ଆଜି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ : ବିଜୟ ଲକ୍ଷ୍ୟରେ ଭାରତ, ଦଳକୁ ଫେରିଲେ ରୋହିତ ଶର୍ମା

ବିଶାଖାପାଟଣା : ସ୍ଥାନୀୟ ୱାଇ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଗୁରୁବାର ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ୫ ୱିକେଟରେ ବିଜୟୀ ହୋଇଛି। ଏଠାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ବିଜୟ ହାସଲ କରି ଭାରତ ଆଗୁଆ ଶୃଙ୍ଖଳା କବ୍ଜା କରିବ ବୋଲି ଆଶା କରାଯାଉଛି। ପାରିବାରିକ କାରଣରୁ ପ୍ରଥମ ମ୍ୟାଚ୍ରେ ଅନୁପସ୍ଥିତ ଥିବା ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳକୁ ଫେରିଛନ୍ତି ଓ ସେ ଦ୍ୱିତୀୟ ଦିନିକିଆରେ ଦଳର ନେତୃତ୍ୱ ନେବେ। ଦଳରେ ଆଉ କିଛି ପରିବର୍ତ୍ତନ ହେବାର ଆଶା କମ୍ ଥିଲାବେଳେ ରୋହିତ ସାମିଲ ହେବା ପରେ ପ୍ରାରମ୍ଭିକ ବ୍ୟାଟର ଇଶାନ କିସାନ ବାଦ୍ ପଡ଼ିବେ।
ଟପ୍ ଅର୍ଡର ବ୍ୟାଟିଂ ଚିନ୍ତା
ପେସ୍ ବୋଲରଙ୍କୁ ସହାୟତା ଦେଉଥିବା ପିଚ୍ରେ ଭାରତୀୟ ବ୍ୟାଟର ସଂଘର୍ଷ କରିଥାନ୍ତି। ପ୍ରଥମ ଦିନିକିଆରେ ଏହା ସ୍ପଷ୍ଟ ହୋଇଥିଲା। ବାମହାତୀ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଏକଦା ଭାରତର ସ୍କୋର ୪ ୱିକେଟରେ ୩୯ ଓ ୫ ୱିକେଟରେ ୮୩ ରନ୍ ହୋଇଯାଇଥିଲା। କେବଳ ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଭାରତ ବିଜୟ ହାସଲ କରିବାରେ ସମର୍ଥ ହୋଇଥିଲା। ଏହି ୫ଟି ୱିକେଟ ମଧ୍ୟରୁ କିସାନ ବାଦ୍ ପଡ଼ିବେ। ତାଙ୍କ ସ୍ଥାନରେ ରୋହିତ ସାମିଲ ହେବା ପରେ ଶୀର୍ଷ ସ୍ଥାନର ବ୍ୟାଟିଂରେ ଦୃଢ଼ତା ଆସିବ। ଏହି ଶୃଙ୍ଖଳାରେ ଆଉ ଦୁଇଟି ମ୍ୟାଚ୍ ଥିବାରୁ ଭାରତକୁ ଜଣେ ଟପ୍ ବାମହାତୀ ବୋଲରଙ୍କ ସହ ଖେଳି ଭଲ ଅଭ୍ୟାସ ପାଇବେ।
ବିରାଟ କୋହଲି ଓ ଶୁବମାନ ଗିଲ ବିଫଳ ହୋଇଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। କିନ୍ତୁ ନଂ-୪ରେ ବ୍ୟାଟିଂ କରିବାକୁ ଆସୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ବିଫଳତା ଦଳକୁ ଅଡୁଆରେ ପକାଇଛି। ସେ ଏଯାଏ ୧୫ଟି ଦିନିକିଆ ଖେଳିଥିଲାବେଳେ ଥରେ ହେଲେ ୫୦ ରନ୍ ଅତିକ୍ରମ କରି ନାହାନ୍ତି। ଶ୍ରେୟସ ଆୟର ଅନ୍ଫିଟ୍ ଥିବାରୁ ଭାରତ ନିକଟରେ ସୂର୍ଯ୍ୟକୁମାରଙ୍କୁ ଖେଳାଇବା ଛଡ଼ା ଏବେ ଆଉ କିଛି ବିକଳ୍ପ ନାହିଁ। ଦେଖାଯାଉ ଚଳିତ ଶୃଙ୍ଖଳାରେ ସେ ତାଙ୍କ ଟି-୨୦ ଫର୍ମ ପ୍ରଦର୍ଶନ କରିବାରେ ସମର୍ଥ ହେବେ କି ନାହିଁ। ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଭଲ ଫର୍ମରେ ଅଛନ୍ତି। କିନ୍ତୁ ସବୁବେଳେ ଯେ ସେମାନେ ମ୍ୟାଚ୍ ବିଜେତା ହେବେ ତାହାର କିଛି ଗ୍ୟାରେଣ୍ଟି ନାହିଁ।
