ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧୋନୀଙ୍କଠାରୁ ପନ୍ତଙ୍କ ପର୍ଯ୍ୟନ୍ତ, ଜାଣନ୍ତୁ ଆଇପିଏଲ୍‍-୧୪ର ଅଧିନାୟକମାନଙ୍କ ବିଷୟରେ….

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନାଢ଼୍ୟ ଟି-୨୦ କ୍ରିକେଟ୍‍ ପ୍ରତିଯୋଗିତା ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଏହାର ୧୩ ବର୍ଷର ଇତିହାସରେ ଅନେକ ଶ୍ରେଷ୍ଠ ଅଧିନାୟକଙ୍କୁ ଦେଖିଛି। ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଶେନ୍‍ ୱର୍ଣ୍ଣ, ରିକି ପଣ୍ଟିଂ ଓ ଆଦାମ ଗିଲ୍‍ଖ୍ରିଷ୍ଟ ଆଇପିଏଲ୍‍ର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ବିଚକ୍ଷଣ ନେତୃତ୍ୱର ଛାପ ଛାଡ଼ିଥିବାବେଳେ ମହେନ୍ଦ୍ର ସିଂହ ଧୋନୀ, ଗୌତମ ଗମ୍ଭୀର ଓ ରୋହିତ୍‍ ଶର୍ମାଙ୍କ ପରି କିମ୍ବଦନ୍ତୀ ଇତିହାସ ରଚିଛନ୍ତି। ଏହି ବ୍ୟୟବହୁଳ କ୍ରିକେଟ୍‍ ପ୍ରତିଯୋଗିତାର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ୩ ଦିନ ବାକିଥିବା ବେଳେ  ଅଂଶଗ୍ରହଣକାରୀ ୮ ଦଳର ଅଧିନାୟକଙ୍କ ଉପରେ ସମ୍ୟକ ସୂଚନା।

୧- ମହେନ୍ଦ୍ର ସିଂ ଧୋନୀ (ଚେନ୍ନାଇ ସୁପର୍‍କିଙ୍ଗ୍‍ସ):

କ୍ରିକେଟ୍‍ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅନ୍ୟତମ ଶ୍ରେଷ୍ଠ ଓ ପ୍ରଭାବଶାଳୀ ଅଧିନାୟକ ଭାବେ ବିବେଚନା କରାଯାଇଥାଏ। ଚେନ୍ନାଇ ସୁପର୍‍ କିଙ୍ଗ୍‍ସ (ସିଏସ୍‍କେ) ସହ ଧୋନୀ ପ୍ରାରମ୍ଭରୁ ଜଡ଼ିତ ହୋଇରହିଛନ୍ତି। ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୩ଥର ଆଇପିଏଲ୍‍ ଟ୍ରଫି ଜିତିପାରିଛି। ସେଥିମଧ୍ୟରୁ ୨୦୧୦ ଓ ୨୦୧୧ରେ କ୍ରମାଗତ ୨ଟି ସିଜନ ଚାମ୍ପିଅନ୍‍ ହୋଇଥିଲା। ୨୦୧୮ରେ ଶେଷଥର ପାଇଁ ଧୋନୀଙ୍କ ନେତୃତ୍ୱରେ ଦଳ ଆଇପିଏଲ୍‍ ଟ୍ରଫି ହାସଲ କରିଥିଲା। ୨୦୦୮ରୁ ୨୦୨୦ ସୁଦ୍ଧା ଧୋନୀ ୧୮୮ ଆଇପିଏଲ୍‍ ମ୍ୟାଚ୍‍ (ଚେନ୍ନାଇ ଓ ରାଇଜିଂ ପୁଣେ ସୁପର୍‍ ଜିଆଣ୍ଟ୍‍ସ)ରେ ନେତୃତ୍ୱ ନେଇ ୧୧୦ରେ ବିଜୟୀ ହୋଇଛନ୍ତି। ୭୭ ମ୍ୟାଚ୍‍ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅଧିନାୟକ ଭାବେ ତାଙ୍କ ବିଜୟ ପ୍ରତିଶତ ୫୮.୮୨ ପ୍ରତିଶତ ରହିଛି। ୨୦୧୯ରେ ମଧ୍ୟ ଧୋନୀ ଦଳକୁ ରନର୍ସଅପ୍‍ କରାଇଥିଲେ। ତେବେ ଗତ ୨୦୨୦ ସଂସ୍କରଣ ଉଭୟ ଧୋନୀ ଓ ଚେନ୍ନାଇ ପାଇଁ ବେଶ୍‍ ନୈରାଶ୍ୟଜନକ ଥିଲା। ଆଇପିଏଲ୍‍ ଇତିହାସରେ ସୁପର୍‍ କିଙ୍ଗ୍‍ସ ପ୍ରଥମଥର ଲାଗି ପ୍ଲେ-ଅଫ୍‍ ଖେଳିବାରୁ ବଞ୍ଚିତ ହୋଇଥିଲା। ଧୋନୀ ମଧ୍ୟ ୧୪ ମ୍ୟାଚ୍‍ରୁ ମାତ୍ର ୨୦୦ ରନ କରିଥିଲେ। ୨୦୨୧ ସିଜନରେ କିନ୍ତୁ ଧୋନୀ ପୁଣିଥରେ ତାଙ୍କ ନେତୃତ୍ୱର ଝଲକ ଦେଖାଇବା ଲକ୍ଷ୍ୟରେ ରହିଛନ୍ତି।

