ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିକାଶର ନୂତନ ମନସ୍ତତ୍ତ୍ୱ

ମନସ୍ତାତ୍ତ୍ୱିକ ବିକାଶ ସମ୍ପର୍କରେ ଅତୀତରେ ଯେଉଁ ଧାରଣା ଥିଲା ତାହାର ଆମୂଳଚୂଳ ପରିବର୍ତ୍ତନ ଘଟିଛି। ଅତୀତରେ ବୟସକୁ ଚାହିଁ ବିକାଶର ଧାରାକୁ ବିଚାର କରାଯାଉଥିଲା। ଫ୍ରଏଡ୍‌‌ଙ୍କ ପରି କ୍ଳାସିକାଲ ମନସ୍ତତ୍ତ୍ୱବିତ୍‌‌ ବିଶ୍ୱାସ କରୁଥିଲେ ଯେ ମନୁଷ୍ୟ ବ୍ୟକ୍ତିତ୍ୱର ବିକାଶ ପାଞ୍ଚ/ଛଅବର୍ଷ ବୟସ ବେଳକୁ ପ୍ରାୟ ସରିଯାଇଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ସମସ୍ତ ପରିବର୍ତ୍ତନ ଘଟେ ତାହା କେବଳ କା ଭାଁ ପରିବର୍ତ୍ତନ। ଅନ୍ୟତମ ବିଶ୍ୱବିଖ୍ୟାତ ଶିଶୁମନୋବିଜ୍ଞାନୀ ଜାଁ ପିଆଜେ ମଧ୍ୟ ବିଶ୍ୱାସ କରୁଥିଲେ ଯେ ମୁଖ୍ୟ ବିକାଶର ଧାରା କିଶୋରବୟସର ଆରମ୍ଭ ବେଳକୁ (ଅର୍ଥାତ୍‌‌ ୧୧ / ୧୨ ବର୍ଷ ବୟସ) ଶେଷ ହୋଇଥାଏ। ପରବର୍ତ୍ତୀ ସ୍ତରରେ ପ୍ରାୟ ବିଶେଷ ଅଧିକ କିଛି ଘଟି ନଥାଏ। କିନ୍ତୁ ଆଧୁନିକ ମନୋବିଜ୍ଞାନୀମାନଙ୍କ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ। ବର୍ତ୍ତମାନ ବିକାଶଧାରାକୁ ଜୀବନବ୍ୟାପୀ ଏକ ନିରବଚ୍ଛିନ୍ନ ଧାରା ରୂପେ ବିଚାର କରାଯାଉଛି। ବାଲ୍ୟକାଳ, କୈଶୋର, ଆଦ୍ୟଯୌବନ, ମଧ୍ୟଯୌବନ ଏବଂ ପରଯୌବନର ବିକାଶଧାରାକୁ ଚିହ୍ନଟ କରାଯାଉଛି। ଏକବିଂଶ ଶତାବ୍ଦୀରେ ସ୍ୱୀକାର କରାଯାଇଛି ଯେ ମନୁଷ୍ୟର ମସ୍ତିଷ୍କ କୋଡ଼ିଏ/ପଚିଶ ବର୍ଷ ବୟସ ପର୍ଯ୍ୟନ୍ତ ବିକଶିତ ହେବାରେ ଲାଗିଥାଏ। ଏପରିକି ବ୍ୟକ୍ତିର କିଛି ମାତ୍ରାର ସକ୍ରିୟତା ଥିଲେ, ମସ୍ତିଷ୍କରେ ଅଳ୍ପ ସ୍ନାୟୁକୋଷ ଗଠିତ ହେବାରେ ଲାଗିଥାଏ। ଏପରି ନବନିର୍ମିତ ସ୍ନାୟୁ ନୂତନ ଶିକ୍ଷଣ ଓ ନୂତନ କୌଶଳର ଆହରଣରେ ସହାୟକ ହୁଏ।
ବିକାଶର ଏହି ନୂତନ ଦୃଷ୍ଟିକୋଣର ଆମ ଶରୀର ଓ ଅନୁଭୂତିର ସମ୍ପର୍କକୁ ମଧ୍ୟ ପରିବର୍ତ୍ତନ କରିଛି। ପୂର୍ବେ ମନୋବିଜ୍ଞାନୀମାନେ ବିଶ୍ୱାସ କରୁଥିଲେ ଯେ ଜନ୍ମ ସମୟରେ ଶିଶୁର ବିଶେଷ କୌଣସି ଦକ୍ଷତା ନଥାଏ। ସମନ୍ୱୟ ରକ୍ଷା ପାଇଁ ନବଜନ୍ମିତ ଶିଶୁକୁ ଅନୁଭବ ଉପରେ ନିର୍ଭର କରିବାକୁ ହୁଏ। ଶିଶୁ ବହୁମାତ୍ରାରେ ପରନିର୍ଭରଶୀଳ। ବାହ୍ୟଜଗତର ରୂପ, ରସ ଓ ଗନ୍ଧ ତା’ ପାଇଁ ଅସହାୟତାର ବାତାବରଣ ସୃଷ୍ଟି କରେ। ତା’ର ହୁଏତ ଆଖି, ନାକ ଓ କାନ ରହିଥାଏ। ମାତ୍ର ଏ ସବୁର କାର୍ଯ୍ୟ ସଂଯୋଜିତ ହୋଇ ନ ଥିବାରୁ ଶିଶୁ କିଂକର୍ତ୍ତବ୍ୟମୂଢ଼ ଅବସ୍ଥାରେ ରହିଥାଏ। ମାତ୍ର ଏ ବିଚାରଟି ଆଜିର ସମର୍ôଥତ ମତବାଦ ନୁହେଁ।

