ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫେରାର୍‌ ପାଇଁ ଜାତୀୟ ରାଜପଥକୁ‌ ବାଛିଥିଲା ହାଇଦର, ଅତିକ୍ରମ କରିଥିଲା ୧୧୫୪ କିଲୋମିଟର

କଟକ : ଏପ୍ରିଲ  ୧୦ ତାରିଖରେ  କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ହାଇଦରକୁ ଗତକାଲି ତେଲେଙ୍ଗାନାରୁ ଗିରଫ ପରେ ଆଜି ହାଇଦରକୁ ଓଡିଶା ଅଣାଯାଇଛି । ତେଲେଙ୍ଗାନା ପୁଲିସର ସହାୟତାରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ । ବାଇକରେ ଯାଉଥିବା ବେଳେ ମାଡିବସିଥିଲା ପୁଲିସ । ହାଇଦର ଭୁବନେଶ୍ୱରରେ ପହଞ୍ଚିସାରିଥିବା ବେଳେ ତାକୁ କଟକ ଡିସିପି ଅଫିସକୁ ନିଆଯାଇଥିଲା। ସେଠାରେ ତାକୁ ପଚରାଉଚୁରା କରାଯିବା ପରେ କୋର୍ଟରେ ହାଜର କରାଯିବ।

ହାଇଦରକୁ ଗିରଫ କରାଯାଇ ଓଡିଶା ଅଣାଯିବା ପରେ କଟକ ଡିସିପି ଅଫିସ ପରିସରରରୁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମୀଳନି କହିଛନ୍ତି । କମିଶନର କହିଛନ୍ତି  ୧୨୦ ଘଣ୍ଟାର ପରିଶ୍ରମ ପରେ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି । ଏପ୍ରିଲ ୧୦ତାରିଖ ଅପରାହ୍ନ ୪ଟାରୁ ଏସସିବିରୁ ଫେରାର ହୋଇଥିଲା । ସନ୍ଧ୍ୟା ୭ଟା ପରେ କମିଶନରେଟ ପୁଲିସକୁ ଖବର ମିଳିଥିଲା ଏହାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ୬ଟି ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା।  ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲଙ୍ଗାନାକୁ ଟିମ୍ ପଠାଯାଇଥିଲା । ଟେକ୍ନିକାଲ ୱେ’ରେ ପୁଲିସ ତାର କଣ୍ଟାକ୍ଟ ଟ୍ରେସ୍ କରିଥିଲା। ତେଲଙ୍ଗାନାକୁ ହାଇଦର ଯାଇଥିବା ଜଣାପଡ଼ିଥିଲା।  ଏହାପରେ ଚାଉଳିଆଗଞ୍ଜ ଓ ବାଦାମବାଡି ଥାନା ଅଧିକାରୀଙ୍କ ଟିମ୍ ଲିଡରେ ଦୁଇଟି ଟିମ୍‌ ତେଲଙ୍ଗାନାକୁ ଯାଇଥିଲେ। ଶେଷରେ ତେଲେଙ୍ଗାନାରୁ ଧରାପଡ଼ିଲା ଏହି ଗ୍ୟାଙ୍ଗଷ୍ଟର।

ରାଜପଥରେ ୧୧୫୪ କିଲୋମିଟର

ଅନ୍ୟପଟେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି  ସଡକ ପଥ ଦେଇ ଆନ୍ଧ୍ର ଯାଇଥିଲା ହାଇଦର । ଗୋଟିଏ ଗାଡିରେ ହାଇଦର ଫେରାର ନେଇ ସୂଚନା ମିଳିଥିଲା।ହାଇଦର କାରରେ ୧୬ନଂ ଜାତୀୟ ରାଜପଥରେ ୧୧୫୪ କିଲୋମିଟର ଯାତ୍ରା କରିଥିଲା। ସେ ଭାୟା ବିଶାଖାପାଟନମ୍- ସିକାକୁଲମ ଦେଇ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲାରେ ପହଞ୍ଚିଥିଲା। ସେ କାର ଯୋଗେ ସେଠାରେ ପହଞ୍ଚିବା ପରେ ସେଠାକାର ଜଣେ ସହଯୋଗୀକୁ ଯୋଗାଯୋଗ କରିଥିଲା। କାରକୁ ତେଲେଙ୍ଗାନାରୁ ସାଙ୍ଗାରେଡ୍ଡୀ ଜିଲାରେ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇବା ପରେ ବାଇକ୍ ଯୋଗେ ଅନ୍ୟ ଏକ ସ୍ଥାନକୁ ଯାଉଥିଲା। ଏହି ସମୟରେ ପୁଲିସ ଟିମ୍ ହାଇଦରକୁ ଧରିବାରେ ସଫଳ ହୋଇଛି।

ଟପିଛି ୨୦ ଟୋଲଗେଟ୍

ହାଇଦର ଖସି ପଳାଇବା ପାଇଁ ଜାତୀୟ ରାଜପଥକୁ ହିଁ ବାଛିଥିଲା। ସେ ୧୬ ନମ୍ବର ଜାତୀୟ ରାଜପଥରେ କାର ଯୋଗେ ଯାଇ ଓଡ଼ିଶା ବର୍ଡର ଅତିକ୍ରମ କରିବା ସହ ତେଲେଙ୍ଗାନାର ସାଙ୍ଗାରେଡୀ ଜିଲାରେ ପହଞ୍ଚିଥିଲା। ଏଥିଲାଗି ହାଇଦରକୁ ୨୦ଟି ଟୋଲଗେଟ୍ ଅତିକ୍ରମ କରିବାକୁ ପଡ଼ିଥିଲା। ତେବେ ଉକ୍ତ ଜିଲାଗୁଡିକରେ ହାଇଦରୁ ଅଟକାଇବା ଲାଗି ହାଇ ଆଲର୍ଟ କରାଯାଇଥିଲେ ମଧ୍ୟ ସେଠାକାର ପୁଲିସ ହାଇଦରକୁ ଠାବ କରିବାରେ ସଫଳ ହୋଇପାରି ନଥିଲା। ଯେଉଥିପାଇଁ ହାଇଦର ରାଜ୍ୟବାହାରକୁ ଖସିପଳାଇବାରେ ସଫଳ ହୋଇଥିଲା।

ଧରାପଡ଼ିଲା ଧଳା କାର୍

ହାଇଦର ଫେରାର ହୋଇଥିବା କାର ତେଲେଙ୍ଗାନା ପୁଲିସ ହାତରେ ଲାଗିଛି। ସାଙ୍ଗାରେଡୀ ଜିଲାର ଏକ ହୋଟେଲ ନିକଟରୁ ହାଇଦର ଫେରାର ହୋଇଥିବା କାରକୁ ଠାବ କରିଛି ତେଲେଙ୍ଗାନା ପୁଲିସ। ତେବେ ଉକ୍ତ କାରକୁ ନିଜ ହେପାଜତ୍କୁ ନେଇ ଗାଡିର ମାଲିକାନା ସଂକ୍ରାନ୍ତରେ ପୁଲିସ ଛାନଭିନ୍‌ ଆରମ୍ଭ କରିଛି। କାରଟି ଓଡ଼ିଶା ନମ୍ବର ବିଶିଷ୍ଟ। ଏଥିସହ ତେଲେଙ୍ଗାନାରେ ହାଇଦରକୁ ସହଯୋଗ କରିଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତି ପୁଲିସର କଡ଼ା ନଜରରେ ରହିଛନ୍ତି।

ଷଡ଼ଯନ୍ତ୍ରର ତଦନ୍ତ ହେବ

ହାଇଦର ଫେରାର ହେବା ପଛରେ କିଛି ଷଡଯନ୍ତ୍ର ରହିଛି ନା ନାହିଁ ଏହାର ତଦନ୍ତ କରିବ କମିସନରେଟ ପୁଲିସ। ଯଦି ହାଇଦରକୁ ଖସାଇଦେବା ଲାଗି କିଛି ଯୋଜନା ହୋଇଥିଲା ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଇଦରକୁ ରିମାଣ୍ଡରେ  ଆଣିବା ପରେ ତାକୁ ଜେରା କରାଯିବ। ଜେରା ବେଳେ ଯଦି କିଛି ସୁରାକ ପାଇଲେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.