ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷ ହେଲା ୩ୟ ପର୍ଯ୍ୟାୟ ମତଦାନ : ଇଭିଏମ୍‌ରେ ସିଲ୍‌ ହେଲା ବହୁ ମହାରଥୀଙ୍କ ଭାଗ୍ୟ

ନୂଆଦିଲ୍ଲୀ : ଦେଶରେ ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ତୃତୀୟ ପର୍ୟ୍ୟାୟରେ ୯୩ଟି ଆସନରେ ୬୧ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ ଆସାମ ଓ ପଶ୍ଚିମବଙ୍ଗରେ ହୋଇଛି । ଆସାମରେ ୭୫.୦୧ ପ୍ରତିଶତ ମତଦାନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ ମତଦାନ ହୋଇଛି ।

୩ୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟରମାନେ ମତଦାନ କରିଛନ୍ତି। ଏହି ୯୩ ଆସନ ମଧ୍ୟରେ ଥିବା ହାଇପ୍ରୋଫାଇଲ୍ କେତେକ ଆସନ ଓ ସେହି ଆସନଗୁଡ଼ିକରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରମୁଖ ତଥା ବିଶିଷ୍ଟ/ଅତିବିଶିଷ୍ଟ ପ୍ରାର୍ଥୀ ଯାହାଙ୍କର ଭାଗ୍ୟ ଓ ଭବିଷ୍ୟତ ଇଭିଏମ୍‌ରେ ସିଲ୍‌ ହୋଇଛି।

ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ମକ୍ ପୋଲିଂ ହୋଇଥିଲା। ଆଜି ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକା, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାବେଳୀ ଓ ଦାମନ ଡିଉ ପାଇଁ ଭୋଟ ଗ୍ରହଣ କରାଯାଇଛି।ଗୁଜରାଟର ୨୬ରୁ ୨୫ ଲୋକସଭା ଆସନରେ ନିଆଯାଇଛି ଭୋଟ। ସୁରଟ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପିର ମୁକେଶ ଦଲାଲ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପଟେ ଆସାମରେ ୭୫.୦୧ ପ୍ରତିଶତ, ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ,ବିହାରରେ ୫୬.୫୦ ପ୍ରତିଶତ, ଛତିଶଗଡ଼ରେ ୬୬.୯୪ ପ୍ରତିଶତ, ଗୋଆରେ ୭୪.୦୦ ପ୍ରତିଶତ, ଗୁଜରାଟରେ ୫୬.୧୨ ପ୍ରତିଶତ, କର୍ଣ୍ଣାଟକରେ ୬୬.୭୧ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୭୧ ପ୍ରତିଶତ, ମହାରାଷ୍ଟ୍ରରେ ୫୩.୯୫ ପ୍ରତିଶତ, ଉତ୍ତରପ୍ରଦେଶରେ ୫୭.୦୩ ପ୍ରତିଶତ । ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉରେ ୬୫.୨୩ ପ୍ରତିଶତ ମତଦାନ ହୋଇଛି।କିଛି ସ୍ଥାନରେ ଧାର୍ଯ୍ୟ ସମୟ ପରେ ମଧ୍ୟ ଭୋଟିଂ ଚାଲିଛି। ତେଣୁ ଭୋଟିଂ ହାର ସାମାନ୍ୟ ବଢ଼ିପାରେ।