୨- ରୋହିତ୍‍ ଶର୍ମା (ମୁମ୍ବଇ ଇଣ୍ଡିଆନ୍ସ):

ଆଇପିଏଲ୍‍ ଇତିହାସରେ ରୋହିତ୍‍ ଶର୍ମା ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ ମାନ୍ୟତା ପାଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବଇ ଇଣ୍ଡିଆନ୍ସ ରେକର୍ଡ ୫ ଟାଇଟଲ୍‍ (୨୦୧୩, ୨୦୧୫, ୨୦୧୭, ୨୦୧୯, ୨୦୨୦) ଜିତିଛି। ୨୦୧୩ରୁ ୨୦୨୦ ମଧ୍ୟରେ ରୋହିତ୍‍ ୧୧୬ ମ୍ୟାଚ୍‍ରେ ମୁମ୍ବଇର ନେତୃତ୍ୱ ନେଇଛନ୍ତି। ଯେଉଁଥିରେ ଦଳ ୬୮ ମ୍ୟାଚ୍‍ରେ ବିଜୟୀ ଓ ୪୪ରେ ପରାଜୟର ସାମ୍ନା କରିଛି। ରୋହିତ୍‍ଙ୍କ ବିଜୟ ପ୍ରତିଶତ ୬୦.୩୪ ରହିଛି। ତାଙ୍କ ନେତୃତ୍ୱରେ ମୁମ୍ବଇ ୪ଟି ମ୍ୟାଚ୍‍ ଟାଇ ରଖିପାରିଛି। ହ୍ୟାଟ୍ରିକ୍‍ ଟାଇଟଲ୍‍ ଜିତିବା ଲକ୍ଷ୍ୟରେ ଥିବା ରୋହିତ୍‍ ଗତ ସିଜନରେ ୩ଟି ଅର୍ଦ୍ଧଶତକ ସହ ୩୩୨ ରନ୍‍ ସ୍କୋର କରିଥିଲେ।

୩- ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର):

ଟେଷ୍ଟରେ ଅଧିକ ମ୍ୟାଚ୍‍ ଜିତିବା ଦୃଷ୍ଟିରୁ ବିରାଟ କୋହଲି ଭାରତର ସଫଳ ଅଧିନାୟକ ହୋଇପାରନ୍ତି, କିନ୍ତୁ ଆଇପିଏଲ୍‍ରେ ତାଙ୍କ ନେତୃତ୍ୱ ନୈରାଶ୍ୟଜନକ ରହିଛି। ଆଧୁନିକ ଯୁଗର ଏହି ମହାନ୍‍ କ୍ରିକେଟର୍‍ ଆଇପିଏଲରେ ଉଭୟ ବ୍ୟାଟିଂ ଓ ଅଧିନାୟକତ୍ୱରେ ରେକର୍ଡ ସେତେଟା ଆଖିଦୃଶିଆ ନାହିଁ। କୋହଲି ବର୍ତ୍ତମାନ ବି ଆଇପିଏଲ୍‍ ଟ୍ରଫି ସନ୍ଧାନରେ ରହିଛନ୍ତି। ୨୦୧୧ରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)ର ନେତୃତ୍ୱ ନେଇ ଆସୁଛନ୍ତି। ତାଙ୍କ ନେତୃତ୍ୱରେ ବାଙ୍ଗାଲୋର ୧୨୫ ମ୍ୟାଚ୍‍ରୁ ମାତ୍ର ୫୫ରେ ବିଜୟୀ, ୬୩ରେ ପରାଜୟ ଓ ୩ଟି ମ୍ୟାଚ୍‍ ଟାଇ ରଖିଛି। ୪ଟି ମ୍ୟାଚ୍‍ର ଫଳାଫଳ ବାହାରିପାରି ନାହିଁ। କୋହଲିଙ୍କ ବିଜୟ ପ୍ରତିଶତ ୪୬.୬୯ ରହିଛି। ୨୦୨୦ ସିଜନରେ ସେ ୧୫ ମ୍ୟାଚ୍‍ରୁ ୩ ଅର୍ଦ୍ଧଶତକ ସହ ୪୬୬ ରନ୍‍ ସଂଗ୍ରହ କରିଛନ୍ତି।

