ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ପ୍ରଚଣ୍ଡ ଝାଞ୍ଜି ପ୍ରବାହ, ସତର୍କ ପ୍ରଶାସନ ଓ ଜନସଚେତନତା ଜରୁରୀ

ଓଡ଼ିଶା ପାଇଁ ଝାଞ୍ଜିପ୍ରବାହ ନୂଆ କଥା ନୁହେଁ। ଗ୍ରୀଷ୍ମ ପ୍ରବଣ ଏହି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ଅନ୍ୟାନ୍ୟ ଇଲାକାଠାରୁ ଅପେକ୍ଷାକୃତ ଶୀତଳ। ଏ ବର୍ଷର ବ୍ୟତିକ୍ରମ ହେଲା ପଶ୍ଚିମ ତଥା ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରାଠାରୁ ଉପକୂଳବର୍ତ୍ତୀ ଅଞ୍ଚଳର ତାପମାତ୍ରା ଅଧିକ ରେକର୍ଡ କରାଯାଉଛି। ଏପ୍ରିଲ ମଧ୍ୟଭାଗରୁ ରାଜ୍ୟରେ ଅଭୂତପୂର୍ବ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି ଏବଂ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉପକୂଳବର୍ତ୍ତୀ ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ସେଲ୍‌ଫସିୟସ ମଧ୍ୟରେ ରହୁଛି। ସମଗ୍ର ରାଜ୍ୟରେ ଏହି ଗ୍ରୀଷ୍ମ ପ୍ରବାହ ମଇ ପ୍ରଥମ ସପ୍ତାହ ଯାଏଁ ଅବ୍ୟାହତ ରହିବ ବୋଲି ପାଣିପାଗ ବିଭାଗ କହୁଛି।

ଉତ୍ତାପର ହ୍ରାସ ଓ ବୃଦ୍ଧି ସର୍ବଦା ଏକ ସ୍ଥାନୀୟ ଘଟଣା। ତେବେ ସମଗ୍ର ରାଜ୍ୟ ଅସମୟରେ ତତଲା କଡ଼େଇ ପାଲଟିବା ନିଶ୍ଚୟ ଉଦ୍‌‌ବେଗର ବିଷୟ। ଅତ୍ୟଧିକ ତାପମାତ୍ରା ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ ଓ ଲୋକେ ପାନୀୟଜଳ ସମେତ ଆହୁରି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ଖୋଦ ରାଜଧାନୀର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ଫସିୟସ ଟପିବା ନିଶ୍ଚୟ ଚିନ୍ତାଜନକ। ପାଣିପାଗ ବିଭାଗର ରେଡ୍‌‌ଆଲର୍ଟ ଲୋକଙ୍କୁ ଅବଶ୍ୟ ସତର୍କ କରୁଛି। ତେବେ ପୂର୍ବ ଅଭିଜ୍ଞତା ଭିତ୍ତିରେ ଲୋକେ ଖରା ସମୟରେ ବାହାରକୁ ବିଶେଷ ବାହାରୁ ନଥିବାରୁ ଅଂଶୁଘାତ ମୃତ୍ୟୁ ପ୍ରାୟ ଏଥର ନାହିଁ। ତେବେ ଖରାଦିନେ ଦିନର ସ୍ୱାଭାବିକ ସର୍ବୋଚ୍ଚ ତାପମାତ୍ରା ୪ ରୁ ୬ ଡିଗ୍ରୀ ସେଲ୍‌ଫସିୟସ ବଢ଼଼ିବା ନିଶ୍ଚିତ ଏକ ବଡ଼ ବିପଦ ଏବଂ ଆଗକୁ ତାପମାତ୍ରା ୪୬ / ୪୭ ଡିଗ୍ରୀ ସେଲସିୟସ ପହଞ୍ଚିବା ସମ୍ଭାବନାକୁ ପାଣିପାଗ ବିଭାଗ ଅସ୍ୱୀକାର କରୁନାହିଁ।

