ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟସରକାର ନିର୍ମାଣ କରିବେ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ, ଜୁଆର ମାଡ଼ରୁ ବଞ୍ଚିବ ଉପକୂଳ

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ସାମର୍ଥ୍ୟ ହାସଲ କରିଥିବା ଓଡ଼ିଶା, ବାତ୍ୟା ମୁକାବିଲା ପାଇଁ ଆଉ ଏକ କୌଶଳ ଆପଣାଇବାକୁ ଯାଉଛି । ଉପକୂଳ ଅଞ୍ଚଳରେ ବାତ୍ୟାର ପ୍ରକୋପ ରୋକିବାକୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ । ଏଥିରେ ବ୍ୟାପକ ଭାବେ ଲୁଣାବନ୍ଧ ନିର୍ମାଣ କରାଯିବ। ଯାହା ସମୁଦ୍ର ଜୁଆରକୁ ପ୍ରତିରୋଧ କରିବା ସହ ବାତ୍ୟା ପରବର୍ତ୍ତୀ ବନ୍ୟା ଦାଉରୁ ଗାଁଗୁଡ଼ିକୁ ରକ୍ଷା କରିବ ।

ନିର୍ମାଣ ହେବ ବହୁ ଲୁଣାବନ୍ଧ । ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବ କାମ । ପୁରୁଣା ଲୁଣାବନ୍ଧକୁ ସୁଦୃଢ଼ କରାଯିବ । ଏହାର ଟେଣ୍ଡର ସରିଛି । ବର୍ଷାଋତୁ ପରେ ନଭେମ୍ବର ମାସରୁ ଲୁଣାବନ୍ଧ ନିର୍ମାଣ ଆରମ୍ଭ ହେବ । ୨୦୦ କିଲୋମିଟର ଲୁଣାବନ୍ଧକୁ ସୁଦୃଢ଼ କରାଯିବ । ସମୁଦ୍ର କୂଳରୁ ୧୦ରୁ ୧୨ କିଲୋମିଟର ମଧ୍ୟରେ ନିର୍ମାଣ କରାଯିବ ଲୁଣାବନ୍ଧ । ଏଥିପାଇଁ ଜଳସମ୍ପଦ ବିଭାଗ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ । ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ପାଇଁ ୩୬ଟି କ୍ଷେତ୍ରରେ କାମ ହେବ । ଏହି ଯୋଜନା ସାରିବାକୁ ପାଞ୍ଚ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଧାର୍ଯ୍ୟ ସମୟ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖିଛି ଜଳସମ୍ପଦ ବିଭାଗ । ଲୁଣାବନ୍ଧ ଦ୍ବାରା ବାତ୍ୟା ପ୍ରତିରୋଧ ସହ ଗାଁକୁ ସମୁଦ୍ର ଜୁଆର ପ୍ରବେଶ କରିପାରିବ ନାହିଁ ।

୧୯୯୯ ମହାବାତ୍ୟା ସମୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସେତେଟା ବ୍ୟବସ୍ଥା ନଥିଲା । ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ କୌଶଳ ପ୍ରସ୍ତୁତ କରୁଛନ୍ତି । ଗୋପାଳପୁରଠାରୁ ପାରାଦୀପ ଯାଏ ଲୁଣାବନ୍ଧ ଆବଶ୍ୟକ । ଲୁଣାବନ୍ଧର ଉଚ୍ଚତା ଅତି କମରେ ୧୫ ଫୁଟ୍‌ ରହିବ । କାରଣ ଓଡ଼ିଶାରେ ବାତ୍ୟା ସମୟରେ ସମୁଦ୍ର ଜୁଆର ୬ରୁ ୯ ମିଟର ବା ତା’ଠାରୁ ଅଧିକ ଉଚ୍ଚ ରହିଥାଏ । ଲୁଣାପାଣି ଗାଁ ଓ ବିଲରେ ମାଡ଼ି ଫସଲ ଓ ଜନଜୀବନକୁ ପ୍ରଭାବିତ କରେ । ଏପରିକି ଭୂତଳ ଜଳରେ ବି ଲୁଣାପାଣି ମିଶିଯାଏ । ଏଭଳି ସ୍ଥିତିରେ ଲୁଣାବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଧନ ଓ ଜୀବନକୁ ବାତ୍ୟା ଦାଉରୁ ରକ୍ଷା କରିବାରେ ସହାୟକ ହେବ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ୍‌ ମଡେଲ୍‌ ପାଲଟିଛି । କିଛିଦିନ ତଳେ ବଜ୍ରାଘାତରୁ ରକ୍ଷା ପାଇଁ ବ୍ୟାପକ ଭାବେ ତାଳଗଛ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ପ୍ରକୃତିର ତାଣ୍ଡବରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଏକାକୀ ଠିଆ ହୋଇ ସଫଳତା ହାସଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ନବୀନଙ୍କ ପାଇଁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।

Leave A Reply

Your email address will not be published.