ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଡ଼କ ଦୁର୍ଘଟଣାସ୍ଥଳରୁ ଅପ୍‌ଲୋଡ୍‍ ହେବ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ, କାର୍ଯ୍ୟକ୍ଷମ ହେଲା ଆଇଆର୍‍ଏଡି ବ୍ୟବସ୍ଥା

ଭୁବନେଶ୍ୱର : ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ଇଣ୍ଟିଗ୍ରେଟେଡ୍‍ ରୋଡ ଆକ୍ସିଡେଣ୍ଟ ଡାଟାବେସ୍‍ (ଆଇଆର୍‍ଏଡି) ବ୍ୟବସ୍ଥା। ରାଜ୍ୟରେ ଦୁର୍ଘଟଣା ସମ୍ପର୍କିତ ତଥ୍ୟ ପରିବହନ ବିଭାଗ ଡାଟାବେସ୍‍ରେ ସ୍ୱତନ୍ତ୍ର ଆପ୍‍ ସହାୟତାରେ ଅପଲୋଡ୍‍ ହେବ। କେଉଁ ସମୟରେ ଦୁର୍ଘଟଣା ଘଟିଲା, ମୃତାହତଙ୍କ ସୂଚନା, ଫଟୋ ଓ ଭିଡିଓ ଅପଲୋଡ୍‍ ହେବ। ଏହି ତଥ୍ୟକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏବଂ ଅନ୍ୟ ସରକାରୀ ସଂସ୍ଥା ମଧ୍ୟ ଉପଯୋଗ କରିପାରିବେ। ଏହା ସହିତ ଜାତୀୟ ଡାଟାବେସ୍‍ ସହ ରାଜ୍ୟର ଡାଟାବେସ୍‍ ସଂଯୋଗ କରାଯାଇଛି। ଗୋଟିଏ ପ୍ଲାଟଫର୍ମରେ ପୁଲିସ, ଆରଟିଓ, ପରିବହନ ବିଭାଗ, ଏନ୍‍ଏଚ୍‍ଏଆଇ, ପୂର୍ତ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଗତବର୍ଷ ଅଗଷ୍ଟ ମାସରେ ପରିବହନ ବିଭାଗ ପକ୍ଷରୁ କିଛି ଜିଲ୍ଲାରେ ଆଇଆରଏଡି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ଥିଲା ବେଳେ ଆଜି ସବୁ ଜିଲ୍ଲାରେ ଏହା କାର୍ଯ୍ୟକ୍ଷମ ହୋଇଛି। ଦୁର୍ଘଟଣା ରୋକିବା ଦିଗରେ ସଠିକ୍‍ ତଥ୍ୟ ଅତ୍ୟନ୍ତ ଆବଶ୍ୟକ। ଏନ୍‍ଆଇସି ପକ୍ଷରୁ ଏହି ଆପ୍ଲିକେସନ୍‍ ପ୍ରସ୍ତୁତ କରାଯାଇଛି।

ଘଟଣାସ୍ଥଳରୁ ହିଁ ଦୁର୍ଘଟଣା ସୂଚନା ସଂଗ୍ରହ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା। ପରେ ବିଶ୍ୱ ବ୍ୟାଙ୍କ ସହାୟତାରେ ଆପ୍ଲିକେସନ୍‍ ପ୍ରସ୍ତୁତ କରାଯାଇଛି। ମୋବାଇଲ୍‍ ଫୋନ୍‍ରେ ଏହି ଆପ୍‍ ବ୍ୟବହାର କରାଯାଇ ପାରିବ। ଦୁଇ ବର୍ଷ ପୂର୍ବେ ସମଗ୍ର ରାଜ୍ୟରେ ଆପ୍ଲିକେସନ୍‍ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରହିଥିଲା। ଆଇଆରଏଡି ଆପ୍‍ ବ୍ୟବହାର ପାଇଁ ସବୁ ଥାନା ଓ ଆରଟିଓକୁ ଟ୍ୟାବ୍‍ ଯୋଗାଇ ଦିଆଯାଇଛି। ସୁପ୍ରିମ୍‍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ପରାମର୍ଶ ଅନୁସାରେ ରାସ୍ତା ନିର୍ମାଣ କରିଥିବା ବିଭାଗ, ଆରଟିଓ ଏବଂ ପୁଲିସ ଘଟଣାସ୍ଥଳରେ ମିଳିତ ଭାବେ ତଥ୍ୟ ସଂଗ୍ରହ କରୁଥିଲେ। ତେବେ ଏଥିରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଥିଲା। କିନ୍ତୁ ଆଇଆରଏଡି ଆପ୍‍ ବ୍ୟବହାର କରି ଦୁର୍ଘଟଣା ସ୍ଥଳର ଫଟୋ, ଭିଡିଓ, କାରଣ, ମୃତାହତଙ୍କ ସୂଚନା ଆଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅପଲୋଡ୍‍ କରାଯିବ। ଅନୁରୂପ ଭାବେ ଏହି ତଥ୍ୟ ତୁରନ୍ତ ଡାଟାବେସ୍‍ରେ ସଂରକ୍ଷିତ ହେବ। ଫଳରେ ବିଭିନ୍ନ ବିଭାଗ ମିଳିତ ଭାବେ ଏହି ତଥ୍ୟକୁ ତର୍ଜମା କରି ଦୁର୍ଘଟଣା ହ୍ରାସ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୁପ୍ରିମ୍‍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ଅନୁସାରେ ୨୦୧୪-୨୦୨୦ ମଧ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମିବା ବଦଳରେ ବଢ଼଼ି ଚାଲିଛି। ୨୦୧୪ରୁ ୨୦୨୦ ମଧ୍ୟରେ ସଡ଼କ ଦୁର୍ଘଟଣା ୨୧ ପ୍ରତିଶତ ବୃଦ୍ଧି ପାଇଛି। କ୍ରାଇମ୍‍ ବ୍ରାଞ୍ଚ ଓ ସିଆଇଡି ରିପୋର୍ଟ ଅନୁସାରେ ୨୦୨୦ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ପୂର୍ବ ବର୍ଷ ଏହି ସମୟ ତୁଳନାରେ ଦୁର୍ଘଟଣା ଜନିତ ମୃତ୍ୟୁ ୧୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪ରେ ୩୯୩୧ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ବେଳେ ୨୦୨୦ରେ ୪୭୩୮ ଜୀବନ ଯାଇଛି। ୨୦୨୦ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ୭୬୧୯ ଦୁର୍ଘଟଣାରେ ୩୬୩୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୬୯୭୭ ଜଣ ଆହତ ହୋଇଥିଲେ। ସେହିପରି ଗତବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ୮୯୨୨ଟି ସଡ଼କ ଦୁର୍ଘଟଣାରେ ୪୦୪୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୮୦୮୭ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.