ତେବେ ଆଜି ଦେଶର ଭୋଟର ବହୁ ମହାରଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଭୋଟ ଦେଇଛନ୍ତି। ୩ୟ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍ କେତେକ ଆସନ ଓ ସେହି ଆସନଗୁଡ଼ିକରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରମୁଖ ତଥା ବିଶିଷ୍ଟ/ଅତିବିଶିଷ୍ଟ ପ୍ରାର୍ଥୀମାନେ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (ବିଜେପି, ଗାନ୍ଧୀନଗର-ଗୁଜରାଟ), କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି, ଗୁନା-ମଧ୍ୟ ପ୍ରଦେଶ), ଡିମ୍ପଲ ଯାଦବ (ସପା, ମୈନପୁରୀ-ଉତ୍ତର ପ୍ରଦେଶ), ସୁପ୍ରିୟା ସୁଲେ (ଏନସିପି-ଏସ୍, ବାରମତି-ମହାରାଷ୍ଟ୍ର), ସୁନେତ୍ରା ପାୱାର (ଏନସିପି-ଏ, ବାରମତି-ମହାରାଷ୍ଟ୍ର), ଦିଗବିଜୟ ସିଂହ (କଂଗ୍ରେସ, ରାଜଗଡ଼-ମଧ୍ୟ ପ୍ରଦେଶ), ଶିବରାଜ ସିଂହ ଚୌହାନ (ବିଜେପି, ବିଦିଶା-ମଧ୍ୟ ପ୍ରଦେଶ), କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (ବିଜେପି, ଧାରୱାଡ-କର୍ଣ୍ଣାଟକ), ଅଧୀର ରଞ୍ଜନ ଚୌଧୁରୀ (କଂଗ୍ରେସ, ବରହମପୋର-ପଶ୍ଚିମବଙ୍ଗ), ବଦରୁଦ୍ଦିନ ଅଜମଲ (ଏଆଇୟୁଡିଏଫ୍‌, ଧୁବ୍ରି-ଆସାମ), ପୁରୁଷୋତ୍ତମ ରୁପାଲା (ବିଜେପି,ରାଜକୋଟ-ଗୁଜରାଟ), ପ୍ରଣତି ସିନ୍ଧେ (କଂଗ୍ରେସ, ସୋଲାପୁର-ମହାରାଷ୍ଟ୍ର), ହସମୁଖଭାଇ ପଟେଲ (ବିଜେପି, ଅହମଦାବାଦ-ପୂର୍ବ, ଗୁଜରାଟ), ପଲ୍ଲବୀ ଡେମ୍ପୋ (ବିଜେପି, ଦକ୍ଷିଣ ଗୋଆ-ଗୋଆ)।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗର ଆସନରୁ ଦ୍ବିତୀୟ ବାର ଜିତିବା ପାଇଁ ଲଢିଛନ୍ତି। ଏହି ଆସନରୁ ପୂର୍ବରୁ ଲାଲକୃଷ୍ଣ ଆଡଭାନୀ ଲଢୁଥିଲେ। ଏହି ଆସନରେ ୧୯୮୯ରୁ ଆଜିଯାଏଁ ବିଜେପି ପ୍ରାର୍ଥୀ ହିଁ ଜିତିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ପ୍ରଦେଶର ଗୁନା ଆସନରୁ ଲଢିଛନ୍ତି। ୨୦୨୦ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ୨୦୧୯ରେ ଜ୍ୟୋତିରାଦିତ୍ୟ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ବିଜେପି ପ୍ରାର୍ଥୀଙ୍କଠାରୁ ହାରିଥିଲେ। ଉତ୍ତରପ୍ରଦେଶର ମୈନପୁରୀ ଆସନରୁ ଲଢୁଥିବା ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ। ଡିମ୍ପଲ ଏହି ଆସନରୁ ଦ୍ବିତୀୟ ବାର ଜିତିବା ପାଇଁ ଲଢୁଛନ୍ତି। ପୂର୍ବରୁ ଏହି ଆସନରେ ଲଢୁଥିଲେ ସ୍ବର୍ଗତ ମୁଲାୟମ ସିଂହ ଯାଦବ। ଏନସିପି-ଶରଦ ପାୱାର ଗୋଷ୍ଠୀର ପ୍ରାର୍ଥୀ ସୁପ୍ରିୟା ସୁଲେ ମହାରାଷ୍ଟ୍ରର ବାରମତି ଆସନରୁ ୩ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସୁପ୍ରିୟା ହେଉଛନ୍ତି ଶରଦ ପାୱାରଙ୍କ ଝିଅ। ପୂର୍ବରୁ ଏହି ଆସନରୁ ଶରଦ ପାୱାର ଓ ତାଙ୍କ ପୁତୁରା ଅଜିତ ପାୱାର ଲଢ଼ିଥିଲେ ଓ ଜିତିଥିଲେ। ୧୯୯୬ରୁ ଏହି ଆସନରେ ଶରଦ ପାୱାର କିମ୍ବା ତାଙ୍କ ଝିଅ ସୁପ୍ରିୟା ହିଁ ଜିତୁଛନ୍ତି।

ସୁନେତ୍ରା ପାୱାର ହେଉଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱରଙ୍କ ପତ୍ନୀ। ଅଜିତ ତାଙ୍କ ପତ୍ନୀ ସୁନେତ୍ରାଙ୍କୁ ଭଉଣୀ ସୁପ୍ରିୟାଙ୍କ ବିପକ୍ଷରେ ପ୍ରାର୍ଥୀ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାଜଗଡ଼ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଦିଗବିଜୟ କହିଛନ୍ତି, ଏହି ନିର୍ବାଚନ ତାଙ୍କର ଶେଷ ନିର୍ବାଚନ। ରାଜଗଡ଼ ଆସନରେ ୨୦୧୪ ଓ ୨୦୧୯ରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଶିବରାଜଙ୍କ କାର୍ଯ୍ୟକାଳ ହିଁ ସବୁଠାରୁ ଅଧିକ ଲମ୍ବା। ଏବେ ବିଜେପି ତାଙ୍କୁ ବିଦିଶା ଆସନରୁ ପ୍ରାର୍ଥୀ କରିଛି। କର୍ଣ୍ଣାଟକର ଧାରୱାଡ ଆସନରୁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ୨୦୦୪ରୁ ଜିତିଆସୁଛନ୍ତି। ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ବରହମପୋର ଆସନରୁ ୨୦୦୯ରୁ ଜିତୁଛନ୍ତି। ଆସାମର ଧୁବ୍ରି ଆସନରେ ଏଆଇୟୁଡିଏଫ୍‌ ପ୍ରାର୍ଥୀ ବଦରୁଦ୍ଦିନ ଅଜମଲ ୨୦୦୯ରୁ ଜିତୁଛନ୍ତି।

Leave A Reply

Your email address will not be published.