ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାତୀ ଉପଦ୍ରବ ରୋକିବେ ମହୁମାଛି, ବନ ବିଭାଗ ତରଫରୁ ଆରମ୍ଭ ହେଲା ରି -ହ୍ୟାବ ପ୍ରକଳ୍ପ

ଅନୁଗୁଳ: ହାତୀ ଉପଦ୍ରବ ରୋକିବେ ମହୁମାଛି । ବନ ବିଭାଗ ତରଫରୁ ଏଭଳି ଏକ ପ୍ରକଳ୍ପ ହାତକୁ ନିଆଯାଇଛି । ପାଇଲଟ ପ୍ରଜେକ୍ଟ ଭାବେ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡରେ ଥିବା ଲକ୍ଷ୍ମୀପୁର ଓ ଲାଠିକଟା ଗାଁରେ କାର୍ଯ୍ୟକାରୀ ଆରମ୍ଭ କରାଯାଇଛି। ଖଦି ବୋର୍ଡ଼ ତରଫରୁ ମହୁ ବାକ୍ସ ଓ ମହୁ ମାଛି ଯୋଗାଇ ଦିଆ ଯାଉଛି। ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ପୃଷ୍ଠ ପୋଷକତାରେ ଚାଲିଥିବା ଏହି ପ୍ରକଳ୍ପର ନାମ ରି – ହ୍ୟାବ ଅର୍ଥାତ ରିଡ୍ୟୁସ ଏଲିଫ୍ୟାଣ୍ଡ ହ୍ୟୁମାନ ଆଟାକ ୟୁଜିଙ୍ଗ ବିଜ ରଖାଯାଇଛି। ଆମ ଦେଶରେ କର୍ଣ୍ଣାଟକ ଓ ଉତ୍ତରଖଣ୍ଡରେ ଏଭଳି ପ୍ରକଳ୍ପ ବେଶ ସଫଳ ହୋଇଥିବାରୁ ଆମ ରାଜ୍ୟରେ ମଧ୍ୟ ସଫଳ ହେବାର ଆଶା କରାଯାଉଛି। ତେଣୁ ଚାଷୀ ଆଶା ବାନ୍ଧି ବସିଛନ୍ତି ଏହି ପ୍ରକଳ୍ପ ସେମାନଙ୍କ ଜୀବନ ଓ ଫସଲକୁ ରକ୍ଷା କରିବାରେ ସହାୟକ ହୋଇ ପାରିବ।

କିଛି ବର୍ଷ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ବଣୁଆ ହାତୀପଲ ଗାଁ ଗାଁରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ତରଫରୁ ହାତୀ ଘଉଡାଇବା ପାଇଁ ଯେତେ ଯାହା କଲେ ମଧ୍ୟ ସେତେଟା ଫଳପ୍ରଦ ହୋଇ ପାରୁନାହିଁ। ଯାହାକି କେବଳ ବନ ବିଭାଗ କାହିଁକି ସାଧାରଣ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ସେତୀ ପାଇଁ ବନ ବିଭାଗ କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ଢାଞ୍ଚାରେ ମହୁମାଛି ଦ୍ବାରା ହାତୀ ଉପଦ୍ରବ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରୁଛନ୍ତି। ମହୁମାଛି ଗୁଣୁ ଗୁଣୁ ଶବ୍ଦକୁ ହାତୀମାନେ ବିରକ୍ତି ପ୍ରକାଶ କରନ୍ତି।ଏହାଛଡ଼ା ମହୁମାଛି ଆକ୍ରମଣକୁ ମଧ୍ୟ ହାତୀ ଭୟ କରନ୍ତି  ତେଣୁ ହାତୀ ଉପଦ୍ରବ ହେଉଥିବା ଅଞ୍ଚଳରେ ବ୍ୟାପକ ମହୁମାଛି ବାକ୍ସ ଲଗାଯିବ। ସେମାନେ ହାତୀର ବାଟ ଓଗାଳିବେ। ସାରା ରାଜ୍ୟରେ ଏଭଳି ଅଭିନବ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କିନ୍ତୁ ମଙ୍ଗଲବାରଠୁ ଆଠମଲ୍ଲିକ ବନଖଣ୍ଡର ଲକ୍ଷ୍ମୀପୁର ଓ ଲାଠିକଟା ଏହି ଦୁଇଟି ଗାଁରେ ପାଇଲଟ ପ୍ରଜେକ୍ଟ ଭାବେ କାର୍ଯ୍ୟକାରୀ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଠମଲ୍ଲିକ ଡିଏଫଓଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲ । ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ମହୁ ବାକ୍ସ ବିଭିନ୍ନ ସ୍ଥାନରେ ଲଗା ଯାଇଥିଲା । ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ମହୁ ବାକ୍ସ ଦିଆ ଯାଇଛି । ଆଗାମୀ ଦିନରେ ଆହୁରି ଆବଶ୍ୟକ ମହୁ ବାକ୍ସ ଓ ମହୁମାଛି ଯୋଗାଇ ଦିଆଯିବ।

