ ପରିବର୍ତ୍ତନ ଏବଂ ଏ କ୍ଷେତ୍ରରେ ସୁପରିଚାଳନା ଦେଶର ଋଣ ଭାର ହ୍ରାସ କ୍ଷେତ୍ରରେ ସଫଳ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।

ଅରବିନ୍ଦ ରାଉତରାୟ
କଟକ, ମୋ:୯୪୩୭୧୩୪୪୦୦

Leave A Reply

Your email address will not be published.