ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲ ସୁରକ୍ଷା ଆମ ସାମ୍ବିଧାନିକ ଦାୟିତ୍ୱ

ଧରିତ୍ରୀର ବୃହତ୍‌‌ ପରିବାରର ସଦସ୍ୟ ଭାବରେ ଏହାର ସୁରକ୍ଷା ଆମ ସମସ୍ତଙ୍କ ମୌଳିକ କର୍ତ୍ତବ୍ୟ। ସମ୍ପ୍ରତି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଓ ପୃଥିବୀ ଉପରେ ଏହାର କୁପ୍ରଭାବ ପୃଷ୍ଠଭୂମିରେ ପରିବେଶ, ବିଶେଷକରି ଜଙ୍ଗଲ ସମ୍ପଦର ସୁରକ୍ଷା ଆମର ଦାୟିତ୍ୱ ଓ ଅଧିକାରଭୁକ୍ତ। ‘ଜଙ୍ଗଲ ସୁରକ୍ଷା ଅଧିକାର’ ଅର୍ଥ ଆମେ ଆମ ସମ୍ପଦର ସୁରକ୍ଷା କରିବାରୁ କେହି ଆମକୁ ବାରଣ କରିପାରିବେ ନାହିଁ। କିନ୍ତୁ ଯଦି କେହି ଏହାକୁ ‘ଜଙ୍ଗଲ ଉପରେ ଅଧିକାର’ ଭାବରେ ତର୍ଜମା କରେ ଏବଂ ବ୍ୟକ୍ତିଗତ ସ୍ୱାର୍ଥସାଧନ ପାଇଁ ଅନୈତିକ ଭାବରେ ଜଙ୍ଗଲକୁ ବ୍ୟାବସାୟିକ କାର୍ଯ୍ୟରେ ବିନିଯୋଗ କରେ ତେବେ ଏହା ଉଭୟ ନୈତିକ ଓ ସାମ୍ବିଧାନିକ ଦୃଷ୍ଟିରୁ ଗର୍ହିତ। ଯେତେବେଳେ କୌଣସି ପ୍ରସଙ୍ଗରେ ସାମ୍ବିଧାନିକ ବିଧିବ୍ୟବସ୍ଥା, କର୍ତ୍ତବ୍ୟ, ଅଧିକାର ଆଦି ଯୁକ୍ତ ହୋଇଯାଉଛି ଏବଂ ତାହାର ଉଲ୍ଲଙ୍ଘନ ହେଉଛି ସେତେବେଳେ ତାହା କେବଳ ଗର୍ହିତ ଓ ଆପତ୍ତିଜନକ ନୁହେଁ, କଠୋର ଦଣ୍ଡନୀୟ। ଯଦି ଏଭଳି ଅନୈତିକ କାର୍ଯ୍ୟରେ ପ୍ରଶାସନର ଅସାଧୁ ଅଧିକାରୀ ଓ କର୍ମଚାରୀମାନେ ସମ୍ପୃକ୍ତ ରହୁଛନ୍ତି ତେବେ ମାମଲା ଅତ୍ୟନ୍ତ୍ର ଉଦ୍‌‌ବେଗଜନକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନିକଟରେ ଏଭଳି ଏକ ଗର୍ହିତ ଘଟଣା ଘଟିଛି, ଯାହାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୧୯୮୦ ମସିହାରୁ ତେଲେଙ୍ଗାନାର ୱାରଙ୍ଗାଲ ଜିଲ୍ଲାର କମ୍ପାଲି ଗ୍ରାମରେ ଏକ ଜଙ୍ଗଲ ଜମି ମହମ୍ମଦ ଅବଦୁଲ କ୍ୱାସିମ ନାମକ ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରି ଆସୁଥିଲେ। ଏଥିରେ କିଛି ସରକାରୀ ଅଧିକାରୀଙ୍କ ଅସାଧୁ କାରବାର ରହିଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ଅଦାଲତ ଦେଇ ଏହି ମାମଲା ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ବିଚାରପତି ଜଷ୍ଟିସ ଏମ.ଏମ.ସୁନ୍ଦ୍ରେଶ ଓ ଏସ.ଭି.ଏନ୍‌‌ ଭଟ୍ଟିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମାମଲାର ବିଚାର କରି ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି। ମାମଲାରେ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାହା ହେଲା – ସୁପ୍ରିମକୋର୍ଟ ଖଣ୍ଡପୀଠ ସରକାରଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ‘ସମ୍ୱିଧାନର ଧାରା ୪୮ କ (୪୮ଇ) ପରିବେଶର ସଂରକ୍ଷଣ ତଥା ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏହା ମଧ୍ୟ ନାଗରିକଙ୍କ ଜୀବନ ଧାରଣ ଅଧିକାର ସହିତ ସିଧାସଳଖ ଜଡ଼ିତ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ଦେଶ ତଥା ବିଶ୍ୱକୁ ସୁରକ୍ଷିତ ରଖିବାକୁ ହେଲେ ଜଙ୍ଗଲ ସୁରକ୍ଷାକୁ ପ୍ରାଥମିକତା ଦେବା ଅପରିହାର୍ଯ୍ୟ।’ ପରିବେଶ ସଂକ୍ରାନ୍ତୀୟ ଅନେକ ଅଦାଲତ ରାୟ ପୂର୍ବରୁ ଆସିଛି। କିନ୍ତୁ ସମ୍ପ୍ରତି ସୁପ୍ରିମକୋର୍ଟଙ୍କ ଉପରୋକ୍ତ ମନ୍ତବ୍ୟ ଐତିହାସିକ ବୋଲି ଏହି କାରଣରୁ କୁହାଯାଇପାରିବ ଯେ ଏହା ଭାରତୀୟ ସମ୍ୱିଧାନର ମୂଳ ତତ୍ତ୍ୱକୁ ପ୍ରତିପାଦନ କରୁଛି। ସାମ୍ବିଧାନିକ ବିଧିବ୍ୟବସ୍ଥାରେ ପରିବେଶ କାହିଁକି ଓ କିପରି ଗୁରୁତ୍ୱପୂର୍ଣ୍ଣ ତାହା ଆଲୋଚନା କରିବା।