ହାତୀମାନେ ଯେଉଁ ରାସ୍ତା ଦେଇ ଗାଁ ମୁହାଁ ହେଉଛନ୍ତି ସେହି ରାସ୍ତାରେ ମହୁ ବାକ୍ସ ଲଗାଯିବ। ଆଠମଲ୍ଲିକ ବନଖଣ୍ଡରେ ପରୀକ୍ଷା ମୂଳକ ଭାବେ ନିଆଯାଇଥିବା ଦୁଇଟି ଗାଁରେ ଏହା ସଫଳ ହେଲେ ଅନ୍ୟ ହାତୀ ଉପଦ୍ରବ ଅଞ୍ଚଳ ଗୁଡିକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ହାତୀ ଦାଉରୁ ଲୋକଙ୍କ ଜୀବନ ବଞ୍ଚିଯିବା ସହ ଫସଲ ନଷ୍ଟ ହେବ ନାହିଁ। ଲୋକଙ୍କ ରୋଜଗାର ବଢ଼ିବ । ମୁଖ୍ୟତଃ ମହୁମାଛି ମାନଙ୍କ ଦ୍ବାରା ହାତୀର କୌଣସି କ୍ଷତି ହେବ ନାହିଁ । ତେଣୁ ଏହା ନିଶ୍ଚିତ ଭାବେ ସଫଳ ହେବ ବୋଲି ବନ ବିଭାଗ ଆଶା ରଖୁଛି। ଏହାଛଡା ସ୍ଥାନୀୟ ଚାଷୀମାନେ ମଧ୍ୟ ଏହି ପ୍ରକଳ୍ପକୁ ସ୍ବାଗତ କରିବା ସହ ସେମାନେ ହାତୀ ଦାଉରୁ ରକ୍ଷା ପାଇ ପାରିବେ ବୋଲି ଆଶା ରଖୁଛନ୍ତି। ସାରା ରାଜ୍ୟରେ ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ଜିଲ୍ଲାରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ତେଣୁ କେବଳ ପ୍ରକଳ୍ପ କରିଦେଇ ଚୁପ ହୋଇ ବସି ନରହି ଏହା ଉପରେ କଡ଼ା ନଜର ଦେବାକୁ ପରିବେଶବିତମାନେ ଦାବି କରିଛନ୍ତି ।

“ ବନ ବିଭାଗର ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ । ଯଦି ଏହା ସଫଳ ହୁଏ ତେବେ ଚାଷୀମାନେ ବହୁତ ଲାଭବାନ ହେବେ । ହାତୀ ଦ୍ବାରା ହେଉଥିବା ବ୍ୟାପକ କ୍ଷୟକ୍ଷତି ରୋକା ଯାଇ ପାରିବ। କିନ୍ତୁ ବର୍ତ୍ତମାନ ପରିବେଶରେ ମହୁମାଛି ବଞ୍ଚାଇବା କଷ୍ଟକର କଥା ବୋଲି କହିଛନ୍ତି ପରିବେଶବିତ ଅଶୋକ ଶତପଥୀ । “ ଆମ ଅଞ୍ଚଳରେ ଯେଉଁଭଳି ଭାବେ ହାତୀ ଉପଦ୍ରବ ବଢ଼ି ବଢ଼ି ଯାଉଛି ତାହା ଚିନ୍ତାର କାରଣ ହୋଇ ଗଲାଣି । ବନ ବିଭାଗ ନିଆଁ ହୁଲା , ବାଣ ଓ ଅନ୍ୟାନ୍ୟ ଯେତେ ପଦକ୍ଷେପ ନେଲେ ମଧ୍ୟ ନିୟନ୍ତ୍ରଣ ହୋଇ ପାରୁନାହିଁ । ଏହି ପ୍ରକଳ୍ପ ସଫଳ ହେଲେ ଆମେ ଚାଷୀକୁଳ ଟିକେ ନିଶ୍ଚିନ୍ନ ରହିବୁ , ” କହିଛନ୍ତି ଜଣେ ଚାଷୀ ସଞ୍ଜୟ ଦାସ । “ ଏହି ପ୍ରକଳ୍ପ ପରୀକ୍ଷା ମୂଳକ ଭାବେ ଆଠମଲ୍ଲିକ ବନଖଣ୍ଡର ସବୁଠାରୁ ଅଧିକ ହାତୀ ଉପଦ୍ରବ ଲାଠିପୁର ଓ ଲକ୍ଷ୍ମୀପୁର ଏହି ଦୁଇଟି ଗାଁରେ କାର୍ଯ୍ୟକାରୀ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଖଦି ଓ ଗ୍ରାମୋଦ୍ୟୋଗ ତରଫରୁ ୧୦୦ଟି ମହୁ ବାକ୍ସ ଦିଆଯାଇଛି । ଆଶା କରାଯାଉଛି ନିଶ୍ଚିତ ଭାବରେ ସଫଳ ହେବ ବୋଲି କହିଛନ୍ତି ଆଠମଲ୍ଲିକ ଡିଏଫଓ ଏସ.ଆନନ୍ଦ ।

Leave A Reply

Your email address will not be published.