ଆଜିର ସମସାମୟିକ ମନୋବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ, ନବଜନ୍ମିତ ଶିଶୁ ବହୁ ସାମର୍ଥ୍ୟର ଅଧିକାରୀ। ଇନ୍ଦ୍ରିୟ-ଅନୁଭବକ୍ଷମ ସମ୍ବେଦନସବକୁ ସେମାନେ ସଂଗଠିତ କରିପାରନ୍ତି। ଭାଷା-ଶିକ୍ଷା କରିବାର କେତେକ ସାମର୍ଥ୍ୟ ସମ୍ଭାବନା ଆକାରରେ ଅନ୍ତର୍ନିହିତ ଉପାଦାନ ରୂପେ ଶିଶୁପାଖରେ ରହିଥାଏ। ଯଦିଓ ପୂର୍ଣ୍ଣ ସମ୍ଭାବନା ପ୍ରକାଶ୍ୟ ରୂପରେଖ ନେବା ପାଇଁ ସମୟ ଦରକାର କରେ, ତଥାପି ସମ୍ଭାବନା ରହିଥାଏ। ପୂର୍ବେ ବିଶେଷଜ୍ଞମାନେ ଶିଶୁକୁ ଯେତେବେଶୀ ନିର୍ଭରଶୀଳ ଭାବୁଥିଲେ, ଶିଶୁ ଅନ୍ତତଃ ସେତେ ପରିମାଣରେ ଅସହାୟ ନୁହେଁ।

ଆଧୁନିକ ବିକାଶ ପରିଭାଷାରେ ଆଉ ଗୋଟିଏ ଆକର୍ଷଣୀୟ ଦିଗ ହେଉଛି ବିକାଶର ଦିଗଗୁଡ଼ିକ ମଧ୍ୟରେ ପାରସ୍କାରିକତା। ଅତୀତର ବିଶେଷଜ୍ଞମାନେ ଶାରୀରିକ, ମାନସିକ ଓ ସାମାଜିକ ବିକାଶକୁ ଅଲଗା ଅଲଗା ବିଶ୍ଳେଷଣ କରୁଥିଲେ। ମାତ୍ର ବର୍ତ୍ତମାନର ଅନୁସନ୍ଧାନୀମାନେ ଏ ଦିଗଗୁଡ଼ିକ ମଧ୍ୟରେ ସମ୍ପର୍କଶୀଳତା ଲକ୍ଷ୍ୟ କରିଛନ୍ତି। ଉଦାହରଣ ସ୍ୱରୂପ, ସ୍ୱାଧୀନଭାବରେ ଗୁରୁଣ୍ଡୁ ଥିବା କିମ୍ବା ଚାଲୁଥିବା ପିଲାର ମାନସିକ ବିକାଶ ଦ୍ରୁତତର ହୁଏ। ସେହିପରି ଚାଲୁଥିବା କିମ୍ବା ବୁଲୁଥିବା ପିଲାଟି ପିତାମାତା କିମ୍ବା ଯତ୍ନକାରୀ ମୁହଁରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରେ। ଏ ଦୃଷ୍ଟିରୁ ଶାରୀରିକ ବିକାଶ ସହିତ ସାମାଜିକ ବିକାଶ ମଧ୍ୟ ସମ୍ବନ୍ଧିତ।

