ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନକ ପରେ ନିର୍ବାଚନ; ସଜାଗ୍‌‌ ପୁଲିସ

ଭୁବନେଶ୍ୱର: ଆସନ୍ତା ୨୫ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଲାଗି ଭୋଟ୍‌‌ ଗ୍ରହଣ ହେବ। କମିସନରେଟ ପୁଲିସ ସହରାଞ୍ଚଳ ଅଧୀନରେ ଥିବା ୫ଟି ବିଧାନସଭା କ୍ଷେତ୍ରର ଭୋଟ୍‌‌ ଗ୍ରହଣ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜୟଦେବ, ମଧ୍ୟ, ଏକାମ୍ର, ଉତ୍ତର ଓ ଜଟଣୀ ବିଧାନସଭା କ୍ଷେତ୍ରରେ ୧୧୩୨ଟି ବୁଥ୍‌‌ ରହିଛି। ସେଥିରୁ ୧୫୨ଟି ଉତ୍ତେଜନାପ୍ରବଣ ବୁଥ୍‌‌ ଓ ୧୬ଟି ସମ୍ବେଦନଶୀଳ ବୁଥ୍‌‌ ରହିଛି। ମୋଟ୍‌‌ ୫୨୫ ବୁଥ୍‌‌ରେ ୱେବ୍‌‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ୫ଟି ନିର୍ବାଚନ କ୍ଷେତ୍ର ଲାଗି ୧୧ ଲକ୍ଷ ୬୨ହଜାର ଓ ୮୪୨ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ।

ନିର୍ବାଚନ ପରିଚାଳନାର ସହ ଶୃଙ୍ଖଳା ରକ୍ଷା ଲାଗି ୩ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ଏଥିରେ ୧୨ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୧୫ ପ୍ଲାଟୁନ ଓଏସ୍‌‌ଏପି (ଆର୍ମଡ୍‌‌ ଫୋର୍ସ)ଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ୩ଜଣ ଡିସିପି, ୫ଜଣ ଅତିରିକ୍ତ ଡିସିପି, ୧୩ଜଣ ଏସିପି, ୩୫ଜଣ ଇନ୍ସପେକ୍ଟର, ଏଏସ୍‌‌ଆଇ/ଏସ୍‌‌ଆଇ ୨୯୩, କନଷ୍ଟେବଳ/ହାବିଲଦାର ୧୧୨୦, ଗୃହରକ୍ଷୀ ୫୧୮ ଜଣଙ୍କୁ ସୁରକ୍ଷା ଲାଗି ନିୟୋଜିତ କରାଯିବ। ଜରୁରିକାଳୀନସ୍ଥିତି ଲାଗି କ୍ୟୁଏଟିଙ୍କୁ ବି ଆଲର୍ଟ ରଖାଯାଇଛି। ସମସ୍ତ ଉତ୍ତେଜନା ପ୍ରବଣ ବୁଥ୍‌‌ରେ ଅର୍ଦ୍ଧ ସାମରିକ ବାହିନୀ ଜଗିବେ। ଗୋଟିଏ ସ୍ଥାନରେ ୪ରୁ ଅଧିକ ବୁଥ୍‌‌ ରହିଥିଲେ ଜଣେ ପୁଲିସ ଅଧିକାରୀଙ୍କ ସମେତ ଅର୍ଦ୍ଧ ସାମରିକ ବାହିନୀଙ୍କୁ ସେଠାରେ ନିୟୋଜିତ କରାଯିବ।

