ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାଧୀନତା ଦିବସରୁ ‘ଲକ୍ଷ୍ମୀ’ ଯୋଜନା, ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ସାଜିବ ବିକାଶର ସାରଥୀ

ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ଗଜପତିରୁ ଶୁଭାରମ୍ଭ

ଭୁବନେଶ୍ୱର: ଗମନାଗମନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା । ଗାଁ ଲୋକଙ୍କୁ ମିଳିବ ଗମନାଗମନର ଉପଯୁକ୍ତ ମାଧ୍ୟମ ସାଜିବ ‘ଲୋକେସନ୍‌ ଅକ୍ସେସିବଲ୍‌ ମଲ୍ଟିମୋଡାଲ ଇନିସିଏଟିଭ୍‌ (ଲକ୍ଷ୍ମୀ) ଯୋଜନା । ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ବ୍ଲକ୍‌ ମୁଖ୍ୟାଳୟ ସହ ଯୋଡ଼ିବା ପାଇଁ ରାଜ୍ୟ ସରକାର ହାତକୁ ନେଇଥିବା ଅକାଂକ୍ଷୀ ଯୋଜନା ଆସନ୍ତା ଅଗଷ୍ଟ ୧୫ରେ ଶୁଭାରମ୍ଭ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବହନ ବ୍ୟବସ୍ଥାର ଯଥେଷ୍ଟ ଆବଶ୍ୟକତା ରହିଥିବା ଅବିଭକ୍ତ କୋରାପୁଟ, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଆୟମାରମ୍ଭ ହେବ । ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀ ଯୋଜନାର କାର୍ଯ୍ୟନିର୍ବାହୀ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଲକ୍ଷ୍ମୀ ଯୋଜନାରେ ଏବେ ବସ୍‌ ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି । ପରବର୍ତ୍ତି ସମୟରେ ଏଥିରେ ନୌକା ଏବଂ ଅନ୍ୟ ପରିବହନ ମାଧ୍ୟମ ସଂଲଗ୍ନ କରାଯିବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ଲକ୍ଷ୍ମୀ ଯୋଜନା ଅଧୀନରେ ଅନ୍ୟୂନ ୨ଟି ବସ୍‌ ଚାଲିବ । ଇତିମଧ୍ୟରେ ୫୫ଟି ବ୍ଲକ୍‌ରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ୭୦ଟି ପାଇଁ ଜମି ଚିହ୍ନଟ ହୋଇଛି । କିଛି ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟ ବସ୍‌ ଷ୍ଟାଣ୍ଡ ନିର୍ମାଣ ଆରମ୍ଭ ହୋଇଛି । ତେବେ ପ୍ରଥମେ ଗମନାଗମନ ଓ ପରିବହନ ବ୍ୟବସ୍ଥାର ଅଭାବ ଥିବା କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ ହେବ । ଆସନ୍ତା ସ୍ୱାଧୀନତା ଦିବସରେ ଏହି ବହୁ ପ୍ରତୀକ୍ଷିତ ଯୋଜନାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ସୂଚନାନୁସାରେ ଗ୍ରାମାଞ୍ଚଳର ଲୋକଙ୍କୁ ଭଲ ପରିବହନ ବ୍ୟବସ୍ଥା ଦେବା ଲକ୍ଷ୍ୟରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ତେଣୁ ଏହାର ଯଥେଷ୍ଟ ଆବଶ୍ୟକତା ଥିବା ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ଏହାକୁ ପ୍ରଥମେ ଲାଗୁ କରାଯିବ । ଯୋଜନା ଶୁଭାରମ୍ଭ ପାଇ ରୁଟ୍‌ ଚିହ୍ନଟ କରାଯାଉଛି । ଏସବୁ ଜିଲ୍ଲାରେ ବସ୍‌ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବାରୁ ଯୋଜନା କାର୍ଯ୍ୟକାରୀ କରିବାରେ ସମସ୍ୟା ନାହିଁ । ଏହି ଯୋଜନାରେ ଓଏସ୍‌ଆରଟିସିର ବଡ଼ ଭୂମିକା ରହିବ । ଆନ୍ତଃ ବ୍ଲକ୍‌ ଏବଂ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍‌ ଚଳାଚଳ ଆରମ୍ଭ ହେଲେ କୃଷକ, ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ, ସାଧାରଣ ଲୋକ ଉପକୃତ ହେବେ । ବିଶେଷକରି ମହିଳା ସଶକ୍ତିକରଣ ଦିଗରେ ଏହା ବଡ଼ ପଦକ୍ଷେପ ହେବ । ରାଜ୍ୟର ସବୁ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ କାରବାର ବିସ୍ତାର କରୁଥିବା ବେଳେ ଉତ୍ତମ ଗମନାଗମନ ବ୍ୟବସ୍ଥା ସୁନିଶ୍ଚିତ କରିବା ଜରୁରୀ । ଏହି ଯୋଜନାରେ ନିର୍ମାଣ ହେଉଥିବା ବସ୍‌ଷ୍ଟାଣ୍ଡ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାର କିଛି ବ୍ଲକ୍‌ରେ ବସଷ୍ଟାଣ୍ଡ ପରିଚାଳନା ଦାୟିତ୍ୱ ମିଶନ୍ତ ଶକ୍ତି ଗୋଷ୍ଠୀଙ୍କ ଉପରେ ନ୍ୟସ୍ତ କରାଯିବ । ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ଓଏସ୍‌ଆରଟିସି ସେମାନଙ୍କୁ ଦକ୍ଷତା ବିକାଶ ତାଲିମ୍‌ ପ୍ରଦାନ କରିବ । ଲୋକଙ୍କ ନିର୍ଭରଶୀଳତା ଓ ଆବଶ୍ୟକତା ଦେଖି ବସ୍‌ ସଂଖ୍ୟା ବଦ୍ଧି କରାଯିବ ବୋଲି ସେ କହିଛନ୍ତି ।ବାଣିଜ୍ୟ ଓ ପରିବହନ ବିଭାଗ, ପଞ୍ଚାୟତିରାଜ ଓ ମିଶନ୍‌ ଶକ୍ତି ବିଭାଗର ଗୁରୁ ଦାୟିତ୍ୱ ରହିବ ।

ଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଅନୁଗୁଳ, ଭଦ୍ରକ, କେନ୍ଦୁଝର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଦୁଇଟି କମିଟି ଗଠନ କରାଯିବ । ପଞ୍ଚାୟତ ଓ ବ୍ଲକ୍‌ ମଧ୍ୟରେ ଦୂରତା ହ୍ରାସ କରିବା ଲକ୍ଷ୍ୟରେ କମ୍‌ ଦୂରତା ଯୁକ୍ତ ରୁଟ୍‌ ଚିହ୍ନଟ କରାଯିବ । ଆବଶ୍ୟକ ହେଲେ ଗୋଟିଏ ସଡ଼କରୁ ନିକଟସ୍ଥ ସଡ଼କକୁ ସଂଯୋଗ କରାଯିବ । ଫଳରେ ଯିବା ଆସିବା ସମୟ ବଞ୍ଚିବ । ରୁଟ୍‌ ନିର୍ଦ୍ଧାରଣ ସମୟରେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଗ୍ରାମାଞ୍ଚଳ ବଜାର ତଥା ହାଟ ବଜାର ଓ ବ୍ୟବସାୟ ସ୍ଥଳକୁ ସଂଯୋଗ ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.