ବିକାଶ ସମ୍ପର୍କରେ ଅନ୍ୟ ଏକ ଆଧୁନିକ ଧାରଣା ହେଉଛି ଅନ୍ତପ୍ରକୃତି ଏବଂ ବାହ୍ୟପ୍ରକୃତି ମଧ୍ୟରେ କ୍ରିୟ- ଅନୁକ୍ରିୟା। ଆମର ଜିନ୍‌‌କୁ ରୂପ ଦେଉଥିବା ଡିଏନ୍‌‌ଏର କାର୍ଯ୍ୟକଳାପ ସମ୍ପର୍କରେ ବର୍ତ୍ତମାନ ଅଧିକ ଜ୍ଞାତବ୍ୟତଥ୍ୟ ମିଳିପାରୁଛି। ଆମର ଜୀବନସାରା ଗଠିତ ହେଉଥିବା କେତେକ ରାସାୟନିକ ଚିହ୍ନଟ ଡିଏନ୍‌‌ଏକୁ ସକ୍ରିୟ କିମ୍ବା ନିଷ୍କ୍ରିୟ କରିଥାଏ। ଆମର ଖାଦ୍ୟ, ବାହ୍ୟପରିବେଶ ଓ ମାନସିକ ଚାପ ପ୍ରଭୃତି ପରିବେଶଗତ ଉପାଦାନ ଏପରିସବୁ ରାସାୟନିକ ଚିହ୍ନଟର କାର୍ଯ୍ୟ କରିଥାଏ।
ଲକ୍ଷ୍ୟ କରିବାର କଥା ଯେ ଶିଶୁ ଭ୍ରୂଣ ଅବସ୍ଥାରେ ମାତୃଗର୍ଭରେ ଥିବା ସମୟରେ ମୁଖ୍ୟତଃ ଜରାୟୁର ପରିବେଶ ରାସାୟନିକ ଉପାଦାନର କାର୍ଯ୍ୟ କରି ଡିଏନ୍‌‌ଏକୁ ସକ୍ରିୟ କିମ୍ବା ନିଷ୍କ୍ରିୟ କରେ। ଅବଶ୍ୟ ଜନନୀର ଖାଦ୍ୟ ଓ ମାନସିକ ଚାପ ମଧ୍ୟ ବହିର୍ଜଗତରୁ ଆସିଥାଏ ଏବଂ ଶିଶୁକୁ ପ୍ରଭାବିତ କରେ। ମାତ୍ର ଶିଶୁର ଜନ୍ମ ପରେ ବହିର୍ଜଗତର ପରିବେଶ (ଶିଶୁର ଖେଳ, କ୍ରିୟାକଳାପ ଓ ଅନ୍ୟମାନଙ୍କ ସହ ମିଳାମିଶା) ଡିଏନ୍‌‌ଏକୁ ସକ୍ରିୟ କିମ୍ବା ନିଷ୍କ୍ରିୟ କରେ।

ସ୍ଥୂଳତଃ ଜିନ୍‌‌ ଓ ଅନୁଭୂତି ମଧ୍ୟରେ କ୍ରିୟା-ଅନୁକ୍ରିୟା ଜୀବନସାରା ଚାଲିଥାଏ। ଅଳ୍ପ ବୟସର ପିଲାମାନଙ୍କର ଅନୁଭୂତି ବଡ଼ ବୟସର ପିଲାମାନଙ୍କର ଅନୁଭବ ତୁଳନାରେ କମ୍‌‌। ସେଇଥିପାଇଁ ବୟସର ନିମ୍ନସ୍ତରରେ ପିଲାମାନଙ୍କ ମଧ୍ୟରେ ପାର୍ଥକ୍ୟର ମାତ୍ରା କମ୍‌‌। ଗୋଟିଏ ଆଠବର୍ଷ ପିଲାର ଶାରୀରିକ ଓ ଆଚରଣଗତ ପ୍ରକୃତି ତା’ ନିଜ ବୟସର ପିଲାମାନଙ୍କ ସହିତ ଯେତିକି ସାମଞ୍ଜସ୍ୟ ଦର୍ଶାଏ, କୋଡ଼ିଏ ବର୍ଷର ଯୁବକମାନଙ୍କ ମଧ୍ୟରେ ସେତୁଳନାରେ ଅଧିକ ତାରତମ୍ୟ ଦେଖାଇଥାଏ। ଏହାର ଅର୍ଥ ହେଉଛି ଯେ ବୟସ ବଢ଼଼ିବା ସହିତ ଅନୁଭୂତି ବୃଦ୍ଧିପାଏ ଏବଂ ଅଧିକରୁ ଅଧିକ ଅନୁଭବ ଭିତରେ ଥିବା ଜିନ୍‌‌ ପାଇଁ ରାସାୟନିକ ଚିହ୍ନଟର କାର୍ଯ୍ୟ କରି କେତେକ ଜିନ୍‌‌କୁ ସକ୍ରିୟ କରେ ଏବଂ କେତେକ ଜିନ୍‌‌କୁ ନିଷ୍କ୍ରିୟ କରେ। ଏହାଫଳରେ ବ୍ୟକ୍ତି-ବ୍ୟକ୍ତିର ବିକାଶ ମଧ୍ୟରେ ଅଧିକରୁ ଅଧିକ ତାରତମ୍ୟ ପରିଲକ୍ଷିତ ହୁଏ।

ଡ. ଫକୀର ମୋହନ ସାହୁ
ଭୁବନେଶ୍ୱର, ମୋ: ୯୪୩୭୧୨୧୨୭୯

Leave A Reply

Your email address will not be published.