୪- ଡେଭିଡ୍‍ ୱାର୍ଣ୍ଣର (ସନ୍‍ରାଇଜର୍ସ ହାଇଦରାବାଦ୍‍)

ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ସମସ୍ତ ଫର୍ମାଟ୍‍ରେ ଜଣେ ଚମତ୍କାର ଓପନର୍‍ ଭାବେ ବିବେଚିତ ହେଉଛନ୍ତି। ସନ୍‍ରାଇଜର୍ସ ହାଇଦରାବାଦ୍‍ ଏହାର ଏକମାତ୍ର ଆଇପିଏଲ୍‍ ଟ୍ରଫି (୨୦୧୬) ୱାର୍ଣ୍ଣରଙ୍କ ନେତୃତ୍ୱରେ ଜିତିଥିଲା। ସେହି ସିଜନରେ ୱାର୍ଣ୍ଣର ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ୯ ଅର୍ଦ୍ଧଶତକ ସହ ୮୪୮ ରନ୍‍ ସଂଗ୍ରହ କରିଥିଲେ। ୨୦୧୭ ଓ ୨୦୧୯ରେ ମଧ୍ୟ ସେ ଶତକ ଅର୍ଜନ କରିଥିଲେ। ବଲ୍‍ ଟ୍ୟାମ୍ପରିଂ ମାମଲାରେ ବାସନ୍ଦାଦେଶ ଭୋଗି ୨୦୧୯ରେ କ୍ରିକେଟ୍‍କୁ ପ୍ରତ୍ୟାବର୍ତ୍ତନ କରିଥିବା ୱାର୍ଣ୍ଣର ପୁଣିଥରେ ହାଇଦରାବରଦ୍‍ର ନେତୃତ୍ୱ ନେଇଥିଲେ। ସେ ୬୩ ମ୍ୟାଚ୍‍ରେ ଦଳର ନେତୃତ୍ୱ ନେଇ ୩୪ଟିରେ ବିଜୟୀ ସ୍ୱାଦ ଚାଖିଛନ୍ତି। ଅଧିନାୟକ ଭାବେ ତାଙ୍କ ବିଜୟ ପ୍ରତିଶତ ୬୦.୩୪ ରହିଛି।

୫- ଲୋକେଶ ରାହୁଲ (ପଞ୍ଜାବ କିଙ୍ଗ୍‍ସ)

ଷ୍ଟାଇଲିସ୍‍ ୱିକେଟ୍‍କିପର୍‍ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ୨୦୨୦ ସିଜନରେ ପଞ୍ଜାବ କିଙ୍ଗ୍‍ସର ନେତୃତ୍ୱ ପ୍ରଦାନ କରାଯାଇଥିଲା। ଅଧିନାୟକ ଭାବେ ପଦାର୍ପଣ ସିଜନରେ ରାହୁଲ ଚମତ୍କାର ବ୍ୟାଟିଂ କରିଥିଲେ। ୧୪ ମ୍ୟାଚରୁ ସେ ୫ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ୬୭୦ ରନ୍‍ ସଂଗ୍ରହ କରି ‘ଅରେଞ୍ଜ କ୍ୟାପ୍‍’ର ଅଧିକାରୀ ରହିଥିଲେ। ତେବେ ତାଙ୍କ ଦଳ ମାତ୍ର ୫ ମ୍ୟାଚ୍‍ରେ ବିଜୟୀ ହୋଇ ପ୍ଲେ-ଅଫ୍‍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ନୂଆ ନାମରେ ଚଳିତ ସିଜନରେ ଖେଳିବାକୁ ଯାଉଥିବା ପଞ୍ଜାବ କିଙ୍ଗ୍‍ସଙ୍କୁ ଏଥର କିନ୍ତୁ ରାହୁଲ ପ୍ଲେ-ଅଫ୍‍ ଖେଳାଇବା ଲକ୍ଷ୍ୟରେ ରହିଛନ୍ତି।

