ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୟ ବଢ଼ାଉଛି କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ: ୧୨ ହଜାର ନଦୀର ଅସ୍ତିତ୍ବ ଉପରେ ସଙ୍କଟ, ଦ୍ରୁତଗତିରେ ଶୁଖିଚାଲିଛି ନଦୀ

ବଡ଼ଠାରୁ କ୍ଷୁଦ୍ର ନଦୀକୁ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଏହା ନୂଆ ରେକର୍ଡ କରିଚାଲିଛି। ପ୍ରବଳ ଖରା ହେଉଥିବାରୁ ଅନେକ ଜଳ ଭଣ୍ଡାର, ନଦୀ, ହ୍ରଦ, ପୋଖରୀ, ନଳକୂପ, କୂଅ ଆଦି ଶୁଖି ଯାଇଛି। ଫଳରେ ମନୁଷ୍ୟଠାରୁ ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଜିଲ୍ଲାରେ ଗୁରୁତର ଜଳ ସଙ୍କଟ ଦେଖା ଦେଇଛି। ଏଥିରେ ବେଙ୍ଗାଲୁରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ପିଇବା ପାଣି ମିଳୁନାହିଁ। ସ୍ଥିତିକୁ କମ୍ପାନୀଗୁଡିକ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଅନେକ ଲୋକ ସହର ମଧ୍ୟ ଛାଡ଼ି ପଳାଇଛନ୍ତି। ତାମିଲନାଡୁ, ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ମଧ୍ୟ ଜଳ ସଙ୍କଟ ଦେଖା ଦେଇଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟସି)ଙ୍କ ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି। ଦେଶର ନଦୀଗୁଡିକ ଦ୍ରୁତଗତିରେ ଶୁଖିବାରେ ଲାଗିଛି ବୋଲି ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ହେଉ ନ ଥିବାରୁ ସ୍ଥିତି ଅଧିକ ଗୁରୁତର ହୋଇଯାଇଛି। ତେବେ ସବୁଠାରୁ ଚିନ୍ତାର ବିଷୟ ଏହି କି ଯେ ହିମାଳୟ କ୍ଷେତ୍ରରୁ ବାହାରିଥିବା ଗଙ୍ଗା, ଯମୁନା ଭଳି ନଦୀ ଅବବାହିକା ଅଞ୍ଚଳରେ ମରୁଡ଼ି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗଙ୍ଗା ନଦୀ ପ୍ରଭାବିତ ହେଉଥିବା ୧୧ ରାଜ୍ୟର ପ୍ରାୟ ୨ ଲକ୍ଷ ୮୬ ହଜାର ଗ୍ରାମରେ ଜଳ ଉପଲବ୍ଧତା ହ୍ରାସ ପାଇଛି। ନଦୀରେ ଜଳ ପ୍ରବାହ କ୍ରମାଗତ ଭାବେ ହ୍ରାସ କମ୍‌ ହେବାରେ ଲାଗିଛି। ତେବେ ଅଚାନକ ଏପରି ସ୍ଥିତି ସୃଷ୍ଟି ହୋଇନାହିଁ। ଗତ କିଛି ବର୍ଷ ହେଲା ଏହି ଧାରା ଜାରି ରହିଛି। ନଦୀର ପ୍ରବାହ ହ୍ରାସ ପଛରେ ପ୍ରକୃତି କିମ୍ବା ଜଳବାୟୁ ପରିବର୍ତ୍ତନ ସହିତ ଅନେକ ମନୁଷ୍ୟକୃତ କାରଣ ମଧ୍ୟ ରହିଛି।

