ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁଆଡେ ଗଲା ଖଲିସ୍ତାନୀ ନେତା ଅମୃତପାଲ ସିଂ?, ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କଲା ପଞ୍ଜାବ ପୁଲିସ

ଅମୃତସର : ପଞ୍ଜାବ ଥାନାରେ ଆତଙ୍କ ସୃଷ୍ଟି କରିଥିବା ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଚାରି ଦିନ ହେଲା ଫେରାର ରହିଛି। ପୁଲିସ ତାକୁ ଖୋଜୁଥିବା କହିଛି। କିନ୍ତୁ ଏ ପର୍ଯ୍ୟନ୍ତ ତାହାର ଖୋଜ ଖବର ପାଇନାହିଁ। ଅମୃତପାଲ କେଉଁଠାରେ ଅଛି ତାହାର ସୂଚନା କାହା ପାଖରେ ନାହିଁ। ଏପରି ସମୟରେ ଅମୃତପାଲ ବିରୋଧରେ ଚଲାଇ ଥିବା ଅଭିଯାନକୁ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପଞ୍ଜାବ ପୁଲିସ ଏବଂ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏ ସମ୍ବନ୍ଧରେ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ପ୍ରଶ୍ନବାଣ ମାରିଛନ୍ତି। ଯଦି ଅମୃତପାଲ ଦେଶ ପାଇଁ ବିପଦ ତେବେ ତାକୁ ଧରିଲନି କାହିଁକି? ରାଜ୍ୟର ୮୦ ହଜାର ପୁଲିସ କର୍ମଚାରୀ ଅଛନ୍ତି। ସେମାନେ କ’ଣ କରୁଥିଲେ। ଅମୃତପାଲ ସିଂହ କେମିତି ଫେରାର ହୋଇଗଲା? ଏହା ଗୁଇନ୍ଦା ବିଭାଗର ବିଫଳତାର ଫଳ ବୋଲି କୋର୍ଟ କହିଛନ୍ତି। ଖଲିସ୍ତାନୀ-ପାକିସ୍ତାନୀ ଏଜେଣ୍ଟ ଅମୃତପାଲକୁ ଧରିବା ପାଇଁ ବଡ଼ ଅଭିଯାନ ଚଲାଯାଇଛି ବୋଲି ପୁଲିସ କହିଛି। ୧୨୦ ସମର୍ଥକଙ୍କୁ ଗିରଫ କରିଥିବା କୋର୍ଟଙ୍କୁ ଜଣାଇଛି। ଜଳନ୍ଧର ଜିଲ୍ଲାରେ ତାକୁ ଦେଖାଯାଇଥିଲା। ତେବେ ଧରିବା ପୂର୍ବରୁ ସେ ପୁଣି ଫେରାର ହୋଇଯାଇଥିଲା।

ତେବେ ରାତିରେ ଅମୃତପାଲ ବେଶ ବଦଳାଇ ଫେରାର ହୋଇଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ତାର ନୂଆପୁରୁଣା ଫଟୋ ଜାରି କରିଛି। ପୁଲିସ ଏହି ପଳାତକ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ (ଏନଏସଏ) ଲଗାଇଛି। ତାର ସ୍ତ୍ରୀ କିରଣଦୀପ କୌର ଏବଂ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଖାତା, କାର୍ଯ୍ୟକଳାପ ଏବଂ ସମ୍ବନ୍ଧର ଯାଞ୍ଚ କରୁଛି। ଯାଞ୍ଚ ପାଇଁ ଅମୃତପାଲଙ୍କ ୫୦୦ ଘନିଷ୍ଠଙ୍କ ତାଲିକା ପ୍ରସ୍ତୁତ କରିଛି। ପୁଲିସ ରାତି ସୁଦ୍ଧା ୧୫୪ ଅଭିଯୁକ୍ତଙ୍କୁ ଗିରଫ କଲାଣି। ପୁଲିସ ଅନୁଯାୟୀ ଅମୃତପାଲ ଶିଖ୍‌ ଦେଶ ବନାଇବାକୁ ଚାହୁଁଥିଲା।

