ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ନବୀନ ଯୁଗ

ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା ଯୋଜନାକୁ ଓଡ଼ିଶା କାର୍ଯ୍ୟକାରୀ କରି ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅଧିକାଂଶ କେନ୍ଦ୍ରୀୟ ନେତା ଏହାକୁ ଏକ ନିର୍ବାଚନ ପ୍ରସଙ୍ଗ କରିବାକୁ ଉଦ୍ୟମ କରିଆସୁଛନ୍ତି। ସ୍ୱାସ୍ଥ୍ୟ ଯୁଗ୍ମ ତାଲିକାର ବିଷୟ ଏବଂ ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟଙ୍କର ମିଳିତ ଦାୟିତ୍ୱ ରହିଛି। ସମ୍ବିଧାନ ଅନୁସାରେ ଯୁଗ୍ମ ତାଲିକାରେ କେନ୍ଦ୍ରର ପ୍ରଭୁତ୍ୱ ଅଗ୍ରାଧିକାର ପାଉଥିଲେ ମଧ୍ୟ ସଂଘୀୟ ବ୍ୟବସ୍ଥା ରାଜ୍ୟର ପ୍ରୟାସକୁ ସୁରକ୍ଷିତ ରଖିଛି। କେବଳ ଓଡ଼ିଶା ନୁହେଁ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଭଳି ଏକାଧିକ ରାଜ୍ୟ ନିଜସ୍ୱ ସ୍ୱାସ୍ଥ୍ୟ ସେବା ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହା ଆୟୁଷ୍ମାନ ଭାରତ ଯୋଜନାଠାରୁ ଭଲ। ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌‌କେୱାଇ) ତୁଳନାତ୍ମକ ଭାବେ ହିତାଧିକାରୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଉଛି।

ବିଏସ୍‌‌କେୱାଇରେ ପୁରୁଷ ଓ ମହିଳା ହିତାଧିକାରୀମାନଙ୍କୁ ଯଥାକ୍ରମେ ପାଞ୍ଚ ଓ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରାଜ୍ୟ ତଥା ଦେଶର ବଛା ବଛା ହସ୍‌‌ପିଟାଲ୍‌‌ରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ କାର୍ଡଧାରୀ ଏହି ଯୋଜନାରେ କ୍ୟାସ୍‌‌ଲେସ୍‌‌(ମାଗଣା) ଚିକିତ୍ସା ସୁବିଧା ପାଉଛନ୍ତି। ଏହି ଯୋଜନାର ପରିସରକୁ ବଢ଼଼ାଇ ଏଥିରେ ମଧ୍ୟବିତ୍ତ ବର୍ଗ, ସରକାରୀ ଚାକିରିଆ ଓ ଆଉ କେତେକ ଶ୍ରେଣୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାର ମଧ୍ୟ କିଛିଦିନ ପୂର୍ବେ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ତୁଳନାତ୍ମକ ଭାବେ ଦେଖିଲେ ଏହା ଆୟୁଷ୍ମାନ ଭାରତ ଯୋଜନାଠାରୁ ଯଥେଷ୍ଟ ଭଲ। ଓଡ଼ିଶାର କ୍ୟାସଲେସ୍‌‌ ସ୍ୱାସ୍ଥ୍ୟସେବା ଓ ଗରିବ ହିତାଧିକାରୀଙ୍କ ନିମନ୍ତେ ଏହା ଏକ ଅତ୍ୟନ୍ତ ଉପାଦେୟ ଯୋଜନା(ଗେମଚେଞ୍ଜର)। ତେଣୁ ଅପେକ୍ଷାକୃତ ଏକ ନିକୃଷ୍ଟ ଯୋଜନାକୁ ଓଡ଼ିଶା କାର୍ଯ୍ୟକାରୀ କରୁ ନ ଥିବାରୁ ସେଥିପାଇଁ ରାଜ୍ୟ ସରକାର ଓ ଏହାର ମୁଖ୍ୟଙ୍କୁ କେନ୍ଦ୍ରୀୟ ନେତାମାନେ ନିଶାଣ କରିବା ଦୁର୍ଭାଗ୍ୟଜନକ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