ଦେଶରେ ୧୩ଟି ବଡ଼, ୪୫ଟି ମଧ୍ୟମଧରଣର ଏବଂ ୫୫ଟି କ୍ଷୁଦ୍ର ଜଳଧାରଣ କ୍ଷେତ୍ର ରହିଛି। ପାଣି ଯେଉଁଠୁ ପ୍ରଭାବିତ ହୋଇ ଆସିଥାଏ ତାହାକୁ ଜଳଗ୍ରହଣ କ୍ଷେତ୍ର କୁହାଯାଇଥାଏ। ଏଥିରେ ବରଫ ପାହାଡ଼, ସହାୟକ ନଦୀ, ନାଳ ଆଦି ସାମିଲ ରହିଛି। ହିମାଳୟ କ୍ଷେତ୍ରର ବରଫ ତରଳିବାରୁ ତିନି ନଦୀ ଗଙ୍ଗା, ସିନ୍ଧୁ ଏବଂ ବ୍ରହ୍ମପୂତ୍ର ବାହାରୁଛି। ଏ ସବୁକୁ ହିମାଳୟୀ ତଥା ଚିରସ୍ରୋତା ନଦୀ କୁହାଯାଇଥାଏ। ଅନ୍ୟଗୁଡିକୁ ଖରସ୍ରୋତା କୁହାଯାଇଥାଏ। ଏଗୁଡିକ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରିଥାନ୍ତି। ତଥ୍ୟ ଅନୁଯାୟୀ ପାଣି ମାମଲାରେ ଭାରତ ସାରା ବିଶ୍ବର ସର୍ବାଧିକ ସମୃଦ୍ଧ ଦେଶ। ମାତ୍ର ଚିନ୍ତାର ବିଷୟ ଏହି କି ଯେ ୮୫ ପ୍ରତିଶତ ବର୍ଷା ପାଣି ତିନି ମାସରେ ସମୁଦ୍ରକୁ ଚାଲି ଯାଇଥାଏ। ଏଥିଯୋଗୁଁ ନଦୀ ଶୁଖି ଯାଇଥାଏ। କ୍ଷୁଦ୍ର ନଦୀଗୁଡିକ ଏହି ପାଣିକୁ ସଂରକ୍ଷିତ କରି ରଖିଥାଆନ୍ତି। ମାତ୍ର ଏବେ ଅନେକ କ୍ଷୁଦ୍ର ନଦୀ ମୃତ ପ୍ରାୟ ଅବସ୍ଥାରେ ଅଛନ୍ତି। ତେଣୁ ଏହି ସ୍ଥିତି ସୃଷ୍ଟି ହୋଇଛି। ନଦୀ ପାଇଁ ସୃଷ୍ଟି ହେଉଥିବା ଏହି ସଙ୍କଟ ମନୁଷ୍ୟକୁ ବଡ଼ ଚେତାବନୀ ଦେଇଛି। ଏବେ ନଦୀଗୁଡିକ ସାମ୍ନାରେ ମୁଖ୍ୟତଃ ତିନି ପ୍ରକାରର ସଙ୍କଟ ସୃଷ୍ଟି ହୋଇଛି। ଏଗୁଡିକ ମଧ୍ୟରେ ପାଣି ଅଭାବ, ମାଟି ଭାଗ ଅଧିକ ଏବଂ ପ୍ରଦୂଷଣ ରହିଛି। ପୃଥିବୀର ତାପମାତ୍ରା ବୃଦ୍ଧି ଯୋଗୁଁ ପାଣିପାଗ ବଦଳୁଛି। ଏଥିପାଇଁ ବର୍ଷାରେ ଅନିୟମିତତା ଲାଗି ରହୁଛି। ଏହି ସବୁ ସ୍ଥିତି ନଦୀ ପାଇଁ ଅସ୍ତିତ୍ବର ସଙ୍କଟ ସୃଷ୍ଟି କରିଛନ୍ତି। ଜଳସେଚନ ଏବଂ ଅନ୍ୟ କାର୍ଯ୍ୟ ଲାଗି ନଦୀକୁ ଶୋଷଣ ଏବଂ ବନ୍ଧ ଆଦି ନିର୍ମାଣ ଯୋଗୁଁ ନଦୀର ପ୍ରାକୃତିକ ସ୍ବରୂପକୁ କ୍ଷତି ପହଞ୍ଚୁଛି। ତେଣୁ ନଦୀରେ ପାଣି କମ୍‌ ରହୁଛି।