ଅଧିକ ପଢନ୍ତୁ

୧୯୭୨ ମସିହାରେ ଷ୍ଟକହୋମ (ସ୍ୱିଡେନର ରାଜଧାନୀ)ଠାରେ ‘ମାନବୀୟ ପରିବେଶ’ ବିଷୟ ଉପରେ ଆଧାରିତ ମିଳିତ ଜାତିସଂଘର ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯାହା ପରିବେଶକୁ ପ୍ରଥମଥର ପାଇଁ ଏକ ପ୍ରମୁଖ ପ୍ରସଙ୍ଗ କରିଥିଲା। ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରି ଷ୍ଟକହୋମ ଘୋଷଣାନାମା ଏବଂ ମାନବୀୟ ପରିବେଶ ସମେତ ପରିବେଶର ଶୃଙ୍ଖଳିତ ପରିଚାଳନା ପାଇଁ ଅନେକ ନିଷ୍ପତ୍ତି ଗ୍ରହଣ କରିଥିଲେ। ଷ୍ଟକହୋମ ଘୋଷଣାନାମାରେ ୨୬ ଟି ନୀତି ରହିଥିଲା, ଯାହା ପରିବେଶ ସମସ୍ୟାକୁ ଅନ୍ତର୍ଜାତୀୟ ଚିନ୍ତାଧାରାର ଶୀର୍ଷରେ ରଖିଥିଲା ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଶିଳ୍ପାୟନ, ବାୟୁ, ଜଳ, ମହାସାଗର ପ୍ରଦୂଷଣ ଇତ୍ୟାଦି ସମସ୍ୟାର ସମାଧାନ ପାଇଁ ବିକାଶଶୀଳ ଓ ବିକାଶୋନ୍ମୁଖୀ ଦେଶମାନଙ୍କ ମଧ୍ୟରେ ଆପୋସ କଥାବାର୍ତ୍ତା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ସମଗ୍ର ବିଶ୍ୱର ମାନବ ସମାଜର କଲ୍ୟାଣ ପାଇଁ ଏହି ସମ୍ମିଳନୀର ଉଦ୍ୟମ ଗଠନମୂଳକ ଏବଂ ପ୍ରଶଂସନୀୟ ଥିଲା।