ତେବେ ତାର ପିତା ଅଭିଯୋଗ କରିଛନ୍ତି ଯେ ପୁଲିସ ଅମୃତପାଲକୁ ଫସାଉଛି। ତାକୁ ଜେଲ୍‌ରେ ରଖିଛି। ଆଇଜି ସୁଖଚେନ ସିଂହ ଗିଲ କହିଛନ୍ତି ଯେ ଅମୃତପାଲ ଫେରାର ହେବାରେ ସହଯୋଗ କରିଥିବା ୪ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ନଜରରୁ ବର୍ତ୍ତିବା ଲାଗି ସେ ନିଜ ବେଶ ବଦଳାଇ ଦେଇଛି। ସେ ଶେଷ ଥର ପାଇଁ ମୋଟରସାଇକେଲରେ ତିନି ଜଣଙ୍କ ସହ ଫେରାର ହୋଇଯାଇଥିଲା। ସେ ମନପ୍ରୀତ ମନ୍ନା, ଗୁରଦୀପ ଦୀପା, ହରପ୍ରୀତ ଏଲିୟା ହ୍ୟାପି ଏବଂ ଗୁରଭେଜ ଭେଜ୍ଜା ସହାୟତାରେ ଏକ ବ୍ରିଜା କାର୍‌ରେ ଫେରାର ହୋଇଯାଇଥିଲା। ମନପ୍ରୀତ ଘରୁ ଏହି କାର୍‌କୁ ପୁଲିସ ଜବତ କରିଛି। ଏହା ସହିତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି କାର୍‌ରୁ ୩୧୫ ବୋର ରାଇଫଲ, ଅସ୍ତ୍ରଶସ୍ତ୍ର ଏବଂ ୱାକିଟକି ମିଳିଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆର୍ମ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ଏମାନେ କହିଛନ୍ତି ଯେ ସେ ଅମୃତପାଲକୁ ନଙ୍ଗଲ ଅମ୍ବିୟାର ଗୁରୁଦ୍ବାରକୁ ନେଇଥିଲେ। ସେଠାରେ ସେ ବେଶ ବଦଳାଇ ଥିଲା। ସେ ପେଣ୍ଟସାର୍ଟ ପିନ୍ଧି ନିଜ କୃପାଣ ଛାଡ଼ି ଚାଲି ଯାଇଥିଲା। ସେଠାରୁ ଅନ୍ୟ ତିନି ଜଣଙ୍କ ସହାୟତାରେ ମୋଟରସାଇକେଲରେ ଫେରାର ହୋଇଯାଇଥିଲା।

ଅମୃତପାଲ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ସରକାର ୭୨ ଘଣ୍ଟା ପରେ ଅଧା ପଞ୍ଜାବରେ ଦ୍ବିପହରରୁ ଇଣ୍ଟରନେଟ ସେବା ଆରମ୍ଭ କରିଦେଇଛନ୍ତି। ଅମୃତପାଲ ଜର୍ଜିଆରେ ଅସ୍ତ୍ରଶସ୍ତ୍ର ଚଲାଇବାର ପ୍ରଶିକ୍ଷଣ ନେଇଥିଲା ବୋଲି ଗୁଇନ୍ଦା ଏଜେନ୍ସିଗୁଡିକ କହିଛନ୍ତି। ଆଇଏସଆଇ ଏହି ପ୍ରଶିକ୍ଷଣ ଦେଇଥିଲା। ସେ ପଞ୍ଜାବ ଆସିବା ପୂର୍ବରୁ ଦୁବାଇରୁ ଜର୍ଜ୍ଜିଆ ଯାଇଥିଲା। ସେ ଏଠାରୁ ଆନନ୍ଦପୁର ଖାଲସା ଫୋର୍ସ (ଏକେଏଫ) ବନାଇବାର ପ୍ରଶିକ୍ଷଣ ଆରମ୍ଭ କରିଥିଲା। ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରି ଦେଶର ସ୍ଥିତି ଖରାପ କରିବାକୁ ପ୍ରଶିକ୍ଷଣ ପାଇଥିଲା। ଅନ୍ୟପକ୍ଷରେ ଏସ୍‌ଏଫ୍‌ଜେ ଅମୃତପାଲକୁ ସମର୍ଥନ କରି ଦିଲ୍ଲୀର ଭୱାନା ସ୍ଥିତ ତିନୋଟି ଶକ୍ତିକେନ୍ଦ୍ରକୁ ଉଡାଇବାକୁ ଧମକ ଦେଇଛି। ଏସ୍‌ଏଫଜେ ମୁଖ୍ୟ ଗୁରପତୱନ୍ତ ପନ୍ନୁ ଅସହଯୋଗ ଆନ୍ଦୋଳନ ଆରମ୍ଭ କରି ଦିଲ୍ଲୀକୁ ସଟ୍‌ଡାଉନ କରିବାକୁ ଆହ୍ବାନ ଦେଇଛି। ସେହିପରି ସାମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଅମୃତପାଲର ସମସ୍ତ ସମର୍ଥକଙ୍କୁ ଗିରଫ ପରେ ପଞ୍ଜାବ ବାହାରେ ଥିବା ଜେଲ୍‌କୁ ନିଆଯାଉଛି। ପୁଲିସ ଏଥିପାଇଁ ଦେଶର ୧୩ଟି ଜେଲ୍‌ ଚିହ୍ନଟ କରିଛି।

Leave A Reply

Your email address will not be published.