ଉତ୍ତରାଖଣ୍ଡକୁ ଉଦାହରଣ ଭାବେ ଦେଖିଲେ ଅଲମୋଡାର ଜାଗେଶ୍ବରରେ ଦିନ ଗଙ୍ଗା ନଦୀର ପ୍ରବାହ ସେକେଣ୍ଡ ପିଛା ୫୦୦ ଲିଟର ଥିଲା। ଏବେ ଏହା ୧୮ ଲିଟର ରହିଛି। ଆକଳ ଅନୁଯାୟୀ ଏବେ ଦେଶରେ ପ୍ରାୟ ୧୨ ହଜାର କ୍ଷୁଦ୍ର ନଦୀର ଅସ୍ତିତ୍ବ ଉପରେ ସଙ୍କଟ ସୃଷ୍ଟି ହୋଇଛି। ୧୯ଶ ଶତାଦ୍ଦୀ ବେଳକୁ ହିମାଳୟ କ୍ଷେତ୍ରରୁ ବାହାରି ଆସୁଥିବା ପ୍ରାୟ ୬ ହଜାର ନଦୀ ବିହାର (ଝାଡ଼ଖଣ୍ଡ ସହିତ)ରେ ଥିଲା। ମାତ୍ର ଏବେ ଏଥିରୁ ୪୦୦ରୁ ୬୦୦ଟିର ଅସ୍ତିତ୍ବ ରହିଛି। ମଧୁବନୀ ସୁପୋଲ ଦେଇ ପ୍ରବାହିତ ତିଲଯୁଗା ନଦୀ ଦିନେ କୋଶିଠାରୁ ବି ବଡ଼ ଥିଲା। କିନ୍ତୁ ଏବେ ତାହାର ଜଳଧାରା ସୀମିତ ହୋଇଯାଇଛି। ଏହା କୋଶିର ସହାୟକ ନଦୀ ପାଲଟି ଯାଇଛି। ସେହିପରି ସୀତାମଢ଼ିରେ ସରକାରୀ କୋଠା ଲଖନଦେଇ ନଦୀକୁ ଖାଇ ଯାଇଛି। ନଦୀଗୁଡ଼ିକର ଏପରି ସ୍ଥିତି ଯୋଗୁଁ ଆଜି ବିଭିନ୍ନ ଅଞ୍ଚଳରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ବିହାରର ୨୩ ଜିଲ୍ଲାରେ ପ୍ରବାହିତ ୨୪ ନଦୀ ଶୁଖି ପଡ଼ିଆରେ ପରିଣତ ହୋଇଯାଇଛି। ଏଗୁଡିକ ମଧ୍ୟରେ ଉତ୍ତର ବିହାରର ୧୬ ଏବଂ ଦକ୍ଷିଣ ବିହାରର ୮ ନଦୀ ସାମିଲ ରହିଛି। ଏହି ସବୁ ନଦୀର ମୋଟ ଲମ୍ବ ୨, ୯୮୬ କିମି। ଏଥିରୁ ୬୭୦ କିମି କ୍ଷେତ୍ରରେ ମାଟି ଭର୍ତ୍ତି ହୋଇଯାଇଛି। ବାଲି ଖନନ, ଜମି ଉପରେ କବ୍ଜା, ନଦୀର ବନ୍ୟା ପ୍ରଭାବିତ କ୍ଷେତ୍ରରେ ସ୍ଥାୟୀ ନିର୍ମାଣ ଆଦି ନଦୀଗୁଡ଼ିକ ପାଇଁ ବଡ଼ ବିପଦ ପାଲଟିଛି। ଦୁର୍ଭାଗ୍ୟର ବିଷୟ ଏହି କି ଯେ ଅନେକ କ୍ଷୁଦ୍ର ନଦୀଙ୍କର କୌଣସି ରାଜସ୍ବ ରେକର୍ଡ ନାହିଁ। ଏଗୁଡ଼ିକୁ ନାଳ କହି ଦିଆଯାଉଛି। ସୂଚନା ଅନୁଯାୟୀ ସାହିବୀ ନଦୀରେ ସହର ନିର୍ମାଣ ଯୋଗୁଁ ପ୍ରତି ବର୍ଷ ଗୁରୁଗ୍ରାମ ବୁଡ଼ିବାରେ ଲାଗିଛି।

ପ୍ରତ୍ୟେକ ନଦୀ ସମାଜ, ଦେଶ ଏବଂ ପୃଥିବୀ ପାଇଁ ଅତ୍ୟନ୍ତ ଜରୁରୀ। ମାତ୍ର ବଡ଼ ନଦୀଠାରୁ କ୍ଷୁଦ୍ର ନୀଦକୁ ଅଧିକ ଧ୍ୟାନ ଦେବା ଜରୁରୀ। ଅନେକ କ୍ଷୁଦ୍ର ନଦୀ ମିଶି ବଡ଼ ନଦୀ ହୋଇଥାଏ। ଯଦି କ୍ଷୁଦ୍ର ନଦୀରେ ପାଣି କମ୍‌ ରହିବ ତେବେ ବଡ଼ ନଦୀ ମଧ୍ୟ ଶୁଖିଯିବ। ଯଦି କ୍ଷୁଦ୍ର ନଦୀରେ ପ୍ରଦୂଷଣ ବଢ଼ିବ ତେବେ ଏହା ବଡ଼ ନଦୀକୁ ମଧ୍ୟ ପ୍ରଭାବିତ କରିବ।

Leave A Reply

Your email address will not be published.