ଉକ୍ତ ସମ୍ମିଳନୀ ପରେ ପରିବେଶ ସୁରକ୍ଷା ସହ ଜଡ଼ିତ ଅନେକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଲା ଏବଂ ବୁଝାମଣା ଓ ଚୁକ୍ତିପତ୍ର ଆଦି ପ୍ରସ୍ତୁତ କରାଗଲା। ଭାରତୀୟ ସମ୍ୱିଧାନର ଧାରା ୫୧(ଗ) ରେ ଉଲ୍ଲେଖ ଅଛି ଯେ ଭାରତ ଅନ୍ତର୍ଜାତୀୟ ନୀତି, ନିୟମ ତଥା ରାଜିନାମା, ଚୁକ୍ତିପତ୍ର ଆଦିକୁ ଭାରତ ସମ୍ମାନ ଜଣାଇବ। ଏହିସବୁ ଚୁକ୍ତିନାମାରେ ଏକ ଦସ୍ତଖତକାରୀ ଦେଶ ହିସାବରେ ଭାରତବର୍ଷ ନୈତିକତା ଦୃଷ୍ଟିରୁ ଏହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଯଥାସମ୍ଭବ ପଦକ୍ଷେପ ନେବ। ଫଳସ୍ୱରୂପ ଭାରତ ଅବିଳମ୍ୱେ ବନ୍ୟଜନ୍ତୁ(ସୁରକ୍ଷା) ଅଧିନିୟମ-୧୯୭୨; ଜଳ(ପ୍ରଦୂଷଣ ନିରାକରଣ ଏବଂ ନିୟନ୍ତ୍ରଣ) ଅଧିନିୟମ-୧୯୭୪; ବାୟୁ (ପ୍ରଦୂଷଣ ନିରାକରଣ ଏବଂ ନିୟନ୍ତ୍ରଣ) ଅଧିନିୟମ- ୧୯୮୧; ସୁବିସ୍ତୃତ ପରିବେଶ (ସୁରକ୍ଷା) ଅଧିନିୟମ- ୧୯୮୬ ଇତ୍ୟାଦି ଆଇନ ପ୍ରଣୟନ କଲା। ୧୯୭୬ ମସିହାରେ ଏହି ମର୍ମରେ ସମ୍ୱିଧାନରେ ସଂଶୋଧନ କରାଯାଇ ଧାରା ୪୮ ସହିତ ଧାରା (କ) (୪୮କ) ସଂଲଗ୍ନ କରାଯାଇଥିଲା, ଯେଉଁଥିରେ ଦର୍ଶାଯାଇଛି ଯେ ‘ପରିବେଶର ସଂରକ୍ଷଣ ଓ ଉନ୍ନତି ତଥା ଦେଶର ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାଷ୍ଟ୍ର ଉଦ୍ୟମ କରିବ।’ ସେହି ଆଇନଗତ ନିଷ୍ପତ୍ତି ବଳରେ ବନ୍ୟଜନ୍ତୁ ଏବଂ ଜଙ୍ଗଲର ଅଧିକାର ସତ୍ତ୍ୱ୍ୱକୁ ରାଜ୍ୟ ତାଲିକାରୁ ସମ୍ୱିଧାନର ଏକକାଳୀନ ତାଲିକାକୁ ସ୍ଥାନାନ୍ତରିତ କରାଗଲା। ଅର୍ଥାତ୍‌‌ ଏହି କ୍ଷେତ୍ର ଉଭୟ କେନ୍ଦ୍ର ତଥା ରାଜ୍ୟର ଯୁଗ୍ମ ଅଧିକାର ଭୁକ୍ତ ହେଲା। ଏହାଦ୍ୱାରା କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ଅଗ୍ରାହ୍ୟ କରିବାର କ୍ଷମତା ପ୍ରାପ୍ତ ହେଲା। ଏହିପରି ରାଜନୈତିକ ନିଷ୍ପତ୍ତି ଏବଂ ସାମ୍ୱିଧାନିକ ପରିବର୍ତ୍ତନ ବଳରେ ୧୯୮୦ ରେ କେନ୍ଦ୍ର ପରିବେଶ ବିଭାଗ ସୃଷ୍ଟି ପାଇଁ ମୂଳଦୁଆ ପଡ଼ିଲା, ଯାହା ୧୯୮୫ ରେ ‘ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ’ରେ ପରିଣତ ହୋଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌‌ ୨୦୧୪ ମସିହା ମେ’ ମାସରେ ଏହାକୁ ‘ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ’ ଭାବରେ ନାମିତ କରାଗଲା।

