ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁର ଉପନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ଵର: ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ସରିଲା ଭୋଟ୍। ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଥିଲା । ୪ଟା ପରେ ଯେଉଁମାନେ ବୁଥ ଭିତରେ ରହିଥିଲେ ସେମାନଙ୍କୁ ଭୋଟ ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପ୍ରାୟ ୮୯ଟି ବୁଥରେ ୧୨ ହଜାର ଭୋଟର ୪ଟା ପରେ ମତଦାନ କରିଥିଲେ ।

ସୂଚନା ଅନୁଯାୟୀ, ପଦ୍ମପୁରରେ ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିଲା ମତଦାନ ପ୍ରକ୍ରିୟା । ଭୋଟ୍ ଦେବାକୁ ଲମ୍ବା ଧାଡ଼ି ଲଗାଇଥିଲେ ଭୋଟର । ୩୧୯ ବୁଥରେ ମତଦାନ କରିଥିଲେ ଭୋଟର । ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବାରୁ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା। ସେସବୁ ବୁଥରେ ସଙ୍ଗେ ସଙ୍ଗେ ଇଭିଏମ ପରିବର୍ତ୍ତନ କରାଯାଇ ଭୋଟିଂ କରାଯାଇଥିଲା । ଅପରାହ୍ନ ୪ଟାରେ ମତଦାନ ପ୍ରକ୍ରିୟା ସରିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ୮୯ଟି ବୁଥରେ ଅନେକ ଲୋକ ଭୋଟ୍ ଦେବା ପାଇଁ ଧାଡ଼ିରେ ରହିଥିବାରୁ ସେସବୁ ବୁଥରେ ସଂଧ୍ୟା ସାଢ଼େ ୬ଟା ଯାଏଁ ଭୋଟିଂ କରାଯାଇଥିଲା । ଏବେ ୩୧୯ ବୁଥରୁ ଇଭିଏମ ମେସିନଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନିଆଯାଇ ପଦ୍ମପୁର ଆରଏମସିରେ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍କୁ ସିସିଟିଭି ନଜରରେ ରଖାଯିବା ସହ ଦ୍ବି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଖବର ଅନୁଯାୟୀ, ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା କରାଯାଇଥିଲା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିଲେ । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଥିଲେ । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା।

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ଥିଲେ । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୁଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଥିଲେ । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ କରାଯାଇଥିଲା । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଥିଲା ।

 

Leave A Reply

Your email address will not be published.