ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଣ ବୋଝରେ ‘ଶ୍ରୀ’ହୀନ ଶ୍ରୀଲଙ୍କା : ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ, ଦେଶ ଛାଡିଲେ ରାଷ୍ଟ୍ରପତି

କଲୋମ୍ବା : ରାମାୟଣ ଯୁଗର ଲଙ୍କା, ଅଖଣ୍ଡ ଭାରତର ସିଂହଳ ଏବଂ ଏବେକାର ଶ୍ରୀଲଙ୍କା ଏବେ ‘ଶ୍ରୀ’ହୀନ। ପର୍ଯ୍ୟାପ୍ତ ବିଦେଶୀ ଋଣ ସାଙ୍ଗକୁ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ଏବଂ ଭ୍ରଷ୍ଟାଚାର ରାଜନୀତି ଓ ସ୍ବେଚ୍ଛାଚାରିତା ଆଜି ଏହି ରାଷ୍ଟ୍ରକୁ ଘୋର ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି। ଡାଲି, ଚାଉଳ ଔଷଧ ଭଳି ଅତ୍ୟାବଶ୍ୟକ ସାମ୍ରଗୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ ସବୁକିଛି ଖାଲି। ବିଜୁଳି ଅଭାବରେ ଲୋକଙ୍କୁ ଘଣ୍ଟା ଘଣ୍ଟାର ଅନ୍ଧାର ଜୀବନ ବିତାଇବାକୁ ପଡ଼ୁଥବା ବେଳେ ହସ୍ପିଟାଲରେ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ହୋଇଯାଇଛି। ଲୋକଙ୍କ ପାଖେ ନିଜ ଅର୍ଜିତ ଅର୍ଥ ଥାଇ ମଧ୍ୟ ତାହା ଏବେ କେବଳ କାଗଜ ଟୁକୁଡ଼ା ପରି ନିରର୍ଥକ ହୋଇପଡ଼ିଛି। ଗୋଟିଏ ପଟେ ଦାନା ପାଇଁ ଲୋକଙ୍କ ଲମ୍ବାଧାଡି ତ ଆଉ ଗୋଟେ ପଟେ ଡିଜେଲ ଓ ପେଟ୍ରୋଲ ଅଭାବରେ ରାସ୍ତା କଡ଼ରେ ହଜାର ହଜାର ଗାଡିର ଧାଡି ଏହି ରାଷ୍ଟ୍ରକୁ ଅତ୍ୟନ୍ତ ବିପନ୍ନ ମୁହଁକୁ ଠେଲି ଦେଇଛି। ୧୯୪୮ ମସିହାରେ ବ୍ରିଟିଶ ଶାସନକଳରୁ ମୁକ୍ତି ପାଇଥିବା ଏହି ରାଷ୍ଟ୍ରରେ ଏବେ ଚାରି ଆଡେ ହାହାକାର ପରିସ୍ଥିତି , ଯାହାକି ଗୃହ ଯୁଦ୍ଧ ସ୍ଥିତିକୁ ଠେଲି ଦେଇଛି।


ଗତ କିଛି ମାସ ଧରି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଚାଲି ଆସିଥିବା ବେଳେ ଋଣ ବୋଝରେ ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଶ୍ରୀଲଙ୍କା। କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ଆଜି ଲକ୍ଷଲକ୍ଷ ସଂଖ୍ୟକ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରାଉ କରିବା ସହ ଭିତରକୁ ପଶିବା ଉଦ୍ୟମ କରିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇଛନ୍ତି।

ଏହାପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରିନେଇଥିବା ଜଣାପଡ଼ିଛି। ତେବେ ପରିସ୍ଥିତିକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ବେଳେ ଇସ୍ତଫା ଦେଇଛନ୍ତି ରାନିଲ ବିକ୍ରମସିଂଘେ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ିଥିବା ଚର୍ଚ୍ଚା ଜୋର ଧରିଥିବାରୁ ସେ ଇସ୍ତଫା ଦେବା ନେଇ କୌଣସି ସୂଚନା ମିଳିପାରିନାହିଁ। ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେଙ୍କ ଘରେ ଜୁମରେ ଅନୁଷ୍ଠିତ ନେତାଙ୍କ ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପ୍ରସଙ୍ଗ ରଖାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପ୍ରଥମେ ରାଜି ହୋଇନଥିଲେ ବି ପରେ ନିଜ ଇସ୍ତଫା ଦେବାକୁ ରାଜି ହେବା ସହ ବୈଠକର କିଛି ସମୟ ପରେ ଟ୍ବିଟ କରି ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.