ଏଥିସହିତ ପଢ଼ନ୍ତୁ

ଏହି ମନ୍ତ୍ରଣାଳୟର ମୂଳ ଓ ପ୍ରଧାନ ଉଦ୍ଦେଶ୍ୟ ହେଉଛି ଉଦ୍ଭିଦ, ଜୀବଜନ୍ତୁ, ଜଙ୍ଗଲ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଓ ସର୍ବେକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ବୃକ୍ଷରୋପଣ ଏବଂ ଅଧଃପତିତ ବନାଞ୍ଚଳର ପୁନରୁତ୍ପତ୍ତି, ପରିବେଶ ସୁରକ୍ଷା ଓ ପଶୁମାନଙ୍କର କଲ୍ୟାଣ ନିଶ୍ଚିତ କରିବା। ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପଦକ୍ଷେପକୁ ସୁଦୃଢ଼ କରିବା ଦିଗରେ ବିଧାନସଭା ତଥା ନିୟାମକ ପଦକ୍ଷେପଗୁଡ଼ିକର ବଳିଷ୍ଠ ସମର୍ଥନ ଯଥେଷ୍ଟ ସହାୟକ ହୋଇଛି। ବିଧାନସଭା ପଦକ୍ଷେପ ବ୍ୟତୀତ, ପରିବେଶ ଏବଂ ବିକାଶ ଉପରେ ଜାତୀୟ ସଂରକ୍ଷଣ କୌଶଳ ଏବଂ ନୀତି ବିବୃତି – ୧୯୯୨; ଜାତୀୟ ଜଙ୍ଗଲ ନୀତି – ୧୯୮୮; ପ୍ରଦୂଷଣ ହ୍ରାସ ଉପରେ ନୀତି ବିବୃତି – ୧୯୯୨ ଏବଂ ଜାତୀୟ ପରିବେଶ ନୀତି – ୨୦୦୬ ମଧ୍ୟ ମନ୍ତ୍ରଣାଳୟର କାର୍ଯ୍ୟକୁ ମାର୍ଗଦର୍ଶନ କରେ।

ଭାରତ ସମ୍ୱିଧାନର ଧାରା ୪୮ ରେ କୁହାଯାଇଛି ଯେ ‘ଆଧୁନିକ ତଥା ବୈଜ୍ଞାନିକ ପଦ୍ଧତିରେ କୃଷି ଏବଂ ପଶୁପାଳନ ପାଇଁ ରାଷ୍ଟ୍ର ଉଦ୍ୟମ କରିବ ଏବଂ ବିଶେଷ ଭାବରେ ବିଭିନ୍ନ ପ୍ରଜାତିର ପ୍ରାଣୀ ସଂରକ୍ଷଣ ତଥା ଉନ୍ନତି ପାଇଁ ପଦକ୍ଷେପମାନ ଗ୍ରହଣ କରିବ। ଖାଦ୍ୟ ପାଇଁ ଦୁଧିଆଳୀ ଗାଇ, ବାଛୁରୀ ତଥା ଗୋମହିଷାଦି ଗୃହପାଳିତ ପ୍ରାଣୀ ହତ୍ୟା କରିବା ନିଷେଧ ହେବ।’ ଏଥିସହିତ ୪୮ (କ) ସଂଯୋଗ କରାଗଲା। ପରିବେଶ ସୁରକ୍ଷା ଆଧାରିତ ଥିବା ବେଳେ ଧାରା ୫୧ (କ), ୫୧-(ଇ)ଜୀବଜନ୍ତୁଙ୍କ ପ୍ରତି ଦୟା ଦେଖାଇବା ପ୍ରତ୍ୟେକ ନାଗରିକଙ୍କର ଏକ ମୌଳିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ ରହିଛି। ଅର୍ଥାତ୍‌‌ ଏଥିରେ ଜଙ୍ଗଲ, ହ୍ରଦ, ନଦୀ ଏବଂ ଅନ୍ୟତ୍ର ରହିଥିବା ସମସ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ଅନ୍ତର୍ଭୁକ୍ତ। ସମୟକ୍ରମେ ପରିବେଶର ସୁରକ୍ଷା ଏବଂ ବିକାଶ ୧୯୭୬ର ସମ୍ୱିଧାନ ଅଧିନିୟମ ଅନୁଯାୟୀ ସମସ୍ତଙ୍କର ଏକ ମୌଳିକ କର୍ତ୍ତବ୍ୟ ବୋଲି ସ୍ୱୀକୃତ ଓ ଗୃହୀତ ହେଲା। ଏହାର ତଦାରଖ କରିବା ପାଇଁ ଭାରତ ସରକାର ପରିବେଶ ଯୋଜନା ଏବଂ ସମନ୍ୱୟ ନାମରେ ଏକ ଜାତୀୟ କମିଟି ଗଠନ କରିଛନ୍ତି।