ପାଣିପାଗ ଏବେ ଅନୁକୂଳ ନାହିଁ। ଏବେ ରାଜ୍ୟକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଶୁଷ୍କ ବାୟୁ ସାଙ୍ଗକୁ ପ୍ରଖର ସୂର୍ଯ୍ୟକିରଣ ବିଭିନ୍ନ ସ୍ଥାନର ତାପମାତ୍ରା ବଢ଼଼ାଉଛି। ଦକ୍ଷିଣ ଦିଗରୁ ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ଶୀତଳ ବାୟୁ ପ୍ରବାହ ପଶ୍ଚିମ ଓ ଉତ୍ତର-ପଶ୍ଚିମ ତତଲା ପବନ ଯୋଗୁଁ ବ୍ୟାହତ ହେଉଛି। ଫଳରେ ଖରାଦିନିଆ ବର୍ଷା ଓ ମେଘ ଧୂମାଳ (କାଳ ବୈଶାଖୀ) ସୃଷ୍ଟି ହେଉ ନାହିଁ। ଏସବୁ ଭୌଗୋଳିକ ବ୍ୟାପାର। ଏହା ଉପରେ ମଣିଷର ହାତ ନାହିଁ। ତେଣୁ ହୁସିଆର ରହି ଖରାକୁ ଏଡ଼ାଇ ଜୀବନ ବଞ୍ଚାଇବା ବୁଦ୍ଧିମାନର କାର୍ଯ୍ୟ। କହିବା ବାହୁଲ୍ୟ ଯେ ବିଶ୍ୱର ଜଳବାୟୁ ପରିବର୍ତ୍ତନର ପ୍ରଭାବ ସର୍ବତ୍ର ଅନୁଭୂତ ହେଲାଣି। ଓଡ଼ିଶାରେ ଆମେ ତାହା ଅଙ୍ଗେ ନିଭାଉଛନ୍ତି। ବର୍ଷା ଦିନର ସମୟ ହ୍ରାସ ପାଉଛି। ଶୀତ କମିଛି। ବର୍ଷାଭାବ ଯୋଗୁଁ ଜଳଭଣ୍ଡାର ସମେତ ଜଳ ଉତ୍ସଗୁଡ଼ିକ ନାହିଁ ନଥିବା ଚାପର ସମ୍ମୁଖୀନ। ପାନୀୟଜଳ ଏବେ ମଣିଷ ଓ ଜୀବଜନ୍ତୁଙ୍କର ପ୍ରଥମ ଆବଶ୍ୟକତା। ଏଥିରେ ପୁଣି ଦେଶରେ ସାଧାରଣ ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି। ସରକାରଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ନିଶ୍ଚୟ।
ଏବେ ଗାଁଠାରୁ ଆରମ୍ଭ କରି ସହର ଯାଏଁ ସବୁଠି ପାଣି ଏବଂ ବିଜୁଳିର ନିରବଚ୍ଛିନ୍ନ ଯୋଗାଣ ପ୍ରଥମ ଆବଶ୍ୟକତା। ତେବେ ଏହି ଦୁଇଟି ଉପରେ ଚାପ ଏତେ ଅଧିକ ଯେ ତାହାକୁ ପୂରଣ କରିବା ଏକପ୍ରକାର ଅସମ୍ଭବ। ରାଜ୍ୟରେ ଦୈନିକ ଯେତିକି ବିଜୁଳି ହାରାହାରି ଆବଶ୍ୟକ, ଖରାଦିନେ ତାହା ବଢ଼େ। ଏହାଛଡ଼ା ପିକ୍‌‌ଲୋଡ୍‌‌ ସମୟରେ ବିଜୁଳି ଚାହିଦା ବଢ଼଼ୁଥିବାରୁ କମ୍ପାନୀମାନେ ଅତିରିକ୍ତ ବିଜୁଳି ଦେଇପାରୁନାହାନ୍ତି। ଫଳରେ ଲୋ-ଭୋଲ୍‌‌ଟେଜ୍‌‌ ଓ ବିଜୁଳି ଟ୍ରିପ୍‌‌ ଭଳି ଘଟଣା ବାରମ୍ବାର ଘଟୁଛି। ଅଧିକ ବିଜୁଳି ଉତ୍ପାଦନ ମଧ୍ୟ ସମ୍ଭବ ହେଉ ନାହିଁ ଏବଂ ଆମର ଯେଉଁ ଉତ୍ପାଦନ ବ୍ୟବସ୍ଥା ଅଛି ତାହା ଅତିରିକ୍ତ ଆବଶ୍ୟକତା ପୂରଣ କରିବାକୁ ଏବେ ଅସମର୍ଥ। ସେହିଭଳି ବିଜୁଳି ନଥିଲେ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥାଏ। ବର୍ଷାଭାବ ଓ ଭୂତଳ ଜଳ ଉତ୍ସର ମାତ୍ରାଧିକ ବ୍ୟବହାର ଜଳକଷ୍ଟ ବଢ଼଼ାଉଛି।

