ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ପଶ୍ଚିମ ଓଡିଶା ପ୍ରତି ସ୍ଵତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିଦିନ ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ପ୍ରଶାସନିକ ସ୍ଥରରେ ବ୍ୟାପକ ପ୍ରସ୍ତୁତି ସହ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ନେଇ ସ୍ଥିତି‌ର ସମୀକ୍ଷା  କରିବାକୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ କରୋନା ଭାଇରସ ସଂକ୍ରମଣ ଅଧିକ ସକ୍ରିୟ ଥିବାରୁ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସ୍ଥିତି ପର୍ଯ୍ୟବେକ୍ଷଣ ଲାଗି ପଶ୍ଚିମ ଓଡ଼ିଶା ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ‌ପଶ୍ଚିମ ଓଡ଼ିଶାରେ କରୋନାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପଶ୍ଚିମ ଓଡ଼ିଶାକୁ ତୁରନ୍ତ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ୍‌ ଷ୍ଟାଫ୍‌ ଓ ଲ୍ୟାବ୍‌ ଟେକ୍ନିସିଆନ୍‌ ପଠାଇବାକୁ ନିର୍ଦ୍ଦେଶ ଦେବା ସହ କରୋନା ମୁକାବିଲା ପାଇଁ ହସ୍‌ପିଟାଲ ଭିତ୍ତିଭୂମି ଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ରାଜ୍ୟରେ କିପରି କୋଭିଡ୍‌ ନିୟମ କଡାକଡି ଭାବେ ପାଳନ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି।  ଏଥି ସହିତ  ଅମାନିଆଙ୍କୁ ସାବାଡ଼ କରିବାକୁ ୧୦ ଦିନ ସ୍ପେଶାଲ ଡ୍ରାଇଭ ପାଇଁ ପୁଲିସ ଡିଜି ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ହ୍ରାସ୍‌ କରିବାକୁ ଅଧିକ ପୁଲିସ ମୁତୟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ସାରା ରାଜ୍ୟରେ ପୁଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୁଲିସ ମୁତୟନ କରିବାକୁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାାପାତ୍ର, ରାଜ୍ୟର ସବୁ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.