ଏହି ୫ ନିର୍ବାଚନୀମଣ୍ଡଳୀ ଲାଗି ୫୧ ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି। ପ୍ରତି ମୋବାଇଲ ପାର୍ଟିରେ ଜଣେ ଏସ୍‌‌ଆଇ, ହାବିଲଦାର ଓ ଦୁଇ ଆର୍ମଡ୍‌‌ କନଷ୍ଟେବଳ ନିୟୋଜିତ ହୋଇଛନ୍ତି। ସେମାନେ ୮ରୁ ୧୦ଟି ବୁଥ୍‌‌ ପହଞ୍ଚିବେ। ଏସିପି ପାହ୍ୟାର ଜଣେ ଅଧିକାରୀ ୫ଟି ମୋବାଇଲ ପାର୍ଟିଂର ମନିଟରିଂ ଦାୟିତ୍ୱରେ ରହିବେ। ସେହିପରି ଉତ୍ତେଜନାପ୍ରବଣ ବାଇକ ମୋବାଇଲ ପାଟ୍ରୋଲିଂ ପାର୍ଟି କରାଯିବ। ୪୭ଟି ବାଇକ ମୋବାଇଲ ପାଟ୍ରୋଲିଂ ସମସ୍ତ ୫ ବିଧାନସଭା କ୍ଷେତ୍ରରେ ମୁତୟନ କରାଯିବ। ପ୍ରତ୍ୟେକ ମୋବାଇଲ ପାଟ୍ରୋଲିଂ ପାର୍ଟି ବନ୍ଧୁକଧାରୀ ଏସ୍‌‌ଆଇ ଓ ଜଣେ କନଷ୍ଟେବଳ ରହିବେ। ସେଭଳି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ସଂକ୍ରାନ୍ତୀୟ ବନ୍ଦୋବସ୍ତ ଲାଗି ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶକ୍ରମେ ୧୫ଟି ଫ୍ଲାଇଂସ୍କ୍ୱାଡ ଓ ୩୦ଟି ଷ୍ଟାଟିକ୍‌‌ ସର୍ଭେଲାନ୍ସ ଟିମ୍‌‌ ନିୟୋଜିତ ହୋଇଛନ୍ତି। ଏଥିରେ ୨ଜଣ ଲେଖାଏଁ ପୁଲିସ କର୍ମଚାରୀ ରହିବେ। ଭୁବନେଶ୍ୱର ନିର୍ବାଚନ କ୍ଷେତ୍ରକୁ ସଂଯୋଗ ସୀମାକୁ ସିଲ୍‌‌ କରାଯାଇଛି। ୮ଟି ଚେକ୍‌‌ପୋଷ୍ଟରେ ସିସିଟିଭି ଲଗାଯାଇ ଜିଲ୍ଲା କଣ୍ଟ୍ରୋଲ ରୁମ୍‌‌ ସହ ସଂଯୋଗ କରାଯାଇଛି। ଇଭିଏମ୍‌‌ଗୁଡିକୁ ସୁରକ୍ଷିତ ରଖିବା ଲାଗି ଷ୍ଟ୍ରଙ୍ଗରୁମ କରାଯାଇଛି। ଇଭିଏମ୍‌‌ ସୁରକ୍ଷା ଲାଗି ଅନ୍ତଃସ୍ତର ସୁରକ୍ଷା ଦାୟିତ୍ୱରେ ଗୋଟିଏ ପ୍ଲାଟୁନ ଅର୍ଦ୍ଧ ସାମରିକ ବାହିନୀ ଓ ବାର୍ହ୍ୟସ୍ତର ଦାୟିତ୍ୱରେ ଆର୍ମଡ୍‌‌ ଫୋର୍ସ ଓ ସ୍ଥାନୀୟ ଜିଲ୍ଲା ପୁଲିସ ଗୋଟିଏ ଲେଖାଏଁ ପ୍ଲାଟୁନ ଜଗିବେ। ବୁଧବାର ବାଣୀବିହାର ଦୀକ୍ଷାନ୍ତ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜିବ ପଣ୍ଡା ଏଭଳି ତଥ୍ୟ ରଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି, ଏସିପି ଓ ସମସ୍ତ ଥାନାଧିକାରୀ ଏବଂ ଅର୍ଦ୍ଧ ସାମରିକ ବାହିନୀ ଦାୟିତ୍ୱରେ ରହୁଥିବା ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.