ଏସବୁ କାରଣ ଯେ ନୂଆ ବା ଅଜଣା ତାହା ନୁହେଁ। ଏବେ ସରକାରଙ୍କ ଆଗରେ ବଡ଼ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବାକୁ ବିଭିନ୍ନ ପଦକ୍ଷେପ ନେବା। କୋଇଲା ପୋଡ଼ି ଅଧିକ ବିଜୁଳି ଉତ୍ପାଦନ କଲେ ଜଳବାୟୁ ଓ ଜଙ୍ଗଲ ସମ୍ପଦ ପ୍ରଭାବିତ ହେବା ସହ ପ୍ରଦୂଷଣ ବଢ଼଼ିବ ଓ ତାପମାତ୍ରା ବୃଦ୍ଧି ପାଇବ। ତେଣେ ଦେଶରେ ଲୋକଙ୍କ ବିଜୁଳି ଚାହିଦା ହୁ ହୁ ହୋଇ ବଢ଼଼ୁଛି। ଏସିର ବ୍ୟବହାର ବିକ୍ରି ବଢ଼଼ୁଛି ଯାହା ଅଧିକ ଶକ୍ତି ବ୍ୟବହାର କରିବା ସହ ବାୟୁ ପ୍ରଦୂଷଣ ବଢ଼଼ାଉଛି। ଏଭଳି ସ୍ଥିତିରେ ସୌର ଶକ୍ତିର ସର୍ବାଧିକ ଉପଯୋଗ ଓ ରୁଫ୍‌‌ଟପ୍‌‌ ସୋଲାର ପ୍ୟାନେଲ ସର୍ବୋକୃଷ୍ଟ ବ୍ୟବସ୍ଥା। ତେବେ ଏହା ଅତ୍ୟନ୍ତ ବ୍ୟୟବହୁଳ। ସରକାରୀ ରିହାତି ସତ୍ତ୍ବେ ସାଧାରଣ ଲୋକଙ୍କ କ୍ଷମତାର ଏହା ବାହାରେ। ସରକାର ଏ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନେବା ଆବଶ୍ୟକ।
ଦ୍ୱିତୀୟ କଥା ହେଲା ବର୍ଷାପାଣି ଓ ମଧୁର ଜଳର ସଂରକ୍ଷଣ ଏବଂ ଉପଯୁକ୍ତ ବ୍ୟବହାର। କୃଷି, ଶିଳ୍ପ ବ୍ୟତୀତ ସାଧାରଣ ଜନତାଙ୍କ ପାଇଁ ଜଳ ଯୋଗାଣକୁ ନିଶ୍ଚିତ କରିବାକୁ ପଡ଼ିବ। ଏବେ ଯେଉଁ ଜଳ ଯୋଗାଣ ଯୋଜନା ଦେଶବ୍ୟାପୀ ଚାଲିଛି, ତାହାକୁ ରାଜ୍ୟ ସରକାରମାନେ ତ୍ୱରାନ୍ୱିତ କରିବା ସହ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଉପରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବା ଆବଶ୍ୟକ। ପାନୀୟ ଜଳ ପାଇଁ ଦେଶର ସବୁ ପ୍ରମୁଖ ଡ୍ୟାମର ସ୍ୱତନ୍ତ୍ର ଯୋଗାଣ ବ୍ୟବସ୍ଥା ରହିବା ସହିତ ଆବଶ୍ୟକ ସ୍ଥଳେ ଏହାର ପାଇପ୍‌‌ଲାଇନ୍‌‌ ନେଟ୍‌‌ୱାର୍କ ତିଆରି ହେବା ଆବଶ୍ୟକ।

ଏଥିସହିତ ପଢ଼ନ୍ତୁ

ଜଳବାୟୁ ପରିବର୍ତ୍ତନ ଯେତେବେଳେ ଏକ ବାସ୍ତବତା ପାଲଟିଛି, ସେତେବେଳେ ସୃଷ୍ଟ ନୂଆ ପରିସ୍ଥିତିର ସମ୍ମୁଖୀନ ଆମକୁ ହେବାକୁ ପଡ଼ିବ। ଏଥିପାଇଁ ସରକାରୀ ସ୍ତରରେ ତ ଉଦ୍ୟମ ଚାଲିଛି। ତେବେ ସରକାର ସବୁ କାମ କରିଦେବେ ଏ ବିଚାର ଠିକ୍‌‌ ନୁହେଁ। ଆମକୁ ଆମ ଜଳଉତ୍ସ, ବଗିଚା, ଗଛ ଓ ପରିବେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ। ତାତିରୁ ରକ୍ଷା ପାଇଁ ସ୍ଥାନୀୟ ଭାବେ ମିଳୁଥିବା ନଡ଼ା, ଝାଡ଼ ଓ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟବହାର କରି ଘରକୁ ଥଣ୍ଡା ରଖିବାକୁ ହେବ। ପାନୀୟ ଜଳର ସଂରକ୍ଷଣ ଓ ସଦ୍‌‌ବ୍ୟବହାର ସହିତ ଜୀବଜନ୍ତୁଙ୍କ ଆବଶ୍ୟକତା ପୂରଣ କରିବାକୁ ହେବ। ପ୍ରକୃତି ସଦା ନିଷ୍ଠୁର ଓ ଭୟଙ୍କର। ଏହା ସହିତ ତାଳମିଳାଇ ଚାଲିଲେ ଏହା ଆମ ପାଇଁ କମନୀୟ ହେବ। ତେଣୁ ନୂଆ ପରିସ୍ଥିତିରେ କିପରି ବଞ୍ଚିବାକୁ ହେବ, ସେଥିପାଇଁ ସରକାରୀ ସ୍ତରରେ ମାଷ୍ଟର ପ୍ଳାନ ସହିତ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ମଧ୍ୟ ଲୋଡ଼ା। ବର୍ଷାକାଳ ପର୍ଯ୍ୟନ୍ତ ଆମକୁ ସମ୍ଭାଳି ହୋଇ ରହିବାକୁ ପଡ଼ିବ।

Leave A Reply

Your email address will not be published.