ଘରୋଇ ଦଳର ବୋଲିଂ ସ୍ଥିର
ମୁମ୍ବାଇରେ ଭାରତର ଦୁଇ ଫାଷ୍ଟ ବୋଲର ମହମ୍ମଦ୍ ସାମି ଓ ମହମ୍ମଦ ସିରାଜ ପିଚ୍ରୁ ଫାଇଦା ଉଠାଇ ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ। ଦଳରେ ଶାର୍ଦ୍ଦୁଳ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଅଲରାଉଣ୍ଡର ଥିବାରୁ ଘରୋଇ ଦଳ ୬ଜଣ ବୋଲରଙ୍କୁ ଖେଳାଇବାରେ ସମର୍ଥ ହେଉଛି। ମୁଖ୍ୟ ସ୍ପିନର ରବୀନ୍ଦ୍ର ଜାଡେଜା ଯେପରି ବ୍ୟାଟିଂ କରୁଛନ୍ତି ବୋଲିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କେବଳ କୁଲଦୀପ ଯାଦବ ପ୍ରଭାବ ପକାଇପାରି ନାହାନ୍ତି। ବିଶାଖାପାଟଣା ପିଚ୍ରେ ପ୍ରଚୁର ରନ୍ ହେବ। ଫଳରେ ଜଣେ ଅଧିକ ସ୍ପିନରଙ୍କୁ ଖେଳାଇବା ଲାଗି ଘରୋଇ ଦଳ ଉତ୍ସାହିତ ହୋଇପାରେ କିମ୍ବା କୁଲଦୀପଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲଙ୍କୁ ନିଆଯାଇପାରେ।
୪ ଅଲରାଉଣ୍ଡରଙ୍କୁ ନେଇ ଖେଳିବ ଅଷ୍ଟ୍ରେଲିଆ
କାମଚଳା ଅଧିନାୟକ ଷ୍ଟିଭେନ ସ୍ମିଥ୍ଙ୍କ ନେତୃତ୍ୱରେ ଏଠାରେ ଖେଳୁଥିବା ଅଷ୍ଟ୍ରେଲିଆ ଦଳରେ ୪ ଜଣ ଅଲରାଉଣ୍ଡର ପ୍ରଥମ ଦିନିକିଆରେ ଖେଳିଥିଲେ। ଏମାନେ ଭାରତ ଉପରେ ବିଶେଷ ପ୍ରଭାବ ପକାଇବାରେ ସମର୍ଥ ହୋଇ ନାହାନ୍ତି। ମିଚେଲ ମାର୍ଶଙ୍କ ଦ୍ରୁତ ୮୧ ରନ୍କୁ ବାଦ୍ ଦେଲେ କାମେରନ ଗ୍ରୀନ୍, ମାର୍କସ ଷ୍ଟୋଇନିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ ନିଜ ଦକ୍ଷତା ଅନୁଯାୟୀ ଖେଳି ପାରି ନାହାନ୍ତି। ଟ୍ରାଭିସ୍ ହେଡ୍ ମଧ୍ୟ ପ୍ରଭାବୀ ହୋଇ ନାହାନ୍ତି। ଏମାନଙ୍କ ଉପରେ ଭରସା କରି ସ୍ମିଥ ପଡ଼ିଆକୁ ଓହ୍ଲାଇବେ। ସେ ମଧ୍ୟ ନିଜ ଫର୍ମ ଉପରେ ଗୁରୁତ୍ୱ ଦେବେ। ଡେଭିଡ୍ ୱାର୍ଣ୍ଣରଙ୍କ ଅନୁପସ୍ଥିତି ଦଳକୁ ଅଡ଼ୁଆରେ ପକାଇଛି। ଦଳର ବ୍ୟାଟିଂ ଲାଇନ୍ ଏତେ ଦୃଢ଼ ଥିଲେ ମଧ୍ୟ ଶେଷ ୬ଟି ୱିକେଟ ମାତ୍ର ୧୯ ରନ୍ରେ ହରାଇବା ଆଦୌ ଶୁଭଙ୍କର ନୁହେଁ। ଏହାକୁ ଦଳ ବିଶାଖାପାଟଣାରେ ଫ୍ଲାଟ ପିଚ୍ରେ ସୁଧାରି ନେବ ବୋଲି ଆଶା କରାଯାଉଛି।
ବିଶାଖାପାଟଣାରେ ବର୍ଷା ଆଶଙ୍କା
ପାଣିପାଗ ବିଭାଗ ଅନୁଯାୟୀ ବିଶାଖାପାଟଣା ଝଡ ଓ ବର୍ଷା ହେବାର ଆଶଙ୍କା ରହିଛି। ଅପରାହ୍ଣରେ ବର୍ଷା ହୋଇପାରେ। ଏହା ଯଦି ହୁଏ, ତେବେ ମ୍ୟାଚ୍ ନିଶ୍ଚିତ ବାଧାପାଇବ। କିନ୍ତୁ ପୂରା ବାତିଲ ହେବ ନାହିଁ। ଓଭର ସଂଖ୍ୟା କମିଲେ ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା ଦଳ ଲାଭବାନ ହେବେ। ସେହିପରି ପେସ୍ ବୋଲରଙ୍କୁ ସୁଇଂ କରାଇବାରେ ସହାୟତା ମିଳିପାରେ।