ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶୀ ନୃତ୍ୟର ଅଦ୍ବିତୀୟ ଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ସେ ଥିଲେ କିମ୍ବଦନ୍ତୀ ପୁରୁଷ। ପଦ୍ମ ବିଭୂଷଣ ପାଇବାରେ ସେ ପ୍ରଥମ ଓଡ଼ିଆ । ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନା କରିଛନ୍ତି। ଏଭଳି ଜଣେ ସୃଜନଶୀଳ ବ୍ୟକ୍ତି ହେଉଛନ୍ତି ପ୍ରସିଦ୍ଧ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର। ସାରା ବିଶ୍ବରେ ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରି ତା’ର ମହନୀୟତାକୁ ପ୍ରତିପାଦିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ବିଂଶ ଶତାବ୍ଦୀରେ ଓଡ଼ିଶୀ ନୃତ୍ୟର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାରେ ଗୁରୁ କେଳୁଚରଣ ମହାପାତ୍ରଙ୍କର ବଡ଼ ଯୋଗଦାନ ରହିଛି।

କେଳୁଚରଣ ମହାପାତ୍ର ପୁରୀ ଜିଲ୍ଲା ଶିଳ୍ପୀ ଗ୍ରାମ ରଘୁରାଜପୁରରେ ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚିନ୍ତାମଣି ମହାପାତ୍ର ଜଣେ ଚିତ୍ରଶିଳ୍ପୀ ଓ ମର୍ଦ୍ଦଳ ବାଦକ ଥିଲେ। ଗୋଟିପୁଅ ନାଚପ୍ରତି ପିଲାଦିନୁ ସେ ଆକର୍ଷିତ ହୋଇଥିଲେ। କିନ୍ତୁ ତାଙ୍କ ପିତାଙ୍କୁ ପୁଅର ଗୋଟିପୁଅ ନୃତ୍ୟ କରିବା ପସନ୍ଦ ନଥିଲା। ସେ ତାଙ୍କୁ ଏଥିରୁ ନିବୃତ୍ତ କରି ପୁରୀର ‘କୁଞ୍ଜ ବିହାରୀ ରାସ ଲୀଳା’ ଦଳରେ ଛାଡିଥିଲେ। କେଳୁଚରଣ ଏହି ଦଳରେ ପାଖାପାଖି ୧୦ ବର୍ଷ ରହିଥିଲେ। ପିତାଙ୍କ ଦେହାନ୍ତ ପରେ ସେ ଦଳ ଛାଡି ଗାଁକୁ ଜୀବିକା ନିର୍ବାହ ପାଇଁ ପଳାଇ ଆସିଥିଲେ। କିନ୍ତୁ ତାଙ୍କ ମନ ମାନି ନଥିଲା। ଏହାପରେ ସେ ଗାଁ ଛାଡ଼ି କଟକ ପଳାଇ ଆସିଥିଲେ। କଟକ ଆସି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ। ଏହାପରେ ସେ ‘ଅନ୍ନପୂର୍ଣ୍ଣା-ବି’ ଦଳରେ ଯୋଗ ଦେଲେ। ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ହୋଇଥିଲା।

ନୃତ୍ୟ ନାଟିକା ‘ଭସ୍ମାସୁର’ରେ ‘ନଟରାଜ’ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ କେଳୁଚରଣ। ଏଥିରେ ମୋହିନୀ ଭୂମିକାରେ ଅଭିନୟ କରିଥିଲେ ଲକ୍ଷ୍ମୀପ୍ରିୟା। ଏହାପରେ ଲକ୍ଷ୍ମୀପ୍ରିୟା କେଳୁଚରଣଙ୍କ ଯୁଗଳବନ୍ଦୀ ଆରମ୍ଭ ହୋଇଥିଲା। ସେ ୨୮ ବର୍ଷ ବୟସରେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ। ଏହାପରେ ଉଭୟ ପୁରୀ ଚାଲିଗଲେ। ପୁରୀରେ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି ସେସବୁକୁ ଆୟତ୍ତ କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ। କେଳୁଚରଣ କଟକ ଆକାଶବାଣୀ କେନ୍ଦ୍ରରେ ତବଲା ଓ ମର୍ଦଳ ବାଦକ ଆରମ୍ଭ କଲେ। ୧୯୫୩ ମସିହାରେ ସେ କଟକ କଳାବିକାଶ କେନ୍ଦ୍ରରେ ଯୋଗଦେଲେ। ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା ସହିତ କଟକ କଳାବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରି ଦେଶ ବିଦେଶରେ ଅଗଣିତ ଶିଷ୍ୟ ସୃଷ୍ଟି କରିଥିଲେ। ବିଦେଶରେ ସେ ନିଜସ୍ବ ଉଦ୍ୟମରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରିଥିଲେ। ସଫଳତାର ପାହାଚମାନ ଅତିକ୍ରମ କରି ସେ ବନିଯାଇଥିଲେ ଓଡ଼ିଶୀର ସର୍ବକାଳୀନ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ଗୁରୁ।

‘ପଞ୍ଚପୁଷ୍ପା’, ‘କୃଷ୍ଣଗାଥା’, ‘ଗୀତଗୋବିନ୍ଦ’, ‘ଉର୍ବଶୀ’, ‘କୃଷ୍ଣଲୀଳା’, ‘ସାକ୍ଷୀଗୋପାଳ’, ‘କୋଣାର୍କ’ ଆଦି ନୃତ୍ୟ ସଂଯୋଜନା କରି ସେ ଓଡ଼ିଶୀ ନୃତ୍ୟକୁ ଏକ ନୂଆ ଦିଗ ଦେଇଥିଲେ। ସେ ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ଦଶବର୍ଷ ଧରି ଜଡ଼ିତ ଥିଲେ। ୧୯୯୫ ମସିହାରେ ସେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ ନିଜସ୍ୱ ଅନୁଷ୍ଠାନ ‘ସୃଜନ’ର ଆରମ୍ଭ କରିଥିଲେ। ଓଡ଼ିଶୀ ନୃତ୍ୟ ପ୍ରତି ନିଷ୍ଠାପର ଅବଦାନ ପାଇଁ ତାଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍‌ , ମଧ୍ୟପ୍ରଦେଶ ସରକାରଙ୍କଠାରୁ କାଳିଦାସ ସମ୍ମାନ, ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୦୪ ମସିହା ଆଜିର ଦିନରେ ଓଡ଼ିଶୀ ନୃତ୍ୟର ଏହି ମହାନ୍‌ ସାଧକଙ୍କର ପରଲୋକ ଘଟିଥିଲା।

Leave A Reply

Your email address will not be published.