ସମ୍ୱିଧାନର ଧାରା ୨୧ ବଞ୍ଚିବାର ମୌଳିକ ଅଧିକାର ପ୍ରଦାନ କରେ। ଏହାର ଅର୍ଥ ଏକ ସମ୍ମାନଜନକ ଜୀବନଧାରଣ କରିବାର ଅଧିକାର ଏବଂ ଏଥିପାଇଁ ଖାଦ୍ୟ, ଆଶ୍ରୟ, ବିଶୁଦ୍ଧ ଜଳ ଏବଂ ପୋଷାକ ପରି ଜୀବନର ସକଳ ପ୍ରକାର ଆବଶ୍ୟକତାର ଉପଲବ୍ଧତା ଅନ୍ତର୍ଭୁକ୍ତ। ବଞ୍ଚିବାର ଅଧିକାର ହେଉଛି ଏକ ସ୍ୱଚ୍ଛ ସୁନ୍ଦର ଏବଂ ପରିଷ୍କାର ପରିବେଶ, ଯେଉଁଠାରେ ବ୍ୟକ୍ତିମାନେ ସେମାନଙ୍କ ଜୀବନ ପ୍ରତି ବିନା କୌଣସି ବିପଦ ଆଶଙ୍କାରେ ବା ନିରାପଦରେ ବଞ୍ଚିପାରିବେ। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌‌ଇପି) ମିଳିତ ଜାତିସଂଘର ପରିବେଶ ଏବଂ ବିକାଶ ସମ୍ମିଳନୀ(ୟୁଏନ୍‌‌ସିଇଡି), ନିରନ୍ତର ବିକାଶ ଆୟୋଗ(ସିଏସ୍‌‌ଡି), ଗ୍ଲୋବାଲ ଏନଭାର୍ୟନମେଣ୍ଟ ଫେସିଲିଟି(ଜିଇଏଫ୍‌‌) ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦେଶରେ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରେ। ତତ୍‌‌ସଙ୍ଗେସଙ୍ଗେ ପରିବେଶ ପ୍ରସଙ୍ଗରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ଓ ସାମାଜିକ ପରିଷଦ(ଇଏସ୍‌‌ସିଏପି), ଦକ୍ଷିଣ ଏସୀୟ ଆସୋସିଏସନ୍‌‌ ଫର୍‌‌ ରିଜିଓନାଲ୍‌‌ କୋଅପରେସନ୍‌‌(ସାର୍କ) ପରି ଅନେକ ଆଞ୍ଚଳିକ ସଂସ୍ଥାର ସଂଯୋଜକ ଭାବରେ ମଧ୍ୟ ସମନ୍ୱୟ ରକ୍ଷା କରେ।

ଦେଶର ନାଗରିକଙ୍କ ଜୀବନଧାରଣର ମୌଳିକ ଅଧିକାରର ସୁରକ୍ଷା ଦୃଷ୍ଟିରୁ ପରିବେଶ ସୁରକ୍ଷା ଏକ ଜନମଙ୍ଗଳ ରାଷ୍ଟ୍ର ଓ ସରକାରର ପ୍ରଧାନ କର୍ତ୍ତବ୍ୟ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଦେଶ ନିକଟରେ ଉତ୍ତରଦାୟୀ। ଦେଶର ନାଗରିକଙ୍କ କର୍ତ୍ତବ୍ୟ ଓ ଅଧିକାର ମଧ୍ୟ ଏ କ୍ଷେତ୍ରରେ ଗୌଣ ନୁହେଁ। ତେଣୁ ଆଜିର ସମୟର ଆହ୍ୱାନରେ ଉଭୟ ସରକାର ଓ ନାଗରିକ ମିଳିତ ଭାବେ ପରିବେଶର ସୁରକ୍ଷା ପାଇଁ ଯତ୍ନବାନ ହେବା ଅପରିହାର୍ଯ୍ୟ। ଏଥିରେ ଅବହେଳା, ସ୍ୱାର୍ଥାନ୍ୱେଷୀ ମାନସିକତା, ଅନୈତିକ କାର୍ଯ୍ୟକଳାପ ନିନ୍ଦନୀୟ ଓ ଦଣ୍ଡନୀୟ।

ଡକ୍ଟର ସୁନ୍ଦର ନାରାୟଣ ପାତ୍ର
ଭୁବନେଶ୍ୱର, ମୋ: ୯୪୩୭୧୯୦୪୨୦

Leave A Reply

Your email address will not be published.