ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଆଇଟି ପିଲାଙ୍କୁ ବି ମିଳୁନି ଚାକିରି, ଏବର୍ଷ ନିଯୁକ୍ତି ପାଇନାହାନ୍ତି ୩୮ ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଦେଶରେ ବେକାରୀ ସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି। ଦେଶରୁ ସବୁଠାରୁ ଶ୍ରେଷ୍ଠ ତଥା ମର୍ଯ୍ୟାଦା ସମ୍ପୂର୍ଣ୍ଣ ଶିକ୍ଷାନୁଷ୍ଠାନରୁ ପାଠ୍ୟକ୍ରମ ଶେଷ କରିବା ପରେ ଯେ ସହଜରେ ଚାକିରି ମିଳିଯିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ଦେଶର ମୋଟ ୩୮ପ୍ରତିଶତ ଆଇଆଇଟି ଛାତ୍ରଛାତ୍ରୀ କ୍ୟାମ୍ପସ ପ୍ଲେସମେଣ୍ଟ ପାଇ ନାହାନ୍ତି। ୨୦୨୪ ମସିହାରେ ପ୍ରାୟ ୮ହଜାର ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିପାରି ନାହିଁ। ଆଇଆଇଟି ଅନୁଷ୍ଠାନଗୁଡ଼ିକର ପ୍ଲେସ୍‌‌ମେଣ୍ଟ ସମ୍ପର୍କିତ ଏହି ରିପୋର୍ଟ ଦେଶର ମେଧାବୀ ଛାତ୍ରଛାତ୍ରଙ୍କ ଚିନ୍ତା ବଢ଼଼ାଇ ଦେଇଛି।

ଭାରତରେ ଆଇଆଇଟି ଶିକ୍ଷାନୁଷ୍ଠାନଗୁଡ଼ିକ ଇଞ୍ଜିନିୟରିଂ ପାଠ୍ୟକ୍ରମର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ। ଏଠାରେ ପାଠ ପଢ଼଼ିବାକୁ ଅନେକ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିଥା’ନ୍ତି। ଆଇଆଇଟିରେ ସିଟ୍‌‌ ଖଣ୍ଡେ ମିଳିବା ମାତ୍ରେ ପରିବାର ଲୋକେ ପିଲାର ଭବିଷ୍ୟତ ସମ୍ପର୍କରେ ଆଉ ଚିନ୍ତା କରନ୍ତି ନାହିଁ। କାରଣ ଏଠାରୁ ବାହାରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ହାତରେ ୨ରୁ ୩ଟି ଚାକିରି ରହିଥାଏ। ହେଲେ ଭାରତର ଏହି ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବେ ପ୍ଲେସମେଣ୍ଟ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଚଳିତବର୍ଷ କେତେଜଣ ଆଇଆଇଟିଆନଙ୍କୁ କ୍ୟାମ୍ପସ ପ୍ଲେସମେଣ୍ଟ ମିଳିଛି, ସେନେଇ କାନପୁର ଆଇଆଇଟିର ପୂରାତନ ଛାତ୍ର ଧିରଜ ସିଂ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଏହି ତଥ୍ୟ ସାର୍ବଜନୀନ ହେବା ପରେ ସାରା ଦେଶରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି।

ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ୨୧୫୦୦ ଛାତ୍ରଛାତ୍ରୀ ପ୍ଲେସମେଣ୍ଟ ପାଇଁ ନିଜ ନାମ ପଞ୍ଜିକରଣ କରିଥିଲେ। ହେଲେ ମାତ୍ର ୧୩୪୧୦ ପିଲାଙ୍କୁ ପ୍ଲେସମେଣ୍ଟ ମିଳିଛି। ଦେଶରେ ଥିବା ମୋଟ ୨୩ ଆଇଆଇଟିର ୩୮ ପ୍ରତିଶତ ପିଲା କ୍ୟାମ୍ପସ ପ୍ଲେସମେଣ୍ଟ ନ ପାଇ ଏବେ ଚାକିରି ଖୋଜୁଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହା ଚାକିରି ନ ପାଇବା ପିଲାଙ୍କ ହାର ୧୯ ପ୍ରତିଶତ ଥିଲା ବେଳେ ଏବେ ୨ଗୁଣା ବୃଦ୍ଧି ପାଇଛି। ପୁରୁଣା ୯ଟି ଆଇଆଇଟିର ୧୬୪୦୦ ଛାତ୍ରଛାତ୍ରୀ ପ୍ଲେସମେଣ୍ଟ ପାଇଁ ନିଜ ନାମ ପଞ୍ଜିକରଣ କରିଥିଲେ। ଏଥିରୁ ୬୦୫୦ ଛାତ୍ରଛାତ୍ରୀ ଚାକରି ପାଇ ନ ଥିଲେ, ଯାହା ମୋଟ ସଂଖ୍ୟାର ୩୭ପ୍ରତିଶତ। ସେହିପରି ନୂତନ ୧୪ଆଇଆଇଟିର ୪୦ ପ୍ରତିଶତ ପିଲା ଚାକିରି ପାଇ ନାହାନ୍ତି। ସେହିପରି ବିଗତ ୫ବର୍ଷ ମଧ୍ୟରେ ଦିଲ୍ଲୀ ଆଇଆଇଟିର ୨୨ପ୍ରତିଶତ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ଚାକିରି ପାଇ ନାହାନ୍ତି। ଚଳିତ ବର୍ଷ ସର୍ବାଧିକ ୪୦ପ୍ରତିଶତ ଛାତ୍ରଛାତ୍ରୀ ଚାକିରି ପାଇ ନାହାନ୍ତି। ଧିରଜ କହିଛନ୍ତି, ଗତବର୍ଷର ଆଇଆଇଟି ଖଡ଼ଗପୁରର ୩୩ ପ୍ରତିଶତ ପିଲା ଏପର୍ଯ୍ୟନ୍ତ ଚାକିରି ଖୋଜୁଛିନ୍ତି। ଯାହାଦ୍ୱାରା ସେମାନେ ଚାପ, ଚିନ୍ତା ଏବଂ ନିରାଶା ଭଳି ସମସ୍ୟା ଦେଇ ଗତି କରୁଛନ୍ତି।

ଆଇଆଇଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ଘଟଣା ପଛରେ ଚାକିରି ନ ମିଳିବା ଏକ ପ୍ରମୁଖ କାରଣ ବୋଲି ଅନେକ ସମୟରେ ଦର୍ଶାଯାଉଛି। ଚଳିତବର୍ଷ ୬ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆଇଆଇଟିରେ ଚାକିରି ନ ମିଳିବାରୁ ଛାତ୍ରଛାତ୍ରୀମାନେ ଭୟଙ୍କର ଚାପ ଏବଂ ଚିନ୍ତାରେ ରହୁଛନ୍ତି। ଚାକିରିକୁ ନେଇ ଆଇଆଇଟିଗୁଡ଼ିକର ଲାଗାତାର ଖସୁଥିବା ର‍୍ୟାଙ୍କିଙ୍ଗ୍‌‌ ମଧ୍ୟ ଚିନ୍ତାଜନକ। ଏହାକୁ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.