ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝିଆରୀ ଅପହରଣକୁ ବିରୋଧ କରିବାରୁ ଦାଦାକୁ ଲୁହା ରଡ଼ରେ ପିଟିପିଟି ହତ୍ୟା କଲା ପ୍ରେମିକ

କେନ୍ଦ୍ରାପଡ଼ା: ପ୍ରେମ ବ୍ୟାପାରକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ଝିଆରୀକୁ ବାଇକରେ ବସାଇ ପ୍ରେମିକ ଅପହରଣ କରୁଥିବାବେଳେ ଦାଦା ବିରୋଧ କରିବାରୁ ସହଯୋଗୀଙ୍କ ସହ ପ୍ରେମିକ ମିଶି ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଜନଗର ଥାନା ଅଧିନ ଚନ୍ଦ୍ରଶିଖର ଗ୍ରାମରେ ଏହିଭଳି ପ୍ରେମ ବ୍ୟାପାରକୁ ନେଇ ଏକ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ଚନ୍ଦ୍ରଶେଖର ଗାଁର ଝିଆରୀଙ୍କ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳଙ୍କ ମୄତ୍ୟୁ ଘଟିଛି ।

ଅଭିଯୋଗ ମୁତାବକ, ରାଜନଗର ଚନ୍ଦ୍ରଶିଖର ଗାଁ ର ବିଚିତ୍ରାନନ୍ଦ ବିଶ୍ଵାଳଙ୍କ ଝିଆରୀ ଜୁଣୁପାଙ୍ଗରା ଗ୍ରାମର ଲିପୁକୁ ଦୀର୍ଘ ଦିନ ଧରି ପ୍ରେମ କରିଆସୁଥିଲେ । ଗତକାଲି ରାତିରେ ଅଭିଯୁକ୍ତ ଲିପୁ ତାର ପ୍ରେମିକାକୁ ଘରୁ ଉଠାଇ ନେବା ସମୟରେ ଖବର ପାଇ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳ ସେମାନଙ୍କୁ ପଛରେ ଗୋଡ଼ାଇ ସେମାନଙ୍କୁ ଅଟକାଇ ବିରୋଧ କରିଥିଲେ । ବିଚିତ୍ରାନନ୍ଦଙ୍କୁ ଲିପୁ ଓ ତାର ସହଯୋଗୀ ମାନେ ଅଟକାଇ ସଙ୍ଘବଦ୍ଧ ଭାବେ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ପ୍ରଥମେ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ବିଚିତ୍ରାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ ପୋଲିସ ଉଭୟ ଝିଆରୀ ଆଉ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଏନେଇ ରାଜନଗର ଥାନାରେ ମୃତକଙ୍କ ସମ୍ପର୍କୀୟ ଦେବେନ୍ଦ୍ର କୁମାର ବିଶ୍ୱାଳ କରିଥିବା ଅଭିଯୋଗ ମୁତାବକ, “ଗତ ସୋମବାର ରାତି ପ୍ରାୟ ୯ଟା ୩୦ରେ ୪ଟି ମୋଟର ସାଇକେଲରେ କେତେଜଣ ଯୁବକ ଆସି ଘର ଆଗରୁ ତାଙ୍କ ଭଉଣୀଙ୍କୁ ଉଠାଇ ନେଇଥିଲେ । ଏହି ସମୟରେ ଚିତ୍କାର ଶୁଣି ଦାଦା ବିଚିତ୍ରାନନ୍ଦ ବିଶ୍ୱାଳ ସେମାନଙ୍କୁ ଧରିବା ଉଦ୍ଦେଶ୍ୟରେ ବାଇକ ଯୋଗେ ସେମାନଙ୍କ ପଛରେ ଯାଇଥିଲେ । ଅଳ୍ପ ସମୟ ବ୍ୟବଧାନରେ ଜୁଣୁପାଙ୍ଗରା ଗାଁର ଅଭିରାମ ଦାସଙ୍କ ଘର ଆଗରେ ସେମାନଙ୍କୁ ଅଟକାଇଥିଲେ । ସେଥିରେ ଉଦ୍‌କ୍ଷିପ୍ତ ହୋଇ ଶ୍ରୀକାନ୍ତ ଜେନା ଓରଫ୍ ଲିପୁ ମୁଁ ତାକୁ ଭଲ ପାଇ ଆଣିଛି, ବାହା ହେବି ବୋଲି କହିବା ସହ ଧସ୍ତାଧସ୍ତି ହୋଇଥିଲା । ସେହି ସମୟରେ ମୁଁ ଏବଂ ମୋ ସାଙ୍ଗ ବିଦ୍ୟାଧର ଘଟଣା ସ୍ଥଳରେ ପହଁଚି ଦେଖିଲୁ ଯେ ବାବୁନି ଜେନା, ଦେବୁନି ଜେନା, ଶ୍ରୀକାନ୍ତ ଜେନା, ବିଶ୍ୱରଂଜନ ପ୍ରଧାନ ସଂଘବଦ୍ଧ ହୋଇ ମୋ ଦାଦାଙ୍କୁ ଆକ୍ରମଣ କରୁଥିଲେ । ଲିପୁ ଉତ୍‌କ୍ଷିପ୍ତ ହୋଇ ଏକ ଲୁହା ରଡରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ମୋ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ପକାଇଥିଲେ । ଦାଦା ଚିତ୍କାର କରି ତଳେ ପଡିଯାଇଥିଲେ । ଲିପୁ ମୋ ଭଉଣୀକୁ ଗାଡିରେ ବସାଇ ନେଇ ପଳାଇଥିଲେ । ଆମେ ମୁର୍ମୁଷୁ ଅବସ୍ଥାରେ ଦାଦାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରିଥିଲୁ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।” ଥାନାରେ କେସ ନଂ ୭୧/୨୦୨୨ ଦଫା ୩୬୬, ୩୦୨ ଓ ୩୪ ଆଇପିସିରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି । ମୃତ ବିଚିତ୍ରାନନ୍ଦଙ୍କ ଶବ ବ୍ୟବଚ୍ଛେଦ ହେବା ପରେ କୁରୁଂଟି ପଂଚାୟତରେ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.