୬- ଋଷଭ ପନ୍ତ (ଦିଲ୍ଲୀ କ୍ୟାପିଟାଲ୍ସ)

ଆଇପିଏଲ୍‍ର ଆଗାମୀ ସିଜନ ଲାଗି ଉଦୀୟମାନ ୱିକେଟ୍‍କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆଘାତ ହେବାପରେ ପନ୍ତଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି। ଫଳରେ ଆଇପିଏଲ୍‍ ଇତିହାସରେ ସେ ୫ମ ସର୍ବକନିଷ୍ଠ ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପୂର୍ବରୁ ପନ୍ତ ଘରୋଇ କ୍ରିକେଟ୍‍ରେ ଦିଲ୍ଲୀର ନେତୃତ୍ୱ ନେଇସାରିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ଓ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଦମ୍‍ଦାର ପ୍ରଦର୍ଶନ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଦୌଡ଼ରେ ପନ୍ତ ସର୍ବାଗ୍ରେ ରହିଥିଲେ।

୭- ଇଅନ୍‍ ମୋର୍ଗାନ (କେକେଆର୍‍)

ଗତ ବର୍ଷ ସିଜନ ଅଧାରୁ ଦୀନେଶ କାର୍ତ୍ତିକ ଅଧିନାୟକ ପଦରୁ ଓହରିଯିବା ପରେ ଇଅନ୍‍ ମୋର୍ଗାନଙ୍କ ହାତକୁ କୋଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍) ଦଳର ନେତୃତ୍ୱ ଭାର ଯାଇଥିଲା। ସେ ୬ଟି ମ୍ୟାଚ୍‍ରେ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ମୋର୍ଗାନଙ୍କ ନେତୃତ୍ୱରେ କେକେଆର୍‍ ୨ ବିଜୟ ଓ ୪ମ୍ୟାଚରେ ପରାଜୟବରଣ କରିଥିଲା। ଗୋଟିଏ ମ୍ୟାଚ୍‍ ଟାଇ ରହିଥିଲା। ଆଗାମୀ ସିଜନ ତାଙ୍କ ନେତୃତ୍ୱ ଦକ୍ଷତାର ପରୀକ୍ଷା ହେବ।

୮- ସଞ୍ଜୁ ସାମସନ (ରାଜସ୍ଥାନ ରୟାଲ୍ସ)

ନିଜୟମିତ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ଙ୍କୁ ଦଳରୁ ରିଲିଜ କରାଯିବା ପରେ କେରଳ ତାରକ ସଞ୍ଜୁ ସାମସନ୍‍ଙ୍କୁ ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଥିଲା। ରାହୁଲ ଦ୍ରାବିଡ୍‍ ଓ ଅଜିଙ୍କ୍ୟା ରାହାଣେଙ୍କ ପରେ ୩ୟ ଭାରତୀୟ ଭାବେ ସଞ୍ଜୁ ରାଜସ୍ଥାନ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଗତ ସିଜନରେ ସେ ୧୪ ଇନିଂସରୁ ୩୭୫ ରନ୍‍ ସଂଗ୍ରହ କରି ଦଳ ପକ୍ଷରୁ ସଫଳ ବ୍ୟାଟ୍ସମ୍ୟାନ ରହିଥିଲେ। ତ୍ରୟୋଦଶ ସଂସ୍କରଣରେ ରାଜସ୍ଥାନ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଥିବାରୁ ସାମସନ୍‍ଙ୍କ ପାଇଁ ଚଳିତ ସିଜନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ।

Leave A Reply

Your email address will not be published.