ବିଗତ ୨୪ ବର୍ଷ ମଧ୍ୟରେ ବିଜେଡିର ସ୍ଥିର ଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ ବଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ବହୁତକିଛି ଉନ୍ନତି ଘଟିଛି। ୨୦୦୦ ମସିହା ପୂର୍ବରୁ ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ ଥିଲା ଏବଂ ଶିଶୁ ଓ ମାତୃମୃତ୍ୟୁ ହାରରେ ଏହା ଥିଲା ଦେଶର ଏକନମ୍ବର ରାଜ୍ୟ। ଆଜି ସେ ସ୍ଥିତି ନାହିଁ। ଓଡ଼ିଶାରେ ଶିଶୁ ଓ ମାତୃ ମୃତ୍ୟୁହାର ଯଥେଷ୍ଟ କମିଛି। ୨୦୧୫-୧୭ରେ ରାଜ୍ୟରେ ମାତୃ ମୃତ୍ୟୁହାର ୧୦୦୦ ପ୍ରସବ ପିଛା ୧୧୯କୁ ହ୍ରାସ ପାଇଛି। ପରବର୍ତ୍ତୀ କାଳର ତଥ୍ୟ ସରକାରୀ ଭାବେ ପ୍ରକାଶ ପାଇନାହିଁ। ତଥାପି ଏ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ଉନ୍ନତି କରିଛି ଓ ରାଜ୍ୟରେ ମାତୃ ମୃତ୍ୟୁହାର ଜାତୀୟ ହାର(୧୦୦୦/୯୭)ର ସମକକ୍ଷ ବା ତଳକୁ ଆସିବାକୁ ପ୍ରୟାସ ଚଳାଇଛି। ଶିଶୁମୃତ୍ୟୁ ହାର ମଧ୍ୟ ୨୦୨୦ରେ ଓଡ଼ିଶାରେ ୧ ହଜାର ପିଛା ୩୬ରେ ପହଞ୍ଚିଥିଲା। ଏ କ୍ଷେତ୍ରରେ ଜାତୀୟ ମୃତ୍ୟୁହାର ୩୨। ଜାତୀୟ ପରିବାର ସ୍ୱାସ୍ଥ୍ୟ ନମୁନା ସର୍ଭେ ଅନୁସାରେ ଓଡ଼ିଶାରେ ଶିଶୁମାନଙ୍କ ରକ୍ତହୀନତା ସମସ୍ୟା ହ୍ରାସ ପାଇ ୨୦୨୩ରେ ୩୫.୨%ରେ ପହଞ୍ଚିଛି। ୨୦୨୧ରେ ଏହା ୬୪ ଶତାଂଶ ଉପରେ ଥିଲା। ରାଜ୍ୟରେ ସବୁପ୍ରକାର ଟିକା ନେଇଥିବା ଶିଶୁଙ୍କ ଅନୁପାତ ୯୦.୫ ଶତାଂଶ ଯାହା ଦେଶରେ ସର୍ବାଧିକ। ସେହିଭଳି କୁପୋଷଣ ଷ୍ଟଣ୍ଟିଂରେ ଓଡ଼ିଶା ଶିଶୁଙ୍କ ହାର ୩୧ ଶତାଂଶ ଥିବା ବେଳେ ଏହାର ଜାତୀୟ ହାର ୩୫.୫ ଶତାଂଶ। ଓଡ଼ିଶାରେ ଏବେ ୯୨.୫ ଶତାଂଶ ଗର୍ଭବତୀ ଆନୁଷ୍ଠାନିକ ପ୍ରସବ ସୁବିଧା ଲାଭ କରୁଥିବା ବେଳେ ଏହାର ଜାତୀୟ ହାର ୮୮.୬%।

ସଂକ୍ଷେପରେ କହିଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଅନେକ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ କରି ଜାତୀୟସ୍ତରରେ ଉଦାହରଣ ସୃଷ୍ଟି କରିପାରିଛି। ନିରାମୟ ଯୋଜନାରେ ସବୁ ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସହିତ ଔଷଧ ଯୋଗାଇ ଦିଆଯାଉଛି। ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ସୁବିଧା ‘ସହାୟ’ ଯୋଜନାରେ ସରକାରୀ ହସ୍ପିଟାଲରେ ମିଳୁଛି। କଟକ ବଡ଼ ମେଡିକାଲରେ ଏବେ ‘ଲିଭର’ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଫଳରେ ରୋଗୀ ପ୍ରାୟ ୨୫ ଲକ୍ଷ ଟଙ୍କା ବଞ୍ଚାଇପାରିବେ।

‘ଆମ ହସ୍ପିଟାଲ’ ଯୋଜନାରେ ଓଡ଼ିଶା ସରକାର କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁରର ଏମ୍‌‌କେସିଜି, ବୁର୍ଲାର ଭୀମସାର ଓ ରାଉରକେଲାର ଆଇଜିଏଚର ଉନ୍ନତି ବିଧାନ, କଟକର ଏସ୍‌‌ସିବିକୁ ଏମ୍ସ ପ୍ଳସରେ ରୂପାନ୍ତରଣ ଅାଦି କାର୍ଯ୍ୟକ୍ରମ ହାତକୁ େନଇଛନ୍ତି। ରାଜ୍ୟରେ ଏବେ ମେଡିକାଲ କଲେଜ ସଂଖ୍ୟା ୩ ରୁ ୧୩ରେ ପହଞ୍ଚିଛି ଓ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଛି। ଆହୁରି କେତେକ ମେଡିକାଲ କଲେଜ ନିର୍ମାଣାଧୀନ ସ୍ଥିତିରେ ଅଛି। ଏହାଫଳରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଖୁବ୍‌‌ଶୀଘ୍ର ଦୂର ହେବ। ସେହିଭଳି ଚିକିତ୍ସା ସହାୟକ ଓ ନର୍ସମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାରୀ ତଥା ଘରୋଇ ଉଦ୍ୟମରେ ଶିକ୍ଷାନୁଷ୍ଠାନମାନ ଖୋଲାଯାଇଛି।

ନିର୍ଦ୍ଦିଷ୍ଟ ଭାବେ ବିଗତ ପାଞ୍ଚବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ଏକ ବିପ୍ଳବ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାରୀ ଆମ୍ବୁଲାନ୍ସ ସେବା ପ୍ରବର୍ତ୍ତନ, ଅଗମ୍ୟ ଇଲାକାରେ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଣ, ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ଆଦି ଫଳରେ ଲୋକେ ସହଜରେ ଚିକିତ୍ସା ପାଉଛନ୍ତି। ସ୍ୱାସ୍ଥ୍ୟଭଳି ସମସ୍ୟାବହୁଳ କ୍ଷେତ୍ରରେ ସଫଳତା ପାଇବା କଷ୍ଟସାଧ୍ୟ। ଯେତେବେଳେ ରାଜ୍ୟରେ ଆଦିବାସୀ, ଦଳିତ, ଅନଗ୍ରସର ଓ ଗରିବ ଲୋକଙ୍କ ସଂଖ୍ୟା ଅଧିକ ଥାଏ ଓ ବିଭିନ୍ନ ଐତିହାସିକ କାରଣରୁ ଗୋଟିଏ ରାଜ୍ୟ ପଛରେ ପଡ଼ିଯାଇଥାଏ, ସେତେବେଳେ ଏ କ୍ଷେତ୍ରରେ ସଫଳତା ପାଇବା ଏବଂ ଜାତୀୟସ୍ତରରେ ଉଦାହରଣ ସୃଷ୍ଟି କରିବା ଅନସ୍ୱୀକାର୍ଯ୍ୟ ଉପଲବ୍ଧି।

ଏଠାରେ ଉଲ୍ଲେଖନୀୟ ଯେ କୋଭିଡ୍‌‌ ମହାମାରୀ ସମୟରେ ଓଡ଼ିଶା କୋଭିଡ୍‌‌ ପରିଚାଳନା କ୍ଷେତ୍ରରେ ସଫଳତା ଅର୍ଜନ କରିଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ତଥା ବଡ଼ ସହରମାନଙ୍କରେ ବିଶେଷ କୋଭିଡ୍‌‌ ଚିକିତ୍ସାଳୟର ଆଶୁ ବ୍ୟବସ୍ଥା କରାଯାଇ ମହାମାରୀ ନିୟନ୍ତ୍ରଣ ଦିଗରେ ସଫଳକାମ ହୋଇଥିଲା। ଏ ଦିଗରେ ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା ରାଜଧାନୀ ଦିଲ୍ଳୀ ସମେତ ଦେଶର ବିଭିନ୍ନ ରାଜ୍ୟକୁ ଓଡ଼ିଶା ଜୀବନରକ୍ଷକ ଅକ୍ସିଜେନ୍‌‌ ଗ୍ୟାସ ଯୋଗାଣ ବହୁଳ ମାତ୍ରାରେ କରିପାରିଥିଲା। ଓଡ଼ିଶାରେ ବିଭିନ୍ନ ଇସ୍ପାତ୍‌‌ କାରଖାନା ଆଦିରେ ବଳକା ଅକ୍ସଜେନ୍‌‌ ଗଚ୍ଛିତ ହୋଇ ରହୁଥିବାରୁ ବିଶେଷ ରେଳ ସେବା, ଉଡ଼ାଜାହାଜ ପରିବହନ ଓ ସଡ଼କ ପରିବହନ ମାର୍ଗରେ ଦିନରାତି ଅକ୍ସିଜେନ୍‌‌ ଯୋଗାଣ ଅବ୍ୟାହତ ରହିଥିଲା। ବିଶେଷକରି ଓଡ଼ିଶା ଭିତରେ ଅକ୍ସଜେନ୍‌‌ ଚାହିଦାକୁ ପୂରଣ କରିସାରିବା ପରେ ଏଭଳି ପଦକ୍ଷେପ ନିଆଯାଇପାରିଥିଲା। ଏ ସମ୍ବନ୍ଧରେ ଓଡ଼ିଶାର ସଫଳ ସେବା ଯୋଗାଣକୁ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସରକାର ଉଚ୍ଚପ୍ରଶଂସା ମଧ୍ୟ କରିଥିଲେ। ସେହିଭଳି କୋଭିଡ୍‌‌ ପ୍ରତିଷେଧକ ଟିକାଦାନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବେଶ୍‌‌ ସଫଳତା ଲାଭ କରିଥିଲା। ନିକଟ ଭବିଷ୍ୟତରେ ଓଡ଼ିଶାରେ ବିଭିନ୍ନ ପ୍ରକାର ପ୍ରତିଷେଧକ ଟିକା ଉତ୍ପାଦନ ନିମନ୍ତେ ପ୍ରକଳ୍ପ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି।

ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାକୁ ଆହୁରି କିଛି କରିବାକୁ ବାକି ଅଛି ଓ ଏହା ସ୍ୱୀକାର୍ଯ୍ୟ। ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ହୋଇନାହିଁ କହିବା ଅସୂୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅପରକୁ ସମାଲୋଚନା କରିବା ସହଜ। ମିଛ କଥା କହି ଲୋକଙ୍କୁ ଯେଉଁମାନେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଜାଣି ନାହାନ୍ତି ଯେ ଓଡ଼ିଶା ସରକାରଙ୍କ ସଫଳ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନା ଯୋଗୁଁ ରାଜ୍ୟବାସୀ ନବୀନ ସରକାରଙ୍କୁ କ୍ରମାଗତ ଭାବେ ଆଶୀର୍ବାଦ କରି ଆସୁଛନ୍ତି। ସେ ଧାରା ଅବ୍ୟାହତ ରହିଛି ଏବଂ ଏଥର ନିର୍ବାଚନରେ ମଧ୍ୟ ତାହାର ପୁନରାବୃତ୍ତି ସମ୍ଭାବନା ଅଧିକ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି।

Leave A Reply

Your email address will not be published.