ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାତିରୁ ନାହିଁ ନିସ୍ତାର : ଆହୁରି ୨ ଦିନ ଅନୁଭୂତ ହେବ ଗୁଳୁଗୁଳି, ୬ ଜିଲ୍ଲାକୁ ଗ୍ରୀଷ୍ମ ଲହରୀ ସତର୍କତା ଜାରି

ଭୁବନେଶ୍ୱର :ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ଓଡିଶା। ଗତକାଲି ରାଜ୍ୟର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏପରି ତାତି ଲାଗି ରହିବା ସହ ଏହି ସମୟରେ କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ୫ ଓ ୬ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ତେବେ ୨ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ଅର୍ଥାତ ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ମାଲକାନଗିରି, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଏଠାରେ ଦିନର ତାପପାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିବା ସହିତ ତାପମାତ୍ରା ସ୍ୱାଭାବିକ ତୁଳନାରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଏହାସହିତ ରାତିରେ ମଧ୍ୟ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଅଧିକ ରହିବ। ଶୁକ୍ରବାର ମୁଖ୍ୟତଃ ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ଉଷ୍ମ ରାତି ଅନୁଭୂତ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି।

ରବିବାର ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୬ରେ କିଛି ଜିଲ୍ଲାରେ କାଳବୈଶାଖୀ ହେବାକୁ ଥିବା ବେଳେ ୭ରୁ କାଳବୈଶାଖୀର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହା ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ହେବା ନେଇ ଆକଳନ କରାଯାଇଛି। କାଳବୈଶାଖୀ ସମୟରେ କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

Leave A